ଭୁବନେଶ୍ୱର: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଏବଂ ଏହା ଅଧିନ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ଅନୁଷ୍ଠିତ ହୋଇଛି । ମିଳିଥିବା ତଥ୍ୟ ଅନୁସାରେ ମତଦାନ ହାର ୬୫.୦୩ ପ୍ରତିଶତ ରହିଛି । ଆସନ୍ତାକାଲି ସୁଦ୍ଧା ଚୂଡାନ୍ତ ମତଦାନ ହାର ସ୍ପଷ୍ଟ ହେବ । କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ମତଦାତାମାନେ ବହୁ ଉତ୍ସାହର ସହିତ ମତଦାନ କରିଥିବାର ଦେଖାଯାଇଛି । ଏଥିରେ ସମସ୍ତ ଅଂଚଳର ସମସ୍ତ ବର୍ଗର ମତଦାତାମାନେ ସାମିଲ ହୋଇଥିଲେ । ଆଦିମ ଜନଜାତି ଗୋଷ୍ଠୀର ମତଦାତାମାନେ ମଧ୍ୟ ଅତ୍ୟନ୍ତ ଉତ୍ସାହର ସହ ମତଦାନ କରିଛନ୍ତି । କୋରାପୁଟ ଜିଲ୍ଲାର କୋଟିଆ ଅଂଚଳରେ ରେକର୍ଡ ମତଦାନ ହୋଇଛି । ଏଠାକାର ୯ଟି ବୁଥ୍ ରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୭୬ ପ୍ରତିଶତ ମତଦାନ ହୋଇଥିଲା । ମାଲକାନଗିରିର ସ୍ୱାଭିମାନ ଅଂଚଳରେ ଥିବା ୨୩ ବୁଥ୍ ରେ ସନ୍ଧ୍ୟା ୫ଟା ସୁଦ୍ଧା ମତଦାନ ହାର ୬୫.୪୬ ପ୍ରତିଶତ ରହିଥିଲା । ସକାଳୁ ମକ୍ ପୋଲ ସମୟରେ ଅଳ୍ପକିଛି ସ୍ଥାନରେ ଇଭିଏମ୍ କେଂଟ୍ରାଲ ୟୁନିଟ୍, ବାଲାଟ ୟୁନିଟ୍ ଓ ଭିଭିପାଟ୍ ରେ ତ୍ରୁଟି ଦେଖାଦେଇଥିଲା । ସେ ସମସ୍ତ ୟୁନିଟଗୁଡ଼ିକ ତୁରନ୍ତ ବଦଳାଯାଇଥିଲା ଓ ମତଦାନ ସ୍ୱାଭାବିକ ଭାବରେ ଚାଲିଥିଲା । ଏହି ପର୍ଯ୍ୟାୟ ମତଦାନରେ ୱେବ୍କାଷ୍ଟିଂ ଦ୍ୱାରା ପ୍ରାୟ ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ବୁଥ୍ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଦୃଷ୍ଟି ରଖାଯାଇଥିଲା । ନିର୍ବାଚନ ପରିଚାଳନା ସମ୍ବନ୍ଧରେ ବିଶେଷ ଜ୍ଞାନ ଥିବା ବରିଷ୍ଠ ଅଧିକାରୀମାନେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଏନ୍. ତିରୁମାଲା ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୱେବ୍କାଷ୍ଟିଂ ଦ୍ୱାରା ଉକ୍ତ ବୁଥ୍ଗୁଡ଼ିକ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଥିଲେ । ସମସ୍ତ ମତଦାନ କେନ୍ଦ୍ରରେ ନିର୍ଦ୍ଧାରିତ ସମୟରେ ମତଦାନ ସମାପ୍ତ ହୋଇଥିଲା । ସବୁ ସ୍ଥାନରୁ ପୋଲିଂ ପାର୍ଟିମାନେ ମଧ୍ୟ ପ୍ରତ୍ୟାବର୍ତନ କରିବା ଆରମ୍ଭ କରିଛନ୍ତି । ନୂଆପଡ଼ା ଜିଲ୍ଲାର ଦୁର୍ଗମ ଅଂଚଳରେ ଥିବା ୩ଟି ବୁଥ୍ରୁ ପୋଲିଂ ପାର୍ଟିମାନଙ୍କୁ ଏୟାର ଲିଫ୍ଟ କରାଯାଇଛି । ଶାନ୍ତିଶୃଙ୍ଖଳା ମଧ୍ୟରେ ମୁକ୍ତ, ଅବାଧ ଓ ନିରପେକ୍ଷ ମତଦାନ ପ୍ରକ୍ରିୟା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ପୋଲିଂ ପାର୍ଟି ଓ ସୁରକ୍ଷାକର୍ମୀମାନଙ୍କୁ ସାଧୁବାଦ ଜଣାଇଛନ୍ତି । ଏହା ସହ ମତଦାନ କରି ଭାରତୀୟ ଗଣତନ୍ତ୍ରକୁ ସୁଦୃଢ଼ କରିଥିବା ପ୍ରତିଟି ମତଦାତା, ବରିଷ୍ଠ ମତଦାତା, ଯୁବ ମତଦାତା ଓ ଭିନ୍ନକ୍ଷମ ମତଦାତାମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି । ସୂଚନାଯୋଗ୍ୟ ଯେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନରେ ୪ଟି ଲୋକସଭା କ୍ଷେତ୍ର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟିଂ ହୋଇଛି । ୪ଟି ପର୍ଯ୍ୟାୟରେ ସଂସଦୀୟ କ୍ଷେତ୍ର ଲାଗି ୩୭ ଜଣ ପ୍ରାର୍ଥୀ ଓ ବିଧାନସଭା ଲାଗି ୨୪୩ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ ରେ ସିଲ୍ ହୋଇଛି । ଏହି ୪ଟି ଲୋକସଭା ନିର୍ବାଚନମଣ୍ଡଳୀରେ ମୋଟ ୬୨ ଲକ୍ଷ ୮୭ ହଜାର ୨୨୨ ଭୋଟର ରହିଛନ୍ତି । ଏମାନଙ୍କ ମଧ୍ୟରେ ୩୦ ଲକ୍ଷ ୯୭ ହଜାର ୫୨୭ ପୁରୁଷ ଏବଂ ୩୧ ଲକ୍ଷ ୮୯ ହଜାର ୬୦ ମହିଳା ଏବଂ ୬୩୫ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି । ଏହି ପର୍ଯ୍ୟାୟରେ ଭୋଟ ପାଇଁ ୭ ହଜାର ୩୦୩ ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଥିଲା ।