‘ଗଛକଟା ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ’


ବରିଷ୍ଠ ଶିକ୍ଷାବିତ୍‍ମାନଙ୍କ ନିବେଦନ
କଟକ, ତା୧୦ା୫- ରାଜ୍ୟର ୨୦ଜଣ ବରିଷ୍ଠ ଶିକ୍ଷାବିତ୍‍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଏକ ଚିଠି ଲେଖି ରାଜ୍ୟରେ ଚାଲିଥିବା ଅବାଧ ଗଛକଟା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ନିବେଦନ କରିଛନ୍ତି ।
ସେମାନେ ଉକ୍ତ ଚିଠିରେ ଲେଖିଛନ୍ତି ଯେ, ଗତ କିଛିଦିନ ଧରି ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ କଲବଲ ହୋଇଯାଉଛି । ଘର ବାହାରେ ମୁଣ୍ଡଫଟା ଖରା ଓ ଘର ଭିତରେ ଅସହ୍ୟ ଗରମ ଅନୁଭୂତ ହେଉଛି । ତେଣୁ ଘର ଭିତରେ ରହି ହେଉନାହିଁ କିମ୍ବା ଘର ବାହାରକୁ ଯାଇ ହେଉନାହିଁ । ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଅବାଧ ଗଛକଟା ପରିସ୍ଥିତିକୁ ଜଟିଳ କରିଦେଇଛି । କଟକ ସହରକୁ ଘେରି ରହିଥିବା ମହାନଦୀ ଓ କାଠଯୋଡ଼ି କୂଳରୁ ଗଛକଟା ଅଭିଯାନ ଚାଲିଛି । ଖାନ୍‍ନଗର ପାଖ କାଠଯୋଡ଼ି କୂଳରେ ଓ ମଧୁସୂଦନ ସେତୁ ପାଖ ମହାନଦୀ କୂଳରେ ୫୦ରୁ ୧୦୦ ବର୍ଷର ପୁରୁଣା ଗଛସବୁ ଆଉ ନାହିଁ ।
ସେମାନେ ପୁଣି ଲେଖିଛନ୍ତି, ନୂତନ ରାସ୍ତା ନିର୍ମାଣ ପାଇଁ ଗଛ ନକାଟି ଏକାଧିକ ବିକଳ୍ପ ପନ୍ଥା ରହିଛି । ବିଶ୍ୱର ଉନ୍ନତ ଦେଶଗୁଡ଼ିକରେ ତଥା ଭାରତର ଉନ୍ନତ ରାଜ୍ୟମାନଙ୍କରେ ଏହିସବୁ ବିକଳ୍ପ ପନ୍ଥା ଅବଲମ୍ବନ କରାଯାଉଛି । ମଣିଷର ବ୍ୟବହାର ପାଇଁ ରାସ୍ତା ନିର୍ମାଣ କରାଯାଇଥାଏ; ମାତ୍ର ମଣିଷ ବିଲୁପ୍ତ ହୋଇଗଲେ, ରାସ୍ତା ମୂଲ୍ୟହୀନ ହୋଇଯିବ । ଏହି ପରିପ୍ରେକ୍ଷୀରେ ଶିକ୍ଷାବିତ୍‍ମାନେ ଗଛକଟା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।
ଉକ୍ତ ପତ୍ରରେ ପ୍ରଫେସର ଅନନ୍ତ ଚରଣ ସାହୁ, ଗୋରାଚାନ୍ଦ ପଟ୍ଟନାୟକ, ଜ୍ଞାନେନ୍ଦ୍ର କୁମାର ଶର୍ମା, ତୁଷାରକାନ୍ତ ପଟ୍ଟନାୟକ, ଦିନେଶ ପ୍ରସାଦ ପଟ୍ଟନାୟକ, ଦେବପ୍ରସାଦ ନନ୍ଦ, ନାରାୟଣ ମହାନ୍ତି, ପ୍ରଭାତ କୁମାର ମିଶ୍ର, ପ୍ରେମାନନ୍ଦ ମିଶ୍ର, ବାସନ୍ତୀ ରାୟ, ବିଚିତ୍ରାନନ୍ଦ ବଳ, ବିମଳ ପ୍ରସାଦ ନନ୍ଦ, ବିଷ୍ଣୁ ଚରଣ ସାହୁ, ଶଚୀନ୍ଦ୍ର ରାଉଳ, ସରୋଜ କୁମାର ସିଂହ, ସୁବାସିନୀ ଲେଙ୍କା, ସୁରେନ୍ଦ୍ର ମୋହନ ପାଣି, ସେଖ ଇକ୍‍ବାଲ ହୁସେନ, ହରିହର ମିଶ୍ର ଓ ହେମେନ୍ଦ୍ର ନାରାୟଣ ଦାସ ସ୍ୱାକ୍ଷର କରିଛନ୍ତି ।

Leave a Reply

Your email address will not be published. Required fields are marked *