ଖୋର୍ଦ୍ଧା: ସ୍ୱତନ୍ତ୍ର ସମରକଳାରେ ନିପୁଣ କ୍ଷତ୍ରିୟ ପାଇକମାନେ ନିଜ ସାହସ, ବୀରତ୍ୱ ପାଇଁ ସାରା ଭାରତରେ ପରିଚିତ ଥିଲେ । ହେଲେ ଆଜି ସେ ପାଇକ କଳା ଏକ ପ୍ରକାର ବୁଡ଼ିବାକୁ ବସିଛି । ରାଜ୍ୟ ସରକାରଙ୍କର ସଂସ୍କୃତି ବିଭାଗ ଏହି ରଣକୌଶଳ ପ୍ରତି ଦୃଷ୍ଟି ଦେଉ ନଥିବାରୁ ଧୀରେ ଧୀରେ ଏହା ଲୁଚି ଯିବାର ଆଶଙ୍କା ଦେଖାଦେଇଥିବା ଦାବି ହୋଇଛି । ସମଗ୍ର ରାଜ୍ୟରେ ସାମାଜିକ, ସାଂସ୍କୃତିକ ଓ ବୀରତ୍ୱର ଚେତନାକୁ ନେଇ ଖୋର୍ଦ୍ଧା ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ । ଦିନ ଥିଲା ପାଇକମାନଙ୍କର ସ୍ୱତନ୍ତ୍ର ରଣକୌଶଳ ବ୍ରିଟିଶ ସେନାକୁ ଚକିତ କରି ଦେଇଥିଲା । ସମଗ୍ର ଭାରତବର୍ଷରେ ମଧ୍ୟ ଚହଳ ସୃଷ୍ଟି କରିଥିଲେ ବୀର ପାଇକ । ଏହି ରଣକୌଶଳକୁ ଆଦରି ୧୮୧୭ ମସିହାରେ ପାଇକମାନେ ବ୍ରିଟିଶ ବିରୋଧରେ ପ୍ରଥମ ଗଣ ବିପ୍ଲବର ଡାକରା ଦେଇଥିଲା ବେଳେ ଏବେ କିନ୍ତୁ ସେହି ପାଇକ ରଣକୌଶଳ ଏବେ କେବଳ ମନୋରଞ୍ଜନର ଖୋରାକ ପାଲଟିଛି । ରାଜ୍ୟ ସରକାରଏଥି ପ୍ରତି ଦୃଷ୍ଟି ଦେଉ ନଥିବାରୁ ଏହି କଳା ଏବେ ଉପେକ୍ଷିତ । ଖୋର୍ଦ୍ଧା ଜିଲ୍ଲା ସଦରମହକୁମା ଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ରାଜ୍ୟ ଓ ଜିଲ୍ଲାସ୍ତରୀୟ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ପାଇକ ଆଖଡାକୁ କେବଳ ମନ୍ତ୍ରୀମାନଙ୍କୁ ସ୍ୱାଗତ କରିବା ସହ ବିଭିନ୍ନ ମେଳା ମହୋତ୍ସବରେ ମନୋରଞ୍ଜନ ମଧ୍ୟରେ ସୀମିତ ରଖାଯାଇଛି । ତେବେ ପାଇକ ରଣକୌଶଳକୁ ଯେଉଁ ଭଳି ଢଙ୍ଗରେ ବ୍ୟବହାର କରାଯାଉଛି ତାହା ବହୁ ବୁଦ୍ଧିଜୀବୀଙ୍କ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି କରିଛି । ଅତୀତର ଗୌରବମୟ ପାଇକ ସଂସ୍କୃତିକୁ ରାଜ୍ୟ ସରକାର ଯଥେଷ୍ଟ ସମ୍ମାନ ପ୍ରଦର୍ଶନ କରୁନଥିବା ପାଇକ ଦାୟଦମାନେ କହିଛନ୍ତି । ଇତିହାସର ପୃଷ୍ଠା ଓଲଟାଇଲେ ଦେଖିବାକୁ ମିଳେ ଯେ, ବ୍ରିଟିଶ ସେନା ବିରୋଧରେ ଲଢ଼ିଥିବା ଏହି ବୀର ପାଇକମାନଙ୍କ କଳା କୌଶଳ ଆଗରେ ଇଂରେଜମାନେ ହାର ମାନିଥିଲେ । ଇତିହାସ କହେ ପାଇକମାନେ କପାଳରେ କସ୍ତୁରୀ ତିଳକ ସଜ୍ଜିତ ହୋଇ ପ୍ରାୟ ୧୬ଟି ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ । ଅସ୍ତ୍ରଶସ୍ତ୍ର ଗୁଡ଼ିକ ହେଲା ନଳୀ, ଠୁଙ୍କା , ବାରୁଦକୁମ୍ପା, ଖଣ୍ଡା, ଖପର, ଢ଼ାଲ, କାଣ୍ଡ, କଟାରୀ, ବାଙ୍କଛୁରୀ ଓ କଟିଘାଲ । ଯୁଦ୍ଧ ସମୟରେ ପାଇକବୀରମାନେ ଘଣ୍ଟିପାଳ, ବାଗପଟି, ବଳା, ଘାଗୁଡି ଓ ରୁପଚନ୍ଦ୍ର ଆଦି ଅଳଙ୍କାର ମଧ୍ୟ ବ୍ୟବହାର କରୁଥିଲେ । ପାଇକ ରଣକୌଶଳ ଏକ ନିଆରା କଳା ହୋଇଥିଲେ ମଧ୍ୟ ଏହାର ଅଧିକ ପ୍ରଚାର ଓ ପ୍ରସାର ପାଇଁ ଯଥେଷ୍ଟ ଉଦ୍ୟମ ରାଜ୍ୟ ସରକାରଙ୍କ ପକ୍ଷରୁ ହେଉନାହିଁ । ସେହିପରି ଖୋର୍ଦ୍ଧା ନିକଟ ଗୁରୁଜଙ୍ଗରେ ଏକ ସମର କଳା ଏକାଡେମୀ ପ୍ରତିଷ୍ଠା ହୋଇଥିଲା । ୧୯୯୪ ମସିହା ନଭେମ୍ବର ମାସରେ ଉଦଘାଟିତ ଏହି ଏକାଡେମୀର ପ୍ରଥମ ବ୍ୟାଚରେ ୫୦ ଜଣ ଛାତ୍ର ଉତୀର୍ଣ୍ଣ ହେବା ପରେ ସେମାନେ ଭାରତୀୟ ସେନା ବାହିନୀରେ ନିଯୁକ୍ତି ପାଇ ପାରିଥିଲେ । ଏହା ପରେ ଅବହେଳା ସହ ପରିଚାଳନାଗତ ତ୍ରୁଟି ପାଇଁ ଏହି ଏକାଡେମୀରେ ତାଲା ଝୁଲିଥିଲା । ପାଇକ ସମରକଳା ଶିକ୍ଷାଲାଭ କରିବା ପାଇଁ ଇଚ୍ଛୁକ ଅନେକ ଯୁବକଙ୍କୁ ନିରାଶ ହେବାକୁ ପଡିଲା । ଖୋର୍ଦ୍ଧା ଆଖପାଖରେ କେତୋଟି ଗ୍ରାମରେ ପାଇକ ଆଖଡା କେବଳ ନାମକୁ ମାତ୍ର ବଞ୍ଚି ରହିଥିଲେ ହେଁ ଆବଶ୍ୟକୀୟ ସରକାରୀ ପ୍ରୋତ୍ସାହନ ମିଳୁନାହିଁ । ସୁରକ୍ଷା ଅଭାବରୁ ପାଇକ ଆଖଡା ଗୁରୁମାନଙ୍କ ଘରେ ମହଜୁଦ ଥିବା ପୁରାତନ ଅସ୍ତ୍ରଶସ୍ତ୍ର ଗୁଡିକ ନଷ୍ଟ ହେବାକୁ ବସିଛି । ଏଗୁଡିକୁ ସୁରକ୍ଷିତ ରଖିବାକୁ କୌଣସି ସ୍ତରରୁ ତତ୍ପରତା ପ୍ରକାଶ ପାଉନାହିଁ । ସେପଟେ ପାଇକ ରଣକୌଶଳ ସମ୍ପର୍କରେ ଶିକ୍ଷା ଦେଇ ଏହାକୁ ବଞ୍ଚାଇ ରଖିଥିବା ଗୁରୁମାନଙ୍କ ପାଇଁ ସରକାରଙ୍କର ମଧ୍ୟ କୌଣସି ଆର୍ôଥକ ପ୍ରୋତ୍ସାହନ ନାହିଁ । ରାଜ୍ୟ ସରକାର ବିଭିନ୍ନ ଏକାଡେମୀ ଗଠନ କରିବା ସହ ସେସବୁକୁ ଆର୍ôଥକ ସହାୟତା ଯୋଗାଇ ଦେଉଛନ୍ତି । ହେଲେ ପାଇକ ସଂସ୍କୃତି ଏହି ସୁଯୋଗରୁ ବଞ୍ଚିତ ହୋଇଛି । ସଂସ୍କୃତି ବିଭାଗ ପକ୍ଷରୁ ଉପଯୁକ୍ତ ଧ୍ୟାନ ଦିଆଗଲେ ଖୋର୍ଦ୍ଧାର ଗୌରବ ବହନ କରୁଥିବା ଏହି ପାଇକ ସମରକଳା ଏକ କଳାର ମାନ୍ୟତା ପାଇବା ସହ ଆହୁରି ପ୍ରସାର ଲାଭ କରିପାରନ୍ତା ବୋଲି ଦାବି ହୋଇଛି । ତେବେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଏଥିପ୍ରତି କେବେ ଦୃଷ୍ଟି ଦେବେ ତାହା ସାଧାରଣରେ ପ୍ରଶ୍ନ ଉଠିଛି ।