ବିନା ଭୋଟର ପରିଚୟପତ୍ରରେ ଭୋଟ ଦେଇହେବ

ନୂଆଦିଲ୍ଲୀ :କୌଣସି ଜଣେ ବି ପ୍ରକୃତ ଭୋଟର ଯେପରି ମତଦାନ ଅଧିକାରରୁ ବଞ୍ଚତ୍ତ ନ ହୁଅନ୍ତି, ତାହା ସୁନିଶ୍ଚିତ କରିବା ପାଇଁ ଭାରତର ନିର୍ବାଚନ କମିଶନ (ଇସିଆଇ) ରାଜ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଭୋଟର ପରିଚୟ ପତ୍ରରେ ମୁଦ୍ରଣଗତ ତ୍ରୁଟି କିମ୍ବା ଉଚ୍ଚାରଣଗତ ତ୍ରୁଟି ରହିଥିଲେ, ସେଗୁଡ଼ିକୁ ଏଡ଼ାଇ ଯିବା ପାଇଁ ନିର୍ବାଚନ ଅଧିକାରୀମାନଙ୍କୁ କୁହାଯାଇଛି । ଇସିଆଇଙ୍କ ପକ୍ଷରୁ ଜାରି ଗାଇଡ୍‌ଲାଇନରେ କୁହାଯାଇଛି, ଗୋଟିଏ ନିର୍ବାଚନ ମଣ୍ଡଳୀର ଭୋଟର ତାଲିକାରେ ଜଣକ ନାଁ ଥାଇ ଅନ୍ୟ ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଜାରି କରିଥିବା ଭୋଟର ଆଇ-କାର୍ଡକୁ ସେମାନଙ୍କ ପରିଚୟ ପ୍ରମାଣ ଭାବେ ଗ୍ରହଣ କରାଯିବ । ଯଦି କୌଣସି ମତଦାତା ଭୋଟର ପରିଚୟ ପତ୍ର ଦେଖାଇ ନ ପାରନ୍ତି, ତେବେ ଫଟୋ ପରିଚୟ ଥିବା ବିକଳ୍ପ ଡକ୍ୟୁମେଣ୍ଟ ଉପସ୍ଥାପନ କରିବେ । ଏଥିପାଇଁ ଆଧାର କାର୍ଡ, ଜବ୍ କାର୍ଡ, ବ୍ୟାଙ୍କ ଏବଂ ପୋଷ୍ଟ ଅଫିସ ଇସ୍ୟୁ କରିଥିବା ପାସ୍‌ବୁକ୍‌, ଶ୍ରମ ମନ୍ତ୍ରଣାଳୟ ଦ୍ୱାରା ଜାରି ସ୍ୱାସ୍ଥ୍ୟ ବୀମା ସ୍ମାର୍ଟ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାନ୍ କାର୍ଡ ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର) ଅଧୀନରେ ଭାରତର ରେଜିଷ୍ଟ୍ରାର ଜେନେରାଲ ଜାରି କରିଥିବା ସ୍ମାର୍ଟ କାର୍ଡକୁ ଗ୍ରହଣ କରାଯିବ । ଏହା ବ୍ୟତୀତ ଭାରତୀୟ ପାସ୍‌ପୋର୍ଟ, ଫଟୋ ଥିବାପେନ୍‌ସନ ଦସ୍ତାବିଜ, କେନ୍ଦ୍ର, ରାଜ୍ୟ ସରକାର କିମ୍ବା ପିଏସ୍‌ୟୁ ଦ୍ୱାରା ଇସ୍ୟୁ ହୋଇଥିବା କର୍ମଚାରୀଙ୍କ ଫଟୋ ଥିବା ସର୍ଭିସ ଆଇ-କାର୍ଡକୁ ଭୋଟରଙ୍କ ପରିଚୟ ଭାବେ ଗ୍ରହଣ କରାଯିବ ।

Leave a Reply

Your email address will not be published. Required fields are marked *