୧୨ ପ୍ରମାଣପତ୍ରରୁ ଗୋଟିଏ ଦେଖାଇ ଭୋଟ ଦେଇପାରିବେ

ଭୁବନେଶ୍ୱର, ୧ ।୪: ଭାରତରେ ସାଧାରଣ ନିର୍ବାଚନ-୨୦୨୪ ପରିପ୍ରେକ୍ଷୀରେ ଭୋଟର ତାଲିକାରେ ନାମ ପଞ୍ଜିକରଣ ହୋଇଥିଲେ ଭୋଟର ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟର ଫଟୋ ପରିଚୟ ପତ୍ର ଦେଖାଇ ଭୋଟ ଦେଇପାରିବେ । ଯଦି ଭୋଟର ଫଟୋ ପରିଚୟ ପତ୍ର ଦେଖାଇବାକୁ ସମର୍ଥ ନହେବେ ତେବେ ନିମ୍ନ ନିର୍ଦ୍ଧାରିତ ୧୨ଟି ବିକଳ୍ପ ଫଟୋ ପରିଚୟ ପତ୍ର ମଧ୍ୟରୁ ଗୋଟିଏ ଦେଖାଇ ଭୋଟ ଦେଇପାରିବେ । ଉକ୍ତ ବିକଳ୍ପ ପରିଚୟ ପତ୍ରଗୁଡ଼ିକ ହେଲା ଆଧାର କାର୍ଡ, ମହାତ୍ମା ଗାନ୍ଧୀ ଜାତୀୟ ରୋଜଗାର ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) କାର୍ଡ, ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରୁ ୟୁନିକ୍ ଡିଜାବିଲିଟି ପରିଚୟ ପତ୍ର (ସ୍ୱତନ୍ତ୍ର ଭିନ୍ନକ୍ଷମ ପରିଚୟ ପତ୍ର) , ଫଟୋ ଲାଗିଥିବା ପାସ୍‌ବୁକ୍‌, ଶ୍ରମ ମନ୍ତ୍ରଣାଳୟ ତରଫରୁ ଦିଆଯାଇଥିବା ସ୍ୱାସ୍ଥ୍ୟବୀମା ସ୍ମାର୍ଟ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାନ୍ କାର୍ଡ, ଏନ୍‌ପିଆର ଅନ୍ତର୍ଗତ ଆରଜିଆଇ ଦ୍ୱାରା ଦିଆଯାଇଥିବା ସ୍ୱାର୍ଟ କାର୍ଡ, ଭାରତୀୟ ପାସ୍ ପୋର୍ଟ, ଫଟୋ ସହିତ ପେନ୍‌ସନ୍ ଡକ୍ୟୁମେଂଟ, କେନ୍ଦ୍ର ସରକାର/ରାଜ୍ୟ ସରକାର/ ସରକାରୀ ଉଦ୍ୟୋଗ/ ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ/ ପବ୍ଲିକ୍ ଲିମିଟେଡ୍ କମ୍ପାନୀ ତରଫରୁ କର୍ମଚାରୀମାନଙ୍କୁ ପ୍ରଦାନ କରାଯାଇଥିବା ଫଟୋ ଲାଗିଥିବା ପରିଚୟ ପତ୍ର, ସାଂସଦ/ବିଧାୟକ/ ବିଧାନ ପରିଷଦ ସଦସ୍ୟଙ୍କୁ ପ୍ରଦାନ କରାଯାଇଥିବା ସରକାରୀ ପରିଚୟ ପତ୍ର, । ଭୋଟର ଫଟୋ ପରିଚୟ ପତ୍ର ଦେଖାଇ ନପାରିଲେ ଉପରୋକ୍ତ ୧୨ଟି ଫଟୋ ପରିଚୟ ପତ୍ର ମଧ୍ୟରୁ ଯେକୌଣସି ଗୋଟିଏ ପରିଚୟ ପତ୍ର ଦେଖାଇ ମତଦାନ କେନ୍ଦ୍ରରେ ମତଦାତାମାନେ ଭୋଟ ଦେଇପାରିବେ ବୋଲି ଭାରତ ନିର୍ବାଚନ କମିଶନ ନିର୍ଦ୍ଦେଶନାମା ଜାରି କରିଛନ୍ତି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି । ନିର୍ଦ୍ଦେଶନାମାରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି-ଯଦି ଭୋଟର ଫଟୋ ପରିଚୟ ପତ୍ରରେ ମୁଦ୍ରଣଗତ ତ୍ରୁଟି ଥାଏ ତାହା ଗ୍ରହଣୀୟ ହେବ । ଯଦି କୌଣସି ବୁଥ୍ ରେ ଭୋଟର ତାଲିକାରେ ନାମ ପଞ୍ଜିକୃତ ହୋଇଥିବ ଏବଂ ଅନ୍ୟ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ଭୋଟର ଫଟୋ ପରିଚୟ ପତ୍ର ଦିଆଯାଇଥାଏ ତାହା ମଧ୍ୟ ଗ୍ରହଣୀୟ ହେବ ।

Leave a Reply

Your email address will not be published. Required fields are marked *