ଡ. ଅଭୟ ନାୟକ ହେଲେ ‘ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା’ର ନୂତନ ଅଧ୍ୟକ୍ଷ


ଭୁବନେଶ୍ୱର : – ଆଜି ଭୁବନେଶ୍ୱର ସତ୍ୟନଗରସ୍ଥିତ ପୂର୍ତ୍ତ ଡାକବଙ୍ଗଳା ସଭା କକ୍ଷରେ ‘ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା’ର ସାଧାରଣ ସଭା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅଧ୍ୟକ୍ଷତା କରିଥିଲେ ଉତ୍କଳ ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ ସଂସ୍କୃତ ବିଭାଗ ମୁଖ୍ୟ ପ୍ରଫେସର ରଘୁନାଥ ପଣ୍ଡା। ଆଗାମୀ ଦିନରେ ଓଡ଼ିଆ ଭାଷା ସାହିତ୍ୟର କେମିତି ପ୍ରଚାର ପ୍ରସାର ତ୍ୱରାନ୍ୱିତ ହୋଇପାରିବ ସେଥିପାଇଁ ବିଭିନ୍ନ ପ୍ରସ୍ତାବ ଗୃହୀତ ହୋଇଥିଲା।

ଶିକ୍ଷାୟତନ ଏବଂ ଗଣ ମାଧ୍ୟମରେ ଓଡ଼ିଆ ସାହିତ୍ୟର ଚର୍ଚ୍ଚା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା।
ଏହାପରେ ନିର୍ବାଚନ ଅଧିକାରୀ ପ୍ରଫେସର ବସନ୍ତ କୁମାର ପଣ୍ଡାଙ୍କ ନିର୍ବାଚନ ପରିଚାଳନାରେ ଏକ ନୂତନ କାର୍ଯ୍ୟକାରିଣୀ ନିର୍ବାଚିତ ହୋଇଥିଲା।
ଯେଉଁଥିରେ ଡ. ଅଭୟ କୁମାର ନାୟକ ସର୍ବସମ୍ମତିକ୍ରମେ ଅଧ୍ୟକ୍ଷ ରୂପେନିର୍ବାଚିତ ହୋଇଥିଲେ। ଡ. ଅଭୟ ନାୟକ ଅଧୁନା ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ସଂସ୍ଥାନର କୁଳସଚିବ ରୂପେ କାର୍ଯ୍ୟରତ। ଏତତ୍ ବ୍ୟତୀତ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡକ୍ଟର ସ୍ମରପ୍ରିୟା ମିଶ୍ର ଏବଂ ରାମଚନ୍ଦ୍ର ମର୍ଦରାଜ କଲେଜର ପ୍ରାକ୍ତନ ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଉପାଧ୍ୟକ୍ଷ ରୂପେ, ଡକ୍ଟର ସନ୍ତୋଷ କୁମାର ମହାପାତ୍ର ସାଧାରଣ ସମ୍ପାଦକ, ଶ୍ରୀ ନାରାୟଣ ନାୟକ ସଂଗଠନ ସମ୍ପାଦକ ଏବଂ ଶ୍ରୀ ଅଜିତ କୁମାର ଦାଶ, ଶ୍ରୀ ରାମକୃଷ୍ଣ ତ୍ରିପାଠୀ, ଶ୍ରୀମତୀ ପ୍ରତିଭା ପ୍ରିୟଦର୍ଶିନୀଙ୍କୁ ସମ୍ପାଦକ ରୂପେ ନିର୍ବାଚିତ କରାଯାଇଥିଲା। ପ୍ରଦୀପ୍ତ କୁମାର ଦାସଙ୍କୁ କୋଷାଧ୍ୟକ୍ଷ ଏବଂ ବିଭିନ୍ନ ଜିଲ୍ଲାରୁ ବାର ଜଣଙ୍କୁ ସଦସ୍ୟରୂପେ ନିର୍ବାଚିତ କରାଯାଇଥିଲା। ସେମାନେ ହେଲେ ଡ. ପ୍ରମୋଦିନୀ ଜେନା, ଡ. ଶିଵପ୍ରିୟା ମିଶ୍ର, ଡ. କାଳୀକିଙ୍କର ପଟ୍ଟନାୟକ, ଶ୍ରୀ ଅବିନାଶ ଦାସ, ଶ୍ରୀ ଭ୍ରମରବର ସାହୁ, ସୁଶ୍ରୀ ସଂଯୁକ୍ତା ପରିଚ୍ଛା, ଡ. କଲ୍ୟାଣୀ ମିଶ୍ର, ଗୋପାଳକୃଷ୍ଣ ପାଢ଼ୀ, ଶ୍ରୀ ଗିରିଜା ଶଙ୍କର ରଥ, ଡ. ରମାକାନ୍ତ ମହାନ୍ତ, ପ୍ରମୋଦ କୁମାର ପରିଡ଼ା, ଡ. ରଘୁନାଥ ଓଝା।

ନୂତନ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ ଅବସରରେ ନୂତନ ଭାବେ ନିର୍ବାଚିତ ଅଧ୍ୟକ୍ଷ ଡ. ଅଭୟ ନାୟକ କହିଲେ ଯେ ଆଗାମୀ ଦିନରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ଲୋକପ୍ରିୟ କରିବା ସଙ୍ଗେ ସଙ୍ଗେ ପଞ୍ଚସଖା ସାହିତ୍ୟକୁ ପରିବ୍ୟାପ୍ତ କରିବାକୁ ପଦକ୍ଷେପ ନେବ। ଜାତୀୟ ସ୍ତରରେ ଓଡ଼ିଆ ସାହିତ୍ୟ କେମିତି ଅଗ୍ରଭାଗରେ ରହିପାରିବ ସେଥିପାଇଁ ପ୍ରଯତ୍ନ କରାଯିବା ସଙ୍ଗେ ସଙ୍ଗେ ଓଡ଼ିଶାର ପ୍ରତି ଜିଲ୍ଲାରେ ସାହିତ୍ୟ ସଂଗଠନ ମାଧ୍ୟମରେ ପରିଷଦର ଆଭିମୁଖ୍ୟକୁ ବିସ୍ତାର କରାଯିବ।

ନୂତନ ଭାବେ ମନୋନୀତ ହୋଇଥିବା ସାଧାରଣ ସମ୍ପାଦକ ଡକ୍ଟର ସନ୍ତୋଷ କୁମାର ମହାପାତ୍ର ସମସ୍ତଙ୍କ ସହଯୋଗ କାମନା କରିଥିଲେ ଏବଂ ସଂଗଠନ ସମ୍ପାଦକ ଶ୍ରୀ ନାରାୟଣ ନାୟକ ସଂଗଠନ ବିସ୍ତାର ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଶେଷରେ ଶ୍ରୀ ଚିନ୍ମୟ ବୋଡେ଼ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *