-ଡ. ସମନ୍ୱୟ ନନ୍ଦ –
ଭାରତର ପଶ୍ଚିମୋତର ଅଂଚଳରେ ଆରମ୍ଭ ହୋଇଥିବା ଭାରତୀୟ ଦଶ ଗୁରୁ ପରମ୍ପରା ଯଦି ନ ଥାନ୍ତା ତେବେ ପାଖା ପାଖି ଅଧା ଉତର ଭାରତ ଇସଲାମରେ ମତାନ୍ତରିତ ହୋଇ ସାରିଥାନ୍ତା । ଦଶ ଗୁରୁ ପରମ୍ପରାର ଦଶମ ଗୁରୁ ଗୁରୁ ଗୋବିନ୍ଦ ସିଂହଙ୍କ ପ୍ରକାଶ ପର୍ବ ଦିନ ପ୍ରଧାନମନ୍ତ୍ରୀ ମୋଦି ୨୦୨୨ରେ ଦୁଇ ସାନ ଗୁରୁ ପୁତ୍ରଙ୍କ ବଳିଦାନ ଦିବସକୁ ବୀର ବାଳ ଦିବସ ରୂପେ ପାଳନ କରିବା ସମ୍ପର୍କରେ ଘୋଷଣା କରିଛନ୍ତି ।
ସେତେବେଳେ ମୁଗଲ ଶାସକ ଔରଙ୍ଗଜେବର ଶାସନ ଥିଲା । ସବୁ ଆଡେ ହିନ୍ଦୁ ମାନଙ୍କୁ ଜୋର ଜବରଦସ୍ତି ଧର୍ମାନ୍ତରୀକରଣ କରା ଯାଉଥିଲା । ଜିଜିଆ କର ନିଆଯାଉଥିଲା । ହିନ୍ଦୁ ମାନଙ୍କର ପବିତ୍ର ସ୍ଥଳ ଗୁଡିକୁ ଅପବିତ୍ର କରା ଯାଉଥିଲା । ଏଭଳି ଏକ ମହୁର୍ତରେ ଭାରତୀୟ ଦଶ ଗୁରୁ ପରମ୍ପରାର ଦଶମ ଗୁରୁ ଗୁରୁ େଗୋବିନ୍ଦ ସିଂହ ଆନନ୍ଦପୁର ସାହେବ ଠାରେ ପଂଚ ପ୍ୟାରେଙ୍କୁ ନେଇ ଖାଲସା ପନ୍ଥ ଆରମ୍ଭ କରିଥିଲେ । ଗୁରୁ ଗୋବିନ୍ଦ ସିଂହଙ୍କ ପିତା ତଥା ନବମ ଗୁରୁ ଗୁରୁ ତେଗ ବାହାଦୁର ଓ ଜେଜେବାପା ଗୁରୁ ଅର୍ଜୁନ ଦେବଙ୍କ ଧର୍ମ ରକ୍ଷା ପାଇଁ ବଳିଦାନ ହୋଇ ସାରିଥିଲା ।
ଔରଙ୍ଗଜେବ ବାରମ୍ବାର ଆନନ୍ଦପୁର ସାହେବ ଉପରେ ଆକ୍ରମଣ କରିବାକୁ ତାର ବିଭିନ୍ନ ସ୍ଥାନରେ ଥିବା ନବାବ ମାନଙ୍କୁ ପଠାଉଥିଲା । ଅନେକ ଥର ସେମାନେ ବିଫଳ ହୋଉଥିଲେ । ଏହା ପରେ ସେ ସରହିନ୍ଦର ନବାବ ବଜିର ଖାନ, ଲାହୋରର ନବାନ ଦିଲାବର ଖାନ ଓ କାଶ୍ମୀରର ନବାବ ଜବରଦସ୍ତ ଖାନକୁ ଆଦେଶ ଦେଲା ଯେ ସେମାନେ ଆନନ୍ଦପୁର ସାହେବ ଉପରେ ଆକ୍ରମଣ କରନ୍ତୁ । ଏହା ପରେ ସେମାନେ ଆନନ୍ଦପୁର ସାହେବକୁ ଘେରି ଆକ୍ରମଣ କରି ଦେଲୋ ଅନେକ ଦିନ ଧରି ଯୁଦ୍ଧ ଚାଲିଲା । ଏହା ପରେ ଗୁରୁଜୀ କିଛି ସୈନିକଙ୍କୁ ଧରି ଦୂର୍ଗରୁ ବାହାରି ଆସିଲେ । ସାମନାରେ ସରସା ନଦୀ ଥିଲା । ଗୁରୁଜୀ ସରସା ନଦୀ ପାର କରି ଚମକୌର ସାହେବ ପହଂଚିଲେ । ସେତେବେଳକୁ ତାଙ୍କ ସହ ମାତ୍ର ୪୦ ଜଣ ସୈନିକ ଥିଲେ । ଗୁରୁଜୀ ତାଙ୍କର ଏହି ସେନାକୁ ଛୋଟ ଛୋଟ ଦଳରେ ବିଭାଜିତ କରି ଦେଲେ । ତାଙ୍କର ଦୁଇ ବଡ ପୁଅ ଅଜିତ ସିଂହ ଓ ଜୁଝାର ସିଂହ ଦୁଇଟି ଦଳର ନେତୃତ୍ୱ ନେଇଥିଲେ । ସେମାନେ ମୁଗଲ ସେନା ସହ ରଣଭୂମିରେ ଲଢି ଅପୂର୍ବ ବୀରତ୍ୱ ପ୍ରଦର୍ଶନ କରି ବୀର ଗତି ପ୍ରାପ୍ତ ହେଲେ । ଅନ୍ୟପଟେ ସରସା ନଦୀରେ କୂଳରେ ହୋଇଥିବା ଭୟଙ୍କର ଯୁଦ୍ଧ ସମୟରେ ଗୁୁରୁ ଗୋବିନ୍ଦ ସିଂହଙ୍କ ଦୁଇ ସାନ ପୁତ୍ର ଜୋରାବର ସିଂହ ଓ ଫତେହ ସିଂହ ତଥା ଗୁରୁଜୀଙ୍କ ମାତା ଗୁଜରୀ ଦେବୀ ଖାଲସା ପରିବାର ଠାରୁ ଅଲଗା ହୋଇ ଯାଇଥିଲେ । ସେମାନଙ୍କ ସରହିନ୍ଦର ନବାବ ତାଙ୍କୁ ଗିରଫ କରି ନେଇଥିଲା । ଡିସେମ୍ବର ମାସର ଏହି ହାଡ ଥରା ଶୀତରେ ଜେଜେମା ଗୁଜରୀ ଦେବୀ ଓ ଦୁଇ କୁନି ନାତି ଜୋରାବର ସିଂହ ଓ ଫତେହ ସିଂହ ଙ୍କୁ ସେ ଖୋଲାରେ କଏଦୀ କରି ରଖିଲା । ସେମାନଙ୍କର ବୟସ ଜଣଙ୍କର ୯ ବର୍ଷ ଓ ଅନ୍ୟ ଜଣଙ୍କର୭ ବର୍ଷ । ତା ପର ଦିନ ଏହି ଦୁଇ ଶିଶୁଙ୍କୁ ସରହିନ୍ଦର ନବାବର କଚେରୀକୁ ନିଆ ଗଲା । ଏହି ଦୁଇ ନିଷ୍ପାପ ଶିଶୁ ନବାବ ସାମନାରେ ପହଂଚି ଥିଲେ । ସେମାନଙ୍କ ମନରେ ଭୟର ସାମାନ୍ୟତମ ଲକ୍ଷଣ ନ ଥିଲା । ସେମାନେ ଉଚ୍ଚ ସ୍ୱରରେ କହିଥିଲେ –‘ବାହେ ଗୁରୁଜୀ କା ଖାଲସା, ବାହେ ଗୁରୁଜୀ କୀ ଫତେହ’ । ଏହା ଶୁଣି ନବାବର ଦରବାରରେ ଥିବା ଜଣେ ବ୍ୟକ୍ତି ଶିଶୁ ମାନଙ୍କୁ କହିଲା ପିଲା ମାନେ, “ଏହା ତୁମ ପିତା ଗୁରୁ ଗୋବିନ୍ଦ ସିଂହଙ୍କ ଦରବାର ନୁହେଁ । ଏହା ସରହିନ୍ଦର ନବାବ ବଜିର ଖାନର କଚେରୀ । ତେଣୁ ନତ ମସ୍ତକ ହୋଇ ତାଙ୍କୁ ସଲାମ କର” । ତେବେ ଏହି ଦୁଇ ଜଣ ଶିଶୁ ଉଚ୍ଚ ସ୍ୱରରେ କହିଥିଲେ “ ଗୁରୁଙ୍କ ଖାଲସା କେବଳ ବାହେ ଗୁରୁଙ୍କ ଫତେହ ହିଁ କହିଥାଏ , ଆଉ କିଛି କହି ନ ଥାଏ । ”ଏହି ଶିଶୁ ମାନଙ୍କ ଠାରୁ ଏପରି କଥା ଶୁଣି ନବାବ ରାଗି ଯାଇଥିଲା ।
ଏହା ପରେ ଏହି ଗୁରୁୁୁପୁତ୍ର ମାନଙ୍କୁ ଇସଲାମରେ ମତାନ୍ତରିତ କରିବାକୁ ପ୍ରୟାସ କରାଗଲା । ପ୍ରଥମେ ସେମାନଙ୍କୁ ଭଲରେ ବୁଝାଗଲା ପରେ ଲୋଭ ଦେଖାଗଲା ଓ ଶେଷରେ ସେମାନଙ୍କୁ ମୃତ୍ୟୁ ଦଣ୍ଡ ଦିଆ ଯିବ ବୋଲି ଧମକ ଦିଆ ଗଲା । ହେଲେ ଗୁରୁପୁତ୍ର ମାନେ ଇସଲାମ ସ୍ୱୀକାର କରିବାକୁ ମନା କରି ଦେଇଥିଲେ । ବଜିର ଖାନ ସେମାନଙ୍କୁ ପଚାରିଥିଲା – “ଯଦି ତୁମକୁ ଛାଡି ଦିଆ ଯାଏ, ତେବେ ତୁମେ କଣ କରିବ ? ଏହାର ଉତରରେ ଗୁରୁପୁୁତ୍ର ମାନେ କହିଥିଲେ – ପ୍ରଥମେ ତ ତୁମେ ଆମକୁ ଛାଡି ଦେବ ବୋଲି ଆମେ ବିଶ୍ୱାସ କରୁ ନାହୁାଁ କିନ୍ତୁ ଯଦି ତୁମେ ଆମକୁ ଛାଡି ଦିଅ ତେବେ ଆମେ ବାହାରକୁ ଯାଇ ଅଧିକ ଲୋକଙ୍କୁ ଏକତ୍ରିତ କରିବୁ ଓ ତୁମର ଏହି ନୃଶଂସ ଶାସନକୁ ହଟାଇବା ପାଇଁ ଯୁଦ୍ଧ କରିବୁ । ”ଏହା ଶୁଣି ବଜୀର ଖାନ ଆହୁରି ରାଗିଗଲା । ସେ ଗୁରୁପୁତ୍ର ମାନଙ୍କୁ କହିଲା – “ଏବେ ମଧ୍ୟ ସମୟ ଅଛି , ତୁମେ ମୋ କଥା ମାନି ନିଅ । ତୁମେ ଇସଲାମ ଆପଣାଇ ନିଅ । ନ ହେଲେ ତୁମକୁ ଅତ୍ୟନ୍ତ କଷ୍ଟରେ ମରିବାକୁ ପଡିବ । ”ଏହାର ଉତରରେ ଗୁରୁପୁତ୍ର ମାନେ କହିଥିଲେ – “ ଏ ବଜୀର ଖାନ, ଆମକୁ ମୃତ୍ୟୁର ଭୟ ଦେଖାଅ ନାହିଁ । ଜୀବନ ଓ ମୃତ୍ୟୁ ପରମାତ୍ମାଙ୍କ ହାତରେ ଅଛନ୍ତି । ଆମେ ବିନା ଭୟରେ ବଂଚୁ, ବିନା ଭୟରେ ମରୁ । ଆମେ ଆମ ଧର୍ମ କଦାପି ଛାଡିବୁ ନାହିଁ । ନିଜ ଧର୍ମ ପାଇଁ ବଳିଦାନ ଦେବାର ଶିକ୍ଷା ଆମେ ଆମର ଅଣ ଜେଜେ ଗୁରୁ ଅର୍ଜୁନ ଦେବଜୀ ଓ ଜେଜେ ଗୁୁରୁ ତେଗ ବାହାଦୁରଜୀଙ୍କ ଠାରୁ ଶିଖିଛୁ । ”
ଗୁରୁପୁତ୍ର ମାନଙ୍କୁ ମୁଣ୍ଡ ନୂଆଇଁବା ପାଇଁ ଶତ ଚେଷ୍ଟା କରିବା ପରେ ମଧ୍ୟ ନବାବ ବଜୀର ଖାନ ବିଫଳ ହେବା ପରେ ସେ ଆହୁରି ରାଗି ଯାଇଥିଲା । ସେ ସଙ୍ଗେ ସଙ୍ଗେ ନିର୍ଦେଶ ଦେଲା – ଏହି ଦୁଇ ବାଳକଙ୍କ ଚାରିପଟେ କାନ୍ଥ ଉଠାଇ ଜୀବନ୍ତ ସମାଧି ଦେଇ ଦିଅ । ନବାବର ଏହି କ୍ରୁର ଆଦେଶ ସଂପୂର୍ଣ ଆକାଶରେ ଗୁଂଜାୟମାନ ହେଲା । ତା ପରେ ଏହି ନିଷ୍ପାପ ବାଳକ ଦୁଇ ଜଣଙ୍କ ଚାରି ପଟେ କାନ୍ଥ ଉଠାଇବା କାମ ଆରମ୍ଭ ହେଲା । କିଛି ସମୟ ପରେ ବଡ ଭାଇଙ୍କ ଆଖିରେ ଅଶ୍ରୁ ବହିବାରେ ଲାଗିଲା । ସାନଭାଈ ତାଙ୍କୁ ପଚାରିଲେ “ଭାଇ, ଆଖିରେ ଲୁହ କାହିଁକି । ବଳିଦାନକୁ ଡରି ଗଲ କି? ” ବଡ ଭାଇ ଉତର ଦେଲେ – “ମୁଁ ମୃତ୍ୟୁକୁ ଡରେ ନାହିଁ, ଇର୍ଷା ହେଉଛି । ତୁ ମୋ ଠାରୁ ପରେ ଏହି ଦୁନିଆକୁ ଆସିଥିଲୁ ହେଲେ ଧର୍ମ ରକ୍ଷା ପାଇଁ ମୋ ଠାରୁ ଆଗରୁ ବଳିଦାନ ଦେବାର ସୌଭାଗ୍ୟ ତୋତେ ମିଳୁଛି । ଏହାକୁ ନେଇ ମୋ ମନରେ ଦୁଃଖ ହେଉଛି । ”
ଏହା ପରେ ଉଭୟ ବାଳକଙ୍କ ଚାରି ପଟେ କାନ୍ଥ ଉଠାଇ ଦିଆ ଗଲା । ଏହି ଦିନଟି ଅନନ୍ତ କାଳ ପାଇଁ ଇତିହାସରେ ଅଂକିତ ହୋଇଗଲା । ଗୁରୁ ଗୋବିନ୍ଦ ସିଂହଜୀଙ୍କର ଦୁଇ ପୁଅଙ୍କ ବଳିଦାନ ହେଲା । ତାଙ୍କର ଅପରାଧ କଣ ଥିଲା ? ସେମାନଙ୍କର କେବଳ ଏତିକି ଅପରାଧ ଥିଲା ଯେ ସେମାନେ ସତ୍ୟ ଓ ଧର୍ମର ତ୍ୟାଗ କରି ନ ଥିଲେ । ମୃତ୍ୟୁକୁ ପରିହାସ କରୁଥିବା ଭଳି ଏଭଳି ଇତିହାସ ବିଶ୍ୱରେ ଆଉ କେଉଁଠି ବା ମିଳିବ ? ଏହା ପରେ ଏହି ବାଳକମାନଙ୍କର ଜେଜେମା ଗୁଜୁରୀ ଦେବୀ ମଧ୍ୟ ବଳିଦାନ ଦେଲେ ।
ପରବର୍ତୀ ସମୟରେ ନିଜର ଧର୍ମପତ୍ନୀ ଗୁରୁ ଗୋବିନ୍ଦ ସିଂହଜୀଙ୍କୁ ତାଙ୍କର ପୁତ୍ର ମାନଙ୍କ ସମ୍ପର୍କରେ ପଚାରିଲେ । ଗୁରୁଜୀ ଜଣେ ନିର୍ଲିପ୍ତ ସନ୍ୟାସୀ ଭାବେ ଏହାର ଉତର ଦେଲେ । କହିଲେ – “ଇନ ପୁତ୍ରନ କେ ସିସ ପର ବାର ଦିଏ ସୁତ ଚାର, ଚାର ମୁଏ ତୋ କ୍ୟା ହୁଆ ଜୀବତ କଇ ହଜାର । ”
ଶହ ଶହ ବର୍ଷ ଧରି ହୋଇଥିବା ବିଦେଶୀ, ବିଧର୍ମୀ ଆକ୍ରମଣକାରୀ ମାନଙ୍କର ବର୍ବର ଆକ୍ରମଣ ସତ୍ୱେ ଏହି ଜାତି ଏପରି ହିଁ ୂବଂଚି ନାହିାଁ ଏଥି ପାଇଁ ଏହି ବୀର ବାଳକ ମାନଙ୍କ ପରି ହଜାର ହଜାର ସଂଖ୍ୟାରେ ବଳିଦାନ ଦେବା କାରଣରୁ ଏହି ଜାତି ଆଜି ବଂଚିଛି । ଆଜି ମଧ୍ୟ ସରହିନ୍ଦର ଲୋକ ମାନେ ଏହି ଘଟଣାକୁ ମନେ ପକଇ ଡିସେମ୍ବର ୨୬ ତାରିଖ ଦିନ ରାତ୍ରୀରେ ଖଟରେ ନ ଶୋଇ ଚଟାଣରେ ଶୋଇଥାନ୍ତି ।