ଜିଲ୍ଲାର ପ୍ରତି ପରିବାରରେ ପହଁଚିବ ଅଯୋଧ୍ୟାରୁ ଆସିଥିବା ଅକ୍ଷତ

କଣିହାଁ : ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ଆସନ୍ତା ଜାନୁଆରୀ ୨୨ ତାରିଖରେ ରାମଲାଲାଙ୍କର ପ୍ରାଣପ୍ରତିଷ୍ଠା କରାଯିବ । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଅଯୋଧ୍ୟାରୁ ଏଥିପାଇଁ ସମଗ୍ର ଦେଶରେ ସମସ୍ତ ପରିବାରଙ୍କୁ ଭେଟି ପୂଜିତ ଅକ୍ଷତ ଦେବା ସହ ନିମନ୍ତ୍ରଣ ପତ୍ର ଦିଆଯିବାର ବ୍ୟବସ୍ଥା କରାଯାଇଛି । ବୁଧବାର ଅନୁଗୁଳ ବନ୍ତଳା ଶ୍ରୀରାମ ମନ୍ଦିରରେ ଅଯୋଧ୍ୟାରୁ ଆସିଥିବା ଅକ୍ଷତ ହୋମଯଜ୍ଞ ପୂଜାର୍ଚ୍ଚନା କରାଯିବା ସହ ଜିଲ୍ଲାର ବିଭିନ୍ନ ବ୍ଲକ ଓ ନଗରକୁ ପଠାଯାଇଛି । କଣିହାଁ ଖଣ୍ଡ ପକ୍ଷରୁ ସେବା ପ୍ରମୁଖ ଭୁବନ ବେହେରା, ଖଣ୍ଡ କାର୍ଯ୍ୟ ବାହ ପବିତ୍ର ମୋହନ ସାହୁ, ସଂଘ ଚାଳକ ଲକ୍ଷ୍ମୀଧର ସାହୁ, ସର ସଂଯୋଜକ ଅଭୟ ସାହୁ, କଣିହାଁ ଖଣ୍ଡର ବିଚାର ବିମର୍ଶ ପ୍ରମୁଖ ଶୁଶାନ୍ତ କୁମାର ସାମଲ, ବିଶ୍ୱ ହିନ୍ଦୁ ପରିଷଦ ବ୍ୟବସ୍ଥା ପ୍ରମୁଖ ଅନିରୁଦ୍ଧ ପାଣି, ପ୍ରଦୀପ ଭାଇ, ଲୋକନାଥ ସାହୁ, କର୍ଣ୍ଣ ଭୂତିଆ, ବିଜୟିନୀ ନାଥ, ସରଜ ଧର, ରମେଶ ସାମଲ, ବନ୍ତଳା ରାମ ମନ୍ଦିରରେ ଅଯୋଧ୍ୟାରୁ ଆସିଥିବା ଅକ୍ଷତ, ନିମନ୍ତ୍ରଣ ପତ୍ର ଓ ଭବ୍ୟ ମନ୍ଦିରର ଛବିକୁ ବନ୍ତଳାରେ ଏକ ବିରାଟ ଶୋଭାଯାତ୍ରାରେ ପରିକ୍ରମା କରି ଏନ୍‌ଟିପିସିକୁ ଆଣିଥିଲେ । ଏନ୍‌ଟିପିସି ବାଇପାସ୍ ଛକ ଠାରେ ସନ୍ଧ୍ୟା ସମୟରେ ଅକ୍ଷତ କଳସ ପହଞ୍ଚିବା ପରେ ସେଠାରେ ବିଜୁଗୋଳ ରାମ ମନ୍ଦିର ସଭାପତି ଶଶାଙ୍କ ଶେଖର ପାଣି ସଂପାଦକ ଗଣେଶ୍ୱର ପାଣି ଓ ମନ୍ଦିର କମିଟିର ସମସ୍ତ ସଦସ୍ୟ ବିଜୁଗୋଳ ଗ୍ରାମବାସୀଙ୍କ ତତ୍ତ୍ୱାବଧାନରେ ଭବ୍ୟ ସ୍ୱାଗତ ସମାରୋହରେ ଘୋଷଯାତ୍ରା ସହିତ ନଗର ପରିକ୍ରମା କରି ବିଜୁଗୋଳ ରାମ ମନ୍ଦିରରେ ପହଞ୍ଚିଥିଲା ସେଠାରେ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ପୂଜକ ଗଗନ ନନ୍ଦ ଉପସ୍ଥିତ ରହି ସ୍ୱାଗତ କରିବା ସହ ପୂଜାର୍ଚ୍ଚନା କରାଯିବା ସହ ମନ୍ଦିରରେ ରଖାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ରାମଭକ୍ତ ଉପସ୍ଥିତ ଥିଲେ । ଏହି ଅକ୍ଷତ ସହ ନିମନ୍ତ୍ରଣ ପତ୍ର ସମଗ୍ର କଣିହାଁ ବ୍ଲକର ସମସ୍ତ ଗ୍ରାମରେ ସମସ୍ତ ପରିବାରଙ୍କ ନିକଟରେ ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରେ ପହଞ୍ଚାଯିବ ବୋଲି କାର୍ଯ୍ୟକ୍ରମର ଖଣ୍ଡ ବାହକ ପବିତ୍ର ମୋହନ ସାହୁ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *