ପ୍ରଧାନମନ୍ତ୍ରୀ ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିରରେ ପୂଜା ଅର୍ଚ୍ଚନା କଲେ

ମଥୁରା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସନ୍ଧ୍ୟାରେ ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିରରେ ପହଂଚିଥିଲେ । ପ୍ରଧାନମନ୍ତ୍ରୀ ମନ୍ଦିରର ଗର୍ଭଗୃହରେ ପାଖାପାଖି ୨୫ ମିନିଟ୍ ପର୍ଯ୍ୟନ୍ତ ବିଧିବଦ୍ଧ ଭାବରେ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ । ଏହା ପରେ ସେ ବ୍ରଜରଜ ଉତ୍ସବରେ ସାମିଲ ହେବା ପାଇଁ ରେଲୱେ ଗ୍ରାଉଣ୍ଡକୁ ବାହାରିଥିଲେ । ବ୍ରଜରାଜ ଉତ୍ସବ ମଥୁରାର ରେଲୱେ ଗ୍ରାଉଣ୍ଡରେ ୧୪ ନଭେମ୍ବରରୁ ଆରମ୍ଭ ହୋଇଛି ଏବଂ ଏହା ୨୭ ନଭେମ୍ବରରେ ଶେଷ ହେବ ।ବ୍ରଜରାଜ ଉତ୍ସବ ତଥା ଉତରପ୍ରଦେଶ ବ୍ରଜତୀର୍ଥ ବିକାଶ ପରିଷଦ ଅଧିନରେ ଆୟୋଜିତ ମୀରାବାଇର ୫୨୫ ତମ ଜନ୍ମ ବାର୍ଷିକୀରେ ଯୋଗଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ପବିତ୍ର ମନ୍ଦିରରେ ପ୍ରାର୍ଥନା କରିଥିଲେ । ଶ୍ରୀକୃଷ୍ଣ ଜନ୍ମସ୍ଥାନ ସେବା ସଚିବ କପିଳ ଶର୍ମା ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ମନ୍ଦିର ସେବକମାନେ ପ୍ରଧାନମନ୍ତ୍ରୀଙ୍କୁ ପ୍ରସାଦ ଅର୍ପଣ କରିଥିଲେ । ଏହା ପୂର୍ବରୁ ମନ୍ଦିର ପରିଚାଳନାର ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ବ୍ରଜରାଜ ଉତ୍ସବରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ପ୍ରାୟ ୫.୩୦ ରେ ଏଠାରୁ ଚାଲିଗଲେ । ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରଥମ ଥର ପାଇଁ ଦେଶର ଜଣେ ପ୍ରଧାନମନ୍ତ୍ରୀ ଦର୍ଶନ ଓ ପୂଜାପାଠ ପାଇଁ ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିରରେ ପହଂଚିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ଭାବରେ ମଥୁରାର ଏହା ହେଉଛି ଚତୁର୍ଥ ଗସ୍ତ । ପ୍ରଧାନମନ୍ତ୍ରୀଙ୍କ ପାଇଁ ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିର ପରିଦର୍ଶନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ ।

Leave a Reply

Your email address will not be published. Required fields are marked *