Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଲଢୁଆ ଯାନ ନିର୍ମାଣ କରିବେ ଭାରତ-ଆମେରିକା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଲଢୁଆ ଯାନ ନିର୍ମାଣ କରିବେ ଭାରତ-ଆମେରିକା

ନୂଆଦିଲ୍ଲୀ : ପ୍ରତିରକ୍ଷା ଶିଳ୍ପ ସହଯୋଗର ଅଂଶବିଶେଷ ଭାବେ ଭାରତ ଏବଂ ଆମେରିକା ମିଳିତ ଭାବେ ଲଢ଼ୁଆ ଯାନ ନିର୍ମାଣ କରିବେ ବୋଲି ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ୍ ଶୁକ୍ରବାର କହିଛନ୍ତି । ଏହା ବ୍ୟତୀତ ଆମେରିକା ଭାରତକୁ ୩୧ଟି ଏମ୍‌କ୍ୟୁ-୯ବି ଡ୍ରୋନ୍ ଖୁବ୍‌ଶୀଘ୍ର ଯୋଗାଇଦେବା ପାଇଁ ଯଥାସମ୍ଭବ ଉଦ୍ୟମ ଜାରି ରଖିଛି ଓ ଠିକ୍ ସମୟରେ ତାହା ଘୋଷଣା କରାଯିବ । ଭାରତ- ଆମେରିକା ପ୍ରତିରକ୍ଷା ସମ୍ପର୍କକୁ ମହାକାଶରୁ ସମୁଦ୍ର ଗର୍ଭ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବଢ଼ାଇବାକୁ ପଦକ୍ଷେପ ନିଆଯାଉଥିବା ଅଷ୍ଟିନ୍ କହିଛନ୍ତି । ଦିଲ୍ଲୀରେ ଦୁଇଦେଶର ପ୍ରତିରକ୍ଷା ଓ ବହିର୍ବ୍ୟାପାର ମନ୍ତ୍ରଣାଳୟସ୍ତରୀୟ ଆଲୋଚନା ପରେ ଅଷ୍ଟିନ୍ ଖବରଦାତାମାନଙ୍କୁ ଏହି ସୂଚନା ଦେଇଛନ୍ତି । ଅଷ୍ଟିନ୍‌ଙ୍କ ସହ ଆମେରିକା ପ୍ରତିନିଧି ଦଳରେ ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଥିବାବେଳେ ଭାରତ ପକ୍ଷର ନେତୃତ୍ୱ ନେଇଥିଲେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଚାଇନାଠାରୁ ସୁରକ୍ଷାଗତ ଚ୍ୟାଲେଞ୍ଜ ବଢ଼ୁଥିବା ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇଥିଲା । ଭାରତ- ଆମେରିକା ସମ୍ପର୍କ କେବଳ ଚାଇନାର ଚ୍ୟାଲେଞ୍ଜ ଉପରେ ଆଧାରିତ ନୁହେଁ, ବରଂ ଦୁଇ ଦେଶର ମିଳିତ ମୂଲ୍ୟବୋଧ ଆଧାରରେ ବୋଲି କୁହାଯାଇଛି । ଦୁଇ ଦେଶର କୂଟନୈତିକ ଓ ପ୍ରତିରକ୍ଷା ମୁଖ୍ୟମାନେ ଆଲୋଚନାରେ ଭାରତ- ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସୁରକ୍ଷା, ଚାଇନା ଏବଂ ଇସ୍ରାଏଲ୍‌-ହମାସ୍ ଯୁଦ୍ଧ ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଥିଲେ । ଭବିଷ୍ୟତରେ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଥିବା ଆମେରିକା ପରରାଷ୍ଟ୍ର ସଚିବ ବ୍ଲିଙ୍କେନ୍ କହିଛନ୍ତି । ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ମୁକ୍ତ, ଅବାଧ ଓ ସମୃଦ୍ଧ କରିବା ପାଇଁ କ୍ୱାଡ୍ ସହଯୋଗୀ ଜାପାନ, ଅଷ୍ଟ୍ରେଲିଆ ସହ ମିଶି କାର୍ଯ୍ୟ କରିବୁ ବୋଲି ବୈଠକ ଶେଷରେ ବ୍ଲିଙ୍କେନ୍ କହିଛନ୍ତି ।

Leave a Reply