ଭାରତ ଚନ୍ଦ୍ରରେ ପହଞ୍ଚିଗଲାଣି, କିନ୍ତୁ ପାକିସ୍ତାନ ହାତ ପତେଇଚାଲିଛି : ନୱାଜ୍ ସରିଫ୍‌

ଲାହୋର: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ମୁସଲିମ୍ ଲିଗ୍‌-ନୱାଜ (ପିଏମଏଲ୍‌-ଏନ୍‌) ଦଳର ନେତା ନୱାଜ ସରିଫ୍ ଦେଶର ଅର୍ଥନୈତିକ ସଙ୍କଟ ପାଇଁ ପୂର୍ବତନ ଜେନେରାଲ ଏବଂ ବିଚାରପତିମାନଙ୍କୁ ଦାୟୀ କରି କହିଛନ୍ତି ଯେ ଭାରତ ଜି୨୦ ଶିଖର ସମ୍ମିଳନୀ ଆୟୋଜନ କରିବା ସହ ଚନ୍ଦ୍ରରେ ପହଞ୍ଚିସାରିଲାଣି, କିନ୍ତୁ ପାକିସ୍ତାନ ବିଶ୍ୱ ସମ୍ମୁଖରେ ସାହାଯ୍ୟ ପାଇଁ ହାତ ପତେଇ ଚାଲିଛି । ଉଚ୍ଚ ମୁଦ୍ରାସ୍ଫୀତି ଯୋଗୁଁ ଗରିବ ଲୋକଙ୍କ ଉପରେ ଚାପ ବଢିବାରେ ଲାଗିଛି । ନୱାଜ ସରିଫ ସୋମବାର ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ଜରିଆରେ ଲଣ୍ଡନରୁ ଲାହୋରରେ ଏକ ଦଳୀୟ ସଭାକୁ ସମ୍ବୋଧିତ କରିଥିଲେ । ଆଜି ପାକିସ୍ତାନର ପ୍ରଧାନମନ୍ତ୍ରୀ ଟଙ୍କା ଭିକ୍ଷା ମାଗିବା ପାଇଁ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାଉଥିବା ବେଳେ ଭାରତ ଚନ୍ଦ୍ରରେ ପହଞ୍ଚିଛି । ଭାରତ ମଧ୍ୟ ଜି-୨୦ ବୈଠକ ଆୟୋଜନ କରିଥିଲା । ଭାରତ ଯାହା କଲା ପାକିସ୍ତାନ କାହିଁକି କରିପାରିଲା ନାହିଁ ? ଏଥିପାଇଁ ଏଠାରେ କିଏ ଦାୟୀ? ୭୩ ବର୍ଷୀୟ ସରିଫ୍ କହିଛନ୍ତି ଯେ ୧୯୯୦ରେ ସରକାର ଆରମ୍ଭ କରିଥିବା ଅର୍ଥନୈତିକ ସଂସ୍କାରକୁ ଭାରତ ଅନୁସରଣ କରିଛି । ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ହେବା ସମୟରେ ଭାରତ ପାଖରେ ମାତ୍ର ୧ ବିଲିୟନ ଡଲାର ଥିଲା, କିନ୍ତୁ ଏବେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୬୦୦ ବିଲିୟନ ଡଲାରକୁ ବୃଦ୍ଧି ପାଇଛି । ଭାରତ ଆଜି କେଉଁଠି ପହଞ୍ଚିଗଲାଣି, କିନ୍ତୁ ପାକିସ୍ତାନ ବିଶ୍ୱ ଆଗରେ ସହାୟତା ମାଗିଚାଲିଛି ।

Leave a Reply

Your email address will not be published. Required fields are marked *