-ଡାକ୍ତର ଦୀନବନ୍ଧୁ ମହାରଣା-
ବିଶ୍ୱକର୍ମା ପୂଜା ଅନ୍ୟାନ୍ୟ ଦେବଦେବୀଙ୍କ ପୂଜା ଭଳି ଏକ ପାରମ୍ପରିକ ପୂଜା, ଯାହା ଓଡିଶାରେ କେବଳ ନୁହେଁ, ଭାରତର ଅନ୍ୟ ରାଜ୍ୟ ଯଥା, ବଙ୍ଗଳା, ବିହାର ଆଦି ଅଂଚଳରେ ମଧ୍ୟ ଅନୁଷ୍ଠିତ ହୁଏ । ଏହା ସାର୍ବଜନୀନ ନୁହେଁ, ନିର୍ଦ୍ଦିଷ୍ଟ ବୃତ୍ତି ବା ପେସାର ଲୋକେ ବିଶ୍ୱକର୍ମାଙ୍କୁ ସେମାନଙ୍କର ଇଷ୍ଟ ଭାବରେ ଆରାଧନା କରିଥାନ୍ତି । ସେମାନଙ୍କ ମଧ୍ୟରେ ବଢେଇ, କମାର ଓ ତନ୍ତୀ ଇତ୍ୟାଦି ସଂପ୍ରଦାୟ ସେମାନଙ୍କର ଜୀବିକାର୍ଜନର ମୁଖ୍ୟ ମାଧ୍ୟମକୁ ପୂଜା କରିଥାନ୍ତି । ଏହି ଉପଲକ୍ଷେ ବିଶ୍ୱକର୍ମାଙ୍କ ଏକ କଳ୍ପିତ ମୂର୍ତ୍ତି ମଧ୍ୟ ନିର୍ମାଣ କରାଯାଏ । ଗଣେଶ, ଦୁର୍ଗା, କାର୍ତ୍ତିକ ପ୍ରଭୃତି ଦେବଦେବୀଙ୍କୁ ଯେଉଁ ବିଧି ବିଧାନରେ ପୂଜା କରାଯାଏ, ସେହିପରି ବିଶ୍ୱକର୍ମାଙ୍କ ମୂର୍ତ୍ତି ମଧ୍ୟ ପୂଜିତ ହୁଅନ୍ତି । ଏହା ଆଶ୍ୱିନ ମାସ ସଂକ୍ରାନ୍ତିରେ ଅନୁଷ୍ଠିତ ହୋଇଥାଏ । ଗଣେଶ ପୂଜା ପରେ ଓ ଦୁର୍ଗା ପୂଜା ପୂର୍ବରୁ ବିଶ୍ୱକର୍ମା ପୂଜା ପ୍ରାୟ ପଡିଥାଏ । ଏହା କିପରି ଓ କାହିଁକି ଆମ ସାମାଜିକ ଜୀବନରେ ଗ୍ରହଣୀୟ ହୋଇଛି, ତା’ର କାରଣ ଅନୁସନ୍ଧାନ କଲେ ଜଣାଯାଏ ଯେ, ବିଶ୍ୱକର୍ମାଙ୍କୁ ସଂସାର ଜୀବନର ନିର୍ମାତା ଭାବେ କୁହାଯାଏ । ସେ ହିଁ ସଂସାରର ଶିଳ୍ପକଳାକୁ ସୃଷ୍ଟି କରିଥିଲେ । ମୋଟ ଉପରେ ବିଶ୍ୱକର୍ମା ହେଉଛନ୍ତି ଶିଳ୍ପ, ସ୍ଥାପତ୍ୟ ଓ ବିଭିନ୍ନ ସାଜ ସରଞ୍ଜାମ ନିର୍ମାଣକର୍ତ୍ତା । ଜୀବନକୁ ସୁଖ ସମୃଦ୍ଧି ଦାନ କରିବା ପାଇଁ ଏହା ଉଦ୍ଦିଷ୍ଟ । ଆଜିକାଲି ପ୍ରତ୍ୟେକ ମିସ୍ତ୍ରୀ, କାରିଗର, ଇଂଜିନିୟର, ଯନ୍ତ୍ର ଚାଳକ ଏହି ପୂଜାରେ ନିଜକୁ ନିୟୋଜିତ କରିଥାନ୍ତି । ଜୀବିକାର୍ଜନ ପାଇଁ ବ୍ୟବହୃତ ଯନ୍ତ୍ରପାତି ଏହି ଦିନ ପରିଷ୍କାର ପରିଚ୍ଛନ୍ନ କରାଯାଏ ଏବଂ ସେହିସବୁ ମାଧ୍ୟମମାନଙ୍କର ଗୁରୁତ୍ୱକୁ ଅନୁଭବ କରାଯାଏ । ବିଶ୍ୱକର୍ମା ମୂର୍ତ୍ତିରେ ଅଦ୍ଭୁତ ସମନ୍ୱୟ ରହିଛି । ବିଶ୍ୱକର୍ମା ଚତୁର୍ଭୁଜ ସଂପନ୍ନ, ବାମ ପାଶ୍ୱର୍ର ଉପର ହସ୍ତରେ ବଟାଳି ଓ ବାମ ତଳ ହସ୍ତରେ ହାତୁଡି ବା ନିକିତି ଥାଏ । ଦକ୍ଷିଣ ପାଖ ହାତରେ ଚକ୍ର ଓ ତଳ ହାତରେ ଆଶୀର୍ବାଦ ସୂଚକ ମୁଦ୍ରା । ଏହାଙ୍କ ବର୍ଣ୍ଣ ଗୈାର ଏବଂ ବାହନ ହାତୀ ଓ ହଂସ ଉଭୟର ପ୍ରଚଳନ ଅଛି । ଦୁଇଟି ନେତ୍ର, ପରିଧେୟ ବସ୍ତ୍ର ଓ କାନ୍ଧରେ ଉତ୍ତରୀୟ ଏବଂ ସ୍କନ୍ଧରେ ପଇତା ଓ ପୁଷ୍ପମାଳ । ଏସବୁ ପଛରେ ଏକ ତାତ୍ତ୍ୱିକ ଦୃଷ୍ଟିକୋଣକୁ ମଧ୍ୟ ବିଚାରତ କରାଯାଇପାରେ । ଯନ୍ତ୍ର ହେଉଛି ଜୀବନ ଧାରଣର ଏକ ମାଧ୍ୟମ । ବିଶେଷକରି ଆଜିର ବିଜ୍ଞାନ ଯୁଗରେ ଯାନ୍ତ୍ରିକ ସଭ୍ୟତାର ବିପୁଳ ପ୍ରସାର ଯୋଗୁଁ ଯେଉଁ ପ୍ରଗତିର ସ୍ରୋତ ବହି ଚାଲିଛି ତାହା ମୂଳରେ ରହିଛି ଏହି ଯନ୍ତ୍ର । ତେଣୁ ଯନ୍ତ୍ର ଚାଳନା କରୁଥିବା ପ୍ରତ୍ୟେକ ବୃତ୍ତିର ଲୋକେ ଜାତି, ବର୍ଣ୍ଣ ବିଶ୍ୱାସ ଊର୍ଦ୍ଧ୍ୱରେ ବିଶ୍ୱକର୍ମାଙ୍କ ପୂଜା କରିଥାନ୍ତି । ଏ ସଂକ୍ରାନ୍ତରେ ଆଜି ପର୍ଯ୍ୟନ୍ତ ବିସ୍ତୃତ ତଥ୍ୟ ତର୍ଜମା କରାଯାଇନାହିଁ । ବିଶ୍ୱକର୍ମା ଜଣେ ଦେବଶିଳ୍ପୀ । ଏହି କଥା ଆମେ ପୁରାଣ ଓ କିମ୍ବଦନ୍ତୀରୁ ଜାଣିଛୁ । ଦେବଶିଳ୍ପୀରୁ ମାନବ ଶିଳ୍ପୀରେ ସେ ହିଁ ରୂପାନ୍ତରିତ ହୋଇଛନ୍ତି । ଏହି ଉପଲକ୍ଷେ ସମସ୍ତ ଯନ୍ତ୍ର ଆଧାରିତ କଳ କାରଖାନା ଓ ଯାନବାହାନାଦିକୁ ପବିତ୍ର ଭାବନାରେ ପୂଜା କରିବାର ଧାରା ଚାଲିଆସିଛି । ଏହାର ପ୍ରାଚୀନ ତତ୍ତ୍ୱ ରହିଛି ଯେ ବିଶ୍ୱକର୍ମା ହେଉଛନ୍ତି ବ୍ରହ୍ମାଙ୍କର ପୁତ୍ର । ସେ ହିଁ ସ୍ୱର୍ଗପୁରୀର ନିର୍ମାଣ କରିଥିଲେ । ତାଙ୍କୁ ମଧ୍ୟ ସୂର୍ଯ୍ୟ ଭାବେ ପୂଜା କରାଯାଏ । କିନ୍ତୁ ଲୋକାଚାରରେ ସେ ହେଉଛନ୍ତି ରାଜମସ୍ତ୍ରୀ, ବଢେଇ, କମାର ଓ ଯେକୈାଣସି କଳ କବଜାର ମିସ୍ତ୍ରୀ । ଏହିଦିନ ସର୍ବତ୍ର ଯେଉଁଠି ଶିଳ୍ପ ସଂସ୍ଥା ରହିଛି ସେଠି ବିଶ୍ୱକର୍ମାଙ୍କ ପୂଜା ମହା ସମାରୋହରେ ପାଳିତ ହେଉଛି । କାରିଗରୀ କୈାଶଳ ବା ଟେକ୍ନୋଲୋଜି ଯାହାକୁ କୁହାଯାଏ, ତା’ର ଉଦ୍ଭାବକ ଭାବେ ବିଶ୍ୱକର୍ମାଙ୍କୁ ଗ୍ରହଣ କରାଯାଇଛି । ବିଶ୍ୱକର୍ମା ପୂଜା ସଂପର୍କରେ କିମ୍ବଦନ୍ତୀ କୁହେ ଯେ, ଭଗବାନ ବ୍ରହ୍ମାଙ୍କୁ ସୃଷ୍ଟି ନିର୍ମାଣ ଦାୟିତ୍ୱ ଦେଇଥିଲେ । ବ୍ରହ୍ମାଙ୍କର କୈାଣସି ମନ୍ଦିର ବା ପୂଜା କରିବାର ପରମ୍ପରା ଦେଖାଯାଏ ନାହିଁ । କୁହାଯାଏ ଯେ, ବ୍ରହ୍ମା ଅପୂଜ୍ୟ । କିନ୍ତୁ ତାଙ୍କୁ କେବଳ ସୃଷ୍ଟିର ନିର୍ମାତା ଭାବେ ବର୍ଷକର ଗୋଟିଏ ଦିନ ମୃଣ୍ମୟ ମୂର୍ତ୍ତି ଦ୍ୱାରା ଶିଳ୍ପୀମାନେ ପୂଜା କରିଥାନ୍ତି । ସେ ବୈକୁଣ୍ଠପୁରରେ ଥାନ୍ତି । ଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣ ବିଶ୍ୱକର୍ମା କରିଥିଲେ ବୋଲି କିମ୍ବଦନ୍ତୀ ରହିଛି । ଶ୍ରୀକୃଷ୍ଣ ସୁଦାମା ପ୍ରସଙ୍ଗରେ କୁହାଯାଏ ଯେ, ଶ୍ରୀକୃଷ୍ଣ ତାଙ୍କ ବାଲ୍ୟସଖା ସୁଦାମାଙ୍କ ବନ୍ଧୁତ୍ୱର ଅକାଟ୍ୟ ବନ୍ଧନରେ ସନ୍ୁଷ୍ଟ ହୋଇ ତାଙ୍କର ଦାରିଦ୍ର୍ୟ ଦୂର କରିଥିଲେ ଏବଂ ବିଶ୍ୱକର୍ମାଙ୍କୁ ଆଦେଶ ଦେଇ ତାଙ୍କ ପାଇଁ ସୁରମ୍ୟ ଅଟ୍ଟାଳିକା ନିର୍ମାଣ କରିଥିଲେ । ସେହିପରି ଶ୍ରୀମନ୍ଦିର ତ୍ୟାଗ କରି ମହାଲକ୍ଷ୍ମୀ ନିଜ ପିତ୍ରାଳୟକୁ ଆସିବା ପରେ ନିଜ ପାଇଁ ଏକ ସୁନ୍ଦର ପ୍ରାସାଦ ନିର୍ମାଣ କରିବାକୁ ବିଶ୍ୱକର୍ମାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଶ୍ୱକର୍ମା ସଙ୍ଗେ ସଙ୍ଗେ ସମୁଦ୍ର କୂଳରେ ମହାଲକ୍ଷ୍ମୀଙ୍କ ଅବସ୍ଥାନ ନିମନ୍ତେ ପ୍ରାସାଦ ନିର୍ମାଣ କରିଥିଲେ ବୋଲି ପୁରାଣ ଶାସ୍ତ୍ରରୁ ଜଣାପଡେ । ସର୍ବପ୍ରଥମେ ଏହି ପୂଜା ଗାଁ ଗହଳର ବଢେଇ, କମାର, ରାଜମିସ୍ତ୍ରୀ ଓ ତନ୍ତୀ ଇତ୍ୟାଦି ଜାତିର ଲୋକେ ଘଟସ୍ଥାପନ ପୂର୍ବକ ସେମାନଙ୍କର ଉପକରଣକୁ ପୂଜା କରୁଥିଲେ । ବର୍ତ୍ତମାନ ଯେଉଁ ମୂର୍ତ୍ତି ପୂଜା ଚାଲିଛି ସେଥିରେ ସେହି ପ୍ରକାର ଉପକରଣର ପ୍ରତୀକ ସ୍ୱରୂପ ବଟାଳୀ, ହାତୁଡି, ନିକିତି ଇତ୍ୟାଦି ରଖାଯାଇଛି । ପୁଣି ତାହା ସହିତ ତାଙ୍କ ଦେବ ଶିଳ୍ପୀ ଭାବେ କଳନା କରିବାରେ ବ୍ରହ୍ମାଙ୍କ ଋଷି ପ୍ରତିମା ମୂର୍ତ୍ତିରେ ପରିଣତ କରାଯାଇଛି । କିନ୍ତୁ ବ୍ରହ୍ମା ଚତୁର୍ମୁଖ ହେଲା ବେଳେ ଏହି ମୂର୍ତ୍ତି ଚତୁର୍ହସ୍ତ ବିଶିଷ୍ଟ । ତେବେ ଯାହା ହେଉଛି ଶିଳ୍ପ ସଭ୍ୟତାର ବିକାଶ ଓ ପ୍ରସାର ଯୋଗୁ ଆଜି ପ୍ରତ୍ୟେକ କାରିଗର ଓ କଳ କାରଖାନାରେ ଏହା ପାଳିତ ହେବାର ଦେଖାଯାଉଛି । ବିଶେଷକରି ବିଦ୍ୟୁତ ବିଭାଗ, ମୁଦ୍ରଣ ବିଭାଗ, ଯାନବାହାନ ଇତ୍ୟାଦି ଯନ୍ତ୍ର ଚାଳିତ ବସ୍ତୁକୁ ଶ୍ରଦ୍ଧାର ସହିତ ବିଧି ବିଧାନ ଅନୁଯାୟୀ ଉପାସନା କରାଯାଉଛି । ଓଡିଶାରେ ଏହା ପ୍ରାୟ ପ୍ରତ୍ୟେକ ଅଂଚଳରେ ପାଳନ କରାଯାଉଛି । ବିଶ୍ୱକର୍ମା ଏକ ଯାନ୍ତ୍ରିକ ଜାତିର ବା ମେକାନିକ୍ ରେସ୍ର ପ୍ରତିଷ୍ଠାତା । ଏହି ବିଶ୍ୱକର୍ମା ବଂଶର ଲୋକେ କୋଣାର୍କ , ପୁରୀ, ଭୁବନେଶ୍ୱର ଭଳି ସ୍ଥାପତ୍ୟର ନିର୍ମାଣ କରିଯାଇଛନ୍ତି । ଶିଳ୍ପୀର ହାତରେ ଭଗବାନଙ୍କ ସ୍ରଷ୍ଟା ଭାବନା ଫୁଟିଉଠେ । ଭଗବାନଙ୍କୁ ମଧ୍ୟ ସେହି କାରଣରୁ ବିଶ୍ୱକର୍ମା ଭାବରେ ନାମିତ କରାଯାଇଛି । ଏହି ଅବସରରେ ଆମେ ଦେବଶିଳ୍ପୀ ବିଶ୍ୱକର୍ମା ଓ ତାଙ୍କର ମାନବୀୟ ମାଧ୍ୟମମାନଙ୍କୁ ଶ୍ରଦ୍ଧା କରିବା ଉଚିତ । ନିର୍ମାଣର ଦେବତା ଭାବେ ଗୃହୀତ ଭଗବାନ ବିଶ୍ୱକର୍ମାଙ୍କ ପୂଜା ଉତ୍ସବ ବିଭିନ୍ନ ଶିଳ୍ପ ସଂସ୍ଥା ଓ ନିର୍ମାଣ ସଂକ୍ରାନ୍ତ ଅନୁଷ୍ଠାନରେ ଆଡମ୍ବର ସହକାରେ ପାଳିତ ହେଉଛି ।
ଅଧ୍ୟକ୍ଷ, ଓଡିଶା ଆୟୁର୍ବେଦ ସେବା ସଂସ୍ଥା, ୧୧୧, ଓଏମପି ଛକ, ମ୍ୟୁନିସିପାଲିଟି ମାର୍କେଟ, କଟକ