Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆମ ପରମ୍ପରାରେ ରକ୍ଷାବନ୍ଧନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆମ ପରମ୍ପରାରେ ରକ୍ଷାବନ୍ଧନ

-ବୈଷ୍ଣବ ମେହେର-

ମଣିଷ ନିଜ ଜୀବନକାଳ ମଧ୍ୟରେ ଯେତେ ସବୁ ସଂପର୍କରେ ଆସିଥାଏ, ସେହିସବୁ ସଂପର୍କ ମଧ୍ୟରୁ ଭାଇଭଉଣୀଙ୍କ ସଂପର୍କ ସବୁଠୁ ପବିତ୍ର ଓ ଅନନ୍ୟ । ଏହି ସଂପର୍କ ମଧ୍ୟରେ କେବଳ ଅଜସ୍ର ଅନାବିଳ ଭଳପାଇବା ଖୁନ୍ଦି ହୋଇ ରହିନାହିଁ ବରଂ ଏ ସଂପର୍କର ବିଶ୍ୱସନୀୟତା ସବୁ ସଂପର୍କର ଉର୍ଦ୍ଧ୍ୱରେ । ଭାଇଭଉଣୀର ସଂପର୍କ ଭିତରେ ହିଁ ଥାଏ ସର୍ତ୍ତହୀନ ଭଲ ପାଇବା । ଏ ସଂପର୍କର ଆବେଗ, ଭାବାବେଗ ସର୍ବୋପରି ପରସ୍ପର ପ୍ରତି ଥିବା ସମ୍ୱେଦନଶୀଳତା ଜୀବନର ଶେଷ ମୁହୂର୍ତ୍ତ ଯାଏଁ ଅତୁଟ ଥାଏ । ବାପା ମାଆ\’ ଆରପାରିକୁ ଚାଲିଗଲା ପରେ ବାପ ଘର ସହ ଝିଅର ସଂପର୍କ ଶେଷ ହୋଇଯାଏ ନାହିଁ ବରଂ ସେହିଠାରୁ ଭଉଣୀ ପ୍ରତି ଭାଇ ର ଦାୟିତ୍ୱ ଆହୁରି ବଢ଼ିଯାଏ । ଭାଇ ଭଉଣୀର ସଂପର୍କ ନିଶ୍ଚିତ ଏକ ଅନୁପମ ଭାବର ବନ୍ଧନ । ନିଷ୍କପଟ ଓ ନିସ୍ୱାର୍ଥପରତା ସହ କେବଳ ପରସ୍ପର ପ୍ରତି ସହଯୋଗ ପାଇଁ ନୁହଁ ବରଂ ଉତ୍ସର୍ଗୀକ୍ରୁତ ଚିନ୍ତା, ଚେତନାର ପରିପ୍ରକାଶ ହିଁ ଏ ସଂପର୍କ ମଧ୍ୟରେ ସଦା ଜାଜୁଲ୍ୟମାନ । ଶାନ୍ତି, ସନ୍ତୋଷ ଆଉ ସୌହାର୍ଦ୍ଦ୍ୟତା ଭିତରେ ଭାଇଭଉଣୀର ସଂପର୍କ ଥାଏ ସଦା ସତେଜ, ସବୁଜ ଓ ଶାଶ୍ୱତ । ଭାଇ ଭଉଣୀର ମଧୁର ସଂପର୍କକୁ ଅଧିକ ଦ୍ରୁଢ଼ିଭୁତ କରିଥାଏ ରକ୍ଷା ବନ୍ଧନ ପର୍ବ । ଏହିଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧି ତାର ଉଜ୍ଜଳ ଭବିଷ୍ୟତର କାମନା କରିଥାଏ । ଅପରପକ୍ଷେ ଭାଇ ମଧ୍ୟ ପ୍ରତ୍ୟେକ ସ୍ଥିତିରେ ଭଉଣୀକୁ ସୁରକ୍ଷା ଦେବାର ସଙ୍କଳ୍ପ କରିଥାଏ । ରାକ୍ଷୀ ଏକ ସାଧାରଣ ସୂତା ନୁହଁ ! ଏହା ଭାଇର ରକ୍ଷାସୂତ୍ର ହୋଇଥାଏ । ରକ୍ଷାବନ୍ଧନକୁ ନେଇ ଅନେକ ପୌରାଣିକ ଓ ଐତିହାସିକ ପ୍ରସଙ୍ଗ ରହିଛି ଯାହା ଏହି ପର୍ବର ମହତ୍ୱକୁ ପ୍ରତିପାଦିତ କରିଥାଏ । ଥରେ ଦେବତା ଓ ଅସୁର ମାନଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧରେ ଅସୁରମାନେ ବିଜୟୀ ହୋଇ ଥିଲେ । ଯୁଦ୍ଧ ଜିତିବା ପରେ ଅସୁର ମାନେ ଦେବରାଜ ଇଂଦ୍ରଙ୍କ ସିଂହାସନ ଅକ୍ତିଆର କରି ନେଲେ । ଅସୁରଙ୍କ ଠାରୁ ସିଂହାସନ ଫେରି ପାଇବାକୁ ଦେବରାଜ ଇଂଦ୍ର କୌଣସି ଉପାୟ ନ ପାଇ ଶେଷରେ ବୃହସ୍ପତିଙ୍କୁ ସାହାଯ୍ୟ ପାଇଁ ଗୁହାରି କରିଥିଲେ । ଗୁରୁ ବହସ୍ପତି ଏକ ବିଧାନ ୃ କରିବାକୁ ଦେବରାଜଙ୍କୁ କହିଥିଲେ । ଏବଂ ଏହି ବିଧାନ ପ୍ରକ୍ରିୟା ଚାଲିଥିବା ବେଳେ ଗୁରୁ ବୃହସ୍ପତି ବିଧି ଅନୁଯାୟୀ ଗୋଟିଏ ରକ୍ଷା ସୂତ୍ର ତିଆରି କରି ଏହାକୁ ଇଂଦ୍ରଙ୍କ ଡାହାଣ ହାତରେ ବାନ୍ଧି ଦେଲେ । ଏହି ସୂତ୍ର ବାନ୍ଧିବା ପରେ ଦେବରାଜ ଇଂଦ୍ର ବହୁତ ଶକ୍ତିଶାଳୀ ହୋଇଗଲେ, ଫଳରେ ପୁଣି ଅସୁର ମାନଙ୍କ ସହିତ ଯୁଦ୍ଧ କରି ତାଙ୍କୁ ପରାଜିତ କରି ନିଜ ସିଂହାସନ ଫେରି ପାଇବାରେ ସକ୍ଷମ ହେଲେ । ଗୁରୁ ବୃହସ୍ପତି ଇଂଦ୍ରଙ୍କ ପାଇଁ ରକ୍ଷା ବିଧାନର ସଂସ୍କାର ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ କରିଥିବାରୁ ସେହି ଦିନ ଠାରୁ ଏହି ତିଥିରେ ରକ୍ଷାବନ୍ଧନ ପର୍ବ ପାଳନ କରାଯାଇ ଆସୁଛି । ଏମିତିରେ ଦେଖିବାକୁ ଗଲେ ଭାଇଭଉଣୀଙ୍କ ଭିତରେ ସ୍ନେହ, ଶ୍ରଦ୍ଧା ଓ ଦାୟିତ୍ୱବୋଧ ସବୁଦିନ ସବୁ ସ୍ଥିତି ପାଇଁ ରହିଛି । ତଥାପି ରକ୍ଷା ବନ୍ଧନର ଧାର୍ମିକ ମହତ୍ୱ ଓ ଐତିହାସିକ ଗୁରୁତ୍ୱ ଏହି ଦିବସର ପ୍ରାସଙ୍ଗିକତାକୁ ଅଧିକ ବ୍ୟାପ୍ତ କରିଥାଏ । ଅନ୍ୟ ଏକ ପୌରାଣିକ କଥାବସ୍ତୁ ଅନୁଯାୟୀ ବିଷ୍ଣୁଙ୍କ ପରମ ଭକ୍ତ ଅସୁରରାଜ ବଳି ଉପରେ କୌଣସି ବିପଦ ଯେପରି ନ ଆସେ, ସେଥି ସକାଶେ ଭଗବାନ ବିଷ୍ଣୁ ବୈକୁଣ୍ଠପୁର ତ୍ୟାଗ କରି ବଳିର ରାଜ ପ୍ରାସାଦରେ ରହିବାକୁ ଲାଗିଲେ । ଏଣେ ବିଷ୍ଣୁଙ୍କ ଅନ୍ୟତ୍ର ରହିବାକୁ ମହାଲକ୍ଷ୍ମୀ ଆଦୌ ଚାହିଁଲେ ନାହିଁ । ତେଣୁ ଦିନେ ମାଁ ଲକ୍ଷ୍ମୀ ବାହ୍ମଣୀ ବେଶରେ ବଳିକୁ ସାକ୍ଷାତ କରି ଏମିତି ଏକ ଶ୍ରାବଣ ପୂର୍ଣ୍ଣିମାରେ ବଳିଙ୍କ ହାତରେ ରାକ୍ଷୀ ବାନ୍ଧି ଥିଲେ । ଏହା ପରେ ଭାଇ ହିସାବରେ ଭଉଣୀ ଲକ୍ଷ୍ମୀଙ୍କ ଇଚ୍ଛାକୁ ପୁରଣ କରିବାକୁ ଯାଇ ବଳି ଭଗବାନ ବିଷ୍ଣୁଙ୍କୁ ବୈକୁଣ୍ଠ ପୁରରେ ରହିବାକୁ ଅନୁରୋଧ କରିଥିଲେ । ରକ୍ଷାବନ୍ଧନ ଅବସରରେ ମହାଭାରତର ଦ୍ରୋପଦୀ ଓ ଶ୍ରୀକୃଷ୍ଣ ପ୍ରସଙ୍ଗ ମଧ୍ୟ ବେଶ ଦୃଷ୍ଟି ଆକର୍ଷଣ କରେ । ଶିଶୁପାଳକୁ ବଧ କରିବା ବେଳେ କଷ୍ଣଙ୍କ ଅଙ୍ଗୁଳି କଟି ଯାଇ ୃ ରକ୍ତ ବାହାରିଥିଲା । ଏହା ଦେଖି ଦ୍ରୋପଦୀ ନିଜ ପିନ୍ଧା ଶାଢ଼ୀ କୁ ତୁରନ୍ତ ଚିରି ଶ୍ରୀକୃଷ୍ଣଙ୍କ କଟା ଅଙ୍ଗୁଳିରେ ବାନ୍ଧି ଦେଇଥିଲେ । ଫଳରେ ରକ୍ତ ବୋହିବା ବନ୍ଦ ହୋଇଗଲା । ଏହାପରେ କୁରୁସଭା ମଧ୍ୟରେ କୌରବମାନେ ଦ୍ରୋପଦୀଙ୍କୁ ବିବସନା କରୁଥିବା ବେଳେ ଶ୍ରୀକୃଷ୍ଣ ଜଣେ ଭାଇର କର୍ତ୍ତବ୍ୟ ପାଳନ କରି କୋଟି ବସ୍ତ୍ର ଦାନ କରି ଦ୍ରୋପଦୀଙ୍କ ସମ୍ମାନ ରକ୍ଷା କରିଥିଲେ । ଆମେ ଯଦି ଇତିହାସ ପୃଷ୍ଠାକୁ ଦେଖିବା ତେବେ ରାଜା ପୁରୁଙ୍କ ଠାରୁ ବିଶ୍ୱବିଜୟୀ ଆଲେକଜାଣ୍ଡାର ପରାସ୍ତ ହେଲା ପରେ ଆଲେକଜାଣ୍ଡାର ପତ୍ନୀ ରୁକ୍ସାନା, ପୁରୁଙ୍କ ନିକଟକୁ ଏକ ରାକ୍ଷୀ ପ୍ରେରଣ କରି ତାଙ୍କୁ ଭାଇର ପ୍ରସ୍ତାବ ଦେଇଥିଲେ ରାଜା ପୁରୁ ମଧ୍ୟ ଏହାକୁ ଉଦାର ହୃଦୟରେ ଗ୍ରହଣ କରି ରୁକ୍ସାନା ଙ୍କୁ ଭଉଣୀ କରିନେଲେ । ଆଉ ଏକ ଐତିହାସିକ ଘଟଣା ଯାହା ରାକ୍ଷୀର ମହତ୍ୱକୁ ଅଧିକ ବଢ଼ାଇ ଦିଏ । ଚିତୋରର ରାଣୀ କର୍ଣ୍ଣାବତୀ ସ୍ୱାମୀଙ୍କୁ ହରାଇବା ପରେ ସେତେ ବେଳର ସୁଲତାନ ବାହାଦୁରଶାହାଙ୍କୁ ପ୍ରତିହତ କରିବା କଷ୍ଟକର ଜାଣି, ମୋଗଲ ସମ୍ରାଟ ହୁମାୟୁନଙ୍କ ନିକଟକୁ ଏକ ରାକ୍ଷୀ ପଠେଇ ଥିଲେ । ହୁମାୟନ ମଧ୍ୟ ଏହି ରାକ୍ଷୀରେ ଭଉଣୀର ଅପାର ସ୍ନେହକୁ ଅନୁଭବ କରି ଚିତୋରର ସୁରକ୍ଷା ଭାର ନିଜ କାନ୍ଧକୁ ନେଇ ଥିଲେ । ଆଉ ଏକ ଘଟଣାରେ ଥରେ ଇଂରେଜ ସୈନ୍ୟଙ୍କୁ ଚକମା ଦେଇ ପଲାଇ ଯାଉଥିବା ଚଂଦ୍ରଶେଖର ଆଜାଦ ହଠାତ ଜଣେ ବିଧବା ଙ୍କ ଘରେ ପଶିଗଲେ । ସେଠାରେ ଆଜାଦ ଜାଣିବାକୁ ପାଇଲେ ଯେ, ଗରିବୀ କାରଣରୁ ବିଧବା ଜଣକ ନିଜ ଝିଅକୁ ବିବାହ ଦେଇ ପାରୁ ନାହାନ୍ତି । ତେଣୁ ଆଜାଦ ବଦ୍ଧାଙ୍କୁ ଅନୁରୋଧ କଲେ ୃ ଯେ, ସେ ଯଦି ତାଙ୍କୁ ଇଂରେଜ ମାନଙ୍କ ହାତରେ ଧରାଇ ଦିଅନ୍ତି ତେବେ ସେ ପାଂଚ ହଜାର ଟଙ୍କା ପୁରସ୍କାର ପାଇ ଆରାମରେ ଝିଅର ବିବାହ କରାଇ ପାରିବେ । ଏକଥା ଶୁଣି ବିଧବା ଜଣକ କାନ୍ଦିବାକୁ ଲାଗିଲେ ଏବଂ ଆଜାଦଙ୍କୁ କହିଲେ ଭାଇ ତୁମେ ଦେଶ ସ୍ୱାଧୀନ ପାଇଁ ନିଜକୁ ଉତ୍ସର୍ଗ କରିଦେଇଛ । ଆମ ଭଳି କୋଟି କୋଟି ଲୋକ ତୁମ ଭରସାରେ ବଂଚିଛନ୍ତି କ୍ଷ ତେଣୁ ତୁମକୁ ଧରାଇ ଦେଇ ସେହି ନିଷ୍ଠୁର ଇଂରେଜ ମାନଙ୍କ ଟଙ୍କାରେ ମୁଁ କିପରି ମୋ ଝିଅର ବାହା କରାଇବି ।ଏହା କହି ବିଧବା ମହିଳା ଏକ ସୂତା ଆଜାଦଙ୍କ ହାତରେ ବାନ୍ଧି ଦେଇ ଦେଶ ମାତକାର ସେବା ପାଇଁ ପ୍ରେରିତ ୃ କରିଥିଲେ । ଆର ଦିନ ଆଜାଦ ସେହିଘରୁ ଚାଲିଗଲେ ସିନା ଗଲା ବେଳେ ତକିଆ ତଳେ ପାଂଚ ହଜାର ଟଙ୍କା ସହ ଗୋଟିଏ ଧାଡ଼ିର ଚିଠି ଖଣ୍ଡେ ଲେଖି ଯାଇଥିଲେ । ଚିଠିରେ ଲେଖା ଥିଲା \’ ପ୍ରିୟ ଭଉଣୀ, ରାକ୍ଷୀ ବନ୍ଧା ଭେଟି ସ୍ୱରୂପ ଏହାକୁ ଗ୍ରହଣ କର\’ । ଆଧ୍ୟାତ୍ମିକ, ଐତିହାସିକ, ସାଂସ୍କୃତିକ ଓ ସାମାଜିକ ଦୃଷ୍ଟିକୋଣରୁ ରକ୍ଷାବନ୍ଧନ ପର୍ବର ମହତ୍ୱ ଅତ୍ୟନ୍ତ ହୃଦୟସ୍ପର୍ଶୀ ମନେ ହୂଏ । ଭାଇଭଉଣୀର ଅନାବିଳ ସ୍ନେହ ର ନିଦର୍ଶନ ମାଧ୍ୟମରେ ଏହି ପର୍ବ ସମାଜରେ ଏକ ସୁସ୍ଥ ଓ ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ ତିଆରିରେ ଯୁଗଯୁଗ ଧରି ସହାୟକ ହୋଇଛି । ବର୍ତ୍ତମାନର ବିଷମ ଓ ବିଶୃଙ୍ଖଳ ପରିସ୍ଥିତିରେ ଭାଇଭଉଣୀର ଏହି ପବିତ୍ର ବନ୍ଧନକୁ ବିଶ୍ୱର ପ୍ରତି କୋଣ ଅନୁକୋଣରେ ପ୍ରତ୍‌ଯେକ ବର୍ଗର ଲୋକ ଯଦି ଆପଣେଇ ନେଇ ପାରିବେ ତେବେ ଆଗକୁ ମାନବ ସମାଜ ମଧ୍ୟରେ ପରସ୍ପର ପ୍ରତି ପ୍ରେମ ଓ ସହଯୋଗ ଭାବ ସଷ୍ଟି ହେବା ସହଜ ହେବ ୃ ।

Leave a Reply