Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସ୍ୱାବଲମ୍ବୀ ଭାରତର ଅଗ୍ରଦୂତ-ଶ୍ରୀଧର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସ୍ୱାବଲମ୍ବୀ ଭାରତର ଅଗ୍ରଦୂତ-ଶ୍ରୀଧର

  • ସର୍ବେଶ୍ୱର ବେହେରା –
    ଶ୍ରୀଧର ବେମ୍ବୁ ଗୋଟିଏ ସାଧାରଣ ପରିବାରରେ ଜନ୍ମଗ୍ରହଣ କରି ନିଜର ଅଧ୍ୟବସାୟ ଓ କୁଶଳୀ ବ୍ୟବସାୟିକ ବୁଦ୍ଧି ଯୋଗୁଁ ଆଜି ସେ ଶ୍ରେଷ୍ଠ ଉଦ୍ୟୋଗପତି ହୋଇପାରିଛନ୍ତି । ତାଙ୍କର ବିଶେଷତ୍ୱ ହେଉଛି ଯେ ସେ ବିଦେଶ ପରିତ୍ୟାଗ କରି ଭାରତର ଏକ ନିକାଞ୍ଚ ମଫସଲ ଗାଁରେ ଉଦ୍ୟୋଗ ପ୍ରତିଷ୍ଠା କରି ହଜାର ହଜାର ଯୁବକ ଯୁବତୀଙ୍କୁ କର୍ମସଂସ୍ଥାନ ଯୋଗାଇ ପାରିଛନ୍ତି । ସ୍ୱାବଲମ୍ବନର ମାର୍ଗ ଅବଲମ୍ବନ କରି ସେ ଆଜି ଶୀର୍ଷସ୍ଥାନରେ । ବିଶ୍ୱର ଧନୀକ ତାଲିକାରେ ତାଙ୍କର ନାମ ପ୍ରକାଶ ପାଇଛି ।
    ଶ୍ରୀଧର ବେମ୍ବୁ ୧୯୬୮ ମସିହାରେ ଚେନ୍ନାଇ ନିକଟସ୍ଥ ତାଞ୍ଜାପୁରଠାରେ ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାମିଲ ଭାଷାରେ ସେ ନିଜର ଶିକ୍ଷାଗତ ଯୋଗ୍ୟତା ହାସଲ କରିଛନ୍ତି । ସେ ଆଇଆଇଟି ମାଡ୍ରାସରୁ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିଲେ । ନିଜର କଠୋର ଅଧ୍ୟବସାୟ ଯୋଗୁଁ ସେ ଅଧିକ ଅଧ୍ୟାପନା ପାଇଁ ଆମେରିକା ଯାଇଥିଲେ । ୧୯୮୯ରେ ଶ୍ରୀଧର ପ୍ରିନ୍ସଣ୍ଟନ ବିଶ୍ୱବିଦ୍ୟାଳୟରୁ ଇଲେକ୍‌ଟ୍ରିକାଲ ଇଞ୍ଜିନିୟରିଂରେ ଡକ୍ଟରେଟ୍ ହାସଲ କଲେ । ପିଏଚଡି କରିବା ସମୟରେ ରାଜନୀତି ବିଜ୍ଞାନ ଓ ଅର୍ଥଶାସ୍ତ୍ର ଉପରେ ଗହନ ଅଧ୍ୟୟନ କରିଥିଲେ । ସେହି ସମୟରେ ସେ ଭାରତର ରାଜନୀତି, ସାମାଜିକ ଅବସ୍ଥା ଓ ଅର୍ଥନୀତି ସମ୍ବନ୍ଧରେ ଗଭୀର ଅଧ୍ୟୟନ କଲେ । ଭାରତର ରାଜନୈତିକ ଓ ଆର୍ଥିକ ସଙ୍କଟ କିପରି ଦୂର ହେବ ସେଥିପାଇଁ ସେ ସର୍ବଦା ଚିନ୍ତାମଗ୍ନ ଥିଲେ । ଶ୍ରୀଧର ପିଏଚଡି କରିବା ପରେ ସେନଡିଏଗୋ ସ୍ଥିତ କ୍ୟୁଲକୋମଠାରେ ୱାରଲେସ୍ ଇଞ୍ଜିନିୟର ରୂପେ ଦୁଇବର୍ଷ ଚାକିରି କରିଥିଲେ । ପରେ ସେ ଚାକିରିରୁ ଇସ୍ତଫା ଦେଇ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ ।
    ନିଜର ଅଧ୍ୟୟନ ଦ୍ୱାରା ଜାଣିପାରିଥିଲେ ଯେ ଭାରତର ଗ୍ରାମର ବିକାଶ ହେଲେ ଦେଶ ସ୍ୱାବଲମ୍ବୀ ହୋଇପାରିବ । ଏଣୁ ସେ ଚେନ୍ନାଇଠାରୁ ୬୫୦ କି.ମି ଦୂରରେ ତେନକାଶୀ ଜିଲ୍ଲାର ମାଥାଲାମପରାଇ ଗାଁରେ ‘ଜୋହୋ’ ନାମକ ଏକ କମ୍ପ୍ୟୁଟର ବିଜ୍ଞାନ କେନ୍ଦ୍ର (ସପ୍ଟୱେର କମ୍ପାନୀ) ପ୍ରତିଷ୍ଠା କଲେ । କଠୋର ପରିଶ୍ରମ ଫଳରେ ନିଜର କମ୍ପାନୀକୁ ସୁଦୃଢ଼ କରିପାରିଲେ । ନୂତନ ସପ୍ଟୱେର ଟେକ୍ନୋଲୋଜି ଆରମ୍ଭ କରି ସେ ପ୍ରସିଦ୍ଧି ପ୍ରାପ୍ତ କଲେ । ପ୍ରଥମ ବର୍ଷରେ ସେ ପଚାଶ କୋଟି ଡଲାରର ରାଜସ୍ୱ ପାଇଲେ । ନିକାଞ୍ଚ ମଫସଲ ଗାଁରେ ସେ କଷ୍ଟମର ରିଲେସନ୍‌ସିପ ମ୍ୟାନେଜମେଣ୍ଟ ସେବା, ୱେବ-ବେସ୍‌ଡ ଅନଲାଇନ କାର୍ଯ୍ୟାଳୟ ଓ ଆଧୁନିକ କମ୍ପ୍ୟୁଟର ଯୁଗର ସମସ୍ତ କୌଶଳ ଅବଲମ୍ବନ କଲେ ।
    ‘ଜୋହୋ’ କମ୍ପାନୀ ଆଜି ୫୫ଟି ନୂତନ ପ୍ରକାରର କମ୍ପ୍ୟୁଟର କୌଶଳ (ଆପ୍‌ସ) ଆରମ୍ଭ କରିଛି; ଯଦ୍ଦ୍ୱାରା ସମଗ୍ର ପୃଥିବୀର ସାଢ଼େ ତିନିକୋଟି ଲଘୁଉଦ୍ୟୋଗ ଉପକୃତ ହେଉଛନ୍ତି । ଆଜି ସମଗ୍ର ପୃଥିବୀରେ ‘ଜୋହୋ’ କର୍ପୋରେସନ ଖ୍ୟାତିଲାଭ କରିଛି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଉଦ୍ୟୋଗରେ ଆଜି ୧୨୦୦୦ ବ୍ୟକ୍ତି କର୍ମସଂସ୍ଥାନ ପାଇପାରିଛନ୍ତି । ନିକଟସ୍ଥ କେତେକ ଗାଁରୁ ମାତ୍ର ଆଇଟିଆଇ ପାସ୍ କରିଥିବା ଯୁବକ ଯୁବତୀମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରି ଜୋହୋ କମ୍ପାନୀ ସେମାନଙ୍କୁ ଚାକିରି ପ୍ରଦାନ କରିଛି । ଜୋହୋ ନିଜର ବିଦ୍ୟାଳୟ, ବୈଷୟିକ ମହାବିଦ୍ୟାଳୟ ସେହି ଗାଁରେ ଆରମ୍ଭ କରିଛି । ଏଥିରେ ବହୁ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ରୋଜଗାର ପାଉଛନ୍ତି । ଏହିସବୁ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ମାଗଣା ଶିକ୍ଷାଲାଭ କରିଥାଆନ୍ତି ।
    ଶ୍ରୀଧର ଆଜି ୩୭୫କୋଟି ଡଲାରର ମାଲିକ । ଭାରତର ଧନୀକ ତାଲିକାରେ ସେ ୫୫ କ୍ରମାଙ୍କରେ ଅଛନ୍ତି । ଜଣେ ସାଧାରଣ ଷ୍ଟେନୋଗ୍ରାଫର ପିତାର ପୁତ୍ର ହୋଇ ମଧ୍ୟ ସେ ସଫଳତାର ଶୀର୍ଷରେ ରହି ସାଦା ଜୀବନ ଅବଲମ୍ବନ ବିତାଇଥାଆନ୍ତି । ଆଜି ମଧ୍ୟ ଦକ୍ଷିଣଭାରତୀୟ ଧୋତି ଓ ହାପ ସାର୍ଟ ପିନ୍ଧି ସାଇକେଲ ଚଢ଼ି ସେ କାର୍ଯ୍ୟାଳୟକୁ ଆସନ୍ତି ଓ ସମସ୍ତ କର୍ମସଂସ୍ଥାନ ନିରୀକ୍ଷଣ କରନ୍ତି । ଅଧ୍ୟାପନା କାର୍ଯ୍ୟରେ ସେ ଅଧିକ ରୁଚି ପ୍ରଦର୍ଶନ କରିଥାଆନ୍ତି । ଅବକାଶ ସମୟରେ ନିଜର ଜୋହୋ ମହାବିଦ୍ୟାଳୟରେ ସେ ବିଜ୍ଞାନ, ଗଣିତ, ଇଂରାଜୀ ବିଷୟ ଆଦି ପିଲାମାନଙ୍କୁ ପଢ଼ାଉଛନ୍ତି ।
    ତାଙ୍କର ଲକ୍ଷ୍ୟ ହେଲା ଭାରତର ଗ୍ରାମର ବିକାଶରେ ଦେଶର ବିକାଶ ହୋଇପାରିବ । ଏଣୁ ସେ ନିଜର ବିଶାଳକାୟ କର୍ମସଂସ୍ଥାନ ଏକ ନିକାଞ୍ଚନ ଗାଁରେ ପ୍ରତିଷ୍ଠା କଲେ । ତାଙ୍କର ଏହି ସାହସିକ ପଦକ୍ଷେପ ବହୁତ ଆହ୍ୱାନମୂଳକ ଥିଲା । କିନ୍ତୁ ନିଜର କଠୋର ପରିଶ୍ରମ, ବୁଦ୍ଧିମତ୍ତା ଓ ଅଧ୍ୟବସାୟ ଯୋଗୁଁ ଆଜି ସେ ସମଗ୍ର ବିଶ୍ୱରେ ଖ୍ୟାତିଲାଭ କରିଛନ୍ତି । ସେ ୭୦୦ କୋଟି ଟଙ୍କା ବାର୍ଷିକ କର ସରକାରଙ୍କୁ ପ୍ରଦାନ କରୁଛନ୍ତି । ତାମିଲନାଡୁର କରଦାତାଙ୍କ ମଧ୍ୟରେ ସେ ଶୀର୍ଷ ସ୍ଥାନରେ ଅଛନ୍ତି ।
    ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିବା ଯୋଗୁଁ ସେ ସାଧାରଣ ଜନତାଙ୍କ ଦୁଃଖକୁ ସହଜରେ ବୁଝିପାରିଥାଆନ୍ତି । ତାଙ୍କର କମ୍ପାନୀରେ ବହୁ ଗରିବ ବେକାରୀଙ୍କୁ କର୍ମନିଯୁକ୍ତି ଦେଇଛନ୍ତି । ସେ ୧୨,୦୦୦ କର୍ମଚାରୀଙ୍କୁ ସୁଖସୁବିଧା ପ୍ରଦାନ କରିଆସୁଛନ୍ତି । ସେ ସାଇକେଲ ଚଢ଼ି ଗାଁ ମୁଣ୍ଡରେ ଚା’ ଦୋକାନରେ ଛିଡାହୋଇ ଚା’ ପିଅନ୍ତି ଓ ସାଧାରଣ ଲୋକଙ୍କ ସହିତ ମିଶି ଆନନ୍ଦ ଉପଭୋଗ କରନ୍ତି ।
    ଗାଁର ସର୍ବାଙ୍ଗୀନ ବିକାଶ ପାଇଁ ସେ କୃଷି ଉପରେ ଧ୍ୟାନକେନ୍ଦ୍ରିତ କରିଥାଆନ୍ତି । କୃଷକମାନଙ୍କୁ ଜୈବିକ କୃଷି ମାଧ୍ୟମରେ ଚାଷ କରିବାକୁ ସମସ୍ତ ପ୍ରକାରର ସହଯୋଗ ପ୍ରଦାନ କରିଥାଆନ୍ତି । ଜୈବିକ ଚାଷ ଦ୍ୱାରା ଉତ୍ପାଦିତ ସମସ୍ତ ଉତ୍ପାଦନ ରୋଗମୁକ୍ତ ହୋଇଥାଏ । ଏଣୁ ସେ କୃଷିରେ ରାସାୟନିକ ସାରକୁ ବର୍ଜନ କରିବାକୁ ସମସ୍ତଙ୍କୁ ପ୍ରବର୍ତ୍ତାଇଥାଆନ୍ତି । ଏହାଦ୍ୱାରା ପରିବେଶ ମଧ୍ୟ ଦୂଷିତ ହୋଇନଥାଏ । ସେ ୨୦୦୦ କୃଷକଙ୍କୁ ଆର୍ଥିକ ସହଯୋଗ ପ୍ରଦାନ କରି ସ୍ୱାବଲମ୍ବୀ ହେବାକୁ ପ୍ରବର୍ତ୍ତାଇଛନ୍ତି ।
    ଏବେ ଚେନ୍ନାଇର ପ୍ରାୟ ଏକହଜାର କ୍ଷୁଦ୍ର ଉଦ୍ୟୋଗ (ଷ୍ଟାର୍ଟ ଆପ୍‌) କମ୍ପାନୀ ଜୋହୋ କର୍ପୋରେସନଠାରୁ ସହଯୋଗ ନେଇ କାର୍ଯ୍ୟ କରୁଛନ୍ତି । ଏହା କମ୍ ଆଶ୍ଚର୍ଯ୍ୟର କଥା ନୁହେଁ । ସହର ଏବେ ଗାଁର କମ୍ପାନୀ ଉପରେ ନିର୍ଭରଶୀଳ । ଏହା କେବଳ ଶ୍ରୀଧରଙ୍କ ଦୃଢ଼ ଆତ୍ମବିଶ୍ୱାସ ଓ କର୍ମଠ ଅଧ୍ୟବସାୟ ଯୋଗୁଁ ସମ୍ଭବ ହୋଇପାରିଛି । ତାଙ୍କର ଏହି ସମାଜ ପ୍ରତି ଅତୁଳନୀୟ ଅବଦାନ ଯୋଗୁଁ ଭାରତ ସରକାର ତାଙ୍କୁ ୨୦୨୧ ମସିହାରେ ‘ପଦ୍ମଶ୍ରୀ’ ଉପାଧିରେ ଭୂଷିତ କରିଛନ୍ତି । ଭାରତର ସମସ୍ତ ଜିଲ୍ଲାରେ ଯଦି ଏହିପରି ଜଣେ ଜଣେ ଶ୍ରୀଧର କାର୍ଯ୍ୟ କରିବେ ତେବେ ଭାରତ ସ୍ୱାବଲମ୍ବୀ ହୋଇପାରିବ ।
    ଆଡଭୋକେଟ, ଖଟବିନସାହି, କଟକ
    ମୋ-୮୨୪୯୩୯୩୫୯୧

Leave a Reply