Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସନ୍ତୁଳିତ ଖାଦ୍ୟ ଓ ସମୟାନୁବର୍ତ୍ତୀ ଜୀବନ ଯୋଗୁ ରଘୁନାଥ ଅତିକ୍ରମ କରିଛନ୍ତି ୧୦୦ଟି ବସନ୍ତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସନ୍ତୁଳିତ ଖାଦ୍ୟ ଓ ସମୟାନୁବର୍ତ୍ତୀ ଜୀବନ ଯୋଗୁ ରଘୁନାଥ ଅତିକ୍ରମ କରିଛନ୍ତି ୧୦୦ଟି ବସନ୍ତ

ନିମାପଡ଼ା : ଶାସ୍ତ୍ରାନୁମୋଦିତ ଦିନଚର୍ଯ୍ୟା ରଖିଛି ସୁସ୍ଥ ଡାକ୍ତରଖାନା ମାଟି ମାଡ଼ିନାହାନ୍ତି ରଘୁନାଥ, ସନ୍ତୁଳିତ ଖାଦ୍ୟ ଓ ସମୟାନୁବର୍ତ୍ତୀ ଜୀବନ ଯୋଗୁ ସେ ଅତିକ୍ରମ କରିଛନ୍ତି ୧୦୦ଟି ବସନ୍ତ । ଦେହ ଖରାପ ହୋଇଛି, କିନ୍ତୁ କେବେ ଡାକ୍ତରଖାନା ମାଟି ମାଡ଼ିନାହାନ୍ତି । ପୁରୋହିତ କାର୍ଯ୍ୟ ପାଇଁ ଜୀବନସାରା ତାଙ୍କୁ ଘରଘର ବୁଲିବାକୁ ପଡ଼ିଛି । ମାଇଲ ମାଇଲ ବାଟ ଚାଲିଛନ୍ତି, କିନ୍ତୁ କେବେ ବି ତାଙ୍କ ପାଦ ଚପଲ ଛୁଇଁନାହିଁ । ଜୀବନକୁ ଠିକଣା ଢଙ୍ଗରେ ଜିଇଁ ବୟସ ଖେଳରେ ଶତକ ଛୁଇଁଥିବା ସେଇ ବ୍ୟକ୍ତି ଜଣଙ୍କ ହେଉଛନ୍ତି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଅନ୍ତର୍ଗତ ବାହରଣା ପଞ୍ଚାୟତ ଓଡ଼ଗୁଆଁ ମୌଜା ବାଇଦିପଡ଼ାର ରଘୁନାଥ ମିଶ୍ର । ରଘୁନାଥଙ୍କ ବିଶେଷତ୍ୱ ହେଉଛି, ଶହେ ବର୍ଷ ପରେ ବି ସେ ଶଯ୍ୟାକୁ ଆଦରି ନେଇନାହାନ୍ତି ବରଂ ଏବେ ବି କର୍ମଚଞ୍ଚଳ ରହିଛନ୍ତି । ଜୀବନ ନିର୍ବାହ ପାଇଁ କାହା ଉପରେ ନିର୍ଭର ନକରି ଏବେ ବି ପୁରୋହିତ କାର୍ଯ୍ୟ ଜାରି ରଖିଛନ୍ତି । ପୁରୁଣା ପୁରୋହିତ ହୋଇଥିବାରୁ ତାଙ୍କର ଚାହିଦା ଢେର୍ । ପୁରୋହିତ କାର୍ଯ୍ୟ ପାଇଁ ସେ କାହାକୁ କେବେ ବୟସ କିମ୍ବା ସ୍ୱାସ୍ଥ୍ୟର ଦ୍ୱାହି ଦେଇ ମନା କରିନାହାନ୍ତି କି ନିରାଶ କରିନାହାନ୍ତି । ବରଂ ଡକରା ଆସିଲେ, ଛତାଟିଏ ଧରି ସେ ଯାଇ ଯଥାସାଧ୍ୟ ନିଜ ପୁରୋହିତ କାର୍ଯ୍ୟ ସମ୍ପାଦନ କରନ୍ତି । ଖରା ହେଉ କି ବର୍ଷା, ସେ ଏଥିପ୍ରତି ଭ୍ରୂକ୍ଷେପ କରି କେବେ ନିଜର କର୍ମରୁ ବିରତି ନେଇ ନାହାନ୍ତି କି ବାହାନା କରିନାହାନ୍ତି । ରଘୁନାଥଙ୍କ କହିବା ମୁତାବକ, ସେ ଏବେ ବି ଶାସ୍ତ୍ରମତେ ନିଜର ଦିନଚର୍ଯ୍ୟା ସମ୍ପାଦନ କରନ୍ତି । ବ୍ରାହ୍ମ ମୁହୂର୍ତ୍ତରୁ ଅର୍ଥାତ ଭୋର୍ ୪ଟା ପୂର୍ବରୁ ବିଛଣା ଛାଡ଼ନ୍ତି । ନିତ୍ୟକର୍ମ ସାରି ଗୋଟିଏ କପ ଚା’ ପିଇଦେଇ ପୂଜାପାଠ କରନ୍ତି । ଖାଦ୍ୟପେୟ ଓ ଶୋଇବାରେ ସମୟାନୁବର୍ତ୍ତିତାକୁ ଜୀବନର ବ୍ରତ କରିନେଇଛନ୍ତି । ନୈଷ୍ଠିକ ବ୍ରାହ୍ମଣ ହୋଇଥିବାରୁ କେବେ ଆମିଷ ସେବନ କରିନାହାନ୍ତି । କିନ୍ତୁ ଖାଦ୍ୟପେୟର ସମୟ ନିର୍ଦ୍ଧାରିତ । ରାତି ଭୋଜନ ସାରି ୯ଟାରେ ବିଛଣାକୁ ଯାଆନ୍ତି । ଆଜିଯାଏ କୌଣସି ମାରାତ୍ମକ ରୋଗ ତାଙ୍କୁ ଛୁଇଁନାହିଁ । ଯଦି ବି କେବେ ସାଧାରଣ ରୋଗ ହୁଏ, ସେ ବହିରୁ ସାଉଁଟିଥିବା ଜ୍ଞାନ ଆଧାରରେ ଚେରମୂଳି ବାଟି ଗୁଣ୍ଡକରି ସେବନ କରି ରୋଗ ଦୂର କରିଦିଅନ୍ତି । ଏଯାଏ ସେ କର୍ମତତ୍ପର ରହିଛନ୍ତି । ରଘୁନାଥଙ୍କ ସହଧର୍ମିଣୀଙ୍କୁ ମଧ୍ୟ ୯୧ ବର୍ଷ ଅତିକ୍ରମ କରିଛନ୍ତି । ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି । ତାଙ୍କ ବୟସ ଉପରେ ଏତେ ଭରସା ଯେ, କଥା ଛଳରେ କୁହନ୍ତି ମୁଁ ମୋ ଅଣନାତିର ବ୍ରତଘର କାର୍ଯ୍ୟ ବି ସମାପନ କରିବି

Leave a Reply