Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଖଲିସ୍ତାନ ସମର୍ଥକଙ୍କ ବିକ୍ଷୋଭ ପ୍ରସଙ୍ଗ -କାନାଡା ରାଷ୍ଟ୍ରଦୂତଙ୍କୁ ଡକାଇ ଜବାବ ମାଗିଲା ଭାରତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଖଲିସ୍ତାନ ସମର୍ଥକଙ୍କ ବିକ୍ଷୋଭ ପ୍ରସଙ୍ଗ -କାନାଡା ରାଷ୍ଟ୍ରଦୂତଙ୍କୁ ଡକାଇ ଜବାବ ମାଗିଲା ଭାରତ

ନୂଆଦିଲ୍ଲୀ : କାନାଡାରେ ଥିବା ଭାରତୀୟ ଦୂତାବାସ ଓ ବାଣିଜ୍ୟ ଦୂତାବାସ ଆଗରେ ଖଲିସ୍ତାନୀ ସମର୍ଥକଙ୍କ ବିକ୍ଷୋଭକୁ ନେଇ ଭାରତ ସରକାର କ୍ଷୁବ୍ଧ ହୋଇଛନ୍ତି । ଏସବୁ ଘଟଣାକୁ ନେଇ ଭାରତ ସରକାର କାନାଡା ହାଇକମିଶନର କ୍ୟାମେରନ ମ୍ୟାକେଙ୍କୁ ଡକାଇ ଜବାବ ତଲବ କରିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ପୁଲିସ ଉପସ୍ଥିତି ସତ୍ତ୍ୱେ ବିଚ୍ଛିନ୍ନତାବାଦୀ ଏବଂ ଉଗ୍ରବାଦୀ ତତ୍ତ୍ୱମାନଙ୍କୁ ଭାରତର କୂଟନୈତିକ ମିଶନ ଏବଂ ଦୂତାବାସର ସୁରକ୍ଷା ଉଲ୍ଲଂଘନ କରିବାକୁ କିପରି ଅନୁମତି ଦିଆଗଲା ସେ ନେଇ ଶନିବାର ଦିନ ମାକେଙ୍କୁ ସମନ କରି ସ୍ପଷ୍ଟୀକରଣ ମଗାଯାଇଛି । ଖାଲିସ୍ତାନ ସମର୍ଥକଙ୍କ ହିଂସାତ୍ମକ ପ୍ରତିବାଦ ପରେ ରବିବାର ବ୍ରିଟିଶ କଲମ୍ବିଆ ପ୍ରଦେଶରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ କାନାଡାରେ ଅବସ୍ଥାପିତ ଭାରତୀୟ ହାଇକମିଶନର ସଞ୍ଜୟ କୁମାର ବର୍ମା ଯୋଗ ଦେଇପାରିନଥିଲେ । ବିକ୍ଷୋଭ ସମ୍ପର୍କରେ ରିପୋର୍ଟିଂ କରିବାକୁ ସେଠାରେ ପହଞ୍ଚିଥିବା ଭାରତୀୟ ବଂଶୋଦ୍ଭବ ସାମ୍ବାଦିକ ସମୀର କୌଶଲଙ୍କୁ ମଧ୍ୟ ବିକ୍ଷୋଭକାରୀମାନେ ଆକ୍ରମଣ କରିଥିଲେ । ଭିଏନା ଚୁକ୍ତି ଅନୁସାରେ କାନାଡାକୁ ଏହାର ଦାୟିତ୍ୱ ବିଷୟରେ ମନେ ପକାଇ ଦିଆଯାଇଥିଲା ଏବଂ ଯେଉଁମାନେ ପୂର୍ବରୁ ଏଭଳି କାର୍ୟ୍ୟରେ ସମ୍ପୃକ୍ତ ବ୍ୟକ୍ତି ଭାବରେ ଚିହ୍ନଟ ହୋଇସାରିଛନ୍ତି ସେମାନଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ସରକାର ଦାବି କରିଛନ୍ତି । ଭାରତୀୟ କୂଟନୀତିଜ୍ଞ ଏବଂ ଏହାର ମିଶନଗୁଡ଼ିକର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କାନାଡା ସରକାର ଆବଶ୍ୟକ ସମସ୍ତ ପଦକ୍ଷେପ ନେବେ ବୋଲି ମନ୍ତ୍ରଣାଳୟ ଆଶା ବ୍ୟକ୍ତ କରିଛି ।

Leave a Reply