ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ


ଡେଲାଙ୍ଗ: ଡେଲାଙ୍ଗ ଷ୍ଟେସନ୍ ବଜାର ଭାରତୀ ବିହାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦ୍ୱାଦଶତମ ବାର୍ଷିକ ଉତ୍ସବ ଶନିବାର ସନ୍ଧ୍ୟାରେ ବିଦ୍ୟା ମନ୍ଦିର ସନ୍ନିକଟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି, ଓଡିଶା ଦ୍ୱାରା ପରିଚାଳିତ ଏହି ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡେଲାଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲାବନ୍ୟେନ୍ଦୁ ମହାନ୍ତି, ମୁଖ୍ୟ ବକ୍ତା ଭାବେ ଓଡ଼ିଶା ଶିକ୍ଷା ବିକାଶ ସମିତି ସଭାପତି ଡ଼ଃ କିଶୋର ଚନ୍ଦ୍ର ମହାନ୍ତି ଓ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ତହସିଲଦାର ସୁଶ୍ରୀ ନିବେଦିତା ପରିଡ଼ା ପ୍ରମୁଖ ଯୋଗଦେଇ ପ୍ରଦୀପ ଜାଳି ଉତ୍ସବକୁ ଉଦ୍ଘାଟନ କରିଥିଲେ । ପ୍ରାରମ୍ଭରେ ବୌଦ୍ଧିକ ମଣ୍ଡପରେ ଅବସ୍ଥିତ ଓଁ କାର, ବାଗଦେବୀ ଓ ବିଦ୍ୟାଭାରତୀଙ୍କ ବନ୍ଦନା ଗାନ କରାଯିବାପରେ ବିଦ୍ୟାମନ୍ଦିରର ଛାତ୍ରୀମାନେ ମନମୁଗ୍ଧକର ସ୍ୱାଗତ ସଙ୍ଗୀତ ଗାନ କରି ଉପସ୍ଥିତ ଅତିଥିମାନଙ୍କୁ ବିମୋହିତ କରିଥିଲେ । ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ନବକିଶୋର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମ୍ପାଦକ କିଶୋର କୁମାର ପ୍ରଧାନ ବାର୍ଷିକ ବିବରଣୀ ପଠନ କରିଥିଲେ । ବିଦ୍ୟାମନ୍ଦିରର ସଭାପତି ଡ଼ଃ ପୁଷ୍ପିତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଏବିଇଓ ଯୁଧିଷ୍ଠିର ପରିଡ଼ା, ରାଧାକାନ୍ତ ବିଦ୍ୟାପୀଠର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗନ୍ଧର୍ବ ଜେନା, ଶିକ୍ଷାବିତ୍ ସୁରେଶ ଚନ୍ଦ୍ର ହାତୀ, ପୁରୀ ବିଭାଗ ନିରୀକ୍ଷକ ପ୍ରସନ୍ନ କୁମାର ମହାନ୍ତି, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ବୋଳକଣାର ପ୍ରଧାନଶିକ୍ଷକ ଜଳନ୍ଧର ସେନାପତି ପ୍ରମୁଖ ଯୋଗଦେଇ ପିଲାମାନେ ପାଠ ପଢି ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ଗୁରୁଜୀ ସର୍ବେଶ୍ୱର ବାରିକ ମଞ୍ଚ ପରିଚାଳନା ଦାୟିତ୍ୱ ନିର୍ବାହ କରିଥିଲେ । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମୁଦାୟ ୩୦୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ଏହି ଶିକ୍ଷା ମନ୍ଦିରରେ ପଞ୍ଚ ଆଧାରରେ ଶିକ୍ଷାଦାନ କରାଯାଏ ବୋଲି ମୁଖ୍ୟବକ୍ତା ଡ଼ଃ କିଶୋର ଚନ୍ଦ୍ର ମହାନ୍ତି ମତବ୍ୟକ୍ତ କରିଥିଲେ । ପିଲାମାନେ ଯେଉଁ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି କୌଣସି ପରିସ୍ଥିତିରେ ସେହି ବିଦ୍ୟାଳୟକୁ ଭୁଲିଯିବା ଉଚିତ ନୁହେଁ ବୋଲି ତହସିଲଦାର ସୁଶ୍ରୀ ନିବେଦିତା ପରିଡ଼ା ମତପ୍ରକାଶ କରିଥିଲେ । ସେହିପରି ପିଲାମାନଙ୍କ ସୁନ୍ଦର ଚରିତ୍ର ଗଠନ ପ୍ରତି ଗୁରୁଜୀ ଓ ଗୁରୁମାମାନେ ଯନôବାନ ହେବାକୁ ଏବିଇଓ ଯୁଧିଷ୍ଠିର ପରିଡ଼ା ପରାମର୍ଶ ଦେଇଥିଲେ । ପିଲାମାନେ ପ୍ରତିଯୋଗୀ ମନ ହୋଇ ନିଜର ଜୀବନ ଗଢି ତୋଳିବାକୁ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗନ୍ଧର୍ବ ଜେନା ଉପଦେଶ ଦେଇଥିଲେ । ଏହି ଅବସରରେ ନୃତ୍ୟଗୁରୁ ଟୁକୁ ବେହେରାଙ୍କ ନିଦେ୍ର୍ଦଶନାରେ କୁନିକୁନି ପିଲାମାନଙ୍କ ଦ୍ୱାରା ପୁଲୁୱାମା ଆକ୍ରମଣ ଉପରେ ପର୍ଯ୍ୟବେଶିତ ନାଟକ, ଦେଶାତ୍ମବୋଧ ସଙ୍ଗୀତ, ଓଡ଼ିଶୀ ନୃତ୍ୟ ଓ ଭଜନ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଅଧ୍ୟୟନ, କ୍ରୀଡା, ସଙ୍ଗୀତ ଓ କଳା କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ବାର୍ଷିକ ଉତ୍ସବ ପରିଚାଳନା କାର୍ଯ୍ୟରେ ଡ଼ଃ ବସନ୍ତ କୁମାର ଦାଶ ଓ ସୂର୍ଯ୍ୟ ନାରାୟଣ ସେଠୀଙ୍କ ସମେତ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ । ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ କିଶୋର କୁମାର ପ୍ରଧାନ ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *