ସ୍ୱାଧୀନ ଭାରତର ଇତିହାସରେ ଜୁନ୍ ୨୫ ତାରିଖ କଳାଦିବସ

ସରୋଜ କୁମାର ମିତ୍ର

୧୨ଜୁନ୍ ୧୯୭୫ ମସିହାରେ ଆହ୍ଲାବାଦ୍ ହାଇକୋର୍ଟ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ନିର୍ବାଚନକୁ ଅବୈଧ ବୋଲି ଘୋଷଣା କରିଥିଲେ । ଏହା ବିରୋଧରେ ଇନ୍ଦିରାଗାନ୍ଧୀ ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମ୍‌କୋର୍ଟରେ ଅବସରକାଳୀନ ବିଚାରକ ଶ୍ରୀକ୍ରୀଷ୍ଣ ଆୟାର ମୋକଦ୍ଦମା ବିଚାର କରି ରାୟ ଦେଇଥିଲେ ଯେ ଇନ୍ଦିରାଗାନ୍ଧୀ ପାର୍ଲାମେଣ୍ଟରେ କୌଣସି ଆଲୋଚନାରେ ଭାଗ ନେଇ ପାରିବେ ନାହିଁ କିମ୍ବା ଭୋଟ ପ୍ରଦାନ କରି ପାରିବେ ନାହିଁ ଏବଂ ସୁପ୍ରିମ୍‌କୋର୍ଟର ଗୋଟିଏ ପୂର୍ଣ୍ଣାଙ୍ଗ ବେଞ୍ଚ ମୂଳ ମୋକଦ୍ଦମା ଫଏସଲା କରିବେ । ଏହି ରାୟ ୨୪ ଜୁନ୍ ୧୯୭୫ରେ ପ୍ରକାଶ ପାଇଥିଲା । ଇନ୍ଦିରା ଗାନ୍ଧୀ ଏହି ରାୟ ପ୍ରକାଶ ପାଇବା ପରେ ତାଙ୍କର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେବା ଉଚିତ୍ ଓ ନ୍ୟାୟ ସଙ୍ଗତ ଥିଲା । କିନ୍ତୁ ଏହାର ଅବମାନନା କରି ସେ ରାଷ୍ଟ୍ରପତିଙ୍କ ଦ୍ୱାରା ଜୁନ୍ ୨୫ ତାରିଖ ଜରୁରୀକାଳୀନ ଅବସ୍ଥା ଘୋଷଣା କରାଇଥିଲେ । ସମସ୍ତ ବିରୋଧୀ ଦଳ ନେତାଙ୍କୁ ଗିରଫ କରାଯାଇଥିଲା ଓ ସମ୍ବାଦପତ୍ର ପ୍ରକାଶନ ଗୁଡ଼ିକ ଉପରେ କଟକଣା ଜାରୀ ହୋଇଥିଲା । ମୌଳିକ ଅଧିକାର ଓ ଅଦାଲତ୍‌ରେ ସରକାର ସ୍ୱାଧୀନ ଭାରତର ଇତିହାସରେ ଜୁନ୍ ୨୫ ତାରିଖ କଳାଦିବସ ବିରୋଧରେ କୌଣସି ଅଭିଯୋଗ କରିବା ଅଧିକାରକୁ ପ୍ରତ୍ୟାହାର କରିନିଆଯାଇଥିଲା । ସମଗ୍ର ଦେଶରେ କୋକୁଆ ଭୟ ସୃଷ୍ଟି କରାଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଇନ୍ଦିରାଗାନ୍ଧୀ ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ପାର୍ଲାମେଣ୍ଟରେ ଭାଗନେବା ଓ ଭୋଟଦେବା ଅଧିକାରରୁ ବଞ୍ଚିତ ହେବା ପରେ ପ୍ରଧାନମନ୍ତ୍ରୀ ପଦରେ ରହିବା ଅଧିକାର ହରାଇ ଥିଲେ । ଏଣୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ନଦେଇ ସେ ଯେତେ ପ୍ରକାରର ଅବୈଧ ଓ ସମ୍ବିଧାନ ବିରୋଧୀ କାର୍ଯ୍ୟ କରିଛନ୍ତି ସେଥିପାଇଁ ତାଙ୍କୁ ଶାସ୍ତି ଦେବା ଉଚିତ୍ । ସେ ସମୟର ଉଚ୍ଚ ନ୍ୟାୟାଳୟର ଆଭିମୁଖ୍ୟ ଓ କାର୍ଯ୍ୟ କଳାପର ସମୀକ୍ଷା ହେବା ମଧ୍ୟ ଆବଶ୍ୟକ । କାରଣ ଏହି ଗଣତାନ୍ତ୍ରୀକ ରାଷ୍ଟ୍ରରେ ନ୍ୟାୟ ସଙ୍ଗତ ଉପାୟରେ କାର୍ଯ୍ୟ ନକରି ସମଗ୍ର ଦେଶ ଓ ଦେଶବାସୀଙ୍କ ଉପରେ ଏକଛତ୍ରବାଦୀ ଶାସନ ବ୍ୟବସ୍ଥା ଲଦିଦେବା ଅଧିକାର ଇନ୍ଦିରାଗାନ୍ଧୀ ପାଇ ନଥିଲେ । ଯଦି ମରଣତ୍ତୋର ଉପାଧୀ ଯେପରି ଭାରତରତ୍ନ ଦିଆଯାଇପାରୁଛି, ତେବେ ଇନ୍ଦିରାଗାନ୍ଧୀ କରି ଯାଇଥିବା ସମ୍ବିଧାନ ବିରୋଧୀ କାର୍ଯ୍ୟ ପାଇଁ ଦଣ୍ଡ ପାଇବା ଉଚିତ୍ । ଏହିପ୍ରକାର ପଦକ୍ଷେପ ନେବା ଦ୍ୱାରା ଭାରତୀୟ ନ୍ୟାୟ ବ୍ୟବସ୍ଥା ଓ ଗଣତାନ୍ତ୍ରୀକ ବ୍ୟବସ୍ଥା ଦୃଢ଼ୀଭୂତ ହେବ । କମ୍ୟୁନିଷ୍ଟ ପାର୍ଟିର ନେତାଙ୍କୁ ଛାଡି ଅନ୍ୟ ବିରୋଧୀ ଦଳ ନେତାମାନଙ୍କୁ ଗିରଫ କରିବା ପରେ ସମଗ୍ର ଦେଶରେ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ କେହି ନଥିଲେ । ନାନାଜୀ ଦେଶମୁଖଙ୍କ ନେତୃତ୍ୱରେ ଗଠିତ ଲୋକ ସଂଘର୍ଷ ସମିତି ଭୟର ବାତାବରଣ ଦୂର କରିବା ପାଇଁ କିଛି କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ । ଲେଖକଙ୍କୁ ଓଡ଼ିଶା ପ୍ରଦେଶ ଲୋକ ସଂଗ୍ରହ ସମିତିର ଦାଇତ୍ୱ ଦିଆଯାଇଥିଲା । ତଦନୁସାରେ ୦୨ ଅକ୍ଟୋବର ୧୯୭୫ ମସିହା ଗାନ୍ଧୀ ଜୟନ୍ତୀ କଟକ କାଠଯୋଡ଼ି ନଦୀ କୂଳରେ ସର୍ବୋଦୟ କର୍ମୀମାନଙ୍କ ସହଯୋଗରେ କରାଯାଇଥିଲା । ଅକ୍ଟୋବର ମାସରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଦ୍ୱାରା ସତ୍ୟାଗ୍ରହ କରାଯାଇଥିଲା । ୧୯୭୭ ମସିହାରେ ସାଧାରଣ ନିର୍ବାଚନରେ ଇନ୍ଦିରାଗାନ୍ଧୀ ଶୋଚନୀୟ ଭାବେ ପରାସ୍ତ ହେବା ପରେ ଜରୁରୀକାଳୀନ ଅବସ୍ଥା ସମାପ୍ତ ହୋଇଥିଲା । ଲେଖକ ‘ମୀସା ଆଇନ୍‌’ ଦ୍ୱାରା ଗିରଫ ହୋଇ ୧୭ମାସ ଜେଲ୍‌ରେ ରହିଥିଲେ । ମୋ-୮୧୭୮୦୮୨୮୧୮

Leave a Reply

Your email address will not be published. Required fields are marked *