Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଷ୍ଟ୍ର ଉପରେ ଧର୍ମାନ୍ତରୀକରଣର ଭୟଙ୍କର ପ୍ରଭାବ (୨) - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଷ୍ଟ୍ର ଉପରେ ଧର୍ମାନ୍ତରୀକରଣର ଭୟଙ୍କର ପ୍ରଭାବ (୨)


-ଡ. ସମନ୍ୱୟ ନନ୍ଦ-
ଗତ ଲେଖାରେ ଧର୍ମାନ୍ତରୀକରଣ କାରଣରୁ କିପରି କିଛି ଅଂଚଳରେ ହିନ୍ଦୁଙ୍କ ସଂଖ୍ୟା ହ୍ରାସ ପାଇ ମୁସଲମାନଙ୍କ ସଂଖ୍ୟା ବଢିଲା, ସେ ସବୁ ଅଂଚଳ ଗୁଡିକ ଭାରତରୁ ଅଲଗା ହେଇ ପାାକିସ୍ତାନ ତିଆରି ହେବାର ଉଲ୍ଲେଖ କରା ଯାଇ ସରିଛି । ଏବେ ଭାରତକୁ ବିଭାଜନ କରାଇବାରେ ଯେଉଁ ବ୍ୟକ୍ତି ମାନଙ୍କର ପ୍ରମୁଖ ଭୂମିକା ରହିଥିଲା ସେମାନଙ୍କ ଉପରେ ମଧ୍ୟ ଦୃଷ୍ଟି ପକାଇଲେ ଧର୍ମାନ୍ତରୀକରଣ କେତେ ଭୟାବହ ଓ କିଛି ବର୍ଷ ପରେ କେତେ ଭୟଙ୍କର ପ୍ରଭାବ ପଡିଥାଏ ତାକୁ ବୁଝି ହେବ । ଏହାର ଉଦାହରଣ ହେଲା ମୋହମ୍ମଦ ଅଲି ଜିନ୍ନା, ଯିଏ ଭାରତକୁ ବିଭାଜନ କରିବା କାମର ନେତୃତ୍ୱ ନେଇଥିଲେ ।
ଜିନ୍ନାଙ୍କ ପରିବାର ଗୁଜରାତର ସୌରାଷ୍ଟ୍ର ଅଂଚଳରେ ରହୁଥିଲା । ତାଙ୍କ ଜେଜେବାପାଙ୍କ ନାମ ଥିଲା ପ୍ରେମଜୀ ଭାଇ ମେଘଜୀ ଠକ୍କର । ସେମାନେ ହିନ୍ଦୁ ଲୋହାନା ଠକ୍କର ଜାତିର ଥିଲେ । ପ୍ରେମଜୀ ଭାଇ ଠକ୍କର ମାଛ ବ୍ୟବସାୟ ଆରମ୍ଭ କରି ଦେଇଥିଲେ । ମାଛ ବ୍ୟବସାୟ କରିବା ତାଙ୍କ ଜାତିର ଲୋକ ମାନଙ୍କୁ ଭଲ ଲାଗି ନ ଥିଲା । ତେଣୁ ସେମାନେ ଏହାର ବିରୋଧ କରିଥିଲେ । ଫଳରେ ସେ ଇସଲାମରେ କନଭର୍ଟ ହୋଇ ଯାଇଥିଲେ । ତାଙ୍କର ପରିବାର ଲୋକ ମାନେ ତାଙ୍କୁ ବୁଝାଇ ପୁଣି ଥରେ ଘର ବାହୁଡା କରାଇବାକୁ ତାଙ୍କୁ ରାଜି କରାଇନେଇଥିଲେ । ହେଲେ ସେତେବେଳେ ସମାଜର ପ୍ରତିଷ୍ଠିତ ଲୋକ ମାନେ ତାଙ୍କର ଘରବାହୁଡା କରା ଯିବାକୁ ନାପସନ୍ଦ କରିଥିଲେ । ଫଳରେ ତାଙ୍କର ଘର ବାହୁଡା ହୋଇ ପାରି ନ ଥିଲା । କୁହା ଯାଏ ଯେ ପ୍ରେମଜୀ ଭାଇ ମେଘଜୀ ଠକ୍କର ନାମମାତ୍ରକେ ମୁସଲମାନ ଥିଲେ । ଶ୍ରୀକୃଷ୍ଣଙ୍କ ନିକଟରେ ତାଙ୍କର ଅଗାଧ ଭକ୍ତି ଥିଲା । ସେ କେବେ ହେଲେ ମସଜିଦ ଯାଉ ନ ଥିଲେ । ହେଲେ ସମାଜର ପ୍ରତିଷ୍ଠିତ ଲୋକଙ୍କ ବାରଣ କରିବା କାରଣରୁ ତାଙ୍କର ଘରବାହୁଡା ହୋଇ ପାରି ନ ଥିଲା । ତାଙ୍କର ପରବର୍ତି ପୀଢୀ ମାନେ ମଧ୍ୟ ନାମକୁ ହିଁ ମୁସଲମାନ ଥିଲେ । ଧର୍ମାନ୍ତରଣ କରିଥିବା ଓ ଘରବାହୁଡା ହୋଇ ପାରି ନ ଥିବା ଏହି ପରିବାରର ବ୍ୟକ୍ତି ମୋହମ୍ମଦ ଅଲି ଜିନ୍ନା ପରବର୍ତୀ ସମୟରେ ଭାରତ ମାତାର ବିଭାଜନରେ ପ୍ରମୁଖ ଭୂମିକାରେ ଅର୍ଥାତ ନେତୃତ୍ୱକର୍ତା ସାଜିଥିଲେ । ଧର୍ମାନ୍ତରୀକରଣ କେତେ ଭୟାବହ ହୋଇଥାଏ, ଜିନ୍ନାଙ୍କ ଉଦାହରଣରୁ ତାହା ଭଲ ଭାବେ ବୁଝି ହୁଏ ।
ମୋହମ୍ମଦ ଅଲୀ ଜିନ୍ନା ତ ପାକିସ୍ତାନ ନିର୍ମାଣ କାମରେ ନେତୃତ୍ୱ କରିଥିଲେ ହେଲେ ପାକିସ୍ତାନ ନିର୍ମାଣ ପାଇଁ ବୈଚାରିକ ପୃଷ୍ଠଭୂମି ତିଆରି କରିବା ଅତ୍ୟନ୍ତ ଜରୂରୀ ଥିଲା । ପାକିସ୍ତାନ ନିର୍ମାଣ ପାଇଁ ବୈଚାରିକ ପୃଷ୍ଠଭୂମି ତିଆରି କରିବା ପଛରେ ମୋହମ୍ମଦ ଇକବାଲ ପ୍ରମୁଖ ଥିଲେ । କିଛି ପୀଢୀ ପୂର୍ବରୁ ଧର୍ମାନ୍ତରିତ ହୋଇଥିବା ମୋହମ୍ମଦ ଇକବାଲଙ୍କ ପୂର୍ବ କାଶ୍ମୀରୀ ହିନ୍ଦୁ ପଣ୍ଡିତ ଥିଲେ । କାଶ୍ମୀରରେ ଯେତେବେଳେ ବିଦେଶୀ ଆକ୍ରମଣକାରୀ ମାନଙ୍କର ଶାସନ ଥିଲା ସେତେବେଳେ ସେମାନେ ହିନ୍ଦୁଙ୍କ ଉପରେ ଲଗାଇଥିବା କର କୁ ପ୍ରଦାନ କରିବାରେ ତାଙ୍କର ପୂର୍ବପୁରୁଷ ଦେବାରେ ଅସମର୍ଥ ହୋଇଥିଲେ । ଫଳରେ ତାଙ୍କୁ ଇସଲାମରେ କନଭର୍ଟ ହେବାକୁ ପଡିଥିଲା । ତାଙ୍କର କିଛି ପୀଢୀ ପରେ କାଶ୍ମୀରୀ ହିନ୍ଦୁ ପଣ୍ଡିତଙ୍କ ଏହି ଦାୟାଦ ପାକିସ୍ତାନ ନିର୍ମାଣ ପାଇଁ ବୈଚାରିକ ପୃଷ୍ଠଭୂମି ତିଆରି କରିଥିଲେ ।
ମୋହମ୍ମଦ ଇକବାଲ ପ୍ରଥମେ ୧୯୦୪ ମସିହାରେ ତରାନା-ଏ – ହିନ୍ଦୀ’ ଲେଖିଥିଲେ । ସେ ଏହି କବିତାରେ ‘ସାରେ ଜହାଁ ସେ ଅଚ୍ଛା – ହିନ୍ଦୁସିତାଁ ହମାରା …ହିନ୍ଦୀ ହୈଁ ହମ, ବତନ ହୈ, ହିନେ୍ଦାସ୍ତାଁ ହମାରା ’କବିତା ଲେଖିଥିଲେ । ମାତ୍ର ପରବର୍ତୀ ସମୟରେ ସେ କଟ୍ଟର ଇସଲାମିଷ୍ଟ ଭାବେ ପରିଚୟ ଦେଇ ୧୯୧୦ ମସିହା ବେଳକୁ ‘ତରାନା-ଏ- ମିଲ୍ଲି’ ଲେଖିଥିଲେ । ଏହି କବିତାରେ ହିନ୍ଦୀ ହେଁ ହମ ଲେଖିବା ବଦଳରେ ଲେଖିଥିଲେ ‘ମୁସଲିମ ହେଁ ହମ ବତନ ହୈ ସାରା ଜହାଁ ହମାରା’ ଲେଖିଥିଲେ । ଏହାର ଦୁଇ ଦଶନ୍ଧି ପରେ ଅର୍ଥାତ ୧୯୩୦ ମସିହାରେ ଇଲାହାବାଦରେ ମୁୁସଲିମ ଲିଗର ବୈଠକରେ ସେ ମୁସଲମାନ ମାନଙ୍କ ପାଇଁ ଅଲଗା ଦେଶ ଗଠନ ହେବା କଥା କହିଥିଲେ ।
ତେଣୁ ମୋହମ୍ମଦ ଅଲୀ ଜିନ୍ନା ହୁଅନ୍ତୁ ବା ମୋହମ୍ମଦ ଇକବାଲ ହୁଅନ୍ତୁ ଉଭୟଙ୍କ ଉଦାହରଣରୁ ଧର୍ମାନ୍ତରଣର କିଛି ପୀଢୀ ପରେ କେତେ ଭୟଙ୍କର ସ୍ଥିତି ସେମାନେ ଉତ୍ପନ୍ନ କରନ୍ତି ତାହା ବୁଝିବା ପାଇଁ ଯଥେଷ୍ଟ । ଏଭଳି ଧର୍ମାନ୍ତରିତ ବ୍ୟକ୍ତିଙ୍କୁ ନେଇ ଆହୁରି ଅନେକ ଉଦାହରଣ ଦିଆ ଯାଇ ପାରେ । ଶେଖ ଅବଦୁଲ୍ଲାଙ୍କ ପୂର୍ବପୁରୁଷ ମଧ୍ୟ କାଶ୍ମୀରୀ ପଣ୍ଡିତ ଥିଲେ ।
ମୋହମ୍ମଦ ଅଲି ଜିନ୍ନାଙ୍କ ଓ ଅନ୍ୟ ଉଦାହରଣରୁ ସ୍ପଷ୍ଟ ଯେ ଧର୍ମାନ୍ତରୀକରଣ କାରଣରୁ ଦେଶର ବ୍ୟକ୍ତି ତା ନିଜ ଦେଶ ବିରୁଦ୍ଧରେ ହୋଇ ଯାଏ ଓ ଏହା ଦେଶ ବିଭାଜନ ଆଡକୁ ଗତି କରାଇ ଥାଏ । ତେବେ ଏହି ପ୍ରକ୍ରିୟା ସଙ୍ଗେ ସଙ୍ଗେ ହୁଏ ନାହିଁ । ଏଥିରେ ସମୟ ଲାଗେ ଏକ ନିଶ୍ଚିତ ଅଂଚଳରେ ଅଧିକ ସଂଖ୍ୟାରେ ଧର୍ମାନ୍ତରୀକରଣ ହେବା କାରଣରୁ ସେମାନଙ୍କର ସଂଖ୍ୟା ବଢିବା ପରେ ଧୀରେ ଧୀରେ ଏପରି ସ୍ଥିତି ସୃଷ୍ଟି ହୁଏ । ଇସଲାମୀ ଧର୍ମାନ୍ତରୀକରଣ କାରଣରୁ ଭାରତର ବିଭାଜନ ହୋଇ ସାରିଛି ।
ଖ୍ରୀଷ୍ଟିଆନିଟିରେ ଧର୍ମାନ୍ତରୀକରଣ କାରଣରୁ ମଧ୍ୟ ଦେଶରେ ଅନେକ ପ୍ରକାର ସମସ୍ୟା ସୃଷ୍ଟି ହୋଇଛି । ବିଶେଷ ଭାବରେ ପୂର୍ବୋତର ଭାରତରେ ଆମେ ଏହାର ପ୍ରଭାବ ଦେଖୁଛେ । ବ୍ରିଟିଶ ସରକାର ଶାସନ କାଳରେ ଏହି ଅଂଚଳକୁ ଖ୍ରୀଷ୍ଟିଆନ ମିଶନାରୀ ମାନଙ୍କ ହାତରେ ଟେକି ଦେଇଥିଲେ । ଖ୍ରୀଷ୍ଟିଆନ ମିଶନାରୀ ମାନଙ୍କୁ ନାଗାଲାଣ୍ଡ. ମେଘାଳୟ, ମିଜୋରାମ ପରି ରାଜ୍ୟରେ ଅବାଧ ପ୍ରବେଶ ଥିଲା ହେଲେ ଅବଶିଷ୍ଟ ଭାରତୀୟ ମାନଙ୍କ ପାଇଁ ପରମିଟ ନେଇ ଯିବାକୁ ପଡୁଥିଲା । ଫଳରେ ଶହେ ଦୁଇ ଶହ ବର୍ଷରେ ଏହି ଅଂଚଳ ଗୁଡିକ ଧୀରେ ଧୀରେ ଖ୍ରିଷ୍ଟିଆନ ବହୁଳ ହୋଇ ଯାଇଥିଲା । ନର୍ଥ ଇଷ୍ଟ ଭାରତର ଅନେକ ରାଜ୍ୟ ବହୁଳ ମାତ୍ରାରେ ବିଦେଶୀ ଚର୍ଚ ମାନଙ୍କ ଦ୍ୱାରା କନଭର୍ଟ ହୋଇ ଯାଇଛନ୍ତି । ଏହି ଅଂଚଳ ମାନଙ୍କରେ ବିଦେଶୀ ଶକ୍ତିଙ୍କ ପ୍ରରୋଚନାରେ ବିଭିନ୍ନ ପ୍ରକାର ହିଂସାତ୍ମକ କାର୍ଯ୍ୟ ଓ ଦେଶବିରୋଧୀ ଆନେ୍ଦାଳନ ମଧ୍ୟ ଦେଖା ଯାଇଛି । ନର୍ଥ ଇଷ୍ଟରେ ଭାରତ ସମ୍ମୁଖରେ ଯେଉଁ ସମସ୍ୟା ମାନ ରହିଛି ତାର ପ୍ରମୁଖ କାରଣ ହେଉଛି ଧର୍ମାନ୍ତରୀକରଣ । ଏହା ପଛରେ ବିଦେଶୀ ଚର୍ଚ ମାନଙ୍କର ହାତ ରହିଛି ।-

ଦୀର୍ଘକାଳୀନ ସ୍ତରରେ ଧର୍ମାନ୍ତରୀକରଣର ଦେଶ ଉପରେ ଭୟଙ୍କର ପ୍ରଭାବ ପଡିଥାଏ ଏହାର ଉଲ୍ଲେଖ କରାଗଲା । ହେଲେ ଧର୍ମାନ୍ତରୀକରଣର ପ୍ରଭାବ ସମାଜ ଉପରେ ସଙ୍ଗେ ସଙ୍ଗେ ମଧ୍ୟ ପଡିଥାଏ । ଧର୍ମାନ୍ତରୀକରଣ ସମାଜରେ ବିଭାଜନ ସୃଷ୍ଟି କରେ । ସାମାଜିକ ସୌହାର୍ଦକୁ ବିପନ୍ନ କରେ । ଧର୍ମାନ୍ତରିତ ବ୍ୟକ୍ତି ଧର୍ମାନ୍ତରିତ ହୋଇ ନ ଥିବୂା ନିଜ ଲୋକଙ୍କୁ ଘୃଣା ଓ ଶତ୍ରୁ ଦୃଷ୍ଟିରେ ଦେଖେ । ସେ ତାର ପରମ୍ପରା, ସଂସ୍କୃତି, ବେଶଭୂଷାକୁ ଛାଡି ବିଦେଶୀ ଆରବ କିମ୍ବା ପାଶ୍ଚାତ୍ୟ ବେଶଭୂଷା, ଖାଇବା ପିଇବା ବ୍ୟବହାର କରିବାକୁ ଲାଗେ ।

ଧର୍ମାନ୍ତରୀକରଣ ପରେ ଧର୍ମାନ୍ତରିତ ବ୍ୟକ୍ତିର ଜୀବନରେ କଣ ପରିବର୍ତନ ଆସେ ମହାତ୍ମା ଗାନ୍ଧୀ ବାଳକ ଅବସ୍ଥାରେ ତାହା ଦେଖିଥଲେ । ସେ ସେତେବେଳେ ଛୋଟ ଥିଲେ ସେତେବେଳର ଏହି ଘଟଣାକୁ ସେ ନିଜର ଆତ୍ମକଥା ରେ ଉଲ୍ଲେଖ କରିଛନ୍ତି । ଗାନ୍ଧୀଜୀ ଲେଖିଛନ୍ତି ଯେ “ମୁଁ ଶୁଣିଲି ଯେ ଜଣେ ପ୍ରସିଦ୍ଧ ହିନ୍ଦୁ ଭଦ୍ରବ୍ୟକ୍ତି ନିଜର ଧର୍ମ ପରିବର୍ତନ କରି ଖ୍ରୀଷ୍ଟିଆନ ହୋଇ ଯାଇଛନ୍ତି । ସାରା ସହରରେ ଚର୍ଚା ଥିଲା ଯେ ବାପ୍ଟାଇଜ ହେବା ବେଳକୁ ତାଙ୍କୁ ଗୋମାଂସ ଖାଇବାକୁ ପଡିଥିଲା ଓ ମଦ ପିଇବାକୁ ପଡିଥିଲା । ନିଜର ବେଶ ଭୂଷା ବଦଳାଇବାକୁ ପଡିଥିଲା । ସେବେ ଠାରୁ ସେ ହ୍ୟାଟ ଲଗାଇବା ଓ ୟୁରୋପୀୟ ବେଶଭୂଷା ଧାରଣ କରିବା ଆରମ୍ଭ କରି ଦେଇଥିଲେ । ମୁଁ ଭାବିଲି ଯେ ଯେଉଁ ଧର୍ମ କାହାକୁ ଗୋମାଂସ ଖାଇବା, ମଦ ପିଇବା, ବେଶଭୂଷା ବଦଳାଇବାକୁ ବାଧ୍ୟ କରେ ତେବେ ତାହା ଧର୍ମ କୁହା ଯିବା ଯୋଗ୍ୟ ନୁହେଁ । ମୁଁ ଶୁଣିଳି ନୂଆ କନଭର୍ଟ ନିଜର ପୂର୍ବପୁରୁଷଙ୍କ ଜୀବନଶୈଳୀ ଓ ଦେଶକୁ ଗାଳି ଦେବା ଆରମ୍ଭ କରିଛି । ତେବେ ଠାରୁ ମୋ ମଧ୍ୟରେ ଖ୍ରୀଷ୍ଟିଆନିଟି ପ୍ରତି ଅପସନ୍ଦର ଭାବ ଉତ୍ପନ୍ନ ହୋଇ ଯାଇଥିଲା । ”

ଧର୍ମାନ୍ତରୀକରଣ କେତେ ଭୟାବହ ଓ ପ୍ରତିକୂଳ ପ୍ରଭାବ ରହିଛି ତାହା ଏଥିରୁ ସ୍ପଷ୍ଟ । ତେଣୁ ଧର୍ମାନ୍ତରୀକରଣ କାରଣରୁ କେବଳ ଯେ ବ୍ୟକ୍ତି ତାର ଉପାସନା ପଦ୍ଧତି ବଦଳାଇ ନ ଥାଏ ବରଂ ତାର ସବୁକିଛି ବଦଳି ଯାଇଥାଏ । ତାର ନିଜ ଲୋକ, ନିଜ ପରମ୍ପରା ସଂସ୍କୃତି, ଖାଇବା ପିଇବା, ବେଶଭୂଷା, ଭାଷା ଆଦି ବଦଳି ଯାଇଥାଏ ଓ ତାର ଆନୁଗତ୍ୟ ଭାରତରେ ନାହିଁ ଭାରତର ବାହାରକୁ ଚାଲି ଯାଇଥାଏ । ତେଣୁ ଧର୍ମାନ୍ତରୀକରଣ ବାସ୍ତବରେ ହେଉଛି ରାଷ୍ଟ୍ରାନ୍ତରଣ ।

Leave a Reply