ପୁରୀ: ଅକ୍ଷୟ ତୃତୀୟା ଠାରୁ ମହାପ୍ରଭୁଙ୍କ ଆରମ୍ଭ ହୋଇଥିବା ୨୧ ଦିନିଆ ବାହାର ଚନ୍ଦନଯାତ୍ରା ଶନିବାର ହଳଦୀ ପାଣି ନୀତି ସହ ଶେଷ ହୋଇଛି । ମାନବୀୟ ଲୀଳାଖେଳା କରୁଥିବା ମହାପ୍ରଭୁ ସାଧାରଣ ମଣିଷ ପରି ପ୍ରଚଣ୍ଡ ରୌଦ୍ରତାପ ଓ ଗ୍ରୀଷ୍ମପ୍ରବାହରୁ ରକ୍ଷା ପାଇବା ପାଇଁ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିଥାନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଯାତଭୋଗ ସରିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ ମଦନମୋହନ, ଶ୍ରୀ ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ଶ୍ରୀକ୍ଷେତ୍ରର ପଞ୍ଚପାଣ୍ଡବ ପାଲିଙ୍କି ଓ ବିମାନରେ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିବା ପରେ ସେଠାରେ ଭିତରଛ ସେବକଙ୍କ ଦ୍ୱାରା ଜଳଲାଗି ନୀତି ସମ୍ପନ୍ନ କରାଯାଇଥିଲା । ପରେ ଠାକୁରମାନେ ଜଳକ୍ରିଡା ବା ଚାପ ଖେଳିବା ନିମନ୍ତେ ଚାପ ଡଙ୍ଗା ନନ୍ଦା ଏବଂ ଭଦ୍ରାକୁ ବୀଜେ କରିଥିଲେ । ପରେ ଠାକୁର ମାନେ ପ୍ରତ୍ୟକ ଦିନ ଭଳି ନରେନ୍ଦ୍ର ପୁଷ୍କରଣୀରେ ଏକ ଘେରା ପରିକ୍ରମା କରି ଜଳକ୍ରିଡା କରିଥିଲେ । ଦିନ ଚାପ ସରିବା ପରେ ମହାଜନ ସେବକ ମାନେ ହସ୍ତରେ ବଡ ଚାପ ବା ଭଦ୍ରା ଚାପରୁ ରାମକୃଷ୍ଣଙ୍କୁ ଆଣି ମଦନମୋହନ ବୀଜେ କରିଥିବା ଧଳାଚାପ ବା ନଦା କୁ ବୀଜେ କରାଯାଇଥିଲା । ସେଠାରେ ହଳଦୀ ପାଣି ନୀତଶ ସମ୍ପନ୍ନ ହୋଇଥିଲା । ପରେ ମୁଦିରସ୍ତଙ୍କ ଦ୍ୱାରା ବନ୍ଦାପନା ନୀତି ସମ୍ପନ୍ନ କରାଯାଇଥିଲା । ନୀତି ସମ୍ପନ୍ନ ହେବା ପରେ ଠାକୁର ମାନଙ୍କୁ ଚନ୍ଦନ ଚକଡାକୁ ବୀଜେ କରାଯାଇଥିଲା । ସେଠାରେ ମଇଲମ ଆଦି ନୀତି ସମ୍ପାଦନା କରାଯାଇ ଠାକୁରଙ୍କ ବେଶ ଅନୁଷ୍ଠିତ ହୋଇ ଭୋଗ ମଣୋହି କରାଯାଇଥିଲା । ପରେ ଠାକୁର ମାନଙ୍କୁ ଆଳତୀ କରାଯାଇଥିଲା । ସମସ୍ତ ନୀତି ସମ୍ପନ୍ନ ହେବା ପରେ ଠାକୁର ମାନେ ଶ୍ରମନ୍ଦିରକୁ ବାହୁଡା ବିଜେ କରିଥିଲେ ।