–ଅଲେଖ ଚନ୍ଦ୍ର ସାମଲ–
ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମହିମା ମେଳା । ମାନବଧର୍ମର ମହୋତ୍ସବ କୁହାଯାଉଥିବା ଏହି ଯୋରନ୍ଦା ମହିମା ମେଳାରେ ଲକ୍ଷ ଲକ୍ଷ ସନ୍ନ୍ୟାସୀ, ଭକ୍ତ ଓ ଯାତ୍ରୀଙ୍କ ସମାଗମ ହୋଇଥାଏ । ମହିମା ମେଳା ଅବସରରେ ସମାଧି ମନ୍ଦିର ନିକଟରେ ସୁନା ଓ ରୂପାର ଛାତ୍ରୀ, ତରାସ, ଚାମର, ଢ଼ାଲ, ଗଢ଼ୁ, ଲୋଟା, ଥାଳି ଆଦି ଯାତ୍ରୀମାନଙ୍କ ଦର୍ଶନ ନିମନ୍ତେ ସୁସଜ୍ଜିତ କରାଯାଇଥାଏ । ମନ୍ଦିର ପରିସରରେ ଦଳ ଦଳ ହୋଇ ମହିମା ସାଧୁସନ୍ଥମାନଙ୍କ ଖଞ୍ଜଣି ଭଜନ ଗାନ ଆଧ୍ୟାତ୍ମିକ ପରିବେଶକୁ ଆହୁରି ଗଭୀର କରିଥାଏ । ମନ୍ଦିରର ଅଖଣ୍ଡ ଧୁନିରେ ବିଶ୍ୱକଲ୍ୟାଣ ଶାନ୍ତି କାମନା ନିମନ୍ତେ ମହିମା ସାଧୁସନ୍ଥମାନଙ୍କ ଦ୍ୱାରା ଘୃତାହୁତି ଦିଆଯାଇଥାଏ । ସଭାଗୃହ ଠାରେ ମହିମା ସାଧୁ ସମ୍ମିଳନୀ ଓ ଧର୍ମ ଆଲୋଚନା ଆଦି ହୋଇଥାଏ । ମହିମା ମେଳା ତିନି ଦିନ ଧରି ଅନୁଷ୍ଠିତ ହୁଏ । ଗତ କିଛି ବର୍ଷ ହେଲା ୭-୮ ଦିନ ଧରି ମହିମା ମେଳା ଅନୁଷ୍ଠିତ ହୋଇ ଆସୁଛି । ଯାତ୍ରା ପାର୍ଟି, ଅପେରା, ସର୍କସ, ମ୍ୟାଜିକ୍, ଦୋଳି, କଣ୍ଢେଇ ନାଚ, ବାଲୁକା କୃତୀ ଏବଂ ପ୍ରଦର୍ଶନୀ ମେଳାକୁ କୋଳାହଳମୟ କରିଥାଏ । ବିଶ୍ୱପ୍ରସିଦ୍ଧ ଏହି ମହିମା ମେଳା ଦେଖିବାକୁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ସାଧୁ ସନ୍ନ୍ୟାସୀ, ଭକ୍ତ ଓ ଯାତ୍ରୀ ଦୌଡ଼ି ଆସିଥାନ୍ତି ଢ଼େଙ୍କାନାଳ ଜିଲ୍ଲାର ଏହି ଯୋରନ୍ଦାକୁ । ଉନ୍ନବିଂଶ ଶତାବ୍ଦୀରେ ପାଶ୍ଚାତ୍ୟ ଧର୍ମ ଓ ସଂସ୍କୃତିର ପ୍ରଭାବରେ ଭାରତୀୟ ଆଧ୍ୟାତ୍ମିକ ଚେତନା ଏକ ଆତ୍ମିକ ସନନ୍ଦ ରୂପେ ପ୍ରତିଭାତ ହୋଇଥିଲା । ସେ ସମୟରେ ଭାରତୀୟ ଧାର୍ମିକ ଚିନ୍ତାଧାରାରେ ଏକ ବିଶେଷ ପରିବର୍ତ୍ତନ ପ୍ରକ୍ରିୟା ଅନୁଭୂତ ହୋଇଥିଲା । ପବିତ୍ର ଉକ୍ରଳ ଭୂମିରେ ସାଧୁ ସୁନ୍ଦର ଦାସ ଓ ଅରକ୍ଷିତ ଦାସ ମହାତ୍ମାଙ୍କ ସମେତ ପୂଜ୍ୟ ମହିମା ସ୍ୱାମୀ ଆର୍ବିଭାବ ହୋଇଥିଲେ । ମହିମା ସ୍ୱାମୀଙ୍କର ପ୍ରକୃତ ପରିଚୟ, ଜୀବନଚର୍ଯ୍ୟା ତଥା ଜନ୍ମ ସମ୍ପର୍କରେ ଠୋସ୍ ପ୍ରମାଣ କାହା ପାଖରେ ନଥିବା ବେଳେ ମହିମାଧର୍ମାବଲମ୍ବୀଙ୍କ ମତରେ ସେ ଅଲେଖ ପରଂବ୍ରହ୍ମଙ୍କ ଅବତାରରେ ଏବଂ ଧର୍ମସଂସ୍ଥାପନାର୍ଥେ ସ୍ୱମହିମାରେ ଆର୍ବିଭୂତ ହୋଇଥିଲେ । ୧୭୩୨ ଖ୍ରୀଷ୍ଟାବ୍ଦରେ ମହିମା ସ୍ୱାମୀଙ୍କର ଆର୍ବିଭାବ, ଦୀର୍ଘ ୧୪୪ ବର୍ଷ ମହିମାଲୀଳା ସଂରଚନା କରିବା ପରେ ୧୮୨୬ ଖ୍ରୀଷ୍ଟାବ୍ଦରେ ତିରୋଧାନ କରିଥିଲେ ବୋଲି ମହିମାଧର୍ମୀ କହନ୍ତି । ମହିମା ସ୍ୱାମୀଙ୍କର ପ୍ରକୃତ ଆର୍ବିଭାବ କାଳର ପ୍ରାମଣିକ ତଥ୍ୟ ମିଳିନଥିଲେ ସୁଦ୍ଧା ୧୮୨୬ ମସିହାରେ ସେ ପୁରୀରେ ଅଲେଖ ମଣ୍ଡଳ ପ୍ରତିଷ୍ଠା କରିଥିବାର ଇତିହାସରେ ସୂଚନା ରହିଛି । ୧୮୨୬ ମସିହା ଠାରୁ ୧୮୩୮ ମସିହା ପର୍ଯ୍ୟନ୍ତ ଦୀର୍ଘ ୧୨ ବର୍ଷ ସେ ଖଣ୍ଡଗିରି ଗୁମ୍ଫାରେ କେବଳ ଜଳପାନ ପୂର୍ବକ ସମାଧି ଯୋଗ ଅବଲମ୍ବନ କରିଥିଲେ । ୧୮୩୮ ମସିହାରେ ମହିମା ସ୍ୱାମୀ ପୁରାଣ ପ୍ରସିଦ୍ଧ କପିଳାସ ପର୍ବତର ପଶ୍ଚିମ ପାଶ୍ୱର୍ରେ ସମାଧିସ୍ଥ ହେଲେ । ଏହି ପବିତ୍ର ତପସ୍ୟା ପୀଠ ସଂପ୍ରତି ତପୋବନ ଆଶ୍ରମ ନାମରେ ପରିଚିତ । କପିଳାସ ତପୋବନ ଆଶ୍ରମରେ ମହିମା ସ୍ୱାମୀ ୧୮୬୨ ମସିହାରେ ମହିମା ଦର୍ଶନର ଦିବ୍ୟପ୍ରାପ୍ତି ହେଲେ । ସେହି ମହିମା ଦର୍ଶନର ସାରସା ହେଉଛି ଅଲେଖ ପରଂବ୍ରହ୍ମଙ୍କ ଠାରୁ ଆତ୍ମାକ୍ଷରିତ । ତାଙ୍କରିଠାରେ ଅର୍ପିତ ଏବଂ ଶେଷରେ ତାଙ୍କରି ଶରଣ ଦର୍ଶନରେ ମୁକ୍ତି । ଏହି ଦର୍ଶନକୁ ଭିତ୍ତି କରି ପୂଜ୍ୟ ମହିମା ସ୍ୱାମୀ ମହିମା ଧର୍ମର ଉନ୍ମେଷ ଘଟାଇଥିଲେ । ଏକ ନୂତନ ଧର୍ମର ପ୍ରତିଷ୍ଠା କରିଥିବାରୁ ଏବଂ ଧର୍ମର ନାମ ମହିମାଧର୍ମ ହୋଇଥିବାରୁ ପରବର୍ତ୍ତୀ ସମୟ ଠାରୁ ସେ ମହିମା ଗୋସାଇଁ ଭାବେ ପରିଚିତ ହୋଇଥିଲେ । ମହିମା ଧର୍ମ ହିଁ ବେଦାନ୍ତ ଦର୍ଶନ ବିଚାରରେ ମାନବ ଧର୍ମ । ଦିବ୍ୟ ଦୃଷ୍ଟିରେ ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ, ଉପାସନା, ଭାଷା, ବେଶଭୂଷାର ଭିନ୍ନତା ସତ୍ତ୍ୱେ ସକଳ ମାନବ ଏକ ପରମେଶ୍ୱରଙ୍କ ସନ୍ତାନ ବୋଲି ମହିମା ଧର୍ମର ପ୍ରତିଷ୍ଠା ମହିମା ସ୍ୱାମୀ ସାମାଜିକ ସଂସ୍କାରର ମହତ୍ତ୍ୱପୂର୍ଣ୍ଣ ଲକ୍ଷ୍ୟରେ କହିଥିଲେ । ମହିମା ସ୍ୱାମୀଙ୍କର ଗୋବିନ୍ଦ ବାବା ହେଉଛନ୍ତି ପ୍ରଥମ ଶିଷ୍ୟ । ଆଉ ପ୍ରମୁଖ ଶିଷ୍ୟ ହେଉଛନ୍ତି ସନ୍ଥକବି ଭୀମଭୋଇ । ପ୍ରାତଃସ୍ମରଣୀୟ ମହିମା ସ୍ୱାମୀ ପୁରପଲ୍ଲୀରେ ସର୍ବତ୍ର ପରିଭ୍ରମଣ କରି ୬୪ଜଣଙ୍କୁ ସନ୍ନ୍ୟାସ ଦୀକ୍ଷା ପ୍ରଦାନ କରିଥିଲେ ଏବଂ ଲୋକମାନଙ୍କୁ ମହିମା ଧର୍ମରେ ଦୀକ୍ଷÿିତ ହେବା ନିମନ୍ତେ ବହୁ ସ୍ଥାନରେ ଟୁଙ୍ଗୀ ବା ଆଶ୍ରମ ପ୍ରତିଷ୍ଠା କରିଥିଲେ । ସେଥିମଧ୍ୟରୁ ଯୋରନ୍ଦା ଟୁଙ୍ଗୀ ହିଁ ଥିଲା ମୁଖ୍ୟ । କିମ୍ବଦନ୍ତୀ ଅନୁଯାୟୀ ମହିମା ସ୍ୱାମୀ ଧର୍ମ ପ୍ରଚାର ସମୟରେ ଅନେକ ଆଲୋକିକ ଲୀଳା ଦର୍ଶାଇ ଜନମାନସକୁ ବିଶେଷ ଭାବେ ପ୍ରଭାବିତ କରି ପାରିଥିଲେ । ୧୮୬୨ରୁ ୧୮୭୬ ମସିହା ପର୍ଯ୍ୟନ୍ତ ଦୀର୍ଘ ୧୪ବର୍ଷ ମହିମା ଧର୍ମ ପ୍ରଚାର କରି ମହିମା ସ୍ୱାମୀ ୧୯୭୬ ମସିହା ଫାଲଗୁନ୍ କୃଷ୍ଣ ଏକାଦଶୀ ତିଥିରେ ଢ଼େଙ୍କାନାଳ ଜିଲ୍ଲାର ଯୋରନ୍ଦା ଗ୍ରାମସ୍ଥିତ ମହିମା ଟୁଙ୍ଗୀରେ ମହାସମାଧିରେ ପ୍ରବେଶ କରିଥିଲେ । ସଂପ୍ରତି ତାଙ୍କର ସମାଧି ପୀଠ ମହିମା ଗାଦିରେ ପ୍ରସିଦ୍ଧ ଲାଭ କରିଛି । ମହିମା ସ୍ୱାମୀଙ୍କ ତିରୋଧାନ ପରେ ତାଙ୍କର ଚାରି ହାତର ସମାଧି ଉପରେ ଗାଦି ମନ୍ଦିର ନିର୍ମାଣ କରାଯାଇଛି । ତା’ପରେ ଶୂନ୍ୟ ମନ୍ଦିର, ଧ୍ୱନି ମନ୍ଦିର, ସଭାଗୃହ, ପୁସ୍ତକାଳୟ, ବହୁ ମଠ ଓ ଆଶ୍ରମ ନିର୍ମାଣ ହୋଇଛି । ବର୍ତ୍ତମାନ ଦେଶ ଓ ବିଦେଶରେ ମଧ୍ୟ ଅଗଣିତ ମହିମା ସନ୍ନ୍ୟାସୀ ମହିମାଗାଦିର ବିଭିନ୍ନ ମଠ ଓ ଆଶ୍ରମରେ ରହି ଧର୍ମ ପ୍ରଚାର ଚଳାଇଛନ୍ତି । ହେଲେ ମହିମା ଧର୍ମର ମୁଖ୍ୟ କାର୍ଯ୍ୟାଳୟ ଏହି ଯୋରନ୍ଦା ଠାରେ ରହି ଆସିଛି । ସୂର୍ଯେ୍ୟାଦୟ ଓ ସୂର୍ଯ୍ୟାସ୍ତରେ ଅଷ୍ଟାଙ୍ଗ ପ୍ରଣାମ ପୂର୍ବକ ଅଲେଖ ପରଂବ୍ରହ୍ମଙ୍କର ଶରଣାପନ୍ନ ହେବା ହିଁ ମହିମା ସ୍ୱାମୀଙ୍କ ପ୍ରବର୍ତ୍ତିତ ନିତ୍ୟ ଉପାସନା । ସମ୍ପୂର୍ଣ୍ଣ ସରଳ ଓ ନିରାଡ଼ମ୍ବର ଜୀବନଯାପନ ହିଁ ମହିମା ଧର୍ମର ସନେ୍ଦଶ । ମହିମାଧର୍ମୀ ସାଧୁସନ୍ଥ ଓ ଗୃହୀମାନେ ସତ୍ୟବାଦୀ, ନିରାଡ଼ମ୍ବର, ମିଷ୍ଟଭାଷୀ ଏବଂ ସଦା ପ୍ରସନ୍ନମନା । ସନ୍ନ୍ୟାସୀମାନେ ବଳକର ବା କୌପୀନି ଆଉ ଗୃହୀମାନେ ଗେରୁଆବସ୍ତ୍ର ପରିଧାନ କରିଥାନ୍ତି । ସୂର୍ଯ୍ୟାସ୍ତ ପୂର୍ବରୁ ମୁକ୍ତାକାଶ ତଳେ ନୂତନ ମାଟି ପାତ୍ର ବା ପତ୍ରରେ ଶାକାନ୍ନ ଭୋଜନ ହିଁ ମହିମା ଧର୍ମର ଶ୍ରେଷ୍ଠ ଆଚରଣ । ସନ୍ନ୍ୟାସୀମାନେ କୌଣସି ଟୁଙ୍ଗୀରେ ଏକ ରାତିରୁ ଅଧିକ ସମୟ ନିବାସ ନ କରିବା ମଧ୍ୟ ମହିମା ଧର୍ମରେ ନିୟମ ରହିଛି ।ମହିମା ସ୍ୱାମୀ ମହିମା ଧର୍ମ ସମ୍ବନ୍ଧୀୟ କୌଣସି ସାହିତ୍ୟ ରଚନା କରି ନଥିଲେ । ପରବର୍ତ୍ତୀ ସମୟରେ ମହିମା ଧର୍ମ ସମ୍ବନ୍ଧୀୟ ପ୍ରମୁଖ ସାହିତ୍ୟ ସନ୍ଥ କବି ଭୀମଭୋଇ ରଚନା କରି ମହିମା ଧର୍ମକୁ ଅଧିକରୁ ଅଧିକ ପ୍ରଚାର ଓ ପ୍ରସାର କରି ପାରିଥିଲେ । ପରବର୍ତ୍ତୀ କାଳରେ ଅଗଣିତ ସାଧୁସନ୍ଥ, ମହାତ୍ମା ଓ ବିଜ୍ଞ ପ୍ରାଜ୍ଞମାନେ ମହିମା ଧର୍ମ ସମ୍ବନ୍ଧୀୟ ବହୁ ରଚନା କରିଥିଲେ । ଯେଉଁ ମହିମା ସନ୍ନ୍ୟାସୀମାନେ ଦେଶ ଓ ବିଦେଶରେ ରହି ଧର୍ମ ପ୍ରଚାର କରୁଛନ୍ତି ସେମାନେ ଏକତ୍ରିତ ହେବା, ଗୃହୀ ଭକ୍ତଙ୍କର ସମାଗମ ତଥା ମହିମା ସନେ୍ଦଶ ପ୍ରଦାନ ଉଦେ୍ଦଶ୍ୟରେ ମହିମା ସ୍ୱାମୀ ମାଘ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଯୋରନ୍ଦା ଟୁଙ୍ଗୀ ନିକଟରେ ମହିମା ମେଳା ଆରମ୍ଭ କରିଥିଲେ । ଆରମ୍ଭରୁ ଏହି ମହିମା ମେଳା ଛୋଟ ଆକାରରେ ହେଉଥିବା ବେଳେ କ୍ରମଶଃ ବୃଦ୍ଧି ପାଇ ବିଶ୍ୱ ପ୍ରସିଦ୍ଧ ମହିମା ମେଳାରେ ପରିଣତ ହୋଇଛି । ସଂପ୍ରତି ଏହି ମହିମା ମେଳାରେ ପାଖାପାଖି ୧୦ ଲକ୍ଷ ସନ୍ନ୍ୟାସୀ, ଭକ୍ତ ଓ ଯାତ୍ରୀଙ୍କା ସମାଗମ ହେଉଛି ।
ପୂର୍ବତନ ଡିଏଫଓ,
ପଲାଇ, ବାଲିଚନ୍ଦ୍ରପୁର, ଯାଜପୁର,
ଦୂରଭାଷ : ୯୪୩୭୨୫୭୧