Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ରାଜଗୋପାଲା ଚିଦମ୍ବରମ୍‌ଙ୍କର ବିୟୋଗ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ରାଜଗୋପାଲା ଚିଦମ୍ବରମ୍‌ଙ୍କର ବିୟୋଗ

ମୁମ୍ବାଇ: ୧୯୭୫ ଓ ୧୯୯୮ ପରମାଣୁ ପରୀକ୍ଷଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ରାଜଗୋପାଲା ଚିଦମ୍ବରମ୍‌ଙ୍କର ଶନିବାର ପରଲୋକ ଘଟିଛି ବୋଲି ଆଣବିକ ଶକ୍ତି ବିଭାଗ (ଡିଏଇ) ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କୁ ୮୮ ବର୍ଷ ହୋଇଥିଲା। ଆଣବିକ ଅସ୍ତ୍ରଶସ୍ତ୍ର କାର୍ଯ୍ୟକ୍ରମ ସହ ଜଡ଼ିତ ଥିବା ଚିଦମ୍ବରମ୍ ମୁମ୍ବାଇର ଜସଲୋକ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଭାରତର ବୈଜ୍ଞାନିକ ଓ ରଣନୈତିକ କ୍ଷମତା ପ୍ରତି ଡକ୍ଟର ଚିଦମ୍ବରମ୍‌ଙ୍କ ଅତୁଳନୀୟ ଅବଦାନ ରହିଛି ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ସବୁଦିନ ପାଇଁ ସ୍ମରଣୀୟ ରହିବ ବୋଲି ଡିଏଇ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ତାଙ୍କର ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଓ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ଅନେକ ନେତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଭାରତର ଆଣବିକ ଅସ୍ତ୍ରଶସ୍ତ୍ର କାର୍ଯ୍ୟକ୍ରମରେ ଅବଦାନ ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି।

୧୯୩୬ ମସିହାରେ ଜନ୍ମଗ୍ରହଣ କରିଥିବା ଚିଦମ୍ବରମ୍ ଚେନ୍ନାଇର ପ୍ରେସିଡେନ୍ସି କଲେଜ ଓ ବେଙ୍ଗାଲୁରୁର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସର ପୂର୍ବତନ ଛାତ୍ର ଥିଲେ। ଚିଦମ୍ବରମ୍ ତାଙ୍କ କ୍ୟାରିୟରରେ ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା (୨୦୦୧-୨୦୧୮), ଭାଭା ପରମାଣୁ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ (୧୯୯୦-୧୯୯୩), ଆଣବିକ ଶକ୍ତି ଆୟୋଗର ଅଧ୍ୟକ୍ଷ ଏବଂ ଭାରତ ସରକାରଙ୍କ ଆଣବିକ ଶକ୍ତି ବିଭାଗର ସଚିବ (୧୯୯୩-୨୦୦୦) ପ୍ରଭୃତି ଅନେକ ସମ୍ମାନଜନକ ପଦବି ରେ ରହିଥିଲେ। ସେ ଅନ୍ତର୍ଜାତୀୟ ଆଣବିକ ଶକ୍ତି ଏଜେନ୍ସି (ଆଇଏଇଏ)ର ବୋର୍ଡ ଅଫ୍ ଗଭର୍ଣ୍ଣର୍ସ (୧୯୯୪-୧୯୯୫)ର ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଚିଦମ୍ବରମ୍ ଭାରତର ପରମାଣୁ ସାମର୍ଥ୍ୟକୁ ଗଢିତୋଳିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୧୯୭୪ ମସିହାରେ ଦେଶର ପ୍ରଥମ ପରମାଣୁ ପରୀକ୍ଷଣରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ୧୯୯୮ରେ ପୋଖରାନ-୨ ପରମାଣୁ ପରୀକ୍ଷଣ ସମୟରେ ଆଣବିକ ଶକ୍ତି ବିଭାଗ ଟିମ୍‌ର ନେତୃତ୍ୱ ନେଇଥିଲେ। ତାଙ୍କର ଅବଦାନ ଭାରତକୁ ବିଶ୍ୱ ସ୍ତରରେ ପରମାଣୁ ଶକ୍ତି ଭାବେ ପ୍ରତିଷ୍ଠିତ କରିଥିଲା। ସେ ଭାରତର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଆଣିବା ପାଇଁ ଅନେକ ପ୍ରକଳ୍ପର ନେତୃତ୍ୱ ନେଇଥିଲେ। ଭାରତର ସ୍ୱଦେଶୀ ସୁପର କମ୍ପ୍ୟୁଟରର ବିକାଶ ଆରମ୍ଭ କରିବା ଏବଂ ଜାତୀୟ ଜ୍ଞାନ ନେଟୱାର୍କର ପରିକଳ୍ପନା କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ଯାହା ସମଗ୍ର ଦେଶରେ ଗବେଷଣା ଓ ଶିକ୍ଷାନୁଷ୍ଠାନଗୁଡ଼ିକୁ ସଂଯୋଗ କରିଥିଲା। ଚିଦମ୍ବରମ୍ ୧୯୭୫ ମସିହାରେ ପଦ୍ମଶ୍ରୀ ଓ ୧୯୯୯ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ। ସେ ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ମଧ୍ୟ ହାସଲ କରିଥିଲେ ଏବଂ ଭାରତୀୟ ଓ ଅନ୍ତର୍ଜାତୀୟ ବିଜ୍ଞାନ ଏକାଡେମିର ଫେଲୋ ଥିଲେ।

Leave a Reply