Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପ୍ରଧାନମନ୍ତ୍ରୀଙ୍କ ପାଖକୁ ରାକ୍ଷୀ ପଠାଇଲେ କମଳା ମାଉସୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପ୍ରଧାନମନ୍ତ୍ରୀଙ୍କ ପାଖକୁ ରାକ୍ଷୀ ପଠାଇଲେ କମଳା ମାଉସୀ

ଅଳିଆ ଆବର୍ଜନାରୁ ଜରି ଗୋଟାଇ ରାକ୍ଷୀ ତିଆରି କରିଛନ୍ତି । ସେହି ରାକ୍ଷୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ପଠାଇଛନ୍ତି କମଳା ମହାରଣା । ଭଉଣୀ ହିସାବରେ ସେ ଭାଇ ପାଖକୁ ରାକ୍ଷୀ ପଠାଇଛନ୍ତି । ଏଥିସହ ଭାଇ(ପ୍ରଧାନମନ୍ତ୍ରୀ)ଙ୍କ ମଙ୍ଗଳ କାମନା ମଧ୍ୟ କରିଛନ୍ତି କମଳା ମାଉସୀ । କେନ୍ଦ୍ରାପଡ଼ା ଖଇରାବାଦ ଗାଁର କମଳା ମହାରଣା । ବୟସ ୬୦ ବର୍ଷରୁ ଅଧିକ ହେବ । ଏ ବୟସରେ କୌଣସି କାମ ନକରି ଘରେ ବସିଥିଲେ । ହେଲେ ତାଙ୍କ ହାତଗୋଡ଼ ଥୟ ଧରୁନଥିଲା । କିଛି କୋଟିଏ କ’ଣ କରିବେ, ସେହି ଚିନ୍ତାରେ ପଡ଼ି ଯାଇଥିଲେ କମଳା ମାଉସୀ । ସେଥିପାଇଁ ସେ ପଲିଥିନ୍‌କୁ ଗୋଟାଇ କିଛି କରିବା ପାଇଁ ଚିନ୍ତା କରିଥିଲେ । ଆଉ ତା’ପରେ କମଳା ମାଉସୀଙ୍କୁ କାମ ମିଳି ଯାଇଥିଲା । ପରିବେଶକୁ ନଷ୍ଟ କରୁଥିବା ଏଣେ ତେଣେ ପଡ଼ିଥିବା ପଲିଥିନକୁ ସଂଗ୍ରହ କରିବାରେ ଲାଗି ପଡ଼ିଲେ କମଳା ମାଉସୀ । ପରେ ସେହି ସବୁ ପଲିଥିନ୍‌କୁ ପରିଷ୍କାର ପରିଚ୍ଛନ୍ନ କରିଥିଲେ । ତା’ପରେ ସେ ସବୁ ପଲିଥିନକୁ ସରୁ ସରୁ କାଟି ସେଥିରେ ବିଭିନ୍ନ ସାମଗ୍ରୀ ବୁଣିବା ଆରମ୍ଭ କରିଥିଲେ । ପଲିଥିନ୍‌କୁ ବ୍ୟବହାର କରି ସେ ପେଡ଼ି, ପାଛିଆ, ଡାଲା, ବିଞ୍ଚଣା, ବଡି ଓ ପାମ୍ପଡ ସୁଖାଇବା ପାଇଁ ଝାମ୍ପି, ମନିପର୍ସ, ପାପୋଚ୍ଛ ଓ କାନ୍ଥରେ ଟଙ୍ଗାଇବା ପାଇଁ ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି । ଯାହାର ଚାହିଦା ଭଲ ରହିଛି । ପରିବେଶକୁ ବଞ୍ଚାଇବା ସହିତ ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି କମଳା ମାଉସୀ । କମଳା ମାଉସୀଙ୍କ ଏହି କାରନାମା କେନ୍ଦ୍ରାପଡ଼ାରୁ ଯାଇ ଦିଲ୍ଲୀରେ ପହଞ୍ଚିଥିଲା । ଆଉ ତାଙ୍କ କାମରେ ପ୍ରଭାବିତ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଥିପାଇଁ ଗତ ୨୬ ତାରିଖରେ ୨୫ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ କମଳା ମାଉସୀଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ । କମଳାଙ୍କୁ ନିଜ ଭଉଣୀ ବୋଲି ସମ୍ବୋଧନ କରିଥିଲେ ମୋଦି । ସେହିଦିନ ଠୁଁ ସବୁଆଡେ ପ୍ରଶଂସାର ପାତ୍ର ହୋଇଛନ୍ତି କମଳା । ସେଥିପାଇଁ ଚଳିତବର୍ଷ ରକ୍ଷା ବନ୍ଧନରେ ନିଜ ଭାଇ(ନରେନ୍ଦ୍ର ମୋଦି) ପାଇଁ ଅଳିଆ ଆବର୍ଜନାରୁ ଜରି ଗୋଟାଇ ଗୋଟିଏ ରାକ୍ଷୀ ତିଆରି କରିଛନ୍ତି । ସେହି ରାକ୍ଷୀକୁ ପୋଷ୍ଟାଲ୍‌ରେ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇଛନ୍ତି । କମଳା ମହାରଣା କହିଛନ୍ତି, ଅଳିଆ ଆବର୍ଜନାରୁ ଜରି ଗୋଟାଇ ଗୋଟିଏ ରାକ୍ଷୀ ତିଆରି କରିଛି । ଶ୍ରଦ୍ଧା ଓ ସ୍ନେହରେ ରାକ୍ଷୀଟିକୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇଛି । ମୋ’ ରାକ୍ଷୀକୁ ହାତରେ ବାନ୍ଧିବେ ମୁଁ ବହୁତ ଖୁସି ହେବି । ମୁଁ ତାଙ୍କର ମଙ୍ଗଳକାମନା କରୁଛି ବୋଲି କମଳା କହିଛନ୍ତି ।

Leave a Reply