ପ୍ରତ୍ୟେକ ଭାରତୀୟ ଜଣେ ଜଣେ ଋଷିଙ୍କ ବଂଶଧର’

ଭୁବନେଶ୍ୱର- ରାଜ୍ୟରେ ପୂଜ୍ୟପୂଜା ପାଇଁ କାର୍ଯ୍ୟ କରୁଥିବା ପ୍ରମୁଖ ଅନୁଷ୍ଠାନ ରାଜ୍ୟ ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ରାଜ୍ୟସ୍ତରୀୟ ସାଧୁ ସନ୍ଥ ପ୍ରଣାମ ଉତ୍ସବକୁ ଉଦ୍ଘାଟନ କରି ନିଗମ କଳ୍ପତରୁ ଆଶ୍ରମର ପ୍ରତିଷ୍ଠାତା, ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ କହିଲେ ଯେ, ଆମେ ପ୍ରତ୍ୟେକ ଭାରତୀୟ ଜଣେ ଜଣେ ଋଷିଙ୍କ ବଂଶଧର । ସେଥିପାଇଁ ପ୍ରତ୍ୟେକ ଶୁଭକାର୍ଯ୍ୟରେ କାର୍ଯ୍ୟଗ୍ରାହୀଙ୍କୁ ସଂକଳ୍ପ ସମୟରେ ଗୋତ୍ର ଉଚ୍ଚାରଣ କରିବାକୁ କୁହାଯାଇଥାଏ । ଗୋତ୍ରରୁ ପ୍ରତୀୟମାନ ହୁଏ କିଏ କେଉଁ ଋଷି ବଂଶଜ । ଋଷି ଅଗସ୍ତ୍ୟଙ୍କ ଉପରେ ଆଧାରିତ ଆଲୋଚନାଚକ୍ରକୁ ଟ୍ରଷ୍ଟର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ପୌରହିତ୍ୟ କରି କହିଲେ ଯେ, ଆମେ ସମସ୍ତେ ଶିଶୁ ଅବସ୍ଥାରୁ ସପ୍ତର୍ଷି ମଣ୍ଡଳ ବିଷୟରେ ପଢି ଆସୁଥିଲେ ମଧ୍ୟ ସେମାନଙ୍କର ଐତିହାସିକ ଅବଦାନ ବିଷୟରେ ଅବଗତ ନାହୁଁ । ଋଷି ଅଗସ୍ତ୍ୟଙ୍କର ଅସୀମ ଶକ୍ତି ବିଷୟରେ ବିଶିଷ୍ଟ ସଂସ୍କୃତ ବିଦ୍ୟାନ ପ୍ରଫେସର ଡଃ ହରେକୃଷ୍ଣ ଶତପଥୀ ବ୍ୟାଖ୍ୟାନ ରଖିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ତିରୁପତି ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ ସତ୍ୟନାରାୟଣ ଆ·ର୍ଯ୍ୟ ସଂସ୍କୃତ ଭାଷା ଭାରତବର୍ଷର ଆତ୍ମା ବୋଲି କହିବା ସହ ଜଗନ୍ନାଥାଷ୍ଟକ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାବା ବାଳକାନନ୍ଦ ମହାରାଜ, ବ୍ରହ୍ମକୁମାରୀ ଦୁର୍ଗେଶ ନନ୍ଦିନୀ, ବୌଦ୍ଧଭୀକ୍ଷୁ ଧର୍ମ ସୁବୋଧି, ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ପ୍ରମୁଖ ଭାରତବର୍ଷର ସାଧୁସନ୍ଥଙ୍କ ମହିମା ଉପରେ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ । ପୂର୍ବତନ ପ୍ରଶାସକ ନରେନ୍ଦ୍ର କୁମାର ମିଶ୍ରଙ୍କ ୮୨ତମ ସ୍ୱନକ୍ଷତ୍ର ଓ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ହାଲିଙ୍କ ସ୍ୱନକ୍ଷତ୍ର ଅବସରରେ ସାଧୁ, ସନ୍ଥ, ବିଦ୍ୱାନ, ଜ୍ୟେଷ୍ଠ ଓ ଶ୍ରେଷ୍ଠମାନେ ଆଶୀର୍ବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପଣ୍ଡିତ ବିନୋଦ ବିହାରୀ ଦାସ ବେଦପାଠ, କେନ୍ଦ୍ର ସରକାରଙ୍କ ବରିଷ୍ଠ ପ୍ରଶାସିକା ନନ୍ଦିତା ମିଶ୍ର ସ୍ୱାଗତ ଭାଷଣ ଓ ସୌମ୍ୟ ପ୍ରକାଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *