Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି

ଭୁବନେଶ୍ୱର: ରଣପୁର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ହୋଇଛନ୍ତି । ଗୁରୁବାର ବିଧିବଦ୍ଧ ଭାବେ ସେ ବାଚସ୍ପତି ଆସନ ଗ୍ରହଣ କରିଛନ୍ତି । ବାଚସ୍ପତି ହେବା ପରେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସୁରମା ବାଚସ୍ପତି ଭାବେ ଗୃହ ପରିଚାଳନା କରିଛନ୍ତି । ବାଚସ୍ପତି ଦାୟିତ୍ୱ ନେବା ପରେ ଶ୍ରୀମତୀ ପାଢ଼ୀ କହିଛନ୍ତି, ମୁଁ ଏହି ପଦରେ ବସିବି ବୋଲି କେବେ କଳ୍ପନା କରି ନ ଥିଲି । ଗୃହର ପଦମର୍ଯ୍ୟାଦା, ଗରିମା ରକ୍ଷାକରିବି । ନିଶ୍ଚିତ ଭାବେ ନିରପେକ୍ଷତା ଅବଲମ୍ବନ କରିବି । ଗୃହ ପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ କାମନା କରୁଛି । ସୁରମା ବାଚସ୍ପତି ଭାବେ ଦାୟିତ୍ୱ ନେବା ପରେ ଗୃହରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଓ ଦୁଇ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ କଂଗ୍ରେସ ଓ ସିପିଏମ୍ ବିଧାୟକ ଦଳ ସଦସ୍ୟ ଓ ବିଜେଡି ବିଧାୟକ ଦଳ ନେତାମାନେ ମଧ୍ୟ ନୂଆ ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବାଚସ୍ପତି ନିର୍ବାଚନ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ ସୁରମା । ତାଙ୍କର କେହି ପ୍ରତିଦ୍ୱନ୍ଦ୍ୱୀ ନଥିଲେ । ଏଥିପାଇଁ ସେ ନିର୍ଦ୍ୱନ୍ଦ୍ୱରେ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ୨୦୨୪ରେ ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିରୁ ପ୍ରାର୍ଥୀ ହୋଇଥିଲେ ସୁରମା ପାଢ଼ୀ । ବିଜୁ ଜନତାଦଳ ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନଙ୍କୁ ୧୫,୫୪୪ ଖଣ୍ଡ ଭୋଟ୍‌ରେ ପରାଜିତ କରିଥିଲେ । ବୁଧବାର ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, କ୍ୟାବିନେଟ୍ ମନ୍ତ୍ରୀ ଓ ବିଧାୟକଙ୍କ ଉପସ୍ଥିତିରେ ବାଚସ୍ପତି ପଦ ପାଇଁ ସୁରମା ନାମାଙ୍କନପତ୍ର ଦାଖଲ କରିଥିଲେ । ୨୦୦୪ରୁ ୨୦୦୯ ଯାଏ ସୁରମା ବିଜେପି-ବିଜେଡି ମେଣ୍ଟ ସରକାରରେ ସମବାୟ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଲମ୍ବା ରାଜନୈତିକ କ୍ୟାରିୟରରେ ସୁରମାଙ୍କ ରହିଛି ଭରପୁର ଅଭିଜ୍ଞତା । ସୁରମାଙ୍କୁ ସମର୍ଥନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ । ସେ ମଧ୍ୟ ସହମତି ପ୍ରକାଶ କରିଥିବା ସୂଚନା ଦେଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଅନ୍ୟପକ୍ଷରେ ବାଚସ୍ପତିକୁ ନେଇ ସସ୍‌ପେନ୍ସ ହଟିବା ପରେ ଏବେ କିଏ ହେବେ ଉପ ବାଚସ୍ପତି, ସରକାରୀ ଦଳ ମୁଖ୍ୟସଚେତକ ଓ ଉପମୁଖ୍ୟ ସଚେତକ ତାକୁ ନେଇ ଚର୍ଚ୍ଚା ଜୋର୍‌ଧରିଛି ।

Leave a Reply