ଅଭୟ ଦ୍ୱିବେଦୀଙ୍କୁ ନାରଦ ସମ୍ମାନ

ବିଗତ ଦୁଇ ଦଶନ୍ଧିଧରି ଭିନ୍ନ ଭିନ୍ନ ପତ୍ରପତ୍ରିକା ଓ ସମ୍ବାଦପତ୍ରରେ ପ୍ରକାଶିତ ସ୍ତମ୍ଭରଚନା ଯାହା ପାଠକ-ପାଠିକାଙ୍କ ଠାରେ ବେଶ ଆଦୃତି ଲାଭ କରିଛି ସେହି ବରିଷ୍ଠ ସ୍ତମ୍ଭଲେଖକ ଶ୍ରୀ ଅଭୟ ଦ୍ୱିବେଦୀଙ୍କ ସ୍ତମ୍ଭ ରଚନାକୁ ସମ୍ମାନ ଜଣାଇ ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡିଶା ପକ୍ଷରୁ ନାରଦ ଜୟନ୍ତୀ ଅବସରରେ ୨୦୨୩ ବର୍ଷ ପାଇଁ ମର୍ଯ୍ୟାଦାପୂର୍ଣ୍ଣ ନାରଦ ସମ୍ମାନରେ ବିଭୂଷିତ କରାଯାଇଛି । ପ୍ରବନ୍ଧ ଠାରୁ ମୁଦ୍ରଣ ଓ ସଂଗଠନ ପର୍ଯ୍ୟନ୍ତ ସାହିତ୍ୟ -ସଂସ୍କୃତିର ବିବିଧ କ୍ଷେତ୍ରରେ ନିଷ୍ଠାର ସହ କାର୍ଯ୍ୟକରି ସେ ପ୍ରତିଷ୍ଠା ଲାଭ କରିଛନ୍ତି । ତାଙ୍କ ଦ୍ୱାରା ଲିଖିତ ଓ ପ୍ରକାଶିତ ୧୬ଟି ପୁସ୍ତକ ଏବଂ ଅନେକ ସମ୍ବର୍ଦ୍ଧନା ଏସବୁର ପ୍ରମାଣ ।
ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡିଶା ତରଫରୁ ବରିଷ୍ଠ ସ୍ତମ୍ଭଲେଖକ ଅଧ୍ୟାପକ ନିରଞ୍ଜନ ପାଢୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ‘ଉନ୍ନବିଂଶତମ ନାରଦ ସମ୍ମାନ’ ଉତ୍ସବ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ମେ ୮ ତାରିଖ ଦିନ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ଓଡିଶାର ସୁନାମଧନ୍ୟ ସାହିତି୍ୟକ ଡ.ଶାନ୍ତନୁ କୁମାର ଆଚାର୍ଯ୍ୟ, ମୁଖ୍ୟ ଅତିଥି,ବରିଷ୍ଠ ସାମ୍ବାଦିକ ଶ୍ରୀ ରାଜାରାମ ଶତପଥି,ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ପୂର୍ବ ପ୍ରାନ୍ତ କାର୍ଯ୍ୟବାହ ଡ. ଅନୀଲ କୁମାର ମିଶ୍ର ମୁଖ୍ୟବକ୍ତା ରୂପେ ଯୋଗଦେଇଥିଲେ ।
ଶ୍ରୀ ଦ୍ୱିବେଦୀଙ୍କୁ ମାନପତ୍ର, ଉତରୀୟ, ନାରିକେଳ ଓ ଦଶ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ଶ୍ରୀ ରବି ନାରାୟଣ ପଣ୍ଡା ବିଶ୍ୱ ସମ୍ବାଦ କେନ୍ଦ୍ରର ପରିଚୟ କରିବା ସହ ଅତିଥିମାନଙ୍କୁ ମଂଚ ଆମନ୍ତ୍ରଣ କରିଥିଲେ । ସହ ପ୍ରାନ୍ତ ପ୍ରଚାର ପ୍ରମୁଖ ଶ୍ରୀ ସୁମନ୍ତ କୁମାର ପଣ୍ଡା ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ମହାନଗର ପ୍ରଚାର ପ୍ରମୁଖ ସାଇ ପ୍ରସାଦ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପୁରୀ ବିଭାଗ ପ୍ରଚାର ପ୍ରମୁଖ ଜୟକୃଷ୍ଣ ପୃଷ୍ଟି ମାନପତ୍ର ପାଠ କରିଥିଲେ ଏବଂ ପ୍ରାନ୍ତ ଗଣମାଧ୍ୟମ ସଂପର୍କ ପ୍ରମୁଖ ଶିବ ପ୍ରସାଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର, ୟୁନିଟ-୮, ଭୁବନେଶ୍ୱରର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ ।
ବିଶ୍ୱ ସମ୍ବାଦ କେନ୍ଦ୍ର,ଓଡିଶା ତରଫରୁ ଗଣମାଧ୍ୟମରେ ସ୍ୱାଧିନତା ସମ୍ବନ୍ଧରେ ସଚେତନତା ସୃଷ୍ଟି କରୁଥିବା, ଜନସାଧାରଣଙ୍କୁ ନିରପେକ୍ଷ,ମୁକ୍ତ ଓ ଦାୟିତ୍ୱ ସମ୍ପନ୍ନ ସମ୍ବାଦ ପରିବେଷଣ ସହ ରାଷ୍ଟ୍ରୀୟ ବିଚାରଧାରାର ପ୍ରସାର ପାଇଁ ଲେଖନି ଚାଳନା କରୁଥିବା ଗଣମାଧ୍ୟମର ବ୍ୟକ୍ତିତ୍ୱଙ୍କୁ ପ୍ରତି ବର୍ଷ ନାରଦ ଜୟନ୍ତୀରେ ରାଜ୍ୟ ସ୍ତରୀୟ ନାରଦ ସମ୍ମାନ ପ୍ରଦାନ କରାଯାଇଥାଏ । ୧୯ବର୍ଷ ଧରି ବିଶ୍ୱ ସମ୍ବାଦ କେନ୍ଦ୍ର ତରଫରୁ ଆଦ୍ୟ ସାମ୍ବାଦିକ ଦେବର୍ଷି ନାରଦଙ୍କ ଜୟନ୍ତୀ ପାଳନ କରାଯିବା ସହ ରାଜ୍ୟର ଜଣେ ବରିଷ୍ଠ ତଥା ବିଶିଷ୍ଟ ସାମ୍ବାଦିକ ଓ ସ୍ତମ୍ଭଲେଖକଙ୍କୁ ରାଜ୍ୟସ୍ତରୀୟ ନାରଦ ସମ୍ମାନ ପ୍ରଦାନ କରାଯାଉଛି । ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ବରିଷ୍ଠ ସାମ୍ବାଦିକ
ସ୍ୱର୍ଗତ ଭଗବାନ ନାୟକବର୍ମା,ସ୍ୱର୍ଗତ ଗୋପାଳ ମିଶ୍ର,ରାଜାରାମ ଶତପଥି, ଗୋପାଳକୃଷ୍ଣ ମହାପାତ୍ର, ଭାସ୍କର ପରିଚ୍ଛା, ସ୍ୱର୍ଗତ ଶ୍ରୀ ବରେନ୍ଦ୍ରକୃଷ୍ଣ ଧଳ, ସୁଧିର କୁମାର ଦାଶ, ଭାଗିରଥି ମହାସୁଆର, ଜଗବନ୍ଧୁ ମିଶ୍ର, ଅରୁଣ କୁମାର ପଣ୍ଡା, ପ୍ରତାପ ମହାନ୍ତି, ସିଦ୍ଧାର୍ଥ କାନୁନ୍ଗୋ, ପ୍ରଭୂ କଲ୍ୟାଣ ମହାପାତ୍ର, ଶିବନାରାୟଣ ସିଂହ, ତପନ ମିଶ୍ର, ସୁବ୍ରତ ଦାସ, ଆର୍ତ ମିଶ୍ର ପ୍ରମୁଖ ଏହି ନାରଦ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *