ଭାଙ୍ଗିଛି ଆତଙ୍କବାଦୀଙ୍କ ଅଣ୍ଟା । ସଫଳ ହୋଇଛି ଅପରେସନ ସିନ୍ଦୁର । ବେଙ୍ଗାଲୁରୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆତଙ୍କବାଦୀ ବିରୋଧୀ ଅପରେସନକୁ ନେଇ ବଡ଼ ଖୁଲାସା କରିଛନ୍ତି ଏୟାର ଚିଫ ମାର୍ଶଲ ଅମରପ୍ରୀତ ସିଂହ । ପାକିସ୍ତାନର ୬ଟି ବିମାନକୁ ମାରି ଖସାଇଥିଲା ଭାରତର ବାୟୁ ସୁରକ୍ଷା ପ୍ରଣାଳୀ ସୁଦର୍ଶନ । ଅପରେସନ ଆରମ୍ଭ ହେବା ପୂର୍ବରୁ ଭାରତକୁ ନାଲିଆଖି ଦେଖାଉଥିବା ପାକିସ୍ତାନ ମାତ୍ର ୪ ଦିନରେ ମାଟି କାମୁଡ଼ିଥିଲା ବୋଲି କହିଛନ୍ତି ବାୟୁସେନା ମୁଖ୍ୟ ।
ଅପରେସନ ସିନ୍ଦୁରକୁ ପ୍ରଶଂସା କରୁଛି ବିଶ୍ବ । ଭାଙ୍ଗିଛି ଆତଙ୍କବାଦୀଙ୍କ ମେରୁଦଣ୍ଡ । ଭାରତର କୌଣସି ବି ସ୍ଥାନରେ ରକ୍ତର ଖେଳ ଖେଳିବା ପୂର୍ବରୁ ପରିଣାମ ଭାବି ଥରୁଛି ଆତଙ୍କବାଦୀଙ୍କ ପାଦ । ଏହାକୁ ହିଁ ଅପରେସନ ସିନ୍ଦୁରର ସବୁଠାରୁ ବଡ଼ ସଫଳତା ବୋଲି କହିଛନ୍ତି ଏୟାର ଚିଫ୍ ମାର୍ଶଲ ଅମରପ୍ରୀତ ସିଂହ ।
ବେଙ୍ଗାଲୁରୁରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଅପରେସନ ସିନ୍ଦୁରକୁ ନେଇ ବଡ଼ ଖୁଲାସା କରିଛନ୍ତି ବାୟୁସେନା ମୁଖ୍ୟ । ଅପରେସନ ଆରମ୍ଭ ହେବା ପୂର୍ବରୁ ଭାରତକୁ ନାଲିଆଖି ଦେଖାଉଥିବା ପାକିସ୍ତାନ ମାତ୍ର ୪ ଦିନରେ ମାଟି କାମୁଡ଼ିଥିଲା । ପାକିସ୍ତାନର ୫ଟି ଫାଇଟର ଜେଟ୍କୁ ମାରି ଖସାଇଥିଲା ଭାରତର ବାୟୁ ସୁରକ୍ଷା ପ୍ରଣାଳୀ S-400 । ୩୦୦କିମି ଦୂରରୁ ଟାର୍ଗେଟ୍ କରି ଭାରତୀୟ ବାୟୁସେନା ପାକିସ୍ତାନର ଏୟାରକ୍ରାଫ୍ଟ ୱାର୍ଣ୍ଣିଂ ସିଷ୍ଟମ AEW&Cକୁ ଧ୍ବଂସ କରିଥିଲା । ଯାହା ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିବାରେ ସବୁଠାରୁ ବଡ଼ ରେକର୍ଡ । S400କୁ ପ୍ରଶଂସା କରିବା ସହ ଏହାକୁ ଗେମ୍ ଚେଞ୍ଜର ବୋଲି କହିଛନ୍ତି ଏୟାର ଚିଫ୍ ମାର୍ଶଲ ।
ଅପରେସନ ସିନ୍ଦୁରକୁ ନେଇ ସରକାରଙ୍କ ପକ୍ଷରୁ ସେନା ପାଇଁ ନଥିଲା କୌଣସି ପ୍ରତିବନ୍ଧକ । ଏପ୍ରିଲ ୨୨ ପହଲଗାମ ହମଲାର ପ୍ରତିଶୋଧ ନେବା ପାଇଁ ସେନାକୁ ସବୁ ପ୍ରକାର ନିଷ୍ପତ୍ତି ନେବାକୁ ପୂର୍ଣ୍ଣ କ୍ଷମତା ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଅପରେସନ ଆରମ୍ଭ ପୂର୍ବରୁ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସିଡିଏସ ଅନୀଲ ଚୌହ୍ବାନଙ୍କ ସମେତ ୩ ସେନାମୁଖ୍ୟଙ୍କ ସହ ଏକାଧିକ ଥର ଆଲୋଚନା କରିଥିଲେ ପିଏମ୍ ।
ତିନି ସେନା ମଧ୍ୟରେ ଉତ୍ତମ ସମନ୍ବୟ ଫଳରେ ଅପରେସନ ଆରମ୍ଭର ମାତ୍ର ୮୦ରୁ ୯୦ ଘଣ୍ଟା ଭିତରେ ଆଣ୍ଟେଇ ପଡ଼ିଲା ଶତ୍ରୁ । ବାହାବଲପୁରରେ ଥିବା ଆତଙ୍କୀ ସଂଗଠନ ଜୈସ୍-ଏ-ମହମ୍ମଦ ମୁଖ୍ୟାଳୟ ଉପରେ ଆକ୍ରମଣର ପୂର୍ବ ଓ ପରବର୍ତ୍ତୀ ଚିତ୍ର ଦେଖାଇ ଭାରତୀୟ ସେନା ପରାକ୍ରମର ପ୍ରମାଣ ଦେଇଛନ୍ତି ବାୟୁସେନା ମୁଖ୍ୟ ।
ଅପରେସନ ସିନ୍ଦୂରରେ ଶତାଧିକ ଆତଙ୍କବାଦୀ ନିପାତ ହେବା ସହ ପାକିସ୍ତାନ ଓ ପାକ୍ ଅଧୀକୃତ କାଶ୍ମୀରରେ ୯ଟି ଆତଙ୍କୀ ଆଡ୍ଡା ଧ୍ୱଂସ ହୋଇଛି । ପରେ ଅପରେସନ ମହାଦେବରେ ଖୋଜି ଖୋଜି ପହଲଗାମ ଆତଙ୍କୀଙ୍କୁ ନିପାତ କରିଛି ସେନା ।