Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦେଶରେ ‘ସ୍ୱ’ର ଜାଗରଣ ଆରଏସ୍ଏସ୍ ର ଲକ୍ଷ୍ୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦେଶରେ ‘ସ୍ୱ’ର ଜାଗରଣ ଆରଏସ୍ଏସ୍ ର ଲକ୍ଷ୍ୟ


ଭୁବନେଶ୍ୱର,୨୧/୩ : ଦୀର୍ଘ ହଜାର ବର୍ଷ ଧରି ବିଦେଶୀ ଆକ୍ରମଣ କାରଣରୁ ଦେଶର ସାମାଜିକ, ଆର୍ଥିକ, ସାଂସ୍କୃତିକ ଓ ଧାର୍ମିକ ବ୍ୟବସ୍ଥା ଗୁଡିକ ଆଘାତ ପ୍ରାପ୍ତ ହେବା ସତ୍ୱେ ସାଧୁସନ୍ଥ ଓ ମହାପୁରୁଷମାନେ ଦେଶରେ ‘ସ୍ୱ’କୁ ବଂଚାଇ ରଖିପାରିଥିଲେ । ଏହି ‘ସ୍ୱ’ର ଅର୍ଥ ହେଉଛି ସ୍ୱଧର୍ମ,ସ୍ୱଦେଶୀ ଓ ସ୍ୱରାଜ । ବର୍ତମାନ ‘ବସୁଧୈବ କୁଟୁମ୍ବକମ’୍ ନୀତିର ଆଧାରରେ ଆମ ଦେଶ ବିଶ୍ୱଶାନ୍ତି, ବିଶ୍ୱବନ୍ଧୁତ୍ୱ ଓ ମାନବ କଲ୍ୟାଣ ପ୍ରତିଷ୍ଟା ଦିଗରେ ଅଗ୍ରସର ହେଉଅଛି । ଦେଶର ଏହି ଅମୃତକାଳରେ ‘ସ୍ୱ’ର ପୁନଃ ପ୍ରତିଷ୍ଠା ସହିତ ସ୍ୱାଧୀନତା ସଂଗ୍ରାମୀ ଓ ମନିଷୀମାନଙ୍କୁ ସ୍ମରଣ କରିବା ପାଇଁ ସଂଘ ଆହ୍ୱାନ ଦେଉଛି ବୋଲି ସମୀର କୁମାର ମହାନ୍ତି ପ୍ରକାଶ କରିଛନ୍ତି ।
ଆଜି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ତରଫରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ଓଡିଶା ପୂର୍ବ ପ୍ରାନ୍ତର ସଂଘଚାଳକ ସମୀର କୁମାର ମହାନ୍ତି ଏହି ବିଷୟ ଉପସ୍ଥାପନ କରି କହିଲେ ଯେ,ସନାତନ ମୂଲ୍ୟବୋଧର ପ୍ରତିଷ୍ଠା, ସ୍ୱଦେଶୀ ଅର୍ଥନୀତିର ପ୍ରଚଳନ ଏବଂ ଉପନିବେଶବାଦ ମାନସିକତାରୁ ମୁକ୍ତ ଏକ ସମାଜ ଆମକୁ ଗଠନ କରିବାକୁ ପଡିବ । ଏ ସମ୍ବନ୍ଧରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କର ‘ପଂଚପ୍ରଣ’ର ଆହ୍ୱାନ ମହତ୍ୱପୂର୍ଣ୍ଣ ଅଟେ । ଏହା ସହିତ ଭୂମି, ଜଳ,ବାୟୁ, ଅଗ୍ନି ଓ ଆକାଶ ପ୍ରଦୁଷଣ ମୁକ୍ତ ହେବା ଦରକାର । ଏହି ବିଚାରକୁ ବିରୋଧ କରିବାପାଇଁ କିଛି ଆଭ୍ୟନ୍ତରିଣ ଓ ବାହ୍ୟଶକ୍ତି ଦେଶରେ ଭେଦଭାବ, ଅବିଶ୍ୱାସ, ଅନାସ୍ଥାଭାବ ଏବଂ ଅରାଜକତା ସୃଷ୍ଟି କରିବା ପାଇଁ ଯେଉଁ ଷଡଯନ୍ତ୍ର କରୁଛନ୍ତି ତାହା ପ୍ରତି ସମାଜକୁ ସଜାଗ ରହିବାକୁ ପଡିବ ।
ଶ୍ରୀ ମହାନ୍ତି କହିଲେ ଯେ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସମାଲଖା,ପାନିପତ୍(ହରିୟାଣା) ଠାରେ ଅନୁଷ୍ଠିତ ହୋଇଥିବା ଅଖିଳ ଭାରତୀୟ ପ୍ରତିନିଧି ସଭା ବୈଠକରେ ଉପରୋକ୍ତ ଆହ୍ୱାନ ଦିଆଯାଇଛି । ଏହି ବୈଠକ ମାର୍ଚ୍ଚ ୧୨,୧୩ ଓ ୧୪ ତିନିଦିନ ଧରି ଚାଲିଥିଲା । ଏଥିରେ ଓଡିଶାରୁ ୪୦ ଜଣ ସମେତ ସାରାଦେଶରୁ ୧୪୭୪ଜଣ ପ୍ରତିନିଧି ଯୋଗ ଦେଇଥିଲେ । ଏହି ବୈଠକରେ ପ୍ରାପ୍ତହୋଇଥିବା ବିବରଣୀ ଅନୁଯାୟୀ ସମଗ୍ର ଦେଶରେ ୬୮,୬୫୧ଟି ଦୈନିକ ଶାଖା ଏବଂ ୨୬,୮୭୭ଟି ସାପ୍ତାହିକ ଶାଖା ଚାଲୁ ଅଛି । ସେହିପରି ଓଡିଶାରେ ୧୮୫୫ଟି ଦୈନିକ ଶାଖା ଓ ୪୬୯ଟି ସାପ୍ତାହିକ ଶାଖା ଚାଲୁଅଛି । ଦେଶରେ ଶତକଡା ୯୯ ଭାଗ ଜିଲ୍ଲାରେ ଏବଂ ଶତକଡା ୮୮ ଭାଗ ଖଣ୍ଡ (ବ୍ଲକ)ରେ ସଂଘକାର୍ଯ୍ୟ ଚାଲୁଅଛି । ଜଏନ୍ ଆରଏସ୍ଏସ୍ ୱେବସାଇଟ୍ ମାଧ୍ୟମରେ ସମଗ୍ର ଦେଶରୁ ୭,୨୫,୦୦୦ ବ୍ୟକ୍ତି ସଂଘରେ ଯୋଗଦେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ତନ୍ମଧ୍ୟରୁ ଓଡିଶାରେ ଆବେଦନ କରିଥିବା ସଂଖ୍ୟା ହେଉଛି ୧୫,୨୦୦ । ଏଥିରେ ଶତକଡା ୬୦ ଭାଗ ହେଉଛନ୍ତି ଯୁବକ ।
ବୈଠକ ଆରମ୍ଭରୁ ଦେଶର ଦିବଙ୍ଗତ ମହାନ ବ୍ୟକ୍ତିମାନଙ୍କ ଉଦେ୍ଦଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ତନ୍ମଧ୍ୟରୁ ଓଡିଶାରୁ ସିନେ ଅଭିନେତ୍ରୀ ଝରଣା ଦାସ, ସିନେ କଳାକାର ପିଂଟୁ ନନ୍ଦ, ବିଶିଷ୍ଟ ସମାଜସେବୀ ରାଖାଲ କୁମାର ଦେ ଏବଂ ଡ. ଶିବପ୍ରସାଦ ରଥ ଅନ୍ୟତମ ।
ଏହି ବୈଠକରେ ନିଷ୍ପତି ଅନୁଯାୟୀ ଆଗାମୀ ଦିନମାନଙ୍କରେ ସମାଜ ପରିବର୍ତନ ପାଇଁ ସଂଘ ପାଂଚଟି ବିଷୟ ଉପରେ ଅଧିକ ଧ୍ୟାନ ଦେଇ କାମ କରିବ । ସେଗୁଡିକ ହେଲା ସାମାଜିକ ସମରସତା, ପରିବାର ପ୍ରବୋଧନ, ପରିବେଶ ସଂରକ୍ଷଣ, ସ୍ୱଦେଶୀ ଆଚରଣ ଏବଂ ନାଗରିକ କର୍ତବ୍ୟ । ଓଡିଶାରେ ମଧ୍ୟ ସଂଘ ଏହାକୁ ଅତି ନିଷ୍ଠାର ସହିତ କାର୍ଯ୍ୟକାରୀ କରିବ । ଆଗାମୀ ୨୦୨୫ ମସିହା ବିଜୟା ଦଶମୀ ଠାରୁ ସଂଘର ଶତାବ୍ଦୀ ବର୍ଷ ଆରମ୍ଭ ହେବାକୁ ଯାଉଛି । ଏହି ଅବସରରେ ସଂଘକାର୍ଯ୍ୟର ଗୁଣାତ୍ମକ ବୃଦ୍ଧି ସହିତ ବିଭିନ୍ନ ଗ୍ରାମ ଓ ସହରର ବସ୍ତିମାନଙ୍କର ସମସ୍ୟା ସଂପର୍କରେ ଅନୁଧ୍ୟାନ କରାଯିବ ଏବଂ ତାହାର ସମାଧାନ ପାଇଁ ଶାଖାର ସ୍ୱୟଂସେବକ ସମାଜ ସହିତ ଯୋଡି ହୋଇ ପ୍ରଚେଷ୍ଟା କରିବେ ।
ବୈଠକର ନିଷ୍ପତି ଅନୁଯାୟୀ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କର ୨୦୦ତମ ଜନ୍ମଜୟନ୍ତୀ, ଛତ୍ରପତି ଶିବାଜୀ ମହାରାଜାଙ୍କ ରାଜ୍ୟାଭିଷେକର ୩୫୦ତମ ବର୍ଷ ଏବଂ ଭଗବାନ ମହାବୀର ସ୍ୱାମୀଙ୍କ ନିର୍ବାଣ ପ୍ରାପ୍ତିର ୨୫୫୦ବର୍ଷ ପୂର୍ତି ଅବସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏହି ମହାପୁରଷମାନଙ୍କୁ ଶ୍ରଦ୍ଧାର ସହିତ ପ୍ରଣାମ କରିବା ସଙ୍ଗେ ସଙ୍ଗେ ସମସ୍ତ ସ୍ୱୟଂସେବକ ଏଥିପାଇଁ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ଓଡିଶା ପୂର୍ବପ୍ରାନ୍ତର ସହ ପ୍ରଚାର ପ୍ରମୁଖ ସୁମନ୍ତ କୁମାର ପଣ୍ଡା ଉପସ୍ଥିତ ଥିଲେ ।

Leave a Reply