Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନ୍ୟୁଜର୍ସିରେ ଦ୍ୱିତୀୟ ସବର୍ବୃହତ୍ ହିନ୍ଦୁ ମନ୍ଦିର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନ୍ୟୁଜର୍ସିରେ ଦ୍ୱିତୀୟ ସବର୍ବୃହତ୍ ହିନ୍ଦୁ ମନ୍ଦିର

ନୂଆଦିଲ୍ଲୀ : ଦେଶ ଭିତରେ ଆମେ ଅନେକ ବଡ଼ ବଡ଼ ମନ୍ଦିରକୁ ଦେଖିଛେ । ଆପଣ ଜାଣିଛନ୍ତି, ଭାରତ ବାହାରେ ବି ପୂଜା ପାଉଛି ଏକାଧିକ ବିଶାଳ ହିନ୍ଦୁ ମନ୍ଦିର । ନ୍ୟୁଜର୍ସିରେ ରହିଛି ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ହିନ୍ଦୁ ମନ୍ଦିର । ନ୍ୟୁୟର୍କ ସ୍ଥିତ ଟାଇମ୍ସ ସ୍କୋୟାର ଠାରୁ ୬୦ ମାଇଲ୍ ଦକ୍ଷିଣରେ ଏବଂ ୱାଶିଂଟନ ଡିସି ଠାରୁ ୧୮୦ ମାଇଲ୍ ଉତ୍ତରରେ ଥିବା ନ୍ୟୁଜର୍ସିର ରବିନ୍ସଭିଲେ ଟାଉନସିପ୍ ଠାରେ ରହିଛି ପବିତ୍ର ସ୍ୱାମୀନାରାୟଣ ଅକ୍ଷରଧାମ ମନ୍ଦିର । ଅକ୍ଟୋବର ୮ରେ ଏହି ମନ୍ଦିରର କରାଯିବ ଉଦ୍‌ଘାଟନ । ୨୦୧୧ ମସିହାରେ ଆରମ୍ଭ ହୋଇଥିଲା ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ । ୨୦୨୩ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ ଯୁଏସ୍‌ର ୧୨,୫୦୦ରୁ ଅଧିକ ଭଲ୍ୟୁଣ୍ଟିୟର । ତେବେ ଔପଚାରିକ ଭାବେ ଉଦ୍‌ଘାଟନ ପୂର୍ବରୁ ବି ଏହି ମନ୍ଦିରରେ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ଅକ୍ଷରଧାମ ନାମରେ ହୋଇଥିବା ଏହି ପ୍ରସିଦ୍ଧ ମନ୍ଦିର ୧୮୩ ଏକର ଜାଗା ପର୍ଯ୍ୟନ୍ତ ବ୍ୟାପିଛି । ମନ୍ଦିରର ପରିସୀମା ୧୨ ହଜାର ବର୍ଗଫୁଟ । ଇଟାଲିଆନ୍ ମାର୍ବଲରେ ନିର୍ମିତ ଏହି ମନ୍ଦିରରେ ଧର୍ମର ପ୍ରତୀକମାନ ଖୋଦିତ ହୋଇଛି । ମୋଟ୍ ୯୮ଟି ପିଲାରରେ ଶ୍ରଦ୍ଧାଳୁଙ୍କୁ ବିମୋହିତ କଲାପରି ଅଦ୍ଭୁତ କାରୁକାର୍ଯ୍ୟ ହୋଇଛି । ଏସବୁ ପିଲାରରେ ୯୧ ହାତୀ ସହ ୧୩ ହଜାରରୁ ଅଧିକ ପଥର ଖୋଦେଇ ଚିତ୍ର ରହିଛି । ପ୍ରାଚୀନ ହିନ୍ଦୁଧର୍ମ ଗ୍ରନ୍ଥ ଅନୁସାରେ ହୋଇଛି ମନ୍ଦିର ନିର୍ମାଣ । ଏଥିରେ ରହିଛି ୧୦ ହଜାର ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତି ଓ ପ୍ରତିମା । ଅଧିକାଂଶ ମୂର୍ତ୍ତି ନର୍ତ୍ତକୀ ଓ ଭାରତୀୟ ପ୍ରାଚୀନ ସଂସ୍କୃତି ଲିପିବଦ୍ଧ ହୋଇଛି । କମ୍ବୋଡିଆର ଅଙ୍ଗକୋର ୱାଟ ମନ୍ଦିର ପରେ ଏହାକୁ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମନ୍ଦିର କୁହାଯାଉଛି । ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ଦୁନିଆର ସବୁଠୁ ବଡ଼ ହିନ୍ଦୁ ମନ୍ଦିର ଅଙ୍ଗକୋର ୱାଟ ୫୦୦ ଏକର ଜାଗା ପର୍ଯ୍ୟନ୍ତ ବ୍ୟାପିଛି । ଏହି ମନ୍ଦିରକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ଭାବରେ ମାନ୍ୟତା ଦେଇଛି । ବାପ୍ସ ସ୍ୱାମୀନାରାୟଣ ସଂସ୍ଥାର ବରିଷ୍ଠ ଧର୍ମଗୁରୁ ଅକ୍ଷରବତ୍ସଳ ସ୍ୱାମୀ କହିଛନ୍ତି ଯେ ଏହି ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ କେବଳ ଭାରତ ନୁହେଁ, ବରଂ ହିନ୍ଦୁ ପରମ୍ପରାର ମୂଲ୍ୟବୋଧକୁ ସାରା ବିଶ୍ୱବାସୀ ବୁଝିପାରିବେ । ଏହି ମନ୍ଦିର ନିର୍ମାଣ ପାଇଁ ଧର୍ମଗୁରୁ ପ୍ରମୁଖ ସ୍ୱାମୀମହାରାଜଙ୍କ ଇଚ୍ଛା ଓ ସଂକଳ୍ପ ଥିଲା । ତାଙ୍କରି ସଂକଳ୍ପ ଅନୁସାରେ ହିଁ ଏହି ଅକ୍ଷରଧାମରେ ପାରମ୍ପରିକ ହିନ୍ଦୁ ମନ୍ଦିରର ବାସ୍ତୁକଳା ଅନୁରୂପ ଶୋଭାପାଉଛି । ଆସନ୍ତା ଅକ୍ଟୋବର ୮ରେ ଔପଚାରିକ ଭାବେ ସ୍ୱାମୀନାରାୟଣ ଅକ୍ଷରଧାମ ମନ୍ଦିରର କରାଯିବ ଉଦ୍‌ଘାଟନ । ୧୮ ଅକ୍ଟୋବରରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଦ୍ୱାର ।

Leave a Reply