ପୁରୀ: ଦୀର୍ଘ ୫ ବର୍ଷ ହେଲା ବାଂଲାଦେଶରେ ନିର୍ଯାତିତ ପୁରୀର ଝିଅ । ଆରବୀ ଜଣେ ମେଧାବୀ ଛାତ୍ରୀ ହୋଇଥିବା ବେଳେ କୋଭିଡ୍ ସମୟରେ ଅନଲାଇନ୍ ପଢ଼ା ଆଳରେ କୌଣସି ଆପ୍ରେ ପ୍ରେମରେ ପଡ଼ିଥିଲେ । ଆଉ ଏବେ ସେଇ ପ୍ରେମ ଆରବୀଙ୍କୁ ପୁରୀରୁ ପଶ୍ଚିମବଙ୍ଗ ଦେଇ ବାଂଲାଦେଶରେ ନେଇ ଛିଡ଼ା କରିଛି । ସମୁଦ୍ର ସେପାରିରେ ଥିବା ଆରବୀ ସେଠି ନିର୍ଯାତନାର ଶିକାର ହୋଇଥିବା ବେଳେ ଏଠି ପରିବାର ଆଖିରୁ ଲୁହ ଶୁଖୁନି ।
ସମୁଦ୍ର ସେପାରିରୁ ଝିଅ କହୁଛି, “ମାଆ ମୋତେ ନେଇ ଯା, ନ ହେଲେ ମାରିଦେବେ ।” ପୁରୀରୁ ଯାଇ ବାଂଲାଦେଶରେ ଫସିଛନ୍ତି ୨୧ ବର୍ଷର ଆରବୀ । ବାଂଲାଦେଶରେ ଇସଲାମ୍ ଧର୍ମ ଗ୍ରହଣ ପାଇଁ ତାଙ୍କୁ ବାଧ୍ୟ କରାଯାଉଥିବା ଆରବୀ ଫୋନ୍ ଯୋଗେ ମାଆ ଅଞ୍ଜଳି ପରିଡ଼ାଙ୍କୁ କହିଛନ୍ତି । ଇସଲାମ୍ ଧର୍ମ ଗ୍ରହଣ ନ କଲେ ଝିଅକୁ ମାରିଦେବେ, ଶୀଘ୍ର ଉଦ୍ଧାର ପାଇଁ ପୁରୀ ଏସ୍ପିଙ୍କ ନିକଟରେ ଗୁହାରି କରିଛନ୍ତି ଆରବୀଙ୍କ ମାଆ ।
ସୂଚନା ଅନୁସାରେ, ୨୦୨୧ ନଭେମ୍ବର ୨୭ରେ ନିଖୋଜ ହୋଇ ଯାଇଥିଲେ ପୁରୀର ଆରବୀ । ସେତେବେଳେ ତାଙ୍କୁ ୧୬ ବର୍ଷ ବୟସ ହୋଇଥିଲା । ବେଙ୍ଗଲି ବୋଲି କହି ଆପ୍ ଜରିଆରେ ଆରବୀକୁ ପ୍ରେମରେ ଫସାଇ ଥିଲେ ସବୀର ନାମକ ଯୁବକ । ଯାହାକୁ ନେଇ ସେତେବେଳେ ଥାନାରେ ଏତଲା ଦେଇଥିଲେ ପରିବାର ।
ପରେ ଝିଅ ପଶ୍ଚିମବଙ୍ଗର କୁଚବିହାରରେ ଥିବା ଖବର ପାଇ ପୋଲିସ ସହାୟତାରେ ସେଠାକୁ ଯାଇଥିଲେ । କିନ୍ତୁ ସେଠାରେ ପୋଲିସ ଥାନା ଅଧକାରୀଙ୍କ ସମ୍ପର୍କୀୟ ବୋଲି ଖସାଇ ଦିଆଯାଇଥିବା ଏବେ ଅଭିଯୋଗ କରିଛନ୍ତି ଅଞ୍ଚଳି । ସେବେଠୁ ଝିଅ ଆରବୀ ସହ ମାଆ ସମୟ ସମୟରେ ଫୋନ୍ରେ କଥା ହୁଅନ୍ତି । ଝିଅ ନିର୍ଯାତନା ଦିଆ ଯାଉଥିବା କଥା କୁହେ ।
ହେଲେ ଅଞ୍ଚଳଙ୍କୁ ଆଉ ୮ ଦିନ ହେଲା ଫୋନ୍ କରୁନି ଆରବୀ । ମାର୍ଚ୍ଚ ୨ରେ ଝିଅ ସହ ମାଆ ଅଞ୍ଚଳି ଶେଷଥର ପାଇଁ କଥା ହୋଇଥିଲେ । ସେତବେଳେ ଝିଅ କହିଥିଲା, “ମୋତେ ଏଠାରୁ ଉଦ୍ଧାର ନ କଲେ, ମାରିଦେବେ… ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରୁଛନ୍ତି ।” ଏବେ ଅଞ୍ଜଳି ଝିଅ ପାଇଁ ପୁରୀ ଏସ୍ପିଙ୍କ ଦ୍ଵାରସ୍ଥ ହୋଇଛନ୍ତି ।