୨୦୨୫-୨୬ ଆର୍ଥିକ ବର୍ଷ ଲାଗି ଓଡ଼ିଶା ସମେତ ତିନୋଟି ରାଜ୍ୟକୁ କେନ୍ଦ୍ର ସରକାର ପଞ୍ଚଦଶ ଅର୍ଥ ଆୟୋଗଙ୍କ ୨୮୪ କୋଟି ଟଙ୍କାର ଏକୀକୃତ ଅନୁଦାନ ଜାରି କରିଛନ୍ତି । ଗ୍ରାମୀଣ ସ୍ଥାନୀୟ ସଂସ୍ଥା ବା ଗ୍ରାମ ପଞ୍ଚାୟତ ଓ ବ୍ଲକ୍ ପଞ୍ଚାୟତ ଗୁଡ଼ିକୁ ଆର୍ଥିକ ଦୃଷ୍ଟିରୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଅନୁଦାନ ଜାରି କରାଯାଇଛି। ଓଡ଼ିଶାକୁ ୨୪୦.୮୧୪୯ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏହି ଅର୍ଥରାଶି ରାଜ୍ୟର ୬୦୮୫ଟି ଯୋଗ୍ୟ ଗ୍ରାମପଞ୍ଚାୟତ ଏବଂ ୬୩ଟି ବ୍ଲକ୍ ପଞ୍ଚାୟତକୁ ଯୋଗାଇ ଦିଆଯାଇଛି । ଏହାବ୍ୟତୀତ ମିଜୋରାମକୁ ୧୪.୨୭୬୧ କୋଟି ଏବଂ ତ୍ରିପୁରାକୁ ୨୯.୭୫ କୋଟି ଟଙ୍କାର ଅନୁଦାନ ଆବଣ୍ଟନ କରାଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ କିସ୍ତି ଏକୀକୃତ ଅନୁଦାନର ଅଂଶବିଶେଷ ଭାବେ ଏହି ଅର୍ଥରାଶି ଦିଆଯାଇଛି।
ଭାରତ ସରକାର ପଞ୍ଚାୟତିରାଜ ମନ୍ତ୍ରଣାଳୟ ଏବଂ ଜଳ ଶକ୍ତି ମନ୍ତ୍ରଣାଳୟ ମାଧ୍ୟମରେ ଗ୍ରାମୀଣ ସ୍ଥାନୀୟ ସଂସ୍ଥା (ଆରଏଲବି)/ ପଞ୍ଚାୟତିରାଜ ପ୍ରତିଷ୍ଠାନ (ପିଆରଆଇ) ପାଇଁ ରାଜ୍ୟଗୁଡ଼ିକୁ ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ ଜାରି କରିବାକୁ ସୁପାରିସ କରିଥା’ନ୍ତି। ଗୋଟିଏ ବର୍ଷରେ ୨ଟି କିସ୍ତି ଆକାରରେ ଏହି ଆବଣ୍ଟିତ ଅନୁଦାନ ସୁପାରିସ ଏବଂ ଜାରି କରାଯାଇଥାଏ। ସମ୍ବିଧାନର ଏକାଦଶ ସୂଚୀରେ ଉଲ୍ଲିଖିତ ଅଣତିରିଶ (୨୯) ବିଷୟ ଅଧୀନରେ ସ୍ଥାନ-ନିର୍ଦ୍ଦିଷ୍ଟ ଆବଶ୍ୟକତା ପାଇଁ ଆରଏଲବି / ପିଆରଆଇଗୁଡ଼ିକ ଏହି ଅନୁଦାନ ବ୍ୟବହାର କରିବେ। ତେବେ ଏହାକୁ ଦରମା ଏବଂ ଅନ୍ୟାନ୍ୟ ଖର୍ଚ୍ଚରେ ଉପଯୋଗ କରାଯିବ ନାହିଁ । ମୌଳିକ ସେବା ପାଇଁ ଅନୁବନ୍ଧିତ ଅନୁଦାନଗୁଡ଼ିକ ଉପଯୋଗ କରାଯାଇପାରିବ। ଏହି ସେବାଗୁଡ଼ିକରେ ସ୍ୱଚ୍ଛତା ଏବଂ ଖୋଲା ମଳମୁକ୍ତ ସ୍ଥିତିକୁ ବଜାୟ ରଖିବା, ଘରୋଇ ବର୍ଜ୍ୟବସ୍ତୁର ପରିଚାଳନା ଏବଂ ଉପଚାର, ବିଶେଷ କରି ମାନବ ମଳ ଏବଂ ପଙ୍କ ପରିଚାଳନା ସାମିଲ ରହିଛି । ଏହାବ୍ୟତୀତ ପାନୀୟ ଜଳ ଯୋଗାଣ, ବର୍ଷାଜଳ ଅମଳ ଏବଂ ଜଳ ପୁନଃଚକ୍ରଣକୁ ମଧ୍ୟ ଏଥିରେ ଅନ୍ତର୍ଭୂକ୍ତ ହେବା ଆବଶ୍ୟକ।