କରାଚୀ : ପାକିସ୍ତାନ ଦେବାଳିଆ ହେବାକୁ ଯାଉନି, ବରଂ ଦେବାଳିଆ ହୋଇସାରିଲାଣି । ଏଭଳି କହିଛନ୍ତି ଖୋଦ୍ ଜଣେ ପାକିସ୍ତାନୀ ମନ୍ତ୍ରୀ । ତାଙ୍କର ଏଭଳି ସ୍ୱୀକାରୋକ୍ତି ଜମାରୁ ଅଜବ ନୁହେଁ । କାରଣ ପାକିସ୍ତାନର ଆର୍ଥôକ ସ୍ଥିତି ହିଁ, ଏବେ କିଛି ସେହିଭଳି । ଘୋର ଅର୍ଥ ସଂକଟର ଅଡ଼ୁଆ ସୂତାରୁ ମୁକୁଳିବାକୁ ଶେହବାଜ ସରିଫ୍ ସରକାର ଯେତେ ଛଟପଟ ହେଉଛି, ସେତେ ଅଧିକରୁ ଅଧିକ ଛନ୍ଦି ହୋଇଯାଉଛି । ଏସବୁ ଭିତରେ ସାମ୍ନାକୁ ଆସିଛି ଏକ ରୋଚକ ଚର୍ଚ୍ଚା । ପାକିସ୍ତାନ ଗତବର୍ଷ ତୁର୍କୀରୁ ପାଇଥିବା ରିଲିଫକୁ ଏବର୍ଷ ନିଜ ନାଁରେ ପ୍ୟାକେଜିଂ କରି ପୁଣିଥରେ ତୁର୍କୀ ପଠାଇ ଦେଇଥିବା କୁହାଯାଉଛି । ସିଆଲକୋଟର ଏକ କାର୍ଯ୍ୟକ୍ରମରେ ଜଣେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ କହିଛନ୍ତି ଯେ, ଆମେ ଏକ ଦେବାଳିଆ ଦେଶର ବାସିନ୍ଦା । ଏଥିପାଇଁ ସରକାର, ଅମଲା ଓ ରାଜନେତାମାନେ ଦାୟୀ ।ପାକିସ୍ତାନ ସମସ୍ୟାର ସମାଧାନ ଆଇଏମଏଫ ବା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପାଖରେନାହିଁ । ଏହା ଆମ ଦେଶ ଭିତରେ ଅଛି । ଆଉ ଏକ ରୋଚକ କଥା ହେଉଛି, ଏହି ଅଭିଭାଷଣ ବେଳେ ସମାଧାନର ସୂତ୍ର ବତାଇବାକୁ ଯାଇ, ଦାମୀ ସରକାରୀ ଜମି ଉପରେ ନିର୍ମିତ ୨ଟି ଗଲ୍ଫ କ୍ଲବ୍ ବିକିଦେଲେ ଆମର ଏକ-ଚତୁର୍ଥାଂଶ ଋଣ ଶୁଝିଯିବ ବୋଲି ପରାମର୍ଶ ଦେଇଛନ୍ତି ଖ୍ୱାଜା ଆସିଫ୍ । ପାକିସ୍ତାନରେ ଏବେ କ୍ଷୀର ଲିଟର ୨୫୦ ଟଙ୍କା ଓ ଚିକେନ୍ କେଜି ୭୮୦ ଟଙ୍କା । ପେଟ୍ରୋଲ ଲିଟର ୨୭୨କୁ ଡିଜେଲ୍ ୨୮୦ ଟଙ୍କା । ମୁଦ୍ରାସ୍ପୀତି ଚଳିତ ସପ୍ତାହରେ ପ୍ରାୟ ୪୦ ପ୍ରତିଶତକୁ ବଢ଼ିଛି । ୧ ଡଲାରର ବିନିମୟ ମୂଲ୍ୟ ପ୍ରାୟ ୨୬୩ ପାକିସ୍ତାନୀ ଟଙ୍କା ରହିଛି । ପାକ୍ ବୈଦେଶିକ ମୁଦ୍ରା ଭଣ୍ଡାରରେ ଯେତିକି ଅର୍ଥ ଅଛି, ସେଥିରେ ୩ ସପ୍ତାହ ବି ଆମଦାନୀ ଜାରି ରଖିବା ସମ୍ଭବ ନୁହେଁ । ଅର୍ଥ ସଂକଟରୁ ମୁକୁଳିବା ପାଇଁ ଶେଷ ଆଶ୍ରା ପାଲଟିଥିବା ଆଇଏମଏଫର ୭ ବିଲିୟନ୍ ଡଲାର ଜରୁରୀକାଳୀନ ଋଣ ପ୍ୟାକେଜ୍ ବି ପଦ୍ମ ଘୁଞ୍ଚିଲା ଭଳି ଘୁଞ୍ଚି ଘୁଞ୍ଚି ଯାଉଛି । ଆଇଏମଫକୁ ସନ୍ତୁଷ୍ଟ କରିବା ପାଇଁ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ୧୭୦ ବିଲିୟନ ଡଲାରର ମିନି ବଜେଟ୍ ଘୋଷଣା କରିଥିଲେ । ଫଳରେ ବିଭିନ୍ନ ସାମଗ୍ରୀ ଉପରେ ଆଶାତୀତ ଟିକସ ବୃଦ୍ଧି ସହିତ, ତୈଳଦର ଲିଟର ପ୍ରତି ପ୍ରାୟ ୨୦ ଟଙ୍କା ବଢ଼ି ସର୍ବକାଳୀନ ରେକର୍ଡ ଭାଙ୍ଗିଛି । ଏସବୁ ଭିତରେ ସାମ୍ନାକୁ ଆସିଛି କାଙ୍ଗାଳ ପାକିସ୍ତାନର ଏକ ଅତି ଚାଲାକିଆପଣ । ନିଜ ଦେଶର ଲୋକ ଭୋକରେ ଡହଳବିକଳ ହେଉଥିବା ବେଳେ, ଭାବମୂର୍ତ୍ତି ରକ୍ଷା ପାଇଁ ତୁର୍କୀ ଭୂକଂପ ବିପନ୍ନଙ୍କ ଲାଗି ରିଲିଫ ସାମଗ୍ରୀ ପଠାଇଛି ପାକିସ୍ତାନ ସରକାର । ତେବେ ରୋଚକ କଥା ହେଉଛି, ସେହି ରିଲିଫ୍ ସାମଗ୍ରୀ ଗୁଡ଼ିକ ଗତବର୍ଷ ବନ୍ୟା ବିପତ୍ତି ବେଳେ ନିଜେ ତୁର୍କୀ ପାକିସ୍ତାନକୁ ପଠାଇଥିଲା । ଏବେ ପାକିସ୍ତାନ ତାକୁ ଆଉଥରେ ନିଜ ନାଁରେ ପ୍ୟାକିଂ କରି ତୁର୍କୀକୁ ପଠାଇ ଦେଇଛି । ଜଣେ ପାକିସ୍ତାନୀ ସାମ୍ବାଦିକ ଏହି ଖୁଲାସା କରିବା ପରେ, ଇସଲାମାବାଦକୁ ବିଶ୍ୱସ୍ତରରେ ଲଜ୍ଜିତ ହେବାକୁ ପଡ଼ିଛି ।