Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗେଣ୍ଡୁଫୁଲ ଚାଷ ଦେଇଛି ସ୍ୱତନ୍ତ୍ର ପରିଚୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗେଣ୍ଡୁଫୁଲ ଚାଷ ଦେଇଛି ସ୍ୱତନ୍ତ୍ର ପରିଚୟ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ପଞ୍ଚାୟତ ବିକଲପୁର ଗ୍ରାମର ଦୁଇ ଯୁବ ଚାଷୀ ଗେଣ୍ଡୁ ଫୁଲ ଚାଷ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ପ୍ରାୟ ୫ ଏକର ଚାଷ ଜମିରେ ଗେଣ୍ଡୁଫୁଲ ଚାଷ କରି ନିଜେ ରୋଜଗାରକ୍ଷମ ହେବା ସହିତ ଗ୍ରାମର କେତେଜଣ ବେକାର ଯୁବକଙ୍କୁ କାମ ଯୋଗାଇ ଦେଇ ପାରିଛନ୍ତି । କମିରା ପଞ୍ଚାୟତ ବିକଲପୁର ଗ୍ରାମର ଦୁଇ ଉଚ୍ଚ ଶିକ୍ଷିତ ଯୁବ ଚାଷୀ ହେଲେ ଗଦାଧର ପଧାନ ଓ ପରକ୍ଷିତ କର୍ଣ୍ଣ । ଉଭୟେ ସ୍ନାତକ ପାସ୍ କରି ସାରିଲା ପରେ ଚାକିରି ପାଇଁ ଚେଷ୍ଟା କରିଥିଲେ । ମାତ୍ର ସରକାରୀ ଚାକିରି ମିଳି ପାରି ନ ଥିଲା । ୟୁଟୁ୍ୟବ ଦେଖୁ ଦେଖୁ ଏମାନେ ଗେଣ୍ଡୁଫୁଲ ଚାଷ ପ୍ରତି ଆକର୍ଷିତ ହୋଇଥିଲେ । ନିଜ ଖର୍ଚ୍ଚରୁ ଗେଣ୍ଡୁଫୁଲ ଚାରା ଆଣି ନିଜ ଜମିର ପ୍ରାୟ ୫ ଏକର ଚାଷ ଜମିରେ ଗେଣ୍ଡୁଫୁଲ ଚାଷ କରିଥିଲେ । ଉକ୍ତ ଫୁଲ ଚାଷରେ କୌଣସି ରାସାୟନିକ ସାର କିମ୍ବା କୀଟନାଶକ ପ୍ରୟୋଗ ନ କରି ସମ୍ପୂର୍ଣ୍ଣ ଭାବେ ପାରମ୍ପରିକ ପଦ୍ଧତିରେ ଚାଷ କରିଥିଲେ । ଫୁଲ ଚାଷରେ ପାଣି ଦେବା, ଘାସ ଲଟା ବାଛିବା ଓ ଫୁଲ ତୋଳିବା ପଇଁ ଗ୍ରାମର କେତେଜଣ ଯୁବକଙ୍କୁ କାମରେ ନିୟୋଜନ କରିଛନ୍ତି । ଏକର ପ୍ରତି ୫୦- ୬୦ ହଜାର ଟଙ୍କାର ଫୁଲ ବିକ୍ରି ହେଉଥିବା ସେମାନେ ପ୍ରକାଶ କରିଛନ୍ତି । ଫୁଲ ଅମଳ କରି ବୀରମହାରାଜପୁର ଅଞ୍ଚଳରୁ ବସ ଯୋଗେ କଟକ, ଭୁବନେଶ୍ୱର ଆଦି ଅଞ୍ଚଳକୁ ପଠାଉଛନ୍ତି । କମ ଖର୍ଚ୍ଚ ଓ ପରିଶ୍ରମରେ ଏହା ହେଉଥିବାରୁ ଭଲ ଦି ପଇସା ରୋଜଗାର ହେଉଥିବା ଉଭୟ ଚାଷୀ ପ୍ରକାଶ କରିଛନ୍ତି । ଚାଷ ପାଇଁ ସରକାର ବିଭିନ୍ନ ସରକାରୀ ସହାୟତା ଯୋଗାଇ ଦେଉଥିଲେ ମଧ୍ୟ ଏମାନେ କୌଣସି ସରକାରୀ ସହାୟତା ପାଇ ନ ଥିବା ପ୍ରକାଶ କରିଛନ୍ତି । ଫୁଲ ଚାରା ଲଗାଇବାର ଦେଢ ମାସ ସମୟରୁ ଫୁଲ ଅମଳ ହୋଇ ପ୍ରାୟ ତିନି ମାସ ପର୍ଯ୍ୟନ୍ତ ଫୁଲ ଅମଳ ହେଉଛି । ଫୁଲ କିଲୋ ପ୍ରତି ୪୦-୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏକର ପ୍ରତି ପ୍ରାୟ ୬୦ ହଜାର ଟଙ୍କାର ଫୁଲ ବିକ୍ରି କରୁଛନ୍ତି । କମ ଖର୍ଚ୍ଚରେ ଲକ୍ଷାଧିକ ଟଙ୍କାର ଆୟ ହେଉଥିବାରୁ ଗେଣ୍ଡୁଫୁଲ ଚାଷ କରି ଅଞ୍ଚଳରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ୟୁଟ୍ୟୁବ କାହା ପାଇଁ ମନୋରଞ୍ଜନର ମାଧ୍ୟମ ହୋଇଥିବା ବେଳେ ଉକ୍ତ ଦୁଇ ଯୁବ ଚାଷୀ ଏଥିରୁ ଗେଣ୍ଡୁଫୁଲ ଚାଷ ପ୍ରଣାଳୀ ଦେଖି ଚାଷ କରି ରୋଜଗାରକ୍ଷମ ହେବା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । ଓଡିଶା ଗେଣ୍ଡୁଫୁଲ ପାଇଁ କଲିକତା ଓ ବାଙ୍ଗାଲୋର ଉପରେ ନିର୍ଭର କରୁଥିବା ରୁ ଏଠାରେ ଚାଷ କଲେ ଭଲ ଦି ପଇସା ମିଳିବ ଭାବି ଏହି ଚାଷ କରିଥିବା ପରକ୍ଷିତ ପ୍ରକାଶ କରିଛନ୍ତି । ସରକାରୀ ସହାୟତା ମିଳିଲେ ଏଥିପ୍ରତି ଆହୁରି ଅନେକ ଶିକ୍ଷିତ ଯୁବକ ଆକୃଷ୍ଟ ହେବେ ବୋଲି ଯୁବ ଚାଷୀ ଗଦାଧର କହିଛନ୍ତି ।

Leave a Reply