Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆଦିବାସୀଙ୍କ ରୋଜଗାରର ଉତ୍ସ ପାଲଟିଛି ମହୁଲଫୁଲ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆଦିବାସୀଙ୍କ ରୋଜଗାରର ଉତ୍ସ ପାଲଟିଛି ମହୁଲଫୁଲ


ଝରଗାଁ : ନବରଙ୍ଗପୁର ଜିଲ୍ଲା ଏକ ଅଦ୍ୟୁଷିତ ଆଦିବାସୀ ଅଂଚଳ ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲାଟି ସମ୍ପୂର୍ଣ୍ଣ ଭାବେ ବଣପାହାଡ଼ ଓ ନଈନାଲରେ ପରିବେଷ୍ଟିତ । ଏଠିକାର ଆଦିବାସୀ ସମ୍ପ୍ରଦାୟର ଲୋକେ ସମ୍ପୂର୍ଣ୍ଣ ରୂପେ ବଣପାହାଡ଼ ଓ ଏଠିକାର ନଈନାଳ ଉପରେ ନିର୍ଭରଶୀଳ । ଜାଳେଣି କାଠ ଠୁ ଆରମ୍ଭ କରି ସମସ୍ତ ପ୍ରକାର ଜଙ୍ଗଲଜାତ ଦ୍ରବ୍ୟ ଏମାନଙ୍କ ପାଇଁ ପେଟପାଟଣା ର ମାଧ୍ୟମ ପାଲଟି ଯାଇଛି । ବିଭିନ୍ନ ସମୟରେ ଏମାନେ ଜଙ୍ଗଲକୁ ଯାଇ ବିଭିନ୍ନ ପ୍ରକାର କନ୍ଦମୂଳ ଓ ଫଳଫୁଲ ସଂଗ୍ରହ କରି ନିଜ ତଥା ନିଜ ପରିବାରର ଗୁଜୁରାଣ ମେଂଟାଇ ଥାନ୍ତି । ଜଙ୍ଗଲରୁ ମିଳୁଥିବା ଅଁଳା, ବାହାଡା, ଝୁଣା ପରି ଅନେକ ଦ୍ରବ୍ୟ ଆଣି ଦୋକାନ ବଜାର ରେ ବିକ୍ରି କରି ବେସ ଦୁଇ ପଇସା ରୋଜଗାର କରିଥାନ୍ତି । ବସନ୍ତଋତୁ ତଥା ଫେବୃଆରୀ ମାସରୁ ଆରମ୍ଭ ହୋଇଯାଏ ମହୁଲଫୁଲ ସଂଗ୍ରହ । ଗୋଟିଏ ଗଛର ଫୁଲ, ଫଳ ଓ ଫଳ ଭିତରେ ଥିବା ମଞ୍ଜି (ଚାଁହାର )ତିନୋଟି ଯାକ ମଣିଷ ପାଇଁ ବେସ ଦରକାରୀ ଦ୍ରବ୍ୟ ହୋଇଥିବାରୁ ଏଠିକାର ଆଦିବାସୀ ବେସ ଆନନ୍ଦ ରେ ସଂଗ୍ରହ କରିଥାନ୍ତି । ଗଛରେ ଫୁଲ ଆସିବା ଆଗରୁ ପ୍ରଥମେ ଗଛର ଚତୁର୍ପାଶ୍ୱକୁ ସୁନ୍ଦର ଭାବେ ସଫା କରି ପରିଷ୍କାର ପରିଚ୍ଛନ୍ନ ରଖନ୍ତି । କାରଣ ଗଛମୂଳେ ଯଦି ଘାସ ବୁଦା ଓ ଶୁଖିଲାପତ୍ର ଜମା ହୋଇଥିଲେ ଫୁଲ ସଂଗ୍ରହରେ ବାଧା ସୃଷ୍ଟି ହୁଏ । ତେଣୁ ସଫାସୁତୁରା କରିଥାନ୍ତି । ରାତି ଅଧରେ ଗଛରୁ ଫୁଲ ଝଡ଼ୁଥିବାରୁ ଲୋକେ ପାହାନ୍ତିଆ ସମୟରେ ଗଛ ପାଖରେ ଯାଇ ଜଗିବସନ୍ତି । ଅନ୍ଧାରରେ ନିଆଁ ଜାଳି ଗଛମୂଳେ ଜଗି ରହି ଆଲୁଅ ହେଲା ପରେ ଯାଇକି ଫୁଲ ସଂଗ୍ରହ କରିଥାନ୍ତି । ବେଳେ ବେଳେ ଅନ୍ଧାର ରାତିରେ ହିଂସ୍ର ଜନ୍ତୁ ଙ୍କ ଆକ୍ରମଣର ଶିକାର ମଧ୍ୟ ହୋଇଥାନ୍ତି । କିନ୍ତୁ ବଡ ଦୁଃଖର ବିଷୟ ଏତେ ପରିଶ୍ରମରେ ଫୁଲ ସଂଗ୍ରହ କରି ଅତି ନିମ୍ନ ମୂଲ୍ୟରେ ତାକୁ ବିକ୍ରୟ କରିଥାନ୍ତି । ନବରଙ୍ଗପୁର ଜିଲ୍ଲାରେ ଫୁଲ ଫଳ ବିକ୍ରୟ କରିବା ପାଇଁ କୌଣସି ମାଧ୍ୟମ ନିହିତ ନ ଥିବାରୁ ବାଧ୍ୟ ହୋଇ ଦୋକାନୀ ମାନଙ୍କ ପାଖରେ ୧୦ରୁ ୧୫ ଟଙ୍କାରେ ଗୋଟିଏ କିଲୋ ମହୁଲଫୁଲ ବିକ୍ରି କରିଥାନ୍ତି । ପରବର୍ତୀ ମୁହୂର୍ତରେ ଉକ୍ତ ଦୋକାନୀମାନେ ଗୋଟିଏ କିଲୋ ମହୁଲଫୁଲକୁ ୫୦ ରୁ ୬୦ଟଙ୍କା ମୂଲ୍ୟ ରେ ବିକ୍ରୟ କରିଥାନ୍ତି । ସରକାର ଯଦି ମହୁଲଫୁଲ ନିଜେ ଏହି ଆଦିବାସୀ ମାନଙ୍କ ଠାରୁ କିଣନ୍ତେ କିମ୍ବା ମହୁଲଫୁଲର ଉଚିତ ମୂଲ୍ୟ ର ବିକ୍ରୟ ପାଇଁ କୌଣସି ସୁବ୍ୟବସ୍ଥା କରନ୍ତେ ତେବେ ଏଠିକାର ଆଦିବାସୀ ଉପକୃତ ହୋଇ ପାରନ୍ତେ ବୋଲି ସାଧାରଣରେ ଚର୍ଚ୍ଚା ଦାବି ହେଉଛି ।

Leave a Reply