Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜିଲୁଣ୍ଡିରେ ପଞ୍ଚଦଣ୍ଡ ମହାମିଳନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜିଲୁଣ୍ଡିରେ ପଞ୍ଚଦଣ୍ଡ ମହାମିଳନ

ଭଞ୍ଜନଗର: ଭଞ୍ଜନଗରରୁ ୩ କିମି ଦୂର ଜିଲୁଣ୍ଡି ଗ୍ରାମରେ ଶନିବାର ପଞ୍ଚଦଣ୍ଡ ମହା ମିଳନ ଆୟୋଜିତ ହୋଇଯାଇଛି । ଏଥିପାଇଁ ଶନିବାର ସକାଳୁ ସକାଳୁ ଗ୍ରାମ ଉତ୍ସବ ମୁଖର ହୋଇ ପଡ଼ିଥିଲା । ଏଠାରେ ଜିଲୁଣ୍ଡି, ବେଲଗୁଣ୍ଠା, ଗୋବରା, ପୋଚାଲୁଣ୍ଡି ଓ ବଡବୋରସିପ୍ସର ଦଣ୍ଡ ନାଚ ଦଳ ଶନିବାର ଗୋଟିଏ ପରେ ଗୋଟିଏ ଗ୍ରାମରେ ପ୍ରବେଶ କରିବା ସହ ମାନସିକଧାରୀ ଙ୍କ ଘର ସାମନାରେ ବନ୍ଦନା ଗାନ କରି ଗ୍ରାମ ପରିକ୍ରମା କରିଥିଲେ । ମଧ୍ୟାହ୍ନ ରେ ବିଭିନ୍ନ ଦଣ୍ଡ ନାଚ ଦଳ ସେମାନଙ୍କ ପାଇଁ ସ୍ଥିରୀକୃତ ସ୍ଥାନରେ ପହଞ୍ଚି ଧୂଳି ଦଣ୍ଡ ସାରିଥିଲେ । ପରେ ଗ୍ରାମର ନୂଆ ବନ୍ଧ ପୋଖରୀରେ ସମସ୍ତ ଦଣ୍ଡ ଦଳ ଜଳ ଦଣ୍ଡ ରେ ସାମିଲ ହୋଇଥିଲେ । ସେଠାରେ ସମସ୍ତ ରୀତିନୀତି ଅନୁସାରେ ଠାକୁରଙ୍କ ପୂଜାର୍ଚ୍ଚନା କରାଯିବା ପରେ ହୋମାଗ୍ନି ସୁରକ୍ଷିତ ରହିଥିବା ଚମ୍ପା ବର ରୁ ଅଗ୍ନି ଦଣ୍ଡ ରେ ପ୍ରବେଶ କରିଥିଲା । ପରେ ସେଠାରୁ ସମସ୍ତ ଦଣ୍ଡ ଦଳ ଜଣକ ପରେ ଜଣେ ମୁଖ୍ୟ ରାସ୍ତା ରେ ଆସି ଠାକୁରାଣୀ ମନ୍ଦିର ସାହି ସ୍ଥିତ ମାନସିକଧାରୀ ଙ୍କ ବାରଣ୍ଡାରେ ପହଞ୍ଚି ପୂଜା ଗ୍ରହଣ କରିଥିଲେ । ପରେ ନିକଟସ୍ଥ ହାଇସ୍କୁଲ ମିନି ଷ୍ଟାଡିୟମ୍ ପରିସରରେ ପଞ୍ଚ ଦଣ୍ଡ ମହା ମିଳନ ପର୍ବ ଆୟୋଜିତ ହୋଇଥିଲା । ଏଥିରେ ଓଡ଼ିଶା ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ଯୋଗ ଦେଇ ସମସ୍ତ ଦଣ୍ଡ ଠାକୁରଙ୍କ ନିକଟରେ ପହଞ୍ଚି ଆଶିଷ ଭିକ୍ଷା କରିଥିଲେ । ମା’ଙ୍କ ଆଶୀର୍ବାଦ ନେବା ପରେ ସେଠାରେ କିଛି ସମୟ ଅଟକି ନିଜ ପଞ୍ଚାୟତ ର ଲୋକଙ୍କ ଗହଣରେ ଭାବର ଆଦାନ ପ୍ରଦାନ କରିଥିଲେ । ଅନ୍ୟପକ୍ଷରେ ପଞ୍ଚ ଦଣ୍ଡ ମହା ମିଳନ ପରେ ସମସ୍ତ ଦଣ୍ଡ ଦଳ ଗ୍ରାମ ପରିକ୍ରମା କରିଥିଲେ । ଶେଷରେ ସନ୍ଧ୍ୟାରେ ସନ୍ଧ୍ୟା ଆଳତି ଲାଗି ହେବା ସହ ଠାକୁର ବେଶ କିଛି ସମୟ ବିଶ୍ରାମ ନେଇଥିଲେ । ଏହି ସମୟରେ ଦଣ୍ଡୁଆମାନେ ପଣା ପାଣି ଆଦି ପ୍ରସାଦ ସାରିବା ସହ ମା’ଙ୍କ ରାତ୍ର ପ୍ରସାଦ ପ୍ରସ୍ତୁତ ରେ ଲାଗି ପଡ଼ିଥିଲେ । ରାତିରେ ଭୋଗ ସାରିବା ପରେ ସମସ୍ତ ଦଣ୍ଡ ଦଳ ନିଜ ନିଜର ସ୍ଥିରୀକୃତ ସ୍ଥାନରେ ପହଞ୍ଚି କାଳିକା ନାଚ ଓ ଅଗ୍ନି ଦଣ୍ଡ ଆଦି ସାରିବା ପରେ ସାମାଜିକ ନାଟକ ପରିବେଷଣ କରିଥିଲେ । ଶାନ୍ତି ଶୃଙ୍ଖଳା ବ୍ୟାହତ ହେବା ଆଶଙ୍କାରେ ଗ୍ରାମ କମିଟି ପକ୍ଷରୁ ଏହି ଦଣ୍ଡ ଯାତ୍ରା ରେ ମେଲୋଡି ଓ ରେକର୍ଡ ଡାନ୍ସ ବନ୍ଦ କରିବା ସହ ସିଧାସଳଖ ନାଟକ ପରିବେଷଣ କରାଯାଇଥିଲା । ଯାହାକୁ ହଜାର ହଜାର ଦର୍ଶକ ମନଭରି ଉପଭୋଗ କରିଥିଲେ । ଅପରପକ୍ଷରେ ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ଭଞ୍ଜନଗର ଥାନା ଅଧିକାରୀ ଧୀରେଶ କୁମାର ଦାସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବହୁ ସଂଖ୍ୟକ ପୁଲିସ କର୍ମଚାରୀ ଉପସ୍ଥିତ ରହିଥିଲେ । ପୂର୍ବରୁ ଶୁକ୍ରବାର ଭଞ୍ଜନଗର ସହରର ଭେଜିପୁଟ ଠାରେ ଅନୁରୂପ ଭାବେ ପଞ୍ଚ ଦଣ୍ଡ ଯାତ୍ରା ଆୟୋଜିତ ହୋଇଥିଲା । ଏଠାରେ ମଧ୍ୟ ପ୍ରବଳ ଜନ ସମାଗମ ହୋଇଥିଲା । ପୁଲିସ କୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଏଠାରେ ବହୁ କସରତ କରିବାକୁ ପଡ଼ିଥିଲା । ତେବେ ରାତିରେ ନାଟକ ପରିବେଷଣ ବେଳେ ତନରଡା ଦଣ୍ଡ ନାଚ ଦଳ ରେ ଅଭିନେତ୍ରୀ ରାଣୀ ପଣ୍ଡା ଙ୍କ ଉପସ୍ଥିତି ଯୋଗୁ ସେଠାରେ ପ୍ରବଳ ଭିଡ ହୋଇଥିଲା । ଆଉ ଭିଡ ଭିତରେ ମାରପିଟ୍ ମଧ୍ୟ ହୋଇଥିବା ବେଳେ ପୁଲିସ ପହଞ୍ଚି ଏହାକୁ ଆୟତ୍ତ କରିଥିଲେ ।

Leave a Reply