ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ତ୍ୟାଗ, ତପସ୍ୟା ବଳିଦାନକୁ ସାର୍ଥକ କରିବା ପାଇଁ ଶପଥ ନେଲେ ୩୦୦୦ରୁ ଉର୍ଦ୍ଧ୍ୱ ଯୁବଶକ୍ତି
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସ୍ମୃତି ନ୍ୟାସ ତରଫରୁ ଆଜି ପବିତ୍ର ଜନ୍ମାଷ୍ଟମୀ ଦିନ ସକାଳ ୭ ଘଟିକା ସମୟରେ ଭୁବନେଶ୍ୱର ୟୁନିଟ-୩, ପଦର୍ଶନୀ ପଡିଆ ଠାରୁ ୩୦୦୦ରୁ ଉର୍ଦ୍ଧ୍ୱ ଯୁବଶକ୍ତିଙ୍କ ଏକ ବିଶାଳ ଗଣଦୌଡ ଅନୁଷ୍ଠିତ ହୋଇ ଯାଇଛି । ଏହି ଗଣଦୌଡ ରାମ ମନ୍ଦିର, ଶ୍ରୀୟାଛକ, ମାଷ୍ଟର କ୍ୟାଟିଂନ,ଅଶୋକ ନଗର,ରାଜମହଲ, ଗରିଦୁର୍ଗା ଛକ ହୋଇ ପୁଣି ପଦର୍ଶନୀ ପଡିଆ ନିକଟରେ ପହଁଚିଥିଲା । ଏଠାରେ ଏକ ସଂକଳ୍ପ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଂକଳ୍ପ ସଭାରେ ସାଧୁସନ୍ଥମାନେ ଉପସ୍ଥିତ ରହି ସ୍ୱାମୀଜୀଙ୍କ ତ୍ୟାଗ, ତପସ୍ୟା ବଳିଦାନର ଗାଥା ଯାହାକି ଆଜିର ଯୁବପୀଢିଙ୍କୁ ପ୍ରେରଣା ଦେବ ସେଥିପାଇଁ ସମସ୍ତ ଯୁବଶକ୍ତି ସଂକଳ୍ପ କରାଇଥିଲେ ।
ଅଖିଳ ଭାରତୀୟ ସନ୍ଥ ସମିତିର ରାଷ୍ଟ୍ରୀୟ ସହ ସଂଗଠନ ମନ୍ତ୍ରୀ ସ୍ୱାମୀ ଶ୍ରଦ୍ଧାନନ୍ଦ ସରସ୍ୱତୀ ମହାରାଜ,ପୂର୍ବ ଭାରତ ତଥା ଓଡିଶାର ଅଧ୍ୟକ୍ଷ ମହାମଣ୍ଡଳେଶ୍ୱର ସ୍ୱାମୀ ଶଂକରାନନ୍ଦ ଗିରି ମହାରାଜ,ଓଡ଼ିଶାର ପ୍ରମୁଖ ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ ମହାରାଜ,ବରିଷ୍ଠ ସନ୍ୟାସୀ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ମହାରାଜ, ଦିବ୍ୟଜୀବନ ସଂଘର ସ୍ୱାମୀ ଦାମୋଦରାନନ୍ଦ ସରସ୍ୱତୀ ମହାରାଜ,ମହିମା ଅଲେଖ ଗାଦିର ବାବା ରମେଶ ମହାରାଜ,ସ୍ୱାମୀ ଜିଜ୍ଞାସାନନ୍ଦ ସରସ୍ୱତୀ ମହାରାଜ,ସ୍ୱାମୀ ନିର୍ବାଣନନ୍ଦ ଗିରି ମହାରାଜ, ବିଶ୍ୱହିନ୍ଦୁ ପରିଷଦର ପୂର୍ବାଚଂଳ ମନ୍ତ୍ରୀ ମହନ୍ତ କୃଷ୍ଣ ଗୋପାଳ ଦାସ ମହାରାଜ,ଭୁବନେଶ୍ୱରର ଦିଶେଷ ଚୈତନ୍ୟ ମହାରାଜ ଆଦି ଅନେକ ସାଧୁସନ୍ଥ ବୃନ୍ଦ ଉପସ୍ଥିତ ରହି ବିଶାଳ ଗଣଦୌଡ ସମାବେଶକୁ ଗୈରିକ ପତାକା ଉତୋଳନ ପୂର୍ବକ ଶୁଭାରମ୍ଭ କରିଥିଲେ । ଏହି ବିଶାଳ ଗଣଦୌଡରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସ୍ମୃତି ନ୍ୟାସର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ ମନସୁଖଲାଲ ସେଠିଆଙ୍କ ସମେତ ବିଭିନ୍ନ ସାମାଜିକ ଓ ଧାର୍ମିକ ସଂଗଠନର ପ୍ରମୁଖମାନେ ଉପସ୍ଥିତ ଥିଲେ । ଜୟକୃଷ୍ଣ ପୃଷ୍ଟି ଏହି କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।
ଏହି ଆଶ୍ରିବଚନ ସଭାରେ ସାଧୁସନ୍ଥମାନେ ପ୍ରକାଶ କରିଥିଲେ ଯେ,ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ୧୯୨୪ ମସିହାରେ ଓଡିଶାର ଅନୁଗୁଳ ଜିଲ୍ଲାର ଗୁରୁଜଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୬୫ ରେ ହିମାଳୟରୁ ଫେରି ସେଥିପାଇଁ ଗୋହତ୍ୟା ଓ ଧର୍ମାନ୍ତରଣ ବିରୋଧୀ ଆନ୍ଦୋଳନରେ ଯୋଗ ଦେବାକୁ ଓଡିଶା ଆସିଥିଲେ । ୧୯୬୮ ମସିହାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଯୋଜନାରେ କନ୍ଧମାଳ ଜିଲ୍ଲାକୁ ଯାଇଥିଲେ । ସ୍ୱାମୀଜୀ ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟଧରି ସଂପୃକ୍ତ ଅଂଚଳର ସାମାଜିକ,ଧାର୍ମିକ ଓ ଅର୍ଥନୈତିକ ବିକାଶଲାଗି ନିରବଚ୍ଛିନ୍ନଭାବେ କାର୍ଯ୍ୟ କରିବା ସହିତ ସେମାନଙ୍କୁ ସଶକ୍ତକରି ଠିଆ କରିବା ପାଇଁ ପ୍ରୟାସ କରିଚାଲିଥିଲେ । ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ଲାଗି ସ୍ୱାମୀଜୀ ଚକାପାଦ ଓ ଜଳେଶପଟ୍ଟା ଠାରେ ଆବାସିକ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଛାତ୍ରୀନିବାସ ମଧ୍ୟ ପ୍ରତିଷ୍ଠା କରିଥିଲେ । ଜିଲ୍ଲାର ସବୁ ଗ୍ରାମରେ ସତ୍ସଙ୍ଗ କେନ୍ଦ୍ର ସ୍ଥାପନ କରିଥିଲେ । ସତସଂଗ ଦ୍ୱାରା ହଜାର ହଜାର ଜନଜାତି ଲୋକଙ୍କର ନିଶା ଅଭ୍ୟାସ ଛଡାଇଥିଲେ । ସ୍ୱାମୀଜୀ କେବଳ ଶାସ୍ତ୍ର ଏବଂ ଦର୍ଶନ ନୁହେଁ, କୃଷି, ପଶୁପାଳନ ଏବଂ ଫଳଚାଷ ଉପରେ ମଧ୍ୟ ତାଙ୍କର ଅଭୂତ ଦକ୍ଷତା ଥିଲା ଯାହା ସେ ଜନଜାତିର ଲୋକମାନଙ୍କୁ କନ୍ଧମାଳରେ ଶିକ୍ଷା ଦେଉଥିଲେ । ଜନଜାତି ସଂସ୍କୃତିର ସେ ମଧ୍ୟ ମୁଖ୍ୟ ପୃଷ୍ଠପୋଷକ ଥିଲେ । ତାଙ୍କ ଉଦ୍ୟମରେ ନଷ୍ଟ ହୋଇଯାଇଥିବା ଧରଣୀ ପେନୁ(ପୃଥୀବୀ ମାତା)ଙ୍କୁ ପୁନଃ ପ୍ରତିଷ୍ଠା କରାଯାଇଥିଲା । ସେହିଭଳି ସେ ଗଜପତି ଏବଂ କନ୍ଧମାଳ ଜିଲ୍ଲାରେ ରଥଯାତ୍ରା ଆରମ୍ଭ କରିଥିଲେ । ଛନ୍ଦ, କପଟ ଓ ଲୋଭ ଦେଖାଇ ଗରୀବ ଲୋକମାନଙ୍କୁ ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ କରାଯାଉଥିଲା । ସ୍ୱାମୀଜୀ ଏହି ଅନ୍ୟାୟ ତଥା ବେ-ଆଇନ କାର୍ଯ୍ୟର ବିରୋଧରେ ପାହାଡ ଭଳି ଠିଆ ହୋଇଥିଲେ । ଯାହା ଫଳରେ ମିଶନାରୀମାନେ ପ୍ରମାଦ ଗଣିଲେ । ସ୍ୱାମୀଜୀଙ୍କ ଲାଗି ସାରା ଦେଶ ଜାଣିଲା ଯେ ମିଶନାରୀମାନେ ସେବା ନାଁରେ ସାହାଯ୍ୟ ନାଁରେ କନ୍ଧମାଳରେ ନୀରିହ ତଥା ସରଳ ଲୋକଙ୍କ ଧର୍ମ ପରିବର୍ତନ କରୁଛନ୍ତି । ସ୍ୱାମୀଜୀ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ । ତାଙ୍କ କାର୍ଯ୍ୟକଳାପ ଦ୍ୱାରା ଏହା ସ୍ପଷ୍ଟ ଭାବରେ ପ୍ରତ୍ୟେୟମାନ ହୋଇଛି । ସେ ଏହି ଅଂଚଳରେ ନିଜର ଗତିବିଧିମାଧ୍ୟମରେ କନ୍ଧମାଳ ଲୋକଙ୍କର ଜୀବନଶୈଳୀରେ ଆମୂଳଚୂଳ ପରିବର୍ତନ କରିଦେଇଥିଲେ । ସ୍ୱାମୀଜୀଙ୍କ ଉପରେ ୯ଥର ମରଣାନ୍ତକ ଆକ୍ରମଣ ହୋଇଥିଲା । ଶେଷରେ୨୦୦୮ ମସିହା ଅଗଷ୍ଟ ମାସ ୨୩ ତାରଖ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଚାଲୁଥିବା ବେଳେ ସଧ୍ୟା ୭ଟା ୩୦ ମିନିଟ ସମୟରେ ଆତତାୟୀମାନେ ଜଳେଶପଟ୍ଟା ସ୍ଥିତ ଶଙ୍କରାଚାର୍ଯ୍ୟ କନ୍ୟାଶ୍ରମ ଭିତରେ ପଶି ଆଖିବୁଜା ଗୁଳି ଚଳାଇ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସମେତ କନ୍ୟାଶ୍ରମ ସଂଚାଳିକା ମାତା ଭକ୍ତିମୟୀ,ଅମୃତାନନ୍ଦ ବାବା, କିଶୋରବାବା ଏବଂ ଜଣେ ଛାତ୍ରୀର ଅବିଭାବକ ପୁରଂଜନ ଗଣ୍ଠିଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ ।