କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଗଣପର୍ବ ରଜପର୍ବ ଶୁକ୍ରବାର ଠାରୁ ଆରମ୍ଭ ହେଉଥିବା ବେଳେ ବହୁ ସ୍ଥାନରେ ଏହା ଯାକଜମକରେ ପାଳନ ହେବାକୁ ପ୍ରସ୍ତୁତି ଶେଷ ହୋଇଛି । ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ସୀତାବିଞ୍ଜ, ବୀଣାଝରି, ଉପରଡିହା, ବିସ୍ତାପାଳ, ହର୍ଷପୁର, ପୁଟୁଳିଆ, ଟଭାସରୁଆ ସମେତ ଅନେକ ସ୍ଥାନରେ ଏହି ରାଜ ପର୍ବ ପାଳନ ପାଇଁ ପ୍ରସ୍ତୁତି ସରିଛି । ପିଠାପଣା, ନୂତନ ବସ୍ତ୍ର ଓ ଦୋଳିରେ ଲୋକେ ମସଗୁଲ ରହିଥିବା ବେଳେ ଯୁବକ ଯୁବତୀମାନଙ୍କ ପାଇଁ ଏହି ପର୍ବ ଉତ୍ସାହ ଯୋଗାଇଛି । ଗ୍ରାମାଞ୍ଚଳ ସମେତ ସହରାଞ୍ଚଳର ଅନେକ ସ୍ଥାନରେ ବିଭିନ୍ନ ଖେଳ ଓ ପ୍ରତିଯୋଗିତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ବିଶେଷକରି ଆଦିବାସୀ ଭାଇଭଉଣୀଙ୍କୁ ଲାଗି ରଜପର୍ବ ଉତ୍ସାହ ଉଦ୍ଦୀପନା ଯୋଗାଇ ଦେଇଛି । କେନ୍ଦୁଝରରେ ବସବାସ କରି ଆସୁଥିବା ପ୍ରଚୀନ ଆଦିମ ଆଦିବାସୀମାନଙ୍କର ଅନ୍ୟତମ ମୁଖ୍ୟ ପର୍ବ ଭାବେ ରଜପର୍ବର ମହକ ନିଆରା । ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଯୁବକ ଯୁବତୀ (ଧାଙ୍ଗଡ଼ ଧାଙ୍ଗିଡି)ମାନେ ପରସ୍ପର ମଧ୍ୟରେ ଗୀତ ପ୍ରତିଯୋଗିତା କରି ଖିଲିପାନ ଯଚାଯଚି ହେବା ଏହି ପର୍ବର ଏକ ଦିଗ ହୋଇଥିବା ବେଳେ ଆଦିବାସୀ ବୟସ୍କ ବ୍ୟକ୍ତିମାନେ ଆଗାମୀ ବର୍ଷ ଚାଷ କାର୍ଯ୍ୟ ସୁଚାରୁରୂପେ ଆରମ୍ଭ କରିବା ପାଇଁ ଗ୍ରାମର ମଣ୍ଡଘରେ ଶୁଭ ମନାସୁଥିବା ପରିଲକ୍ଷିତ ହୋଇଥଏ । କେନ୍ଦୁଝରରେ ପାଣିବୁହା ଠାରୁ ରଜ ବାଟୋଇବା ଯାଏ ବିଭିନ୍ନ ସ୍ଥାନରେ ଚାରିରୁ ପାଞ୍ଚଦିନ ପର୍ଯ୍ୟନ୍ତ ରଜ ମହୋତ୍ସବ ପାଳିତ ହୋଇଥାଏ । ଶେଷ ଦିନ ଗ୍ରାମର ମହିଳାମାନେ ପ୍ରାରମ୍ଭିକ ରୀତିରେ ଗ୍ରାମ ମୁଣ୍ଡର ଏକ ଖୋଲା ଜାଗାରେ ରଜକୁ ବାଟେଇ ଥାଆନ୍ତି । ବର୍ଷକରେ ଥରେ ଆସୁଥିବା ଏହି ପର୍ବ ପାଇଁ ସମସ୍ତ ଜିଲ୍ଲା ଉତ୍ସବମୁଖର ହୋଇଉଠେ । ଆଦିବାସୀ ଅଞ୍ଚଳରେ ଏକ ନିଆରା ପରମ୍ପରା ରଜରେ ଦେଖିବାକୁ ମିଳେ । ଜଳବଙ୍ଗ ଗ୍ରାମରେ ରଜବତୀଙ୍କୁ ପୂଜାର ପରମ୍ପରା ଦେଖିବାକୁ ମିଳିଥାଏ । ଅନେକ ସ୍ଥାନରେ ଦୋଳି ପାଖରେ ରଜବତୀଙ୍କୁ ପୂଜା କରାଯାଇଥାଏ । ଜିଲ୍ଲାର ଐତିହାସିକ ପୀଠ ସୀତାବିଞ୍ଜି, ସଦର ବ୍ଲକର ପୁଟୁଳିଆ ଆଦି ସ୍ଥାନରେ ରଜପର୍ବ ଯାକଜମକରେ ପାଳିତ ହୋଇଥାଏ । ରାତିତମାମ ଦୋଳିଖେଳ, ନାଚ ଓ ଗୀତ ହୋଇଥାଏ । ତେବେ ବର୍ତ୍ତମାନ ଲୋକଙ୍କ ମଧ୍ୟରେ ସହରୀ ସଭ୍ୟତା ପ୍ରବେଶ ଯୋଗୁଁ ଆଦିବାସୀଙ୍କୁ ନିଆରା ସଂସ୍କୃତି ଲୋପ ପାଇବାକୁ ବସିଲାଣି । କେନ୍ଦୁଝର ଜିଲ୍ଲାର ଆଦିବାସୀ ସଂସ୍କୃତିରେ ରଜ ଏକ ନିଆରା ପର୍ବ ହୋଇଥିବା ବେଳେ ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ଓ ମହିଳାଠାରୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ ଅତି ଆଗ୍ରହ ସହକାରେ ପାଳନ କରିଥାନ୍ତି । ରଜଦୋଳିର ଦୃଶ୍ୟକୁ ଦେଖିଲେ ସରଳ ନିରୀହ ଆଦିବାସୀଙ୍କ ନିକଟକୁ ପାଶ୍ଚାତ୍ୟର ଢଙ୍ଗ ସ୍ପର୍ଶ କରିପାରିନାହିଁ ତାହା ସ୍ପଷ୍ଟ ପ୍ରତୀୟମାନ ହୋଇଥାଏ । ତେବେ ଚଳିତ ବର୍ଷ ଏହି ରଜ ଆନନ୍ଦକୁ ଟାଣଖରା ଫିକା ପକାଇଦେଇଛି । ଆଷାଢ଼ର ପହିଲି ପୁଲକ ଆସିଥିଲେ ମଧ୍ୟ ପ୍ରଚଣ୍ଡ ରୌଦ୍ରତାପ ଜନିତ ଅସହ୍ୟ କଷ୍ଟ ଲୋକଙ୍କୁ ବ୍ୟତିବ୍ୟସ୍ତ କରିପକାଉଛ