Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାଣିଭିତରେ ନିଖୋଜଙ୍କୁ ଖୋଜିବ ୱାଟର୍ ପ୍ରୁଫ୍ କ୍ୟାମେରା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାଣିଭିତରେ ନିଖୋଜଙ୍କୁ ଖୋଜିବ ୱାଟର୍ ପ୍ରୁଫ୍ କ୍ୟାମେରା


କଟକ: ଏଣିକି ନଈ, ନାଳରେ ବୁଡ଼ି ଯାଇଥିବା ଲୋକଙ୍କୁ ମଣିଷ ବଦଳରେ କ୍ୟାମେରା ଖୋଜି ବାହାର କରିବ । ଗଭୀର ପାଣି ଭିତରେ ୱାଟର୍ ପ୍ରୁଫ୍ କ୍ୟାମେରା ପଶି ନିଖୋଜ ଲୋକଙ୍କୁ ଠାବ କରି ଅଗ୍ନିଶମ କର୍ମଚାରୀଙ୍କୁ ଏ ସମ୍ପର୍କରେ ସୂଚନା ଦେବ । ସେହି ଅନୁଯାୟୀ ନିଖୋଜ ଲୋକଙ୍କୁ ଉଦ୍ଧାର କରାଯିବ । ଅଗ୍ନିଶମ ବିଭାଗରେ ଏ ପ୍ରକାର ଅତ୍ୟାଧୁନିକ କ୍ୟାମେରାକୁ ଭିକ୍ଟିମ୍ ଲୋକେସନ୍ ସର୍ଚ୍ଚ କ୍ୟାମେରା କୁହାଯାଉଛି । କଟକର ମହାନଦୀରେ ଏହାର ସଫଳ ପ୍ରୟୋଗ ହୋଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ରାଜ୍ୟର ସମସ୍ତ ଜିଲ୍ଲାରେ ଲାଗୁ କରାଯିବ । ସୂଚନା ଅନୁଯାୟୀ, ଓଡ଼ିଶା ଅଗ୍ନିଶମ ବିଭାଗକୁ ପ୍ରଥମ ଥର ପାଇଁ ଗୋଟିଏ ୱାଟର୍ ପ୍ରୁଫ କ୍ୟାମେରା ପରୀକ୍ଷାମୂଳକ ଭାବେ ଆସିଛି । କଟକ ବକ୍ସିବଜାର ସ୍ଥିତ ଅଗ୍ନିଶମ କେନ୍ଦ୍ରକୁ ଏହି କ୍ୟାମେରା ହସ୍ତାନ୍ତର କରାଯାଇଛି । କ୍ୟାମେରା ୱାଟର ପ୍ରୁଫ ହୋଇଥିବା ବେଳେ ଏଥିରେ ୫୦ ମିଟର କେବୁଲ ରହିଛି । ଅର୍ଥାତ୍ ନଦୀ କିମ୍ବା ନାଳରେ ୧୬୪ ଫୁଟ୍ ଗଭୀରକୁ ଏହି କ୍ୟାମେରା ଯାଇପାରିବ । ବୋଟ୍‌ରେ ଯାଉଥିବା ଅଗ୍ନିଶମ କର୍ମଚାରୀମାନେ ଏକ କମ୍ପ୍ୟୁଟର ଆକୃତିର ଡିସ୍‌ପ୍ଲେ ରଖିବେ । ଏଥିରେ କେବୁଲ୍ ସଂଯୋଗ ହୋଇ କ୍ୟାମେରା ସହିତ ଗଭୀର ପାଣି ଭିତରକୁ ଛଡ଼ାଯିବ । ଏଥିରେ ଚାରିଟି କ୍ୟାମେରା ସଂଯୋଗ ରହିଛି । ଏହାରି ମାଧ୍ୟମରେ ନଦୀରେ ନିଖୋଜ ହେଉଥିବା ଲୋକଙ୍କୁ ଠାବ କରାଯିବ । ଦିନ ସମୟ ସହିତ ରାତିର ଅନ୍ଧାରରେ ବି କ୍ୟାମେରାରେ ପାଣି ଭିତରର ସବୁ ବସ୍ତୁ ସ୍ପଷ୍ଟ ଦେଖାଯିବ । କିନ୍ତୁ ଏଥିରେ ଏକ ସମସ୍ୟା ଦେଖାଦେଇଛି । ପାଣି ସ୍ଥିର ନଥିଲେ ଅର୍ଥାତ୍ ପାଣିରେ ସ୍ରୋତ ଥିଲେ କ୍ୟାମେରାରେ ଦୃଶ୍ୟ ଦେଖିବା କଷ୍ଟକର ହୋଇପଡ଼ୁଛି । କ୍ୟାମେରାର ଚାରିପଟ ଏବଂ ତଳ ଭାଗରେ ପାଖାପାଖି ୪ ଫୁଟ ଯାଏ ଚିତ୍ର ଦେଖାଯାଉଛି । ଏହି ‘ଭିକ୍ଟିମ ଲୋକେସନ୍ ସର୍ଚ୍ଚ କ୍ୟାମେରା’କୁ ପରିଚାଳନା କରିବା ପାଇଁ ବ୍ୟବହାର ହେଉଥିବା ଦୁଇଟି ବ୍ୟାଟେରୀରେ ୪ ଘଣ୍ଟାର ବ୍ୟାକ୍‌ଅପ୍ ରହିଛି । ଏଥିରେ ପାଣି ଭିତରର ଭିଡିଓ ରେକର୍ଡ ହୋଇ ମେମୋରି କାର୍ଡରେ ରହିପାରିବ । କ୍ୟାମେରାରେ ଏଲ୍‌ଇଡି ଲାଇଟ୍ ବ୍ୟବସ୍ଥା ବି ରହିଛି । ଏହି କ୍ୟାମେରାକୁ ଏପ୍ରିଲ ୪ ତାରିଖରେ ବାଙ୍କୀରେ ମହାନଦୀରେ ହଜିଥିବା ଜଣେ ଶିଶୁକୁ ଉଦ୍ଧାର କ୍ଷେତ୍ରରେ ବ୍ୟବହାର କରାଯାଇଥିଲା । ଗଲା ୭ ତାରିଖରେ ମହାନଦୀ ହାତୀଗଡ଼ା ନିକଟରେ ସିଡିଏ ସେକ୍ଟର ୬ ଅଞ୍ଚଳର ରୂପକ ବାନାର୍ଜୀ ବୁଡ଼ିଯାଇଥିଲେ । ତାଙ୍କୁ ଏହି କ୍ୟାମେରା ବ୍ୟବହାର କରି ଉଦ୍ଧାର କରାଯାଇଥିଲା । ମାତ୍ର ୪୦ ମିନିଟ ଭିତରେ ଠାବ କରାଯାଇଥିଲା । ରବିବାର ପ୍ରାୟ ରାତି ୧୨ଟା ବେଳେ ବାରଙ୍ଗରେ ଏକ କେନାଲରେ ଜଣେ ବ୍ୟକ୍ତି ବୁଡ଼ିଯାଇଥିବା ବେଳେ ତାଙ୍କୁ ମଧ୍ୟ ଉଦ୍ଧାର କରିବା ପାଇଁ ୮ ତାରିଖରେ ଏହି କ୍ୟାମେରା ବ୍ୟବହାର କରାଯାଇଛି । ଗଲା ଏକ ମାସ ମଧ୍ୟରେ କଟକ ବକ୍ସିବଜାର କେନ୍ଦ୍ରରୁ ଏହି କ୍ୟାମେରା ସୁନ୍ଦରଗଡ଼, ଅନୁଗୁଳ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳକୁ ଯାଇ ବ୍ୟବହାର କରାଯାଇଥିଲା । ଅଗ୍ନିଶମ ଡିଜି ଡକ୍ଟର ସୁଧାଶୁ ଷଢ଼ଙ୍ଗୀ କହିବା ଅନୁଯାୟୀ, ଓଡ଼ିଶାକୁ ଏହି କ୍ୟାମେରା ମାତ୍ର ଗୋଟିଏ ଆସିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକ କ୍ୟାମେରା ଆଣିବାକୁ ପଦକ୍ଷେପ ନିଆଯିବ ।

Leave a Reply