Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସମୟ ବଢୁଛି, ଉତ୍କଣ୍ଠା ବଢୁଛି ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସମୟ ବଢୁଛି, ଉତ୍କଣ୍ଠା ବଢୁଛି ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା

ଅଯୋଧ୍ୟା: କେମିତି ଦିଶିବେ ଅଯୋଧ୍ୟାର ନବନିର୍ମିତ ମନ୍ଦିରରେ ପ୍ରାଣପ୍ରତିଷ୍ଠିତ ହେବାକୁ ଥିବା ରାମଲଲ୍ଲା ? ଏନେଇ ଅଗଣିତ ରାମଭକ୍ତ ଉତ୍କଣ୍ଠାରେ ଥିବା ବେଶେ, ଆଜି ଏହାର ସାମାନ୍ୟ ସଂକେତ ମିଳିଛି । ରାମଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ଜାରି ଏକ ଭିଡିଓରେ ଦେଖିବାକୁ ମିଳୁଛି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଏକ ଦିବ୍ୟ ଚିତ୍ର । ସେପଟେ ମନ୍ଦିର ଗର୍ଭଗୃହର ରାତ୍ରିକାଳୀନ ଦୃଶ୍ୟ ବି ଲାଗୁଛି ଅତିବ ଆକର୍ଷଣୀୟ । ପ୍ରସ୍ଫୁଟିତ ପଦ୍ମ ଉପରେ ଦଣ୍ଡାୟମାନ ‘ପଦ୍ମପାଦ\’ । ରାଜକୀୟ ବେଶରେ ଅଯୋଧ୍ୟାର ରାଜକୁମାର । ହସ୍ତରେ କୋଦଣ୍ଡ, ସାଥିରେ ତୀର ଓ ତୁଣୀର ଲମ୍ବିତ କେଶ, କପାଳେ ତିଳକ, କର୍ଣ୍ଣରେ କୁଣ୍ଡଳ । ଦିବ୍ୟ ସେ ସ୍ମିତହାସ୍ୟ, ଦେବତୁଲ୍ୟ ମୁଖମଣ୍ଡଳ । ଶିଳ୍ପୀଙ୍କ କଳ୍ପନାରେ ଶୈଶବାବସ୍ଥାରେ କିଛି ଏଭଳି ଦିଶୁଥିଲେ ଅଯୋଧ୍ୟାର ଅଧିପତି । ଆଉ ସମ୍ଭବତଃ ଭବ୍ୟ ମନ୍ଦିରର ଗର୍ଭଗୃହରେ ବି, କିଛି ଏଭଳି ରୂପରେ ପୂଜା ପାଇବେ ୫ ବର୍ଷୀୟ ରାମଲାଲାଙ୍କ ବାଳୁତ ବିଗ୍ରହ । ସ୍ୱତନ୍ତ୍ର କୃଷ୍ଣଶିଳାରେ ୫୧ ଇଞ୍ଚ ଉଚ୍ଚ ରାମଲାଲାଙ୍କ ବିଗ୍ରହ ତିଆରି ସରିଥିବା ବେଳେ, ତାକୁ ଥରଟେ ଆଖିପୂରେଇ ଦେଖିବାକୁ ଉତ୍କଣ୍ଠିତ ଅଗଣିତ ରାମଭକ୍ତ । ଏସବୁ ଭିତରେ ଆଜି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ସାର୍ବଜନୀନ କରାଯାଇଛି ଅପୂର୍ବ ଚିତ୍ର । ଯେଉଁଥିରେ ଝଲସୁଛି କମନୀୟ ଶିଶୁ ସୁଲଭ ରୂପ ଓ ସେଥିରେ ସୁସ୍ପଷ୍ଟ ଦିବ୍ୟତାର ଛାପ । ପଞ୍ଚତତ୍ତ୍ୱରେ ଶ୍ରୀରାମ ଥିମକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓରେ ଏହି ଚିତ୍ରକୁ ଦେଖିବାକୁ ମିଳୁଛି । ସେପଟେ ମକର ସଂକ୍ରାନ୍ତି ଠାରୁ ନିଜ ନିଜ ଅଞ୍ଚଳର ମନ୍ଦିରରେ ସ୍ୱଚ୍ଛତା ରକ୍ଷା ଏବଂ ପ୍ରାଣପ୍ରତିଷ୍ଠା ଦିନ ଆଳତୀ, ପ୍ରସାଦ ବଣ୍ଟନ ଓ ଘରେ ଘରେ ଦୀପାବଳି ଆଦି ପାଳନ କରିବାକୁ ଦେଶବାସୀ ତଥା ରାମଭକ୍ତଙ୍କୁ ତୀର୍ଥକ୍ଷେତ୍ର ପକ୍ଷରୁ ନିବେଦନ କରାଯାଇଛି । ରାତିରେ ବହୁଗୁଣ ବଢ଼ିଯାଉଛି ରାମ ମନ୍ଦିର ଗର୍ଭଗୃହ ସୌନ୍ଦର୍ଯ୍ୟ । ପଥରର ସୂକ୍ଷ୍ମ କାରିଗରୀକୁ ଅଧିକ ଆକର୍ଷଣୀୟ କରୁଛି ସୌମ୍ୟ-ଶୁଭ୍ର ଆଲୋକ ସଜ୍ଜା । ଆଉ କିଛି ଦିନ ପରେ ଏହି ଗର୍ଭଗୃହର ସିଂହାସନରେ ସୁନା ଛାଉଣୀ ହେବ ବୋଲି ଓଟିଭିକୁ ସୂଚନା ଦେଇଛନ୍ତି ସେଠାରେ ନିୟୋଜିତ ଜଣେ ଓଡ଼ିଆ ଇଞ୍ଜିନିୟର । ସେପଟେ ପୂର୍ବରୁ ରାମମନ୍ଦିର ସିଂହଦ୍ୱାର ସହିତ ହନୁମାନ ଓ ଗରୁଡ଼ ମୂର୍ତ୍ତିର ଫଟୋ ସାମ୍ନାକୁ ଆସିଥିବା ବେଳେ, ଏବେ ଦେଖିବାକୁ ମିଳିଛି ବ୍ରୋଞ୍ଜ ତିଆରି ବିଶାଳ ଜଟାୟୁ ମୂର୍ତ୍ତି । ରାମାୟଣରେ ଜଟାୟୁଙ୍କର ବିଶେଷ ମହତ୍ତ୍ୱ ଥିବାରୁ, ମନ୍ଦିର ପରିସରରେ ଥିବା କୁବେର ଟିଲା ଉପରେ ଏହି ବିଶାଳ କାଂସ୍ୟ ମୂର୍ତ୍ତିକୁ ସ୍ଥାପନ କରାଯିବ । ପ୍ରାଣପ୍ରତିଷ୍ଠା ସମାରୋହକୁ ଆଉ ୨ ସପ୍ତାହ ବାକି । ପବିତ୍ର ମୁହୂର୍ତ୍ତ ଯେତିକି ପାଖେଇ ଆସୁଛି, ସେତେ ଦିବ୍ୟ ହୋଇଉଠୁଛି ଅଯୋଧ୍ୟା । ସରଜୁ ତଟରେ ଯଜ୍ଞ ମଣ୍ଡପ ଓ କୁଟୀର ଆଦି ନିର୍ମାଣ ସରିଥିବା ବେଳେ, ମନ୍ଦିର ଚୂଡ଼ାରେ ସ୍ଥାପନ ଲାଗି ଗୁଜରାଟରୁ ଆସି ପହଞ୍ଚିଛି ଧ୍ୱଜଦଣ୍ଡ । ଅହମ୍ମଦାବାଦରୁ ଆସିଥିବା ୭ଟି ଧ୍ୱଜଦଣ୍ଡରୁ, ମୁଖ୍ୟ ମନ୍ଦିରର ଧ୍ୱଜା ଧାରଣ ଲାଗି ଆସିଛି ୫ ଟନ୍ ଓଜନର ୪୪ ଫୁଟ ଉଚ୍ଚ ଶିଖର ଧ୍ୱଜଦଣ୍ଡ । ବାକି ୬ଟି ୨୦ ଫୁଟିଆ ଦଣ୍ଡ ପାର୍ଶ୍ୱ ମନ୍ଦିରରେ ଲାଗିବ । ଏସବୁ ଭିତରେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଯେ, ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହର ସିଧାପ୍ରସାରଣ ଆମେରିକା ନ୍ୟୁୟର୍କର ପ୍ରସିଦ୍ଧ ଟାଇମ୍ସ ସ୍କୋୟାର ଏବଂ ବିଭିନ୍ନ ଦେଶର ଭାରତୀୟ ଦୂତାବାସରେ ପ୍ରଦର୍ଶିତ ହେବ । ଶ୍ରୀରାମଲଲାଙ୍କ ମୂର୍ତ୍ତି ନିର୍ମାଣ ହୋଇଥିବା କୁଡିଆରୁ ଜାନୁୟାରୀ ୧୬ ତାରିଖରୁ ଆରମ୍ଭ ହେବା ପୂଜା । ଏହାପରେ ମୂର୍ତ୍ତି ନିର୍ମାଣ କରିଥିବା ଶିଳ୍ପୀଙ୍କ ପ୍ରାୟଶ୍ଚିତ୍ତ ପୂଜନ କରାଯିବ । ବିଶ୍ୱ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ପ୍ରବକ୍ତା ଓ ଧର୍ମାଚାର୍ଯ୍ୟ ସମ୍ପର୍କ ପ୍ରମୁଖ ଅଶୋକ ତିୱାରୀ ଏହି ସୂଚନା ଦେଇଛନ୍ତି । ଅଶୋକ ତିୱାରୀ କହିଛନ୍ତି ଯେ, ଫେବୃୟାରୀ ୧୭ରେ ଶ୍ରୀ ବିଗ୍ରହର ପରିସର ଭ୍ରମଣ କରାଯିବ । ଗର୍ଭଗୃହ ଶୁଦ୍ଧିକରଣ କରାଯିବ । ଜାନୁୟାରୀ ୧୮ରେ ଅଧିବାସ ଆରମ୍ଭ ହେବ । ଦୁଇଟି ସମୟ ଜଳାଧିବାସ ହେବ । ଏହାସହିତ ସୁଗନ୍ଧି ଓ ଗନ୍ଧାଧିବାସ ମଧ୍ୟ ହେବ । ଜାନୁୟାରୀ ୧୯ ସକାଳେ ଫଳ ଅଧିବାସ ଓ ସନ୍ଧ୍ୟାରେ ଧ୍ୟାନ ଅଧିବାସ ହେବ । ଏହିପରି ଭାବେ ଜାନୁୟାରୀ ୨୦ ତାରିଖ ସକାଳେ ପୁଷ୍ପ ଓ ରତ୍ନ ଅଧିବାସ । ସନ୍ଧ୍ୟାରେ ଘୃତ ଅଧିବାସ ହେବ । ଭଗବାନ ରାମ ସୂର୍ଯ୍ୟବଂଶୀ ଅଟନ୍ତି, ତେଣୁ ଆଦିତ୍ୟ ମଧ୍ୟ ଦ୍ୱାଦଶ ଅଟନ୍ତି । ଏଥିପାଇଁ ଦ୍ୱାଦଶ ଅଧିବାସ କରାଯିବ । ଏହାସହିତ ଜାନୁୟାରୀ ୧୬ରୁ ୨୨ ତାରିଖ ଯାଏ ଚର୍ତୁବେଦ ଯଜ୍ଞ ହେବ । ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ବ୍ରହ୍ମା ଗଣେଶ୍ୱର ଶାସ୍ତ୍ରି ଦ୍ରାବିଡ,ପ୍ରମୁଖ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତ, ସୁନୀଲ ଦୀକ୍ଷିତ, ଗଜାନନ୍ଦ ଜୋଗକର, ଅନୁପମ ଦିକ୍ଷିତ, ଘଟାଟେ ଗୁରୁଜୀ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠାନ ସମ୍ପନ୍ନ କରିବେ । ଏଥିରେ ୧୧ଜଣ ଯଯମାନ ମଧ୍ୟ ରହିବେ । ଜାନୁୟାରୀ ୧୧ ମଧ୍ୟ ଦିବସରେ ଶ୍ରୀରାମଲଲାଙ୍କ ବିଗ୍ରହରୁ ଆଖିର ପଟି ଖୋଲାଯିବ ଏବଂ ତାଙ୍କୁ ଦର୍ପଣ ଦେଖାଯିବ ।

Leave a Reply