Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଚରା ପାକିସ୍ତାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଚରା ପାକିସ୍ତାନ



ସମୟ ଚକ୍ରରେ ସବୁକିଛି ପରିବର୍ତନ । ଋତୁ ପରେ ଋତୁ ପରିବର୍ତନ । ସବୁବେଳେ ଗରମ ନଥାଏ,ତାପରେ ମଧ୍ୟ ଥଣ୍ଡା ଆସେ । ପାକିସ୍ତାନର ଗରମ ଆଉ ବେଶୀଦିନ ନୁହେଁ, ନରମିବା ବେଳ ଆସିଗଲା । ପାକିସ୍ତାନର ଫଁ ଏବେ ନରମି ଯାଇଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ଗତ କିଛି ଦିନ ହେବ ନିଜ ଦେଶର ବାସ୍ତବତାଠାରୁ ଦୂରେଇ ରହିବା ପରିବର୍ତେ ପ୍ରକୃତ ପରିସ୍ଥିତି ବିଷୟରେ ଜନସାଧାରଣଙ୍କୁ ଅବଗତ କରାଉଛନ୍ତି । ନିକଟରେ ସେ ପାକିସ୍ତାନ ପାଇଁ ବାରମ୍ବାର ଋଣ ମାଗିବାକୁ ଭିକ ମାଗିବ ସହ ତୁଳନା କରିଥିଲେ ଏବଂ କହିଥିଲେ ଯେ, ତାଙ୍କୁ ଏଥିପାଇଁ ଲଜ୍ଜିତ ହେବାକୁ ପଡ଼ୁଛି । ଏବେ ସେ ଭାରତ ସହ ସମ୍ପର୍କକୁ ନେଇ ମଧ୍ୟ ବୟାନ ଦେଇଛନ୍ତି । ପଶ୍ଚିମ ଏସିଆର ଅନ୍ୟତମ ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଅଲ-ଆରବିୟାକୁ ଦେଇଥିବା ଏକ ସାକ୍ଷାତକାରରେ ଯେତେବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଭାରତ ସହ ସମ୍ପର୍କ ବିଷୟରେ ପଚରାଯାଇଥିଲା ସେତେବେଳେ ସେ କହିଥିଲେ ଯେ, ସ୍ୱାଧୀନତା ପରଠାରୁ ତିନୋଟି ଯୁଦ୍ଧ ପରେ ପାକିସ୍ତାନ ଉଚିତ୍ ଶିକ୍ଷା ପାଇଛି ଏବଂ ବର୍ତମାନ ସେ ଶାନ୍ତି ଚାହୁଁଛନ୍ତି । ସେ ଚ୍ୟାନେଲ ମାଧ୍ୟମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ନିବେଦନ କରି କହିଛନ୍ତି, ପାକିସ୍ତାନ ଶାନ୍ତି ଚାହୁଁଛି । ଆମେ ଭାରତ ସହିତ ତିନୋଟି ଯୁଦ୍ଧ ଲଢିଛୁ ଏବଂ ଏହା କେବଳ ଲୋକଙ୍କ ପାଇଁ ଦୁଃଖ, ଦାରିଦ୍ର୍ୟ ଏବଂ ବେରୋଜଗାରୀ ଆଣିଦେଇଛି । ଆମେ ବୁଦ୍ଧି ଶିଖିଲୁ ଏବଂ ବର୍ତମାନ ଶାନ୍ତିରେ ରହିବାକୁ ଚାହୁଁଛୁ, ବାସ୍ କେବଳ ଆମ ପ୍ରକୃତ ସମସ୍ୟାଗୁଡ଼ିକର ସମାଧାନ ହୋଇଯାଉ । ପାକିସ୍ତାନ ଆଉ ବୋମା ଓ ଗୋଳା ବାରୁଦ ତିଆରି କରିବାରେ ନିଜର ସମ୍ବଳ ନଷ୍ଟ କରିବାକୁ ଚାହୁଁନାହିଁ । ଆମେ ଉଭୟ ଆଣବିକ ଶକ୍ତି ସମ୍ପନ୍ନ ଦେଶ । ଭଗବାନ କରନ୍ତୁ କୌଣସି ଯୁଦ୍ଧ ନହେଉ ।
ପାକିସ୍ତାନର ସଦବୁଦ୍ଧି ଉଦୟ ହୋଇଛି ନା ମୁହଁରେ ମିଠା କଥା କହି ପଛରୁ ଛୁରି ଭୁଷିବାକୁ ଯୋଜନା କରୁଛି । ଭାରତ ସମସ୍ତ ପୋଡିଶୀଙ୍କ ବ୍ୟବହାରକୁ ଭଲ ଭାବରେ ଜାଣି ସାରିଛି । ସେଥିପାଇଁ ଭାରତ ସବୁ କ୍ଷେତ୍ରରେ ମୁକାବିଲା ପାଇଁ ତୟାର ହୋଇ ରହିଛି । କେଉଁଥିରେ ପଛ ଘୁଂଚା ଦେଉନାହିଁ । ଆମ ଓଡ଼ିଆରେ ଗୋଟିଏ କଥା ଅଛି-ଯେ ‘ପାଂଚେ ପରମନ୍ଦ, ତା’ ମନ୍ଦ ପାଂଚନ୍ତି ନିଜେ ଗୋବିନ୍ଦ’ । ଭାରତର କ୍ଷତି ସାଧନ କରିବାକୁ ସଦା ଚେଷ୍ଟିତ ପାକିସ୍ତାନ ଆଜି ନଜର ଫଳ ଭୋଗୁଛି । ନା ବନ୍ଧୁ ଚୀନ ସହଯୋଗ କରୁଛି, ନା ବାନ୍ଧବ ଆଫଗାନୀସ୍ତାନ ଆହା କହିବାକୁ ଆଗେଇ ଆସୁଛି । ଓଲଟା ଯେଉଁ ଆତଙ୍କବାଦୀମାନଙ୍କୁ ପାକିସ୍ତାନ ପାଳିପୋଷି ଅନ୍ୟ ବିରୋଧରେ ପ୍ରୟୋଗ କରୁଥିଲା, ଶେଷରେ ସେହି ଆତଙ୍କବାଦୀମାନେ ଏବେ ପାକିସ୍ତାନ ପାଇଁ କାଳ ପାଲଟିଛନ୍ତି । ଆଫଗାନିସ୍ତାନରେ ତାଲିବାନ କ୍ଷମତା ନିଜ ହାତକୁ ନେବା ପରେ ଏବେ ପାକିସ୍ତାନକୁ ଦଖଲ ପାଇଁ ଉଦ୍ୟମ ଆରମ୍ଭ କରି ଦେଇଛି । ଏହି ଖବର ଜଣାପଡ଼ିବା ପରେ ପାକିସ୍ତାନ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ତାଲିବାନ ଆତଙ୍କବାଦୀ ସଙ୍ଗଠନ ଉପରେ ପାକିସ୍ତାନ ସେନା ଏୟାରଷ୍ଟ୍ରାଇକ୍ କରିଥିବାର ଏକ ଭିଡ଼ିଓ ଭାଇରାଲ ହେବା ପରେ ଏହାକୁ ନେଇ ସାରା ବିଶ୍ୱରେ ଆଲୋଡ଼ନ ସୃଷ୍ଟି ହୋଇଛି । ଏପରିକି ଆଫଗାନିସ୍ତାନର ଏକ ଗଣମାଧ୍ୟମ ଏହି ମିସାଇଲ ବ୍ଲାଷ୍ଟର ଫଟୋ ସେୟାର କରିଛି । ମିଳିଥିବା ସୂଚନା ଅନୁଯାୟୀ ପାକିସ୍ତାନ ପକ୍ଷରୁ ଆଫଗାନିସ୍ତାନର କୁନାର ଓ ନାଙ୍ଗରହାର ଠାରେ ଏହି ହମଲା କରାଯାଇଛି । ଏହି ଦୁଇଟି ସ୍ଥାନରେ ତାଲିବାନର ଟିଟିପି ସଙ୍ଗଠନ ଆଡ୍ଡା ଜମାଇ ରହିଛନ୍ତି । ତେବେ ଏକଥା ସତ ଯେ ଗତ କିଛିଦିନ ହେବ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ତିକ୍ତତା ଓ ବିବାଦ ବଢିବାରେ ଲାଗିଛି । ତାଲିବାନ ଆଫଗାନିସ୍ତାନରେ କ୍ଷମତାକୁ ଆସିବା ପରେ ପାକିସ୍ତାନୀ ସେନା ଉପରେ ଟିଟିପି ଆତଙ୍କବାଦୀ ସଙ୍ଗଠନ ବାରମ୍ବାର ହମଲା କରୁଥିବାର ଅଭିଯୋଗ ହୋଇ ଆସୁଛି । ଏନେଇ ପାକିସ୍ତାନୀ ସେନା ପକ୍ଷରୁ ଆଫଗାନିସ୍ତାନକୁ ଚେତାବନୀ ଦିଆଯାଇଛି । ପାକିସ୍ତାନ ଧମକରେ ଆଫଗାନିସ୍ଥାନ ଡରି ଯାଇନାହିଁ । ଏନେଇ ତାଲିବାନର ବରିଷ୍ଠ ଅଧିକାରୀ ଅହମ୍ମଦ ଟ୍ୱିଟ୍ କରି ୧୯୭୧ ଯୁଦ୍ଧର ପୁନରାବୃତି ହେବ ବୋଲି ଧମକ ଦେଇଛନ୍ତି । ୟାସିର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ପାକିସ୍ତାନ ସେନା ଅଧିକାରୀ ଆତ୍ମସମର୍ପଣ କରି ଚୁକ୍ତି ପତ୍ରରେ ଦସ୍ତଖତ କରୁଛନ୍ତି । ୧୯୭୧ ଇଣ୍ଡୋ-ପାକ୍ ଯୁଦ୍ଧରେ ପାକିସ୍ତାନ ସେନା ଭାରତ ସାମ୍ନାରେ ଆତ୍ମସମର୍ପଣ କରିଥିଲା । ପଶ୍ଚିମ ପାକିସ୍ତାନ ଠାରୁ ପୂର୍ବ ପାକିସ୍ତାନ ଅଲଗା ହୋଇ ବାଂଲାଦେଶ ଗଠନ ହୋଇଥିଲା । ଏହି ଯୁଦ୍ଧରେ ପ୍ରାୟ ୭୧ ହଜାର ପାକିସ୍ତାନୀ ସୈନ୍ୟ ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କରିଥିଲେ । ପାକିସ୍ତାନ କମାଣ୍ଡର ଲେଫ୍ଟନାଂଟ ଜେନେରାଲ ଅମିର ଅବ୍ଦଦୁହ୍ଲା ଖାନ୍ ନିଆଜି ଚୁକ୍ତି ପତ୍ରରେ ଦସ୍ତଖତ କରିଥିଲେ ।
ଗତ ଅଶି ଓ ନବେ ଦଶକରେ ଯୁକ୍ତରାଷ୍ଟ୍ର ଆମେରିକା ଠାରୁ ପାକିସ୍ତାନ ପାଉଥିବା ଅର୍ଥକୁ ଆତଙ୍କବାଦୀ, ଉଗ୍ରବାଦୀ ଓ ଧର୍ମାନ୍ଧ ମୌଳବାଦୀଙ୍କୁ ପ୍ରୋତ୍ସାହନ ଦେବା ନିମନ୍ତେ ବିପୁଳ ବ୍ୟୟ କରିଛି । ଭାରତକୁ ଟାର୍ଗେଟ୍ କରି ସାମରିକ ଶକ୍ତି ବୃଦ୍ଧି ନିମନ୍ତେ ଏହି ଅର୍ଥ ଖର୍ଚ୍ଚ କରିଛି । ଯେଉଁଲକ୍ଷ୍ୟ ରଖି ଭାରତ ବିରୋଧରେ ଅର୍ଥ ଖର୍ଚ୍ଚ କରୁଥିଲା, ସେଥିରେ ଭାରତର କିଛି ହେଲା ନାହିଁ କିନ୍ତୁ ଏବେ ପାକିସ୍ତାନ ଭିକ୍ଷା ଥାଳି ଧରି ଅନ୍ୟ ଦୁଆରେ ହାତ ପାତିବାକୁ ବାଧ୍ୟ ହୋଇଛି । ଚୀନ୍ର ଋଣ ଯନ୍ତାରେ ପଡ଼ି ଛଟପଟ ହେଉଥିବା ପାକିସ୍ତାନ ଏବେ କାଙ୍ଗାଳ ହେବାକୁ ଯାଉଛି । ଏଭଳି ଦୟନୀନ ଅବସ୍ଥାକୁ ଦେଖି ପାକିସ୍ତାନ ଏବେ ଆଇଏମ୍ଏଫ୍, ଚୀନ୍ ଓ ସାଉଦି ଆରବର ସହାୟତାକୁ ଚାହିଁ ରହିଛି । ୫ ଜାନୁଆରୀ ୨୦୨୩ରେ ‘ଦ ଗାର୍ଡିୟନ୍’ରେ ପ୍ରକାଶିତ ଏକ ଆର୍ଟିକିଲ୍ରେ ଦର୍ଶାଯାଇଥିଲା ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ୍ ସାରା ବିଶ୍ୱର ପ୍ରତିଟି ଦେଶକୁ ସହାୟତା ପାଇଁ ଅପିଲ୍ କରିଛନ୍ତି । ମଇ ୨୦୨୨ରେ ସାଉଦି ଆରବ ଯାଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ୍ ସାଉଦିରୁ ମୋଟ ୮ ଆରବ ଡଲାରର ସହାୟତା ପ୍ୟାକେଜ୍ ଆଣିବାରେ ସମର୍ଥ ହୋଇଥିଲେ । ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇଶାକ୍ ଦାର୍ ବି ପ୍ରେସ୍ କନ୍ଫରେନ୍ସ କରି କହିଛନ୍ତି ଯେ ସାଉଦି ଆରବ ଠାରୁ କିଛିଦିନ ମଧ୍ୟରେ ଅର୍ଥ ମିଳିବ । ସାଉଦିର କ୍ରାଉନ୍ ପ୍ରିନ୍ସ ମୋହମ୍ମଦ ବିନ୍ ସଲମାନ୍ ପାକିସ୍ତାନରେ ୧୦ ଆରବ ଡଲାର ନିବେଶ ଉପରେ ବିଚାର କରିବେ ବୋଲି କହିଛନ୍ତି । ଋଣ ବୃଦ୍ଧି, ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ, ରାଜନୈତିକ ଅସ୍ଥିରତା ଏବଂ ଜିଡିପିରେ ବିପୁଳ ହ୍ରାସ ଘଟୁଥିବା ପାକିସ୍ତାନର ଆର୍ଥôକ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ୨୦୨୨ରେ ଶ୍ରୀଲଙ୍କାର ଯେଉଁଭଳି ଆର୍ଥôକ ସଙ୍କଟ ମଧ୍ୟକୁ ଠେଲି ହୋଇଯାଇଥିଲା, ଏବେ ପାକିସ୍ତାନ ସେହି ଦିଗରେ ଯାଉଛି । ଦେଶର ବିଦେଶୀ ମୁଦ୍ରାପାଣ୍ଠି ମଧ୍ୟ ଶେଷ ହେବାକୁ ବସିଲାଣି । ମୋଟ ଉପରେ ପାକିସ୍ତାନର ମୁଦ୍ରାସ୍ଫୀତି ବର୍ଷକ ଭିତରେ ୨ ଗୁଣା ବଢ଼ିଛି । ୨୦୨୧ ଡିସେମ୍ବରରେ ଦେଶର ମୁଦ୍ରାସ୍ଫୀତି ୧୨.୩% ଥିବା ବେଳେ ୨୦୨୨ ଡିସେମ୍ବର ସୁଦ୍ଧା ଏହା ୨୪.୫%ରେ ପହଁଚିଥିବା ଷ୍ଟେଟ ବ୍ୟାଙ୍କ ଅଫ ପାକିସ୍ତାନ ସୂଚନା ଦେଇଛି । ଖାଦ୍ୟ ସାମଗ୍ରୀଗୁଡ଼ିକର ମୂଲ୍ୟ ବଢ଼ୁଥିବାରୁ ଏହାର ପ୍ରଭାବରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି । ଖାଦ୍ୟ ମୁଦ୍ରାସ୍ଫୀତି ୨୦୨୧ ଡିସେମ୍ବରରେ ୧୧.୭% ଥିବା ବେଳେ ୨୦୨୨ ଡିସେମ୍ବର ବେଳକୁ ଏହା ୩ ଗୁଣା ବଢ଼ି ୩୨.୭% ଛୁଇଁଛି । ପାକିସ୍ତାନରେ ପିଆଜର କେଜି ପିଛା ଦାମ ୫୦୧% ବଢ଼ିଛି । ୨୦୨୨ ଜାନୁଆରୀ ୬ରେ ପିଆଜ ଦାମ ପାକିସ୍ତାନ ମୁଦ୍ରାରେ ୩୬.୭ ଟଙ୍କା ଥିବା ବେଳେ୨୦୨୩ ଜାନୁଆରୀ ୬ ବେଳକୁ ଏହାର ଦାମ ୨୨୦.୪ ଟଙ୍କା ହୋଇଯାଇଛି । ଡିଜେଲ ଦାମ ୬୧% ବଢ଼ିଥିବା ବେଳେ ପେଟ୍ରୋଲ ୪୮% ମହଙ୍ଗା ହୋଇଛି । ଚାଉଳ, ଡାଲି, ଅଟା ଓ ମଇଦାର କେଜି ପିଛା ଦାମ ମଧ୍ୟ ୫୦%ରୁ ଅଧିକ ବଢ଼ିଛି । ଚିକେନ ଦାମ ପାକିସ୍ତାନ ମୁଦ୍ରାରେ ଏବେ ଏହା ୩୮୩.୫ ଟଙ୍କା, ଡାଲି କେଜି ଏବେ ୨୨୮.୪ ଟଙ୍କା, ଲୁଣ ୪୯.୧ ଟଙ୍କା, ମୁଗ ଡାଲି ୨୫୨ ଟଙ୍କା, ବାସୁମତି ଚାଉଳ ୧୪୬.୬ ଟଙ୍କା, କଦଳୀ ୧୨ଟାକୁ ୧୧୯.୭ ଟଙ୍କା, ସୋରିଷ ତେଲର ଲିଟର ପିଛା ୫୩୨.୫ ଟଙ୍କା,ଗୋଟିଏ ପ୍ୟାକେଟ ବ୍ରେଡର ଦାମ ୮୯ ଟଙ୍କା ଓ କ୍ଷୀର ଲିଟର ପିଛା ୧୪୯.୭ ଟଙ୍କା ହୋଇଛି । ଦରଦାମ୍ ବୃଦ୍ଧି ହେତୁ ଦେଶରେ ଜନସାଧାରଣାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ ପାକିସ୍ତାନରେ ଯୋଗାଡ କରି ଲୋକମାନେ ନିଜର ପରିବାର ପ୍ରତିପୋଷଣ କରୁଛନ୍ତି । ବିଜୁଳି ବଂଚାଇବା ପାଇଁ ପାକିସ୍ତାନ ପକ୍ଷରୁ ପ୍ରାଧାନ୍ୟ ଦିଆଯାଇଛି । ଦୋକାନ ବଜାରରେ ଲାଗିଥିବା ଲାଇଟକୁ ୮ଟାରେ ବନ୍ଦ କରାଯିବା ସହିତ ବାହାଘର ମଣ୍ଡପ, ସପିଂ ମହଲ ୧୦ଟାରେ ବନ୍ଦ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଏହାସହ ସରକାରୀ କାର୍ଯ୍ୟାଳୟରେ ୩୦ ପ୍ରତିଶତ ବିଜୁଳି କାଟ ହେବ । ସୂଚନା ମୁତାବକ ଏଥିରେ ବିଜୁଳି ଖର୍ଚ୍ଚ ୬୨୦୦ କୋଟି ଟଙ୍କା ରହିଯିବ । ଅନ୍ୟପଟେ ଟଙ୍କା ବଂଚାଇବା ଯାଇ ପୁରୁଣା ଜ୍ଞାନକୌଶଳ ବ୍ୟବହୃତ ବଲଭ୍, ଫ୍ୟାନ, ଆଦି ଜିନିଷକୁ ବନ୍ଦ କରିବାକୁ ପାକିସ୍ତାନ ସରକାର ନିଷ୍ପତି ନେଇଛି । ପୁରୁଣା ବିଦ୍ୟୁତ୍ ଜନିତ ସାମଗ୍ରୀରେ ଅଧିକ ବିଦ୍ୟୁତ୍ ଖର୍ଚ୍ଚ ହେଉଥିବାରୁ ଏହାର ବ୍ୟବହାର କରାଯିବ ନାହିଁ । ଏଥିରେ ପାକିସ୍ତାନ ସରକାର ୨୨୦୦ କୋଟି ଟଙ୍କା ଖର୍ଚ୍ଚ ହେବାରୁ ରଖିପାରିବ ।
ଆର୍ଥôକ ଅବସ୍ଥା, ବନ୍ୟା ଓ ଖାଦ୍ୟ ସଙ୍କଟ ସହ ସଂଘର୍ଷ କରୁଥିବା ପାକିସ୍ତାନ ସାମ୍ନାରେ ଏବେ ଏକ ନୂତନ ସମସ୍ୟା ଉପୁଜିଛି । ପାକିସ୍ତାନ ଅଧିକୃତ କାଶ୍ମୀରର ଗିଲଗିଟ-ବାଲ୍ଟିସ୍ତାନ ପୁଣି ଥରେ ପାକିସ୍ତାନ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ବାସ୍ତବରେ ଏଠାକାର ଲୋକମାନେ ପାକିସ୍ତାନ ସରକାରଙ୍କ ଭେଦଭାବ ଓ ଅତ୍ୟାଚାର ନୀତିକୁ ନେଇ ଅତ୍ୟନ୍ତ କ୍ରୋଧିତ ଅଛନ୍ତି । ଏଠାକାର ଶତାଧିକ ଲୋକ ଭାରତର ଲଦାଖରେ ସେମାନଙ୍କୁ ମିଶାଇଦେବାକୁ ଦାବି କରିଛନ୍ତି । ଯେଉଁ ଦେଶର ନେତା, ମନ୍ତ୍ରୀ ଓ ଗଣମାଧ୍ୟମ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ନାଆଁ ଶୁଣିଲେ ଚିହିଁକି ଉଠୁଥିଲେ ଆଜି ସେହି ପାକ୍ ଖବରକାଗଜରେ ମୋଦୀଜୀଙ୍କୁ ପ୍ରଶଂସା କରାଯାଉଛି । ପାକିସ୍ତାନବାସୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ଼ ପ୍ରଶଂସକ ପାଲଟିଛନ୍ତି । ପାକିସ୍ତାନୀ ଖବରକାଗଜ ‘ଦି ଏକ୍ସପ୍ରେସ ଟ୍ରିବ୍ୟୁନ’ରେ ପ୍ରକାଶିତ ଏକ ପ୍ରବନ୍ଧରେ କୁହାଯାଇଛି ଯେ, ଭାରତ ବର୍ତମାନ ଜଣେ ଭଲ ନେତାଙ୍କ ହାତରେ ଅଛି । ପ୍ରଧାନମନ୍ତ୍ରୀ ମୋଦୀ ଭାରତକୁ ଏକ ଉଚ୍ଚ ସ୍ଥାନକୁ ନେଇଛନ୍ତି, ଯେଉଁଠାରୁ ଦେଶ ଏହାର ପ୍ରଭାବ ବିସ୍ତାର କରିପାରିବ । ଏହା ଆରମ୍ଭ ହୋଇସାରିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତର ବୈଦେଶିକ ନୀତିରେ ଉନ୍ନତି ଆସିଛି ଏବଂ ଦେଶର ଜିଡିପି ୩ଟ୍ରିଲିୟନ ଡଲାର ଅତିକ୍ରମ କରିଛି । ଏହି ସମୟରେ ସମସ୍ତ ନିବେଶକଙ୍କ ପାଇଁ ଭାରତ ଏକ ପ୍ରିୟ ଗନ୍ତବ୍ୟସ୍ଥଳ ପାଲଟିଛି । ଭାରତ ବିଶ୍ୱ ସ୍ତରରେ ଏହାର ପ୍ରଭାବ ବଢ଼ାଇଛି । ବିଶ୍ୱ ଫୋରମରେ ଭାରତର ଗ୍ରହଣୀୟତା ବୃଦ୍ଧି ପାଇଛି ।

Leave a Reply