Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆଧ୍ୟାତ୍ମିକ ପୁରୁଷ ସ୍ୱାମୀ ବିବେକାନନ୍ଦ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆଧ୍ୟାତ୍ମିକ ପୁରୁଷ ସ୍ୱାମୀ ବିବେକାନନ୍ଦ

-ଯଶସ୍ବିନୀ ପଟ୍ଟନାୟକ-

ଆଜି ହେଉଛି ସମଗ୍ର ବିଶ୍ୱରେ ଆଧ୍ୟାତ୍ମିକତାର ମହକ ଖେଳାଇ ଦେଇଥିବା ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ । ଏହି ଦିନ ସରକାରୀ ଭାବେ ଯୁବ ଦିବସର କାର୍ଯ୍ୟକ୍ରମ ସ୍ଥୀରିକୃତ ହୋଇ ଯୁବ ଦିବସ ଭାବେ ପାଳିତ ହେଉଛି । ସ୍ୱାମୀ ବିବେକାନନ୍ଦଙ୍କ ଦର୍ଶନ ଓ ଚେତନା ଆମ ସମସ୍ତଙ୍କ ପାଇଁ ପ୍ରାତଃ ସ୍ମରଣୀୟ ଓ ଶିକ୍ଷଣୀୟ । ସେଥିଲେ ସନ୍ଥ ରାମକୃଷ୍ଣ ପରମହଂସଙ୍କ ମୁଖ୍ୟ ଶିଷ୍ୟ । ତାଙ୍କ ପ୍ରଥମ ନାମ ଥିଲା ନରେନ୍ଦ୍ର ନାଥ ପରେ ସେ ସ୍ୱାମୀ ବିବେକାନନ୍ଦ ଭାବେ ଭାରତୀୟ ବେଦାନ୍ତ ଓ ଯୋଗ ଦର୍ଶନକୁ ପାଶ୍ଚାତ୍ୟ ଜଗତ୍‌ରେ ସୁପରିଚିତ କରାଇଥିଲେ । ସେ ହିନ୍ଦୁ ଧର୍ମକୁ ନବ ରୂପ ଦେବା ସହ ପାଶ୍ଚାତ୍ୟରେ ଲୋକପ୍ରିୟ କରାଇଥିଲେ । ଫଳ ସ୍ୱରୂପ ହିନ୍ଦୁ ଧର୍ମ ଏକ ବିଶାଳ ବିଶ୍ୱ ଧର୍ମର ମାନ୍ୟତା ପାଇଥିଲା । ୧୮୯୩ରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋରେ ଅନୁଷ୍ଠିତ ବିଶ୍ୱ ସ୍ତରର ଧର୍ମ ସମ୍ମିଳନୀରେ ସେ ଚମତ୍କାର ଭାଷଣ ଦେଇ ଉପସ୍ଥିତ ଧାର୍ମିକ ନର ନାରୀଙ୍କୁ ସ୍ତବ୍ଧ କରିଦେଇଥିଲେ । ସ୍ୱାମୀ ବିବେକାନନ୍ଦ ହିଁ ରାମକୃଷ୍ଣ ମିସନ୍ ଓ ରାମକୃଷ୍ଣ ମଠର ପ୍ରତିଷ୍ଠାତା । ସ୍ୱାମୀଜୀଙ୍କ ଜନ୍ମ କଲିକତାରେ ହୋଇଥିଲା । ୧୮୬୩ ମସିହା ଜାନୁଆରୀ ୧୨ ତାରିଖରେ । ସେ ଦିନ ଥିଲା ପବିତ୍ର ମକର ସଂକ୍ରାନ୍ତି । ତାଙ୍କର ପିଲାଦିନର ନାମ ଥିଲା ନରେନ୍ଦ୍ର ନାଥ ଦତ୍ତ । ପିତା ବିଶ୍ୱନାଥ ଦତ୍ତ କଲିକତା ହାଇକୋର୍ଟରେ ଜଣେ ବିଶିଷ୍ଟ ଓକିଲ ଥିଲେ । ସେ ପାଶ୍ଚାତ୍ୟ ଚେତନାର ଥିଲେ । ସେଥିପାଇଁ ପୁତ୍ରକୁ ଇଂରାଜୀ ପଢ଼ାଇ ପାଶ୍ଚାତ୍ୟ ବିଚାରଧାରାର ଅନୁଗାମୀ କରିବାକୁ ଚାହୁଁଥିଲେ । ମାତ୍ର ବିଧିର ବିଧାନ ଥିଲା ଭିନ୍ନ । ସ୍ୱାମୀଜୀଙ୍କ ମାତା ଭୁବନେଶ୍ୱରୀ ଦେବୀ ଭଗବତ୍ ବିଶ୍ୱାସୀ ଥିଲେ । ଯାହାର ପ୍ରଭାବ ପିଲାଦିନୁ ପଡ଼ିଥିଲା ବିବେକାନନ୍ଦଙ୍କ ଉପରେ । ସ୍ୱାମୀଜୀ ବାଲ୍ୟକାଳରୁ ଅତ୍ୟନ୍ତ ବିଚିକ୍ଷଣ ଥିଲେ । ସେ ଭାଗବତ ପ୍ରାପ୍ତି ନିମନ୍ତେ ସର୍ବଦା ବ୍ୟାକୁଳ ଥିଲେ । ଗୁରୁ ରାମକୃଷ୍ଣ ପରମହଂସଙ୍କୁ ଭେଟିବା ପରେ ସ୍ୱାମୀଜୀଙ୍କୁ ଜୀବନର ପରମଲକ୍ଷ୍ୟ ପ୍ରାପ୍ତ ହୋଇଥିଲା । ସେ କାଲକାତାର ଜେନ୍‌ରଲ୍ ଆସେଂବଲିକ୍ ଇନଷ୍ଟିଚ୍ୟୁସନ୍‌ରେ ପଢ଼ୁଥିବା ବେଳର ଏକ ଘଟନା । ଇଂରେଜୀ ସାହିତ୍ୟ ବିଭାଗର ପ୍ରଫେସର ୱିଲିଅମ୍ ହାଷ୍ଟି ୱିଲିଅମ୍ ୱର୍ଡ଼ସୱର୍ଥଙ୍କ ଦ ଏକସକର୍ସନ ପଢ଼ାଉଥାଆନ୍ତି । ଉକ୍ତ କବିତାରେ ଥିବା ଟ୍ରାନ୍‌ସ ଶବ୍‌ଦ ବାବାଦରେ ବିବେକାନନ୍ଦଙ୍କ ସମେତ ଅନେକ ବିଦ୍ୟାର୍ଥୀ ଅଧିକ ଜାଣିବାକୁ ଚାହିଁବାରୁ ଦକ୍ଷିଣେଶ୍ୱର କାଳୀ ମନ୍ଦିର ଯାଇ ରାମକୃଷ୍ଣଙ୍କୁ ଭେଟିବା ସକାଶେ ସେ ପରାମର୍ଶ ଦେଇଥିଲେ । ବିବେକାନନ୍ଦଙ୍କ ମନକୁ କଥାଟି ପାଇଥିଲେ ହେଁ ସେ ସଙ୍ଗେ ସଙ୍ଗେ ଯାଇପାରି ନଥିଲେ । ୧୮୮୧ରେ ସୁରେନ୍ଦ୍ର ନାଥ ମିତ୍ର (ରାମକୃଷ୍ଣଙ୍କ ପ୍ରମୁଖ ଶିଷ୍ୟ – ଅନୁଗାମୀଙ୍କ ମଧ୍ୟରେ ଜଣେ)ଙ୍କ ଘରେ ପ୍ରଥମ ଥର ପାଇଁ ରାମକୃଷ୍ଣଙ୍କୁ ସେ ଭେଟିଥିଲେ । ରାମକୃଷ୍ଣ, ତାଙ୍କୁ ଭଜନ ଗାଇବାକୁ କହିବାରୁ ସେ ସୁଲଳିତ କଣ୍ଠରେ ଗାଇ, ସମସ୍ତଙ୍କୁ ଅଭିଭୂତ କରିଥିଲେ । ସୁବିଧା ହେଲେ କାଳୀ ମନ୍ଦିର ଆସି ଦେଖା କରିବା ନିମନ୍ତେ ରାମକୃଷ୍ଣ କହିଥିଲେ । ସେହି ବର୍ଷ ଶେଷ ଆଡ଼କୁ ବିବେକାନନ୍ଦ ଯାଇଥିଲେ । ଦ୍ୱିତୀୟ ସାକ୍ଷାତ୍‌ରେ ରାମକୃଷ୍ଣଙ୍କ ବ୍ୟକ୍ତିତ୍ୱ, ତାଙ୍କୁ ଭଲ ଲାଗିଥିଲା ଏବଂ ସେ ବାରମ୍ବାର ଦେଖାକରିଥିଲେ । ଏହା ଦ୍ୱାରା ତାଙ୍କ ଜୀବନ ସଂପୂର୍ଣ୍ଣ ଭାବେ ବଦଳି ଯାଇଥିଲା । ତେବେ କିଛି ବି ହଠାତ୍ ଘଟି ନଥିଲା । ବିବେକାନନ୍ଦ ଭେଟୁଥିଲେ, ରାମକୃଷ୍ଣଙ୍କୁ ଶୁଣୁଥିଲେ । ହେଲେ, ମନରୁ ସଂଶୟ ଦୂର ହେଉ ନଥିଲା । ଏମିତି ବେଶ୍ କିଛି ବର୍ଷ କଟିଯାଇଥିଲା । ୧୮୮୪ରେ ବିବେକାନନ୍ଦ ପିତାଙ୍କୁ ହରାଇଲେ । ତାଙ୍କ ପରିବାରର ଆର୍ଥିକ ସ୍ଥିତି ବିଗିଡ଼ିଗଲା । ଏତେ ସମସ୍ୟା ସୃଷ୍ଟି ହେଲା ଯେ, ଭଗବାନଙ୍କ ଉପରୁ ଆସ୍ତା ହରାଇବା ପରି ଲାଗିଲା । ସେ ରାମକୃଷ୍ଣଙ୍କୁ ଭେଟି ଆର୍ଥିକ ସମସ୍ୟାର ସମାଧାନର ପନ୍ଥା ଜାଣିବାକୁ ଚାହିଁଲେ । ରାମକୃଷ୍ଣ ସେ ଦିନ କହିଥିଲେ, ତାଙ୍କ ହାତରେ କିଛି ନାହିଁ । ଯାହା ମାଗିବକୁ ଯାଇଥିଲେ ସତ, ପାର୍ଥିବ ଧନ ସଂପଦ ଆଦି ବଦଳରେ ମାଗି ବସିଲେ ଜ୍ଞାନ ଭକ୍ତି । ଉକ୍ତ ଘଟନାର କିଛି ଦିନ ପରେ ସେ ରାମକୃଷ୍ଣଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ । ୧୮୮୬ରେ ଗୁରୁଙ୍କ ମହାପ୍ରୟାଣ ପରେ, ତାଙ୍କର ମହାନ ବାଣୀର ପ୍ରଚାର ପାଇଁ ବରାନଗରରେ ପ୍ରଥମ ରାମକୃଷ୍ଣ ମଠ ପ୍ରତିଷ୍ଠା କରିଥିଲେ । ସେ ଭାଗବତ ପ୍ରାପ୍ତି ନିମନ୍ତେ ସର୍ବଦା ବ୍ୟାକୁଳ ଥିଲେ । ଗୁରୁ ରାମକୃଷ୍ଣ ପରମହଂସଙ୍କୁ ଭେଟିବା ପରେ ସ୍ୱାମୀଜୀଙ୍କୁ ଜୀବନର ପରମଲକ୍ଷ୍ୟ ପ୍ରାପ୍ତ ହୋଇଥିଲା । ସ୍ୱାମୀଜୀ ସ୍ୱପ୍ନଦ୍ରଷ୍ଟା ଥିଲେ । ସେ ଏଭଳି ଏକ ସମାଜର କଳ୍ପନା କରିଥିଲେ, ଯେଉଁଠି ଧର୍ମ ଏବଂ ଜାତି ଆଧାରରେ ସାମାଜିକ ବିଭାଜନ ନଥିବ । ସେ ବେଦାନ୍ତ ସିଦ୍ଧାନ୍ତକୁ ଏହି ରୂପରେ ଦେଖିଥିଲେ । ବିବେକାନନ୍ଦ ଯୁବକଙ୍କ ପାଇଁ ନୂତନ ଆଶା ଥିଲେ । ବର୍ତ୍ତମାନର ଯୁବପୀଢ଼ି ପାଇଁ ଏହି ଓଜସ୍ୱୀ ସନ୍ନ୍ୟାସୀଙ୍କ ଜୀବନ ଏକ ପରମ ଆଦର୍ଶ । ଚିକାଗୋ ଧର୍ମ ସମ୍ମିଳନୀରେ ବିବେକାନନ୍ଦଙ୍କ ଓଜସ୍ୱିନୀ ଭାଷଣ ବିଶ୍ୱ ଦରବାରରେ ଭାରତ ଏବଂ ଭାରତର ଆଧ୍ୟାତ୍ମିକତାର ଛବିକୁ ଅଧିକ ଉଜ୍ଜ୍ୱଳ କରିଥିଲା । ମାତୃଭୂମିକୁ ସେ ଅତି ଭଲ ପାଉଥିଲେ । ଥରେ ବିଦେଶରୁ ଫେରିବା ସମୟରେ ଜାହାଜରୁ ଦୌଡ଼ି ଆସି ସ୍ୱାମୀଜୀ ଭାରତ ଭୂଖଣ୍ଡ ମାଟି ଛୁଇଁ ଆତ୍ମହରା ହୋଇପଡ଼ିଥିଲେ । ଯୁବକମାନଙ୍କ ନେଇ ସ୍ୱାମୀଜୀ ଅନେକ ଆଶା ରଖିଥିଲେ । ଉତ୍ସାହୀ, ଉଦ୍ୟମୀ ଯୁବକମାନେ ହିଁ ଭାରତର କଲ୍ୟାଣ କରିପାରିବେ ବୋଲି ବିବେକାନନ୍ଦ ମତ ରଖିଥିଲେ । ସେ ଯୁବକମାନଙ୍କୁ ଉଭୟ ଇଂରାଜୀ ଏବଂ ସଂସ୍କୃତ ଶିକ୍ଷା ଲାଗି ରହୁଥିଲେ । କାରଣ ଇଂରାଜୀ ଶିକ୍ଷା ଦ୍ୱାରା ସେମାନେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ଜ୍ଞାନ ଆହରଣ କରିପାରିବେ । ସଂସ୍କୃତ ଶିକ୍ଷା ସେମାନଙ୍କୁ ଭାରତୀୟ ଦର୍ଶନ ଏବଂ ମୂଲ୍ୟବୋଧ ସହିତ ପରିଚିତ କରାଇପାରିବ । ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀକୁ ଭାରତରେ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଇଥାଏ । ପିଲାମାନେ ତୁମ୍ଭେମାନେ ବିବେକାନନ୍ଦଙ୍କ ରାଷ୍ଟ୍ରଭକ୍ତି, ସାମାଜିକ ଦାୟିତ୍ୱ, ସ୍ପଷ୍ଟବାଦୀତା, ପିତୃମାତୃ ସେବା, ଗୁରୁ ସମର୍ପଣ ଓ ରାଷ୍ଟ୍ରପତି ସର୍ବୋଚ୍ଚ ସମର୍ପଣ ଭିତ୍ତିକ ସାମାଜିକ ସେବାର ଗୁଣ ଗୁଡ଼ିକ ଆହରଣ କଲେ ଏହା ତାଙ୍କ ଜନ୍ମଦିନ ପାଇଁ ଶ୍ରେଷ୍ଠ ଭକ୍ତି ସୁମନ ହୋଇପାରିବ ।
ଅଧ୍ୟକ୍ଷା, ନାଳନ୍ଦା ପବ୍ଲିକ ସ୍କୁଲ, ସେକ୍ଟର-୮, ସିଡିଏ, କଟକ,

Leave a Reply