Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସଂଖ୍ୟାଲଘୁ ତୁଷ୍ଟିକରଣ ଓ ଓଡିଶା ସରକାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସଂଖ୍ୟାଲଘୁ ତୁଷ୍ଟିକରଣ ଓ ଓଡିଶା ସରକାର



ଭାରତୀୟ ସମାଜ ବିବାଦୀୟ ଢାଂଚାକୁ ହଟାଇ ଦେଇ ରାମ ମନ୍ଦିର ନିର୍ମାଣ ପାଇଁ ରାସ୍ତା ଖୋଲି ଦେଇଛନ୍ତି । ବର୍ତମାନ ରାମ ମନ୍ଦିର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଁଚି ଯାଇଛି । ହିମାଳୟ ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ, ଗୋପେଶ୍ୱର ଠାରୁ କାମାକ୍ଷା, ଜଗନ୍ନାଥ କ୍ଷେତ୍ର ଠାରୁ କେଦାରନାଥ, ସୋମନାଥ ରୁ କାଶୀ ବିଶ୍ୱନାଥ, ଅମୃତସରରୁ ପାଟନା ସାହେବ, ଆଣ୍ଡାମାନରୁ ଆଜମେର ପର୍ଯନ୍ତ ଏବେ ସମ୍ପୂର୍ଣ୍ଣ ଭାରତ ରାମମୟ ହୋଇ ଉଠିଛି । ସମଗ୍ର ଦେଶ ଆନନ୍ଦିତ । ଶତାବ୍ଦୀର ଅପେକ୍ଷା ଶେଷ ହୋଇଛି । ଆସନ୍ତା ବର୍ଷ ୨୦୨୩ ଜାନୁୟାରୀ ୨୨ ତାରିଖରେ ରାମଲାଲା ଭବ୍ୟ ମନ୍ଦିରରେ ବିରାଜମାନ କରିବେ । ଆଜି କୋଟି କୋଟି ଜନତା ଚାହିଁ ରହିଛନ୍ତି ସେହି ଶୁଭମୁହୁର୍ତକୁ । ସେମାନେ ନିଜ ଜୀବନରେ ଏହି ଶୁଭଦିନ ଦେଖିବାକୁ ସକ୍ଷମ ହେବେ । ଠିକ୍ ଏହି ସମୟରେ ଓଡିଶାରେ ଭାଗବାନ ରାମଙ୍କ ଅସ୍ତିତ୍ୱ ଉପରେ ପ୍ରଶ୍ନ ଉଠାଯାଇଛି । ରାମ ରାଜ୍ୟକୁ କଳ୍ପନା ପ୍ରସୁତ ବୋଲି କୁହାଯାଇଛି ।
ଓଡିଶା ଆଦର୍ଶ ବିଦ୍ୟାଳୟ ହେଉଛି ରାଜ୍ୟ ସରକାରଙ୍କ ପରିଚାଳିତ ଶିକ୍ଷା ଅନୁଷ୍ଠାନ । ଏହି ବିଦ୍ୟାଳୟର ୨୦୨୩ ଅର୍ଦ୍ଧବାର୍ଷିକ ପରୀକ୍ଷାର ଷଷ୍ଠ ଶ୍ରେଣୀର ଓଡିଆ ବିଷୟ ପ୍ରଶ୍ନ ପତ୍ରରେ ପ୍ରଭୁ ଶ୍ରୀରାମଙ୍କ ଅସ୍ତିତ୍ୱକୁ ନେଇ ବିବାଦୀୟ ପ୍ରଶ୍ନ । ପ୍ରଶ୍ନ ପତ୍ରରେ ରାମ ରାଜ୍ୟକୁ କଳ୍ପନା ପ୍ରସୁତ ଅତୀତର ରାମରାଜ୍ୟ ବୋଲି ଉଲ୍ଲେଖ କରାଯାଇଛି, ଏବଂ କୁହାଯାଇଛି ଅତୀତରେ ରାମରାଜ୍ୟ ନଥିଲା । ଏବେ ପ୍ରଶ୍ନ ଉଠୁଛି ଯଦି ରାମ ରାଜ୍ୟ ମିଛ ଥିଲା ତାହେଲେ ଭଗବାନ ରାମ ବି ମିଛ ଥିଲେ । ଏପରି କରିବା ଦ୍ୱାରା ହିନ୍ଦୁମାନଙ୍କ ଧାର୍ମିକ ଭାବନା ପ୍ରତି ଆଘାତ ପହଂଚା ଯାଇଛି । ସରକାରୀ ବିଦ୍ୟାଳୟମାନଙ୍କରେ ଏଭଳି କଥା କିଭଳି ଲେଖା ଯାଇପାରିଲା? ଗର୍ଭଗୃହରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ ପୂର୍ବରୁ ରାମଙ୍କ ଅସ୍ତିତ୍ୱକୁ ନେଇ ଓଡିଶାରେ ଯେଉଁ ପ୍ରଶ୍ନ ଉଠିଛି ଏହି ଷଡଯନ୍ତ୍ର ପଛରେ କିଏ ? କିପରି ଏଭଳି ପ୍ରଶ୍ନ ତିଆରି ହେଲା ? ଶିକ୍ଷାବିଭାଗ କିପରି ଏହାକୁ ଅନୁମତି ଦେଲା ? ଏହା ଏକ ଯୋଜନାବଦ୍ଧ ରାଜନୈତିକ ଷଡଯନ୍ତ୍ର ନୁହେଁ ତ? ମହାତ୍ମା ଗାନ୍ଧୀ ଯେଉଁ ରାମରାଜ୍ୟ କଥା କହୁଥିଲେ, ତାହା କଣ ମିଛ ଥିଲା ? ନା ଓଡିଶା ସରକାର ମହାତ୍ମା ଗାନ୍ଧୀଙ୍କ କଥାକୁ ମିଛ ବୋଲି ପ୍ରମାଣିତ କରିବାକୁ ଚାହୁଁଛନ୍ତି କି ? ଏହିଭଳି ଅନେକ ପ୍ରଶ୍ନ ଆଜି ଓଡିଶାବାସୀଙ୍କ ମନ ମସ୍ତିସ୍କକୁ ଆନ୍ଦୋଳିତ କହୁଛି, ତାହାର ଉତର ଦେବ କିଏ ?
କେବେଳ ଓଡିଶାର ଆଦର୍ଶବିଦ୍ୟାଳୟର ପ୍ରଶ୍ନ ପତ୍ରରେ ଏହି ଆଦର୍ଶବିହୀନ ପ୍ରଶ୍ନ ପଚରା ଯାଇନି । ଏହା ପୂର୍ବରୁ କିଛି ଲୋକ ଭାଗବାନ ରାମଙ୍କ ଅସ୍ତିତ୍ୱ ଉପରେ ପ୍ରଶ୍ନ ଉଠାଉଛନ୍ତି । କିଛି ଦିନ ତଳେ ରାମାୟଣକୁ ନେଇ ହିନ୍ଦୁସ୍ତାନୀ ଅବାମ ମୋର୍ଚ୍ଚାର ଅଧ୍ୟକ୍ଷ ଜୀତନ ରାମ ମାଝି ମଧ୍ୟ ପ୍ରଶ୍ନ ଉଠାଇ ଥିଲେ । ସେ ଭଗବାନ ଶ୍ରୀରାମଙ୍କ ଅସ୍ତିତ୍ୱ ଉପରେ ପ୍ରଶ୍ନ ଉଠାଇବା ସହିତ ଐତିହାସିକତା ଉପରେ ମଧ୍ୟ ପ୍ରଶ୍ନ ଉଠାଇ ଥିଲେ । ସେ କହିଥିଲେ ଭଗବାନ ଶ୍ରୀରାମ ଜଣେ କାଳ୍ପନିକ ବ୍ୟକ୍ତିତ୍ୱ । ଶ୍ରୀରାମଙ୍କୁ ମହାପୁରୁଷ ମାନିବାକୁ ମଧ୍ୟ ସେ କୁଣ୍ଠାବୋଧ କରିଥିଲେ । ଦେଶର ଏକ ରାଜନୈତିକ ଦଳ ରାମଙ୍କୁ ତାଲା ପକାଇ ରଖିଥିଲେ । ରାମ ମନ୍ଦିରକୁ ମଧ୍ୟ ବନ୍ଦ କରି ରଖିଥିଲେ । ବଜରଙ୍ଗବାଲୀ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲେ । ଏହି ସମାନ ବ୍ୟକ୍ତି ଯେଉଁମାନେ ରାମସେତୁ ର ଅସ୍ତିତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ ।
କିଛି ଲୋକ ରାମଚରିତ ମାନସକୁ ନିଆଁରେ ଜଳାଇ ରାମଙ୍କ ଅସ୍ତିତ୍ୱ ଉପରେ ପ୍ରଶ୍ନ ସୃଷ୍ଟ କରିବାକୁ ଚାହାଁନ୍ତି । ଏହା ଅତି ମୁର୍ଖତାର ପରିଚୟ । ଘୋରି, ଗଜନୀ, ଲୋଦି, ଖିଲିଜି, ମୋଗଲ,ଇଂରେଜ ଇତ୍ୟାଦି ଆସି ଚାଲିଯାଇଛନ୍ତି । କିନ୍ତୁ ରାମଙ୍କ ଅସ୍ତିତ୍ୱ ସେହି ପରି ଅକ୍ଷୁର୍ଣ୍ଣ ରହିଛି । ରାମ ହେଉଛନ୍ତି ଭାରତର ଆତ୍ମା । ରାମଙ୍କ ବିନା ଭାରତୀୟ ସଂସ୍କୃତିକୁ ବୁଝିବା ଅସମ୍ଭବ । ରାମଙ୍କ ଚରିତ୍ର ପ୍ରତ୍ୟେକ ପରିବାର ପାଇଁ ଆଦର୍ଶ ଅଟେ । ପ୍ରତ୍ୟେକ ବ୍ୟକ୍ତି ରାମଙ୍କ ପରି ପୁତ୍ର, ଲକ୍ଷ୍ମଣ-ଭରତ-ଶତ୍ରୁଘ୍ନଙ୍କ ପରି ଭାଇ, ସୀତାଙ୍କ ପରି ପତ୍ନୀ, ହନୁମାନଙ୍କ ପରି ସେବା ଓ ଭକ୍ତି ଚାହାଁନ୍ତି । ରାମ ସମସ୍ତଙ୍କର, ସମସ୍ତେ ରାମଙ୍କର ଅଟନ୍ତି । ତୁଳସୀଙ୍କ ରାମଙ୍କ ଉପରେ ଯଦି ଆପଣଙ୍କର କିଛି ସମସ୍ୟା ଅଛି, ତେବେ ତୁମର ଇଛା ଅନୁଯାୟୀ ରାମ ଖୋଜନ୍ତୁ । ଯେପରି କବିର ଖୋଜିଥିଲେ, ଗୁରୁ ନାନକ ଖୋଜିଥିଲେ, ଗୁରୁ ଗୋବିନ୍ଦ ସିଂ ଖୋଜିଥିଲେ । ରାମଙ୍କ ଉପରେ ପ୍ରହାର କରି ଆପଣ ରାମଙ୍କ ଅସ୍ତିତ୍ୱକୁ ଲିଭାଇ ପାରିବେ ନାହିଁ କିନ୍ତୁ ନିଶ୍ଚିତ ଭାବରେ ଆପଣ ନିଜର ପୁରୁଷାର୍ଥ ଉପରେ ପ୍ରଶ୍ନ ଉଠାଉଛନ୍ତି ।
ଯେଉଁମାନେ ପ୍ରଭୁ ରାମଙ୍କ ଅସ୍ତିତ୍ୱ ବିଷୟରେ ବେଳେ ବେଳେ କିଛି ବ୍ୟକ୍ତି ପ୍ରଶ୍ନ ଉଠାଉଛନ୍ତି । କାଳ୍ପନିକ ବୋଲି କହୁଛନ୍ତି କିନ୍ତୁ ସେମାନେ କୌଣସି ଠୋସ୍ ପ୍ରମାଣ କେବେ ଉପସ୍ଥାପିତ କରି ପାରିନାହାଁନ୍ତି । ବର୍ତମାନର ବୈଜ୍ଞାନିକମାନେ ପ୍ରଭୂ ଶ୍ରୀରାମଙ୍କ ଅସ୍ତିତ୍ୱ ଉପରେ ମୋହର ଲଗାଇଛନ୍ତି ବା ନିଶ୍ଚିତ କରିଛନ୍ତି । ଦିଲ୍ଲୀର ଇନଷ୍ଟିଚୁ୍‌୍ୟଟ ଫର୍ ସାଇଂଟିଫିକ୍ ରିସର୍ଚ୍ଚ ଅନ୍ ବେଦାଜ(ଆଇ-ସର୍ବେ ତ୍ରେତୟା ଯୁଗର ଭଗବାନ ରାମଙ୍କ ପ୍ରକୃତ ଜନ୍ମ ତାରିଖ ଜାଣିବାରେ ସଫଳ ହୋଇଛନ୍ତି । ବୈଜ୍ଞାନିକ ଆଧାରରେ ଏହା ପ୍ରମାଣ କରିଥିବାର ଅନୁଷ୍ଠାନ ମଧ୍ୟ ଦାବି କରିଛି । ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ ବାଲା ଗଣମାଧ୍ୟମ ସହିତ ଏକ ବିଶେଷ ବାର୍ତାଳାପରେ କହିଛନ୍ତି ଯେ, ଆମର ସହକର୍ମୀ ତଥା ପ୍ଲାନେଟେରିୟମ ସପ୍ଟୱେର ମାଧ୍ୟମରେ ଆମେ ପ୍ରଭୁ ରାମଙ୍କ ଜନ୍ମ ତାରିଖ ବିଷୟରେ ସଠିକ୍ ସୂଚନା ପାଇଛୁ । ଏହା ମଧ୍ୟ ପ୍ରଭୁ ରାମଙ୍କ ଅସ୍ତିତ୍ୱକୁ ପ୍ରମାଣିତ କରେ । ପ୍ରଭୁ ରାମ ଖ୍ରୀଷ୍ଟପୂର୍ବ ୧୦ ଜାନୁୟାରୀ ୧୦୧୪ରେ ଜନ୍ମ ହୋଇଥିଲେ । ସେଦିନ ଥିଲା ଚୈତ୍ର ମାସ ଶୁକ୍ଲପକ୍ଷ ନବମୀ । ଜନ୍ମ ସମୟ ଥିଲା ମଧ୍ୟାହ୍ନ ୧୨ଟାରୁ ୨ଟା ମଧ୍ୟରେ । କେବଳ ଏତିକି ନୁହେଁ ବର୍ତମାନର ବୈଜ୍ଞାନିକମାନେ କହିଛନ୍ତି ସେମାନେ ଏବେ ଅନ୍ୟ ପୌରାଣିକ ଚରିତ୍ର ଗୁଡିକର ଜନ୍ମ ତାରିଖ ଏବଂ ଅସ୍ତିତ୍ୱ ବିଷୟରେ ଯାଂଚ କରିଛନ୍ତି ।
ନାସା ରାମସେତୁର ଅସ୍ତିତ୍ୱକୁ ସ୍ୱୀକାର କରିଛି । ପତ୍ନତତ୍ୱ ବିଭାଗ ରାମ ଜନ୍ମଭୂମି ଖନନ ବେଳେ ସେଠାରେ ମନ୍ଦିରର ଅବଶେଷ ଦେଖିବାକୁ ମିଳିଥିଲା । ତେଣୁ ଯେଉଁମାନେ ଭଗବାନ ରାମଙ୍କ ଅସ୍ତିତ୍ୱ ନେଇ ପ୍ରଶ୍ନ ଉଠାଉଛନ୍ତି ବା କାଳ୍ପନିକ ଚରିତ୍ର ବୋଲି କହୁଛନ୍ତି ସେମାନେ ରାମାୟଣ ପଢନ୍ତୁ, ତେବେ ଭଗବାନ ଶ୍ରୀରାମଙ୍କ ପ୍ରତି ଭକ୍ତି ଭାବନା ମଧ୍ୟ ସେମାନଙ୍କ ମନରେ ଜାଗ୍ରତ ହେବ । ରାମାୟଣ ଶତାବ୍ଦୀ ଶତାବ୍ଦୀ ଧରି ସମସ୍ତଙ୍କୁ ସଠିକ ରାସ୍ତା ଦେଖାଉଛି । ରାମାୟଣ ଏକ ଉତମ ଗ୍ରନ୍ଥ । ରାମାୟଣର ସମସ୍ତ ବିଷୟ ଶିକ୍ଷଣୀୟ ଯୋଗ୍ୟ । ଉତମ ବ୍ୟକ୍ତତ୍ୱ ନିର୍ମାଣରେ ରାମାୟଣର ସନ୍ଦେଶ ସହାୟକ ହୋଇଥାଏ । ରାମାୟଣରେ ମାତୃଶକ୍ତିଙ୍କୁ ଉଚ୍ଚ ସ୍ଥାନ ଦିଆଯାଇଛି । ବୟସ୍କମାନଙ୍କୁ ବା ଗୁରୁ ଗୁରୁଜନମାନଙ୍କୁ କିପରି ସମ୍ମାନ ଦିଆଯାଏ ତାହା ରାମୟଣରୁ ଶିକ୍ଷା ମିଳିଥାଏ । ତେଣୁ ଏହାକୁ ବିଦ୍ୟାଳୟର ଶିକ୍ଷାରେ ସାମିଲ କରାଯିବା ଉଚିତ । ସେପରି ନକରି ଓଡିଶା ସରକାରଙ୍କ ଦ୍ୱାରା ପରିଚାଳିତ ଆଦର୍ଶ ବିଦ୍ୟାଳୟ ପିଲାମାନଙ୍କୁ ଶିକ୍ଷା ଦେଉଛି କଳ୍ପନାପ୍ରସୁତ ଅତୀତର ରାମରାଜ୍ୟ । ଅତୀତରେ ରାମ ରାଜ୍ୟ ନଥିଲା, ଖାଲି ପଶ୍ଚାତମୁଖୀ ପରାଜିତ ଲୋକଙ୍କ ରଙ୍ଗୀନ ଚଷମା ଭିତର ଦେଇ ଏହା ଦେଖାଯାଇଥାଏ ।
ଓଡିଶା ସରକାରଙ୍କ ଶିକ୍ଷା ବିଭାଗ ଏପରି ସନ୍ଦେଶ ଦେଇ କୋମଳମତୀ ଛାତ୍ରଛାତ୍ରୀଙ୍କ ମନରେ ଏପରି ବିଷ ଭରି ଦେଇ ଭାରତର ପୁରାତନ ସଭ୍ୟତା ଓ ସଂସ୍କୃତିରୁ ଦୁରେଇ ଦେବାକୁ ଯୋଜନା କରୁନାହାଁନ୍ତି ତ ?
ଆଦର୍ଶ ବିଦ୍ୟାଳୟର ଆଦର୍ଶହୀନ ପ୍ରଶ୍ନ ଉପରେ ଓଡିଶା ସରକାର କୌଣସି ସ୍ପଷ୍ଟିକରଣ ଦେଇ ନାହାଁନ୍ତି କି ଏପରି ଚକ୍ରାନ୍ତକାରୀଙ୍କ ବିରୋଧରେ କୌଣସି ଦଣ୍ଡ ବିଧାନ କରିନାହାଁନ୍ତି । ଅନ୍ୟ ରାଜ୍ୟପରି ଓଡିଶାରେ ଚାଲିଛି ସନାତନ ବିରୋଧୀ ଆଭିମୁଖ୍ୟ । ଏହା ଆଗରୁ ଜଗନ୍ନାଥ ସଂସ୍କୃତି ଓ ସନାତନ ସଂସ୍କୃତି ବିରୋଧୀ ଆଭିମୁଖ୍ୟ ଆପଣେଇ ଆସିଛନ୍ତି ଓଡିଶା ସରକାର । ଶ୍ରୀଜଗନ୍ନାଥଙ୍କ ସହ ଜଡିତ ଅନେକ ପ୍ରସଙ୍ଗରେ ଓଡିଶା ସରକାରଙ୍କର ବିବାଦୀୟ ଭୂମିକା ରହି ଆସିଛି । ୨୦୧୫ ନବକଳେବର ସମୟରେ ବ୍ରହ୍ମ ପରିବର୍ତନ ବେଳେ ହୋଇଥିଲା ଘୋର ବିଭ୍ରାଟ । ସମ୍ମୁଖକୁ ଆସିଥିଲା ରାଜ୍ୟ ସରକାରଙ୍କ ଚରମ ଅବହେଳା ଓ ଅପାରଗତା । କରୋନା ସମୟରେ ବାହାନା କରି ରଥଯାତ୍ରା ବନ୍ଦ କରିବାକୁ ଚାହୁଁଥିଲେ ରାଜ୍ୟ ସରକାର । କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶରେ ସୁରୁଖୁରୁରେ ଅନୁଷ୍ଠିତ ହୋଇଥିଲା ରଥଯାତ୍ରା । ଶ୍ରୀମନ୍ଦିର ଚାରିଦ୍ୱାରା ଖୋଲିବାରେ ମଧ୍ୟ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଭୁଆଁ ବୁଲାଉଛନ୍ତି ଏ ସରକାର । ଏବେ କେବଳ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି ଭକ୍ତ । ଯେତେ ଗୁହାରୀ କଲେ କି ଆନ୍ଦୋଳନ କଲେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି ରାଜ୍ୟ ସରକାର । ଶ୍ରୀମନ୍ଦିରରେ ନୀତି ବିଭ୍ରାଟଜନିତ ନୀତି ପାଲଟି ଯାଇଛି ସରକାରୀ ନୀତି । କିଛି ମାସେ ତଳେ ବନକ ଲାଗି ନୀତି ପ୍ରାୟ ୪ମାସ ବନ୍ଦ ରହିବା ପରେ ନିଷ୍ପତି ହୋଇଥିଲା ମାସକୁ ଦୁଇ ଥର ବନକଲାଗି କରାଯିବ । ଏହା ସତ୍ୱେ ବି ରଥଯାତ୍ରା ପରେ ମାସରେ ଅଧିକ ସମୟ ଧରି ହୋଇ ପାନିନଥିଲା ବନକ ଲାଗି ନୀତି । କେବଳ ସେତିକି ନୁହେଁ । ରାଜ୍ୟର ବର୍ତମାନ ବିଜେଡି ସରକାର ସଂଖ୍ୟାଲଘୁ ତାଉଆରେ ରୁଟି ସେକିବାରେ ବ୍ୟସ୍ତ ରହିଛନ୍ତି । ଗୋଟିଏ ପରେ ଗୋଟିଏ ଯୋଜନ କରି ସଂଖ୍ୟାଲଘୁମାନଙ୍କୁ ଖୁସି କରିବାରେ ବ୍ୟସ୍ତ ଅଛନ୍ତି । ଏବେ ମୁସଲମାନମାନଙ୍କୁ ଖୁସି କରିବା ପାଇଁ ମୁସଲମାନ ନଥିବା ଗାଁରେ ମସଜିଦ୍ ନିର୍ମାଣ କରିବାକୁ ଅର୍ଥ ଯୋଗାଇ ଦେଉଛନ୍ତି ଏ ସରକାର । “ଆମ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ ଦ୍ୱାରା ସେହି ଅଂଚଳରେ ହିଂସା ଓ ଅଶାନ୍ତି ସୃଷ୍ଟି କରିବା ପାଇଁ ଯୋଜନା ହେଉଛି ବୋଲି ମୟୁରଭଂଜ ଜିଲ୍ଲା ବେତନଟୀ ବ୍ଲକର ବୈଶିଙ୍ଗା ପଂଚାୟତର ଡାହିବାହି ଗାଁ ଲୋକେ ଆଣିଛନ୍ତି ଏପରି ଅଭିଯୋଗ । ଗ୍ରାମର ସମସ୍ତ ବାସିନ୍ଦାମାନେ ଆଦିବାସୀ ବର୍ଗର ହୋଇଥିବା ବେଳେ ଏଠାରେ କାହିଁକି ମସଜିଦ ନିର୍ମାଣ ହେବାକୁ ଯାଉଛି ଯାହାକୁ ନେଇ ଗ୍ରାମବାସୀମାନେ ନଭେମ୍ବର ୬ ତାରିଖ ଦିନ ଏକ ଲିଖିତ ଅଭିଯୋଗ ଜିଲ୍ଲାପାଳଙ୍କ ପାଖରେ କରିଛନ୍ତି । ଏ ଘଟଣାକ ନେଇ ବିରୋଧୀ ଦଳମାନେ ଅଭିଯୋଗ କରୁଛନ୍ତି ଯେ ଓଡିଶାର ବିଜେଡି ସରକାର ତୁଷ୍ଟିକରଣ ରାଜନୀତି ଚରମ ସୀମାରେ ପହଁଚି ଯାଇଛନ୍ତି । ତେଣୁ ନେଡିଗୁଡ କହୁଣୀକୁ ବୋହି ଯିବା ପୂର୍ବରୁ ନିଜ ଧର୍ମ, ସଂସ୍କୃତି ଓ ପରମ୍ପରାକୁ ବଂଚାଇ ରଖିବା ପାଇଁ ଅନ୍ୟ କାହାର ହାତ ହଲାକୁ ନଦେଖି ନିଜେ ହାତ ହରାଇବାକୁ ଚେଷ୍ଟା କରନ୍ତୁ । ନିଜ ପିଲାମାନଙ୍କୁ ଠିକ୍ ଶିକ୍ଷା ଦେବା ପାଇଁ ଦାବି କରନ୍ତୁ । ଭୁଲ ଶିକ୍ଷା ଦେଉଥିବା ରାଜ୍ୟ ସରକାରକୁ ଠିକ୍ ରାସ୍ତା ଦେଖାଇ ଦେବା ପାଇଁ ରାଜରାସ୍ତାକୁ ଓହ୍ଲାଇ ଆସନ୍ତୁ ।

Leave a Reply