Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶିକ୍ଷା ନାମରେ କେତେ ଦିନ ଧରି ନୂଆ ପୀଢୀ ପିଉଥିବ ବାମପନ୍ଥୀ ବିଷ ? - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶିକ୍ଷା ନାମରେ କେତେ ଦିନ ଧରି ନୂଆ ପୀଢୀ ପିଉଥିବ ବାମପନ୍ଥୀ ବିଷ ?

ଡ. ସମନ୍ୱୟ ନନ୍ଦ –

ଏବେ ଓଡିଶା ଆଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ସାହିତ୍ୟ ପ୍ରଶ୍ନ ପତ୍ରରେ ରାମ ରାଜ୍ୟ କଳ୍ପନା ପ୍ରସୁତ ବୋଲି ଉଲ୍ଲେଖ କରାଯାଇ ପିଲା ମାନଙ୍କୁ ପ୍ରଶ୍ନ ଦିଆଯାଇଥିଲା । ଏହାକୁ ନେଇ ବିରୋଧ ଓ ପ୍ରତିବାଦର ସ୍ୱର ଶୁଣା ଯାଉଛି । ଓଡିଶା ସରକାରଙ୍କ ଦ୍ୱାରା ପରିଚାଳିତ ଏହି ବିଦ୍ୟାଳୟରେ ପଚରାଯାଇଥିବା ପ୍ରଶ୍ନ ପତ୍ରରେ ପ୍ରଭୁ ଶ୍ରୀରାମଙ୍କ ଅସ୍ତିତ୍ୱକୁ ଅସ୍ୱୀକାର କରାଯାଇ ପ୍ରଭୁ ଶ୍ରୀରାମଙ୍କୁ କପୋଳ କଳ୍ପନା ବୋଲି ପିଲାମାନଙ୍କ ମନରେ ପୂରାଇବାକୁ ଚେଷ୍ଟା କରା ଯାଉଛି । ଭାରତ ବର୍ଷ ହେଉଛି ରାମ, କୃଷ୍ଣଙ୍କ ଦେଶ । ହଜାର ହଜାର ବର୍ଷ ଧରି ସେମାନେ ହେଉଛନ୍ତି ଦେଶର ଆଦର୍ଶ । ହେଲେ ଶିକ୍ଷା ନାମରେ କୋମଳମତି ପିଲା ମାନଙ୍କୁ ଏଭଳି ପାଠ ପଢା ଯାଇ ଦେଶର ହଜାର ହଜାର ବର୍ଷର ସଭ୍ୟତା ଓ ସଂସ୍କୃତିରୁ କାଟିବାକୁ ଚେଷ୍ଟା କରାଯାଇଛି । ଗାନ୍ଧୀଜୀ ରାମରାଜ୍ୟ କଥା କହୁଥିଲେ । ଓଡିଶା ସରକାର ମଧ୍ୟ ଗାନ୍ଧୀଜୀଙ୍କ କଥା କୁହନ୍ତି । ଗାନ୍ଧୀଜୀଙ୍କ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସାମିଲ କରିବାକୁ ବାରମ୍ବାର ଦାବି କରିଥାନ୍ତି । ହେଲେ ସେହି ଓଡିଶା ସରକାର ଗାନ୍ଧୀଜୀ କହୁଥିଲେ ମଧ୍ୟ ବାସ୍ତବରେ ଗାନ୍ଧୀଜୀଙ୍କୁ ମାନନ୍ତି ନାହିଁ । ନ ହେଲେ ଗାନ୍ଧୀଜୀ ସବୁବେଳେ ଚାହୁଁଥିବା ରାମରାଜ୍ୟକୁ କଳ୍ପନା ପ୍ରସୁତ ବୋଲି ପ୍ରଶ୍ନପତ୍ରରେ ପଚରା ଯାଇ ନ ଥାନ୍ତା । ଏହା କୌଣସି ନୂଆ କଥା ନୁହେଁ । ଏହା ଓଡିଶା ସମେତ ସାରା ଦେଶରେ ଲଗାତାର ଭାବେ ଚାଲି ଆସିଛି । ଶିକ୍ଷା ନାମରେ ହିନ୍ଦୁ ଓ ଭାରତ ବିରୋଧର ବାମପନ୍ଥୀ ବିଷ ନୂଆ ପୀଢୀର ଛାତ୍ର ଛାତ୍ରୀ ମାନଙ୍କୁ ପିଆଇବାକୁ ଚେଷ୍ଟା କରି ଆସୁଛନ୍ତି ।
ଏହାର କିଛି ଉଦାହରଣ ଉପରେ ଦୃଷ୍ଟି ପକାଇବା । ଗତ ନଭେମ୍ବର ପହିଲାରେ ହରିଆଣାର ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟିର ଏକ ପାଲେଷ୍ଟାଇନ ବିଷୟକୁ ନେଇ ଏକ ବ୍ୟାଖ୍ୟାନର ଭି଼ଡିଓ ସୋସିଆଲ ମିଡିଆରେ ଆସିଥିଲା । ଏହାକୁ ନେଇ ମଧ୍ୟ ବର୍ତମାନ ଖୁବ ଚର୍ଚା ହେଉଛି । ଏହି ଭିଡିଓରେ ବକ୍ତା ଥିଲେ ପ୍ରଫେସର ଅଚିନ ବନାୟକ । ସୋସିଆଲ ମିଡିଆରେ ତାଙ୍କର ଯେଉଁ ଭାଷଣ ଉପଲବ୍ଧ ରହିଛି ସେଥିରେ ଦେଖା ଯାଉଛି ଯେ ସେ ପାଲେଷ୍ଟାଇନ ସମ୍ପର୍କରେ କହିବା ବଦଳରେ ଆତଙ୍କବାଦୀ ସଂଗଠନ ହମାସର ସମର୍ଥନରେ କହୁଥିବା ଦେଖିବାକୁ ମିଳିଥିଲା ।
ଏହି ଭାଷଣରେ ପ୍ରଫେସର ଜଣଙ୍କ ପୁଲୱାମା ଠାରେ ହୋଇଥିବା ଭୟଙ୍କର ଆକ୍ରମଣର ପ୍ରତିଶୋଧ ନେବାକୁ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ଆତଙ୍କବାଦ ବୋଲି କହୁଥିବା ଦେଖିବାକୁ ମିଳୁଛି । ପୁଲୱାମାରେ ଯଦି ଆକ୍ରମଣକୁ ଆମେ ଆତଙ୍କବାଦ ବୋଲି କହିବା ତେବେ ପାକିସ୍ତାନରେ ଯାଇ ସେମାନଙ୍କର ସୈନିକ ମାନଙ୍କୁ ମାରିବା ମଧ୍ୟ ଆତଙ୍କବାଦ ବୋଲି କହିବାକୁ ସେ ଚେଷ୍ଟା କରିଥିଲେ । ପ୍ରଫେସର ଜଣଙ୍କ ଏହି ଭିଡିଓ ଆତ୍ମଘାତୀ ଆତଙ୍କବାଦୀ ମାନଙ୍କୁ କ୍ଲିନ ଚିଟ ଦେବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ସେ କହିଥିଲେ ଯେ ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ଜଣକ ନିଜକୁ ମାରିବାକୁ ପ୍ରସ୍ତୁତ ରହିଥାଏ । ତାର ଅଧିକରୁ ଅଧିକ ଲୋକଙ୍କୁ ମାରିବାର କୌଣସି ଇଚ୍ଛା ନ ଥାଏ । ବିଭିନ୍ନ କୁତର୍କ ମାନେ ଦେଇ ସେ ପିଲା ମାନଙ୍କ ମନ ମସ୍ତିଷ୍କରେ ବିଷ ଭର୍ତି କରିବାକୁ ଚେଷ୍ଟା କରୁଛନ୍ତି ।
ଗତ ବର୍ଷ ମଧ୍ୟ ଏହିପରି ଏକ ଘଟଣା ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟି ଠାରେ ଘଟିଥିଲା । ସେତେବେଳେ ଉକ୍ତ ବିଶ୍ୱବିଦ୍ୟାଳୟର ଶ୍ରୁତି ପାଂଡେ ନାମକ ଜଣେ ମହିଳା ପ୍ରଫେସର ପଢାଉଥିବା ପାଠର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଉକ୍ତ ଭିଡିଓରେ ମହିଳା ପ୍ରଫେସର ଜଣଙ୍କ କହୁଥିଲେ ଯେ ସମସ୍ତ ହିନ୍ଦୁ ଅସ୍ପୃଶ୍ୟତାକୁ ପାଳନ କରନ୍ତି । ସେ କହୁଛନ୍ତି ଯେ “ମୋତେ ଆଇନ ପଢାଇଥିବା ପ୍ରଫେସର ବକ୍ସି କହିଥିଲେ ଯେ ପ୍ରତ୍ୟେକ ହିନ୍ଦୁ ଛୁଆଁ-ଅଛୁଆଁ ମାନନ୍ତି । ଏପରି ମୁଁ ଭାବୁ ନାହିଁ ବୋଲି ପ୍ରଥମେ ତାଙ୍କୁ ମୁଁ କହିଥିଲି । ହେଲେ ବନ୍ଧୁଗଣ, ଏହା ସତ ।”ସେ ଆଗକୁ ଆହୁରି କହିଥିଲେ – ”ଏହା ଜେଣ୍ଡର ଭଳି ଆଭ୍ୟନ୍ତରୀଣ । ତେଣୁ ମୋ ଅନୁଯାୟୀ ପ୍ରତ୍ୟେକ ହିନ୍ଦୁ ଅସ୍ପୃଶ୍ୟତାର ପାଳନ କରିଥାଏ । ” ସେ ତାଙ୍କ ପ୍ରଫେସରକୁ ଉଦ୍ଧୃତ କରି କହିଛନ୍ତି ଅସ୍ପୃଶ୍ୟତା କାରଣରୁ ହିଁ ହିନ୍ଦୁ ଧର୍ମର ଅସ୍ତିତ୍ୱ ରହିଛି । ସେ ଆହୁରି କହିଥିଲେ ଯେ ବିଧବା ବିବାହ ହିନ୍ଦୁ ଧର୍ମରେ ଅନୁମତି ରହିଛି । ହେଲେ ଇସଲାମରେ ବିଧବା ବିବାହ ଅଧିକ ସ୍ୱୀକାର୍ଯ୍ୟ ।
ସେ ଉକ୍ତ ପାଠପଢା ବେଳେ ଛାତ୍ର ଛାତ୍ରୀ ମାନଙ୍କୁ ହିନ୍ଦୁକୁ ଖରାପ ଦର୍ଶାଇ ଇସଲାମର ପ୍ରଶଂସା କରିବାକୁ ଚେଷ୍ଟା କରିଥିଲେ । ହେଲେ ସେ ତାଙ୍କର ପାଠପଢାରେ ଇସଲାମରେ ଥିବା ତିନ- ତଲାକ, ହଲାଲା ଭଳି କୁରୀତି ସମ୍ପର୍କରେ କିଛି କହି ନଥିଲେ ।
କେବେ ତକ୍ଷଶୀଳା ଓ ନାଳନ୍ଦା ଭଳି ବିଶ୍ୱବିଦ୍ୟାଳୟ ଭାରତୀୟ ସନାତନ ସଭ୍ୟତାର ପରିଚୟ ଥିଲା । ସୁଦୂର ଦେଶ ମାନଙ୍କରୁ ଛାତ୍ର ମାନେ ଜ୍ଞାନ ଅର୍ଜନ କରିବାକୁ ଏହି ବିଶ୍ୱବିଦ୍ୟାଳୟ ମାନଙ୍କୁ ଆସୁଥିଲେ । ଏହି ଠାରୁ ହିଁ ଭାରତୀୟ ଓ ହିନ୍ଦୁ ସଭ୍ୟତାର ଜ୍ଞାନ- ବିଜ୍ଞାନ ବିଶ୍ୱର କୋଣ ଅନୁକୋଣକୁ ବ୍ୟାପିଥିଲା । ତେବେ ବିଦେଶୀ ଆକ୍ରମଣକାରୀ ମାନେ ଏହି ଭାରତୀୟ ବିଶ୍ୱବିଦ୍ୟାଳୟ ଓ ଜ୍ଞାନାର୍ଜନର କେନ୍ଦ୍ର ଗୁଡିକୁ ଧ୍ୱଂସ କରି ଦେଇଥିଲେ ।
ଇଂରେଜ ମାନେ ଭାରତରେ ଶାସନ କରିବା ପରେ ମେକାଲେ ଦ୍ୱାରା ପ୍ରଣୀତ ଶିକ୍ଷା ନୀତି ଲାଗୁ କରିଥିଲେ, ଯାହାର ଉଦ୍ଦେଶ୍ୟ ଭାରତୀୟ ମାନଙ୍କର ଏକ ବର୍ଗ ତିଆରି କରିବାର ଥିଲା ଯାହା ରଙ୍ଗରୁ ତ କଳା ହୋଇଥିବ ହେଲେ ବିଚାରରେ ଇଂରେଜ ହୋଇଥିବ । ଏଥିରୁ ନିର୍ମିତ ଭାରତୀୟ ମାନେ ଭାରତର ସଭ୍ୟତା, ସଂସ୍କୃତି, ପରମ୍ପରାକୁ ଘୃଣା କରିବେ ଓ ଇଂରେଜ ମାନଙ୍କୁ ଶ୍ରେଷ୍ଠ ବୋଲି ମନେ କରିବେ ।
ତେବେ ସ୍ୱାଧୀନତା ପରେ ଆଶା କରାଯାଉଥିଲା ଯେ ମେକାଲେ ପ୍ରଣୀତ ଶିକ୍ଷା ନୀତିକୁ ପରିବର୍ତନ କରାଯିବ ଓ ଭାରତ କେନ୍ଦ୍ରିତ ଶିକ୍ଷାନୀତି ଆପଣାଯିବ । ମାତ୍ର ତାହା ହେଲା ନାହିଁ । ମେକାଲେ ପ୍ରଣୀତ ଶିକ୍ଷା ନୀତି ଚାଲୁ ରହିଲା ଓ ତା ସହିତ ଇତିହାସ ବିଷୟକୁ ମାର୍କ୍ସବାଦୀ କମ୍ୟୁନିଷ୍ଟ ମାନଙ୍କ ହାତକୁ ଟେକି ଦିଆଗଲା ।

ଦେଶରେ ଉଚ୍ଚ ଶିକ୍ଷା ପାଇଁ ଯେଉଁ ଶିକ୍ଷାନୁଷ୍ଠାନ ଖୋଲାଗଲା ସେଥିରେ ଭାରତର ହଜାର ହଜାର ବର୍ଷର ସନାତନ ସଭ୍ୟତାକୁ ଖରାପ ବୋଲି ଦର୍ଶାଇବା ଓ ଓ ବିଦେଶୀ ଆକ୍ରମଣକାରୀ ମାନଙ୍କର ମହିମାମଣ୍ଡନର ପ୍ରକ୍ରିୟା ଜାରୀ ରହିଥିଲା । ବିଷର ଯେଉଁ ଫସଲ ମେକାଲେ ବୁଣିଥିଲା, ନେହେରୁ ଓ ଅନ୍ୟ ମାନେ ଯାହାକୁ ସାର- ପାଣି ଦେଇଥିଲେ ସେହି ଫସଲ ଏବେ ପ୍ରସ୍ତୁତ ହୋଇ ସାରିଛି । ଏହାର ପରିଣାମ ଆମେ ଦେଖିବାକୁ ପାଉଛେ ।ଏହାର ଉଦାହରଣ ଏବେ ଦେଖିବାକୁ ମିଳୁଛି ।
ସେହିଭଳି ରୋମିଲା ଥାପର ନାମକ ଜଣେ ବାମପନ୍ଥୀ ଇତିହାସର ପ୍ରଫେସର କିଛି ଦିନ ତଳେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେ ଉକ୍ତ କାର୍ଯ୍ୟକ୍ରମରେ କହିଥିଲେ ଯେ ମହାରାଜା ଅଶୋକଙ୍କ ଠାରୁ ପ୍ରେରଣା ନେଇ ମହାରାଜା ଯୁଧୀଷ୍ଠିର ସିଂହାସନ ତ୍ୟାଗ କରିବାକୁ ଇଚ୍ଛା ବ୍ୟକ୍ତ କରିଥିଲେ । ଯୁଧୀଷ୍ଠିର କେଉଁ ଯୁଗର ଓ ମହାରାଜା ଅଶୋକ କେଉଁ ଯୁଗର । ଏହା ସତ୍ୱେ ନିଜକୁ ଇତିହାସର ଜ୍ଞାତା ବୋଲି ଦାବି କରୁଥିବା ରୋମିଲା ଥାପର ଖୋଲାଖୋଲି ଭାବେ କାର୍ଯ୍ୟକ୍ରମରେ ଏହି ଡାହା ମିଛକୁ ବିନା କୌଣସି ସଂକୋଚରେ କହି ଚାଲିଥିଲେ । ତେଣୁ ଶୃତି ପାଣ୍ଡେ ହୁଅନ୍ତୁ ବା ରୋମିଲା ଥାପର ହୁଅନ୍ତୁ, ଏମାନଙ୍କୁ ନା ଦେଶ ସମ୍ପର୍କରେ ଜଣା ଅଛି, ନା ଧର୍ମ ସମ୍ପର୍କରେ . ନା ଭାରତର ହଜାର ହଜାର ବର୍ଷ ପ୍ରାଚୀନ ସଂସ୍କୃତି ବିଷୟରେ ଜଣା ଅଛି ।
ଏବେ ଚିନ୍ତା କରିବାର ଆବଶ୍ୟକତା ରହିଛି କିଭଳି ଲୋକ ମାନଙ୍କୁ ପ୍ରଫେସର ନିଯୁକ୍ତି ଦିଆଯାଇଛି ଓ ଓଡିଶା ଆଦର୍ଶ ବିଦ୍ୟାଳୟରେ କିଭଳି ଲୋକଙ୍କୁ ପ୍ରଶ୍ନ ପତ୍ର ତିଆରି କରିବାର ଦାୟିତ୍ୱ ପ୍ରଦାନ କରା ଯାଇଛି । ବାମପନ୍ଥୀ ଇକୋସିଷ୍ଟମ ଗତ ୭୦ ବର୍ଷରେ ଏପରି ଏକ ପୀଢୀ ତିଆରି କରି ଦେଇଛନ୍ତି ଯେଉଁ ମାନେ ନିଜର ଦେଶ, ଧର୍ମ, ସଂସ୍କୃତି ଓ ପରମ୍ପରାକୁ ଘୃଣା କରିଥାନ୍ତି । ବ୍ରେନ ୱାଶର ଶୀକାର ହୋଇଥିବା ଏହି ଲୋକ ମାନେ ଏବେ ପରବର୍ତୀ ପୀଢୀର ବ୍ରେନ ୱାଶ କରିବାରେ ଲାଗିଛନ୍ତି । ବର୍ତମାନ ଏଭଳି ଘଟଣା ଗୁଡିକୁ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାର ସମୟ ଆସି ଯାଇଛି ।

Leave a Reply