-ଡ. ସତ୍ୟ ନାରାୟଣ ମିଶ୍ର –
ନ୍ମ-ମୃତ୍ୟୁର ଅନବରତ ଘୂର୍ଣ୍ଣୟନ ମଧ୍ୟରେ ବେଳେବେଳେ ଜଣେ ଜଣେ ପୁଣ୍ୟାତ୍ମା ଧରାପୃଷ୍ଠରେ ଜନ୍ମ ନେଇଥାନ୍ତି ସମାଜର, ଦେଶର ଓ ସଂସାରର ମଙ୍ଗଳ ନିମିତ୍ତ । ସେମାନଙ୍କର ଜନ୍ମ ହୋଇଥାଏ ସାର୍ଥକ ଜନ୍ମ ଓ ସେମାନଙ୍କର ପୂଣ୍ୟ ଶରୀର ମୃତ୍ୟୁ ପରେ ମଧ୍ୟ ସେମାନଙ୍କର କୃତିତ୍ୱ, ତ୍ୟାଗ, ସେବା ଆଦିର ମହନୀୟ ଗୁଣ ପାଇଁ ସମାଜ ସେମାନଙ୍କୁ ଯୁଗେ ଯୁଗେ ସ୍ମରଣ କରିଥାଏ । ସମାଜ ଯେକୌଣସି ବ୍ୟକ୍ତିଙ୍କୁ ଚିରଦିନ ପାଇଁ ମନେ ରଖିଥାଏ ଉକ୍ତ ବ୍ୟକ୍ତିର ସମାଜ ପ୍ରତି ତ୍ୟାଗ ପାଇଁ, ଭୋଗ ପାଇଁ ନୁହେଁ । ତ୍ୟାଗରେ ଥାଏ ଶାନ୍ତି ଓ ଚେତନା, ମାତ୍ର ଭୋଗରେ ଥାଏ ଅହଂକାର, ଦ୍ୱେଷ ଓ ହିଂସା । ଏହିପରି ଏକ ତ୍ୟାଗୀ ପୁରୁଷ, ଓଡ଼ିଶା ମାଟିର ସେବକ, ସମାଜର ବନ୍ଧୁ- ଉତ୍କଳମଣି ଗୋପଗନ୍ଧୁ ଦାଶ । ୧୮୭୭ ମସିହା ଅକ୍ଟୋବର ୯ ତାରିଖ ଓଡ଼ିଶାର ପୁରୀ ଜିଲ୍ଲାର ସୁଆଣ୍ଡ ଗ୍ରାମରେ ଜନ୍ମ ଗ୍ରହଣ କରି ଓଡ଼ିଶାର ବରପୁତ୍ର ଓ ଉତ୍କଳର ମଣି ଭାବେ ସମାଜରେ କୀର୍ତ୍ତି ଅର୍ଜନ କରିଛନ୍ତି ଗୋପଗନ୍ଧୁ ଦାଶ । ସମୟର ନିରବଚ୍ଛିନ୍ନ ଗତିର ପ୍ରବାହରେ ଜନ୍ମ ସ୍ଥାନରୁ ବାଲ୍ୟ ଶିକ୍ଷା ସମାପ୍ତ କରି ଗୋପବନ୍ଧୁ ୧୨ ବର୍ଷ ବୟସରେ ବିବାହ କରିଥିଲେ ଓ ୧୮୯୩ ମସିହାରେ ତାଙ୍କର ମାତାଙ୍କର ମୃତ୍ୟୁ ପରେ ସେ ପୁରୀ ଜିଲ୍ଲା ସ୍କୁଲକୁ ଅଧ୍ୟୟନ ପାଇଁ ଆସିଥିଲେ । ଗୋପବନ୍ଧୁଙ୍କ ଛାତ୍ର ଜୀବନରୁ ତ୍ୟାଗପୂତ ଜୀବନର ଅୟମାରମ୍ଭର ଝଲକ ଦୃଶ୍ୟମାନ ହେଉଥିଲା । ଉକ୍ତ ସମୟରେ ପୃରୀର କଲେରା ମହାମାରୀ ବ୍ୟାପୀଥିଲା ଓ ଗୋପବନ୍ଧୁ ଅନ୍ୟ ସାଥିମାନଙ୍କ ସାହାଯ୍ୟରେ ‘ପୁରୀ ସେବା ସମିତି’ ନାମରେ ଏକ ସଂଗଠନ ଗଠନ କରି ମହାମାରିର ପୀଡିତ ତଥା ମୃତ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରୁଥିଲେ । ମାତ୍ର ଗୋପବନ୍ଧୁଙ୍କର ବାପାଙ୍କର ମୃତ୍ୟୁ ପରେ ଉଚ୍ଚତର ଶିକ୍ଷା ପାଇଁ ସେ ପୁରୀରୁ କଟକର ରେଭେନ୍ସା ମହାବିଦ୍ୟାଳୟକୁ ସ୍ଥାନାନ୍ତରିତ ହେଲେ । ସେଠାରେ ସେ ଆଞ୍ଚଳିକ ସାରସ୍ୱତ ପତ୍ରିକା ‘ଇନ୍ଦ୍ରଧନୁ’ ଓ ‘ବିଜୁଳି’ ମାଧ୍ୟମରେ ସାହିତ୍ୟ ଆନ୍ଦୋଳନ ଓ ଶିକ୍ଷାର ଆବଶ୍ୟକତା ଉପରେ ବିଷଦ ଆଲୋଚନା କରୁଥିଲେ । ରେଭେନ୍ସାର ରହଣି ସମୟରେ ସେ ‘କର୍ତ୍ତବ୍ୟ ବୋଧିନୀ ସମିତି’ ଭଳି ଏକ ଖୋଲା ମଞ୍ଚର ସଂଗଠନ ଗଠନ କରି ତାହାଦ୍ୱାରା ସମାଜରେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସମସ୍ୟାଗୁଡିକ ଉପରେ ଆଲୋଚନା କରି ସମାଜକୁ ଉଚିତ୍ ଦିଗଦର୍ଶନ ଦେଉଥିଲେ । ଉକ୍ତ ସମୟରେ ଅର୍ଥାତ୍ ୧୯୦୩ ମସିହାରେ ସେ ଉତ୍କଳ ସମ୍ମିଳନୀରେ ଯୋଗ ଦେଇ ଓଡ଼ିଆ ଜାତିର ସ୍ୱାଭିମାନ ଉପରେ ଗୁରୁତ୍ୱାରୋପ କରିଥିଲେ, ଏପରିକି ମଧୁସୂଦନ ଦାସଙ୍କ ଯୁକ୍ତି ଓଡ଼ିଆ କହିପାରୁଥିବା ଅଞ୍ଚଳକୁ ବେଙ୍ଗଲ ପ୍ରେସିଡେନ୍ସିରେ ସାମିଲ କରିବା ଯୁକ୍ତିକୁ ସେ ବିରୋଧ କରି ଓଡ଼ିଆମାନଙ୍କର ସ୍ୱାର୍ଥକୁ ଅକ୍ଷୁର୍ଣ୍ଣ ରଖିଥିଲେ ଓ ଓଡ଼ିଆ କହିପାରୁଥିବା ଅଞ୍ଚଳକୁ ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ ନିମିତ୍ତ ପ୍ରସ୍ତାବ ଉପରେ ଗୁରୁତ୍ୱାରୋପ କରିଥିଲେ । ରେଭେନ୍ସାରେ ସେ ସ୍ନାତକ ଡିଗ୍ରୀ ଉତ୍ତୀର୍ଣ୍ଣ ପରେ ବନ୍ୟା ପ୍ରପୀଡିତ ଲୋକମାନଙ୍କୁ ସାହାଯ୍ୟ ସହଯୋଗ ନିମିତ୍ତ ଜନସାଧାରଣଙ୍କ ସେବାରେ ସେ ସମସ୍ତ ସମୟ ନିୟୋଜିତ କରିଥିଲେ । ଉକ୍ତ ସମୟରେ ତାଙ୍କର ଏକ ପୁତ୍ର ବିୟୋଗ ମଧ୍ୟ ହୋଇଥିଲା ଓ ଗୋପବନ୍ଧୁ ପୁତ୍ରକୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସମର୍ପଣ କରି ବନ୍ୟାପ୍ରପିଡିତ ଜନସାଧାରଣଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ । ଉକ୍ତ ଘଟଣା ପରେ ଗୋପବନ୍ଧୁ କଲିକତା ବିଶ୍ୱବିଦ୍ୟାଳୟକୁ ଯାଇ ସେଠାରେ ସ୍ନାତୋକୋତ୍ତର ଓ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଦୁଃଖ ସହିପାରୁଥିବା ବ୍ୟକ୍ତିଙ୍କୁ ତଥା ସମାଜ ପାଇଁ ଉତ୍ସର୍ଗ ଥିବା ବ୍ୟକ୍ତିଙ୍କୁ ଈଶ୍ୱର ଅଧିକ ଦୁଃଖ ଦେଇଥାନ୍ତି । ଗୋପବନ୍ଧୁ ଆଇନରେ ସ୍ନାତକ ଡିଗ୍ରୀ ଯେଉଁଦିନ ପାଇଲେ ସେହିଦିନ ତାଙ୍କ ଠାରୁ ତାଙ୍କର ପତ୍ନୀ ଇହଧାମ ତ୍ୟାଗ କଲେ । ତାଙ୍କୁ ୨୮ ବର୍ଷ ବୟସରେ ସେ ସ୍ତ୍ରୀଙ୍କୁ ହରାଇବା ସହ ତିନି ଜଣ ପୁତ୍ରଙ୍କୁ ମଧ୍ୟ ହରାଇଥିଲେ । ଏହାଥିଲା ବିଧିର ବିଧାନ ଓ ପରୀକ୍ଷାର ସମୟ । ମାତ୍ର ନିର୍ଭୀକ ଗୋପବନ୍ଧୁ ସମୟର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ବ୍ରତୀ ହୋଇ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କଲେ ଓ ସେଥିରେ ମଧ୍ୟ କୃତକାର୍ଯ୍ୟ ହୋଇଥିଲେ । ଶିକ୍ଷା ଗ୍ରହଣ ସମାପ୍ତି ପରେ କଟକ, ପୁରୀ ଓ ବାଲେଶ୍ୱରରେ କିଛିଦିନ ଚାକିରି କରି ସମାଜର ସେବା ନିମିତ୍ତ ଉକ୍ତ ଚାକିରିକୁ ତ୍ୟାଗ କରିଥିଲେ ଓ ସମାଜର ସେବା, ସଂସ୍କାର ଓ ଶିକ୍ଷାର ମାନ ବୃଦ୍ଧି ଉପରେ କର୍ତ୍ତବ୍ୟ ପରାୟଣ ହୋଇଥିଲେ । ୧୯୦୯ ମସିହାରେ ଶିକ୍ଷାର ପୁନର୍ବିନ୍ୟାସ ଓ ବିକେନ୍ଦ୍ରୀକରଣ ନିମିତ୍ତ ସେ ପୁରୀର ସାକ୍ଷୀଗୋପାଳ ଠାରେ ‘ସତ୍ୟବାଦୀ ବକୁଳ ବନ’ ବିଦ୍ୟାଳୟର ପ୍ରତିଷ୍ଠା କରିଥିଲେ ଯାହାର ଉଦ୍ଦେଶ୍ୟ ଥିଲା ଶିକ୍ଷାର ଉନ୍ନତି, ସ୍ଥିତି, ପରିସ୍ଥତି ଓ ଆବଶ୍ୟକତା । ୧୯୧୭ ମସିହାରେ ସେ ବିଧାନ ପରିଷଦକୁ ନିର୍ବାଚିତ ହୋଇ ପ୍ରଥମେ ଚାରୋଟି ଦୃଷ୍ଟିକୋଣକୁ ଗୁରୁତ୍ୱ ଦେଇଥିଲେ ସେଗୁଡିକ ଥିଲା : ଓଡିଆ ଭାଷାର ସ୍ୱାଭିମାନ, ସ୍ୱାଧୀନତା ତଥା ପୁନରୁତ୍ଥାନ; ଦ୍ୱିତୀୟତଃ, ଓଡିଶାରୁ ବନ୍ୟା ଓ ଦୁର୍ଭିକ୍ଷର ନିରାକରଣ, ତୃତୀୟତଃ ଟିକସମୁକ୍ତ ଲୁଣ ଉତ୍ପାଦନ ଓ ଚତୁର୍ଥତଃ ମୂଲ୍ୟବୋଧ ଶିକ୍ଷାର ବିସ୍ତାର । ଗୋପବନ୍ଧୁଙ୍କର ଜୀବନ ଏକ ଆଦର୍ଶର ଅଟ୍ଟାଳିକା, ଯେଉଁଠିଥିଲା ଅସ୍ପୃଶ୍ୟତା ବିରୁଦ୍ଧରେ ସ୍ୱର, ବିଧବା ପୁନର୍ବିବାହର ଆବଶ୍ୟକତା, ଶିକ୍ଷାର ପ୍ରଚାର ଓ ପ୍ରସାର ତଥା ମୂଲ୍ୟବୋଧ ଭିତ୍ତିକ ଶିକ୍ଷାର ଆବଶ୍ୟକତା, ଅଧିକାର ଓ କର୍ତ୍ତବ୍ୟ ଉପରେ ଗୁରୁତ୍ୱ, ନାରୀଶିକ୍ଷାର ଆବଶ୍ୟକତା, ସର୍ବୋପରି ଦରିଦ୍ର ଓ ଅବହେଳିତମାନଙ୍କର ସର୍ବାଙ୍ଗୀନ ଉନ୍ନତି । ଗୋପବନ୍ଧୁ ହରିଜନ, ଗରିବ ଓ ଅବହେଳିତ, ନିଷ୍ପେଷିତ, ଲାଞ୍ଛିତମାନଙ୍କ ପାଇଁ ଉତ୍ସର୍ଗୀକୃତ ଥିଲେ ଯାହା ଏକଦା ଗାନ୍ଧୀଙ୍କୁ ଏକ ଶିକ୍ଷଣୀୟ ଉପାଦାନ ଦେଇଥିଲା । କଂଗ୍ରେସର ଏକ ସାଧାରଣ ସଭାରେ ଗାନ୍ଧୀ ଓ ଗୋପବନ୍ଧୁ ଏକାଠି ହୋଇ ଭୋଜନ କରିବାକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ନିମନ୍ତ୍ରଣ କରାଯାଇଥିଲା । ମାତ୍ର ଦରଦୀ ଗୋପବନ୍ଧୁ, ଦରିଦ୍ରର ସେବକ ଉକ୍ତ ଜନସାଧାରଣଙ୍କ ସାଥିରେ ଭୂମିଉପରେ ଭୋଜନ କରିବାକୁ ପସନ୍ଦ କରିଥିଲେ ଯାହା ଗାନ୍ଧୀଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଥିଲା ଓ ସେଇଠୁ ଗାନ୍ଧୀ ଗରିବ ଜନସାଧାରଣଙ୍କ ସାଥିରେ ରହିଛନ୍ତି ବୋଲି ତାହାର ନିଦର୍ଶନ ସ୍ୱରୂପ ସେହିଦିନରୁ ଧୋତି ପିନ୍ଧିବା ଆରମ୍ଭ କରିଥିଲେ ଯାହା ଦରିଦ୍ରମାନଙ୍କର ବସ୍ତ୍ର ବୋଲି ବିବେଚନା କରାଯାଏ । ଏହାଥିଲା ଗୋପବନ୍ଧୁଙ୍କର ଆତ୍ମଭାବନାର ପରିପ୍ରକାଶ ଯାହା ଗାନ୍ଧୀ ହୃଦବୋଧ କରିଥିଲେ । ଓଡ଼ିଆ ସାମ୍ବାଦିକତା ଓ ଓଡିଆମାନଙ୍କର ସ୍ୱାର୍ଥ, ସ୍ୱାଭିମାନ ଓ ସମ୍ବେଦନଶୀଳତାକୁ ହୃଦବୋଧକରି ଗୋପବନ୍ଧୁ ୧୯୧୪ ମସିହାରେ ‘ସତ୍ୟବାଦୀ’ ନାମରେ ଏକ ମାସିକ ପତ୍ରିକା ସଂସ୍କରଣ କରିଥିଲେ । ୧୯୧୯ ମସିହା ଅକ୍ଟୋବର ୪ ତାରିଖରେ ସେ ସାପ୍ତାହିକ ପତ୍ରିକା ‘ସମାଜ’ ର ପ୍ରତିଷ୍ଠା କରିଥିଲେ । ୧୯୨୨-୨୪ ମସିହାରେ ହଜାରିବାଗ ଜେଲ୍ରେ ଥିଲା ବେଳେ ‘ବନ୍ଦିର ଆତ୍ମକଥା’ ସୂଚାଇ ଦିଏ ଯେ ସେ କେତେ ପରିମାଣରେ ଓଡ଼ିଶାର ଗରିବ ତଥା ଜନସାଧାରଣଙ୍କୁ ଭଲ ପାଉଥିଲେ । ସେ ଜଣେ ଖ୍ୟାତି ସମ୍ପନ୍ନ ଲେଖକ ଓ କବି । ତାଙ୍କର ଲିଖିତ ପୁସ୍ତକଗୁଡିକ ହେଲା : ‘ମାର କବିତା’, ‘ଧର୍ମପଦ’, ‘ବନ୍ଦିର ଆତ୍ମକଥା’, ‘କର କବିତା’ ଇତ୍ୟାଦି ଇତ୍ୟାଦି । ସେ ଏକାଧାରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ, ଲେଖକ, ସମାଜ ସଂସ୍କାରକ ଓ ସମାଜର ସେବକ । ତାଙ୍କର ଓଡିଆ ଭାଷା ପ୍ରତି ଆନୁଗତ୍ୟ ଓ ନିଷ୍ଠା ହେତୁ ମାଦ୍ରାସ, ବେଙ୍ଗଲ ବିହାରରୁ ଓଡ଼ିଶାକୁ ସ୍ୱତନ୍ତ୍ର ଭାଷାର ମାନ୍ୟତା ମିଳିଥିଲା ଓ ଓଡ଼ିଆମାନେ ସେମାନଙ୍କର ଅଧିକାର ଓ ଦାବକୁ ସାବ୍ୟସ୍ତ କରିପାରିଥିଲେ ସେଥିପାଇଁ ି ତାଙ୍କୁ ଉତ୍କଳ ମଣି ବୋଲି କୁହାଯାଏ । ପ୍ରକୃତରେ ଗୋପବନ୍ଧୁଙ୍କର ସଂପୂର୍ଣ୍ଣ ଜୀବନ ଉତ୍କଳ ଓ ଓଡିଶାର ସେବା ପାଇଁ ହିଁ ଉତ୍ସର୍ଗୀକୃତ ଥିଲା ସେ ସବୁବେଳେ ସାର୍ବଜନୀନ ସେବା, ଜାତୀୟତାବୋଧ, ଉତ୍ସର୍ଗୀକୃତ ସେବା, ସତ୍ୟ, ଅହିଂସା ଓ ଆଦର୍ଶର ନୀତିକୁ ଉଚିତ ମଣୁଥିଲେ ଓ ସେଥିରେ ସେ ଆତ୍ମତୃପ୍ତି ଅନୁଭବ କରୁଥିଲେ । କାହାର ହୃଦୟରେ ଆଘାତ ଦେବା ତାଙ୍କଠାରେ ସମ୍ଭବ ନଥିଲା । ସେ ଏପରି ଏକ ନିର୍ଭୀକ ନେତା ଥିଲେ ଯେ ବ୍ରିଟିଶ ସରକାରଙ୍କ ନିକଟରେ ଓଡିଶାର ଦୁଃଖ ଦୁର୍ଦ୍ଦଶା ଓ ସମସ୍ୟାର ପ୍ରକୃତ ଘଟଣାକ୍ରମକୁ ଉପସ୍ଥାପନ କରୁଥିଲେ । ଧର୍ମପଦ ଓ ନଚିକେତା ଥିଲେ ତାଙ୍କର ଆଦର୍ଶ । ଯିଏ ନିଜର ସମସ୍ତ ସୁଖ ସ୍ୱାଚ୍ଛନ୍ଦ୍ୟ ପରିବାର ତଥା ନିଜର ଶରୀରର ଅସ୍ଥିକୁ ଓଡିଶାର ଗଭୀର ଗର୍ତ୍ତରେ ପୂରଣ ନିମିତ୍ତ ଉତ୍କଣ୍ଠା, ସେଭଳି ଯୁଗ ପୁରୁଷଙ୍କ ଦେଶ ପ୍ରତି ମମତା ଯେ କେତେ ଗଭୀର ତାହା ଅନୁମେୟ । ଶିକ୍ଷାର ସଂସ୍କାର ଓ ସେବାରେ ଆନନ୍ଦ ଥିଲା ଗୋପବନ୍ଧୁଙ୍କର ଚିନ୍ତାଧାରା । ସେଥିପାଇଁ ସେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ଉପରେ ଗୁରୁତ୍ୱ ଦେଉଥିଲେ ଓ ପୁରାତନ ଶିକ୍ଷା ପଦ୍ଧତିର ଖସଡା ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ । ସେ ଶିକ୍ଷାର ସାର୍ବଜନୀନ ବ୍ୟାପକତା, ଅର୍ଥନୈତିକ ସାମ୍ୟତା ଓ ପରିଧି ମଧ୍ୟରେ ଶିକ୍ଷାର ବିନ୍ୟାସ, ଅନୁଭବ ଯୁକ୍ତ ଶିକ୍ଷା, ଧାର୍ମିକ ନୀତି ଶିକ୍ଷା, ଆଦର୍ଶବାନ ଶିକ୍ଷକ, ଶିକ୍ଷାରେ ମାତୃଭାଷାର ପଚାର ଓ ପ୍ରସାର, ଶୃଙ୍ଖଳା, ସାର୍ବଜନୀନ ସେବା, ବ୍ୟକ୍ତିତ୍ତ୍ୱର ବିକାଶ, ଅର୍ଥ ବାଧକ ବିହୀନ ଶିକ୍ଷା, ନୂତନ କୌଶଳ, ମାନବିକ ମୂଲ୍ୟବୋଧ ଆଦି ଉପରେ ଗୁରୁତ୍ୱ ଓ ଶିକ୍ଷାର ବିଭିନ୍ନ ଦିଗ ଉପରେ ସଂସ୍କାର ଆଣିବାକୁ ପ୍ରୟାସ କରିଥିଲେ । ସେ ସ୍ୱଦେଶୀ ଚିନ୍ତାଧାରାକୁ ସମ୍ମାନ ଦେଇ ବିଦ୍ୟାଳୟମାନଙ୍କରେ ଚରଖା, ଅରଟ ବ୍ୟବହାରରେ ସ୍ୱଦେଶୀ ବସ୍ତ୍ରର ଉତ୍ପାଦନ ଉପରେ ଶିକ୍ଷା ଦେବା ପାଇଁ ଗୁରୁତ୍ୱାରୋପ କରୁଥିଲେ । ଗୋପବନ୍ଧୁଙ୍କ ଚିନ୍ତା ଓ ଦୂରଦର୍ଶିତାକୁ ଉପଲବ୍ଧି କରି ଭାରତର ସମ୍ବିଧାନର ଅନୁଚ୍ଛେଦ ୪୫ ରେ ୬ ରୁ ୧୪ ବର୍ଷ ସମସ୍ତ ପିଲାମାନଙ୍କୁ ଦେୟ ମୁକ୍ତ ଓ ବାଧ୍ୟତା ମୂଳକ ଶିକ୍ଷା ଉପରେ ନୀତି ନର୍ଦ୍ଧାରଣ କରାଯାଇଅଛି । ଦାର୍ଶନିକ ରୋଷୋଙ୍କ ମତରେ ମଣିଷ ମୁକ୍ତ ହୋଇ ଜନ୍ମ ହୋଇଥାଏ, ମାତ୍ର ସେ ସର୍ବତ୍ର ଶୃଙ୍ଖଳରେ ବନ୍ଧା । କିନ୍ତୁ ଗୋପବନ୍ଧୁ ଜନ୍ମ ହୋଇଥିଲେ ମୁକ୍ତ ଭାବରେ ମାତ୍ର ସମାଜର ସେବାରେ ସେ ନିଜକୁ ଶୃଙ୍ଖଳିତ ଶୃଙ୍ଖଳରେ ବାନ୍ଧି ଦେଇଥିଲେ । ସେ ଥିଲେ ସମାଜର ବନ୍ଧୁ । ମଣିଷ ଏକ ସାମାଜିକ ପ୍ରାଣୀ, ସମାଜରୁ ମଣିଷ ଶିକ୍ଷା ଆଦି ପାଇଥାଏ ଓ ସମାଜ ପ୍ରତି ମଧ୍ୟ ବ୍ୟକ୍ତିର କର୍ତ୍ତବ୍ୟ ଥାଏ । ମାତ୍ର ଗୋପବନ୍ଧୁ ସମାଜର ସେବା ପାଇଁ ଯେପରି ନିଜକୁ ନିଃସ୍ୱାର୍ଥ ଭାବରେ ଉତ୍ସର୍ଗ କରିଥିଲେ ତାହାର ଦୃଷ୍ଟାନ୍ତ ଅଦ୍ୟାବଧି ଇତିହାସର ପୁନରାବୃତ୍ତି ହୋଇ ନାହିଁ । ସେ ହେଉଛନ୍ତି ନିଜେ ଏକ ଇତିହାସ । ସମାଜର ସେବା, ମଣିଷର ସେବା ହିଁ ଭଗବାନଙ୍କର ସେବା ବୋଲି ଅନୁଭବ କରି ସେ ସମାଜ ପତ୍ରିକା/ଖବର କାଗଜ ମାଧ୍ୟମରେ ଏକ ବନ୍ଧୁତ୍ୱର ପରିଧି ସୃଷ୍ଟି କରିଯାଇଛନ୍ତି । ଆମେ ତାଙ୍କର ଆଦର୍ଶ, ନୀତି, ସେବା ଓ ଚିନ୍ତାଧାରାକୁ ନିଜର ପ୍ରତିଜ୍ଞା ଭାବେ ଆଦରି ନେଲେ ଏହା ହେବ ସମାଜର ବନ୍ଧୁ ଗୋପବନ୍ଧୁଙ୍କ ପ୍ରତି ଶ୍ରଦ୍ଧାର ସଂକଳ୍ପ
ଅଭିଲେଖାଧିକାରୀ, ଏମ୍-୭୯, ମଧୁସୂଦନ ନଗର, ୟୁନିଟ–୪ , ଭୁବନେଶ୍ୱର