Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପୁତିନଙ୍କ ଅପରେସନ ଆମେରିକା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୁତିନଙ୍କ ଅପରେସନ ଆମେରିକା


-ସୌମେନ୍ଦ୍ର ଜେନା-

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଆମେରିକା ଓ ସୋଭିଏତ୍ ରୁଷିଆ ମଧ୍ୟରେ ନିଜସ୍ୱ ବର୍ଚ୍ଚସ୍ୱ ପ୍ରତିଷ୍ଠା ପାଇଁ ଯେଉଁ ପ୍ରତିଦ୍ୱନ୍ଦ୍ୱିତା ଚାଲିଆସିଛି ଏବେ ତାହା ଏକ ଭିନ୍ନ ସୋପାନରେ ପହଞ୍ôଚଛି । ରୁଷିଆର ପ୍ରଭାବକୁ ୟୁରୋପରେ ସଂକୁଚିତ କରିବା ପାଇଁ ୟୁକ୍ରେନ ମାଧ୍ୟମରେ ଆମେରିକା ଯେଉଁ ଗୋଟି ଚଳାଇ ଆସିଛି ତାକୁ ଅତି କଠୋର ଭାବରେ ସାମ୍‌ନା କରିଆସିଛି ରୁଷିଆ । ୟୁକ୍ରେନର ସହାୟତା ପାଇଁ ନାଟୋର ସଦସ୍ୟ ରାଷ୍ଟ୍ର ସମୂହଙ୍କୁ ଆମେରିକା ଏକାଠି କରି ଅସ୍ତ୍ରଶସ୍ତ୍ର ଚାଲାଣ ଜାରି ରଖିଛି । ତେଣେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଆମେରିକାର ସମସ୍ତ ଚାଲକୁ ବିଫଳ କରିବା ପାଇଁ ଯେତିକି ପ୍ରୟାସ ନିଜ ଦେଶରେ କରିଛନ୍ତି ସେତିକି ଦେଶ ବାହାରେ ମଧ୍ୟ କରିଛନ୍ତି । ପୁତିନଙ୍କ କୂଟନୀତି ଯୋଗୁ ଏସିଆର ଦୁଇଟି ପ୍ରମୁଖ ରାଷ୍ଟ୍ର ଚୀନ ଓ ଭାରତ ଆମେରିକା ସପକ୍ଷରେ ପୂରାପୂରି ଯାଇନାହାନ୍ତି । ସତକଥା ହେଲା ପୁତିନଙ୍କ ଦୃଢ ମନୋବଳ ଯୋଗୁ ଆମେରିକା ଏବଂ ନାଟୋ ମେଣ୍ଟର କଟକଣା, ଅସହଯୋଗ, ଷଡଯନ୍ତ୍ର ସତ୍ତ୍ୱେ ରୁଷିଆ ଏକାକୀ ଲଢିଆସିଛି । ଆମେରିକା ଏବଂ ୟୁରୋପର ରାଷ୍ଟ୍ରଗୁଡିକ ବିଶ୍ୱମଞ୍ଚରେ ରୁଷିଆକୁ ଏକାକୀ କରିବାକୁ ସମସ୍ତ ପ୍ରକାର ପ୍ରଚେଷ୍ଟା କରିଥିଲେ ମଧ୍ୟ ପୁତିନଙ୍କୁ ସମର୍ଥନ ଦେବାପାଇଁ ଆଫ୍ରିକା ମହାଦେଶର ଅନେକ ରାଷ୍ଟ୍ର ମୁଖ୍ୟ ମସ୍କୋରେ ଉପସ୍ଥିତ ରହି ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଦେଢବର୍ଷରୁ ଅଧିକ କାଳ ଧରି ୟୁକ୍ରେନ -ରୁଷିଆର ଯୁଦ୍ଧ ମଧ୍ୟରେ ରୁଷିଆର ଜନସାଧାରଣ ଏବଂ ସହଯୋଗୀ ରାଷ୍ଟ୍ରଗୁଡିକୁ ନିଜ ସପକ୍ଷରେ ରଖି ପୁତିନ ନିଜ ସଫଳ ନେତୃତ୍ୱର ପରିଚୟ ଦେଇପାରିଛନ୍ତି । ରୁଷିଆର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିବା ୱାଗନର ଗ୍ରୁପର ମୁଖ୍ୟ ଏବଂ ପୂର୍ବତନ ନିକଟତମ ସହଯୋଗୀ ପ୍ରିଗୋଝିନଙ୍କ ପରି ବ୍ୟକ୍ତିଙ୍କୁ ରାସ୍ତାରୁ ହଟାଇବାକୁ ସକ୍ଷମ ହୋଇଛନ୍ତି । ଆମେରିକାର ସମସ୍ତ ପ୍ରକାର ପ୍ରୟାସ ସତ୍ତ୍ୱେ ରୁଷିଆର ନେତୃତ୍ୱ ଦୁର୍ବଳ ହୋଇନାହିଁ ବରଂ ଆମେରିକା ମଧ୍ୟରେ ପୁତିନଙ୍କ ଅପରେସନ ଅଧିକ ଶକ୍ତିଶାଳୀ ହୋଇଛି । ରୁଷିଆ ବାହାରେ ଆମେରିକାର ସମ୍ମାନ ଓ ପ୍ରତିଷ୍ଠାରେ ଆଞ୍ଚ ଆସିଛି । ଯେଉଁ ଗଣତନ୍ତ୍ର କଥା କହି ଆମେରିକା ନିଜର ଆଧିପତ୍ୟ ବିସ୍ତାର ପାଇଁ ବାଟ ଫିଟାଇଥାଏ ସେହି ଗଣତନ୍ତ୍ର ପ୍ରତି ଅନ୍ୟମାନଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି ।  ମାଇଣ୍ଡଗେମ୍‌ରେ ଆମେରିକାକୁ ଦୁର୍ବଳ କରିବାକୁ ପୁତିନ ସଫଳ ହୋଇଛନ୍ତି । 
ସୋଭିଏତ ରୁଷିଆକୁ ଦୁର୍ବଳ କରିବାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଯେଉଁ ପ୍ରୟାସ ଆମେରିକା ଚଳାଇ ଆସିଥିଲା ତାହା ଚାରିଦଶନ୍ଧି ପରେ ସଫଳ ହେଲା । ସୋଭିଏତ୍ ସଂଘକୁ ଭାଙ୍ଗିବା ପାଇଁ ଆମେରିକାର ନିରନ୍ତର ପ୍ରୟାସକୁ ପୁତିନ ଦେଖିଥିଲେ । ଜର୍ମାନୀରେ ଗୁଇନ୍ଦା ଅଧିକାରୀ ଭାବେ ନିଯୁକ୍ତ ଥିଲାବେଳେ ବିକ୍ଷୋଭ ଆଳରେ ସେଠାରେ ଥିବା ସୋଭିଏତ ରୁଷିଆର କୂଟନୀତିକ କାର୍ଯ୍ୟାଳୟକୁ କିପରି ଧ୍ୱଂସ କରି ତଥ୍ୟ ଚୋରାଇବାକୁ ପ୍ରୟାସ ହୋଇଥିଲା ତାହା ସହ ସେ ପରିଚିତ ଥିଲେ । କାର୍ଯ୍ୟାଳୟ ଉପରେ ଆକ୍ରମଣ ହେବା ସମୟରେ ସେ ଗୋପନୀୟ ତଥ୍ୟଗୁଡିକର ଦଲିଲକୁ କିପରି ପୋଡି ନଷ୍ଟ କରିଥିଲେ ତାହା ଭୁଲିପାରିନାହାନ୍ତି । ସେତେବେଳେ ରୁଷିଆର ଶାସନରେ ଥିବା ସରକାରଙ୍କଠାରୁ ଯେପରି ସାହାଯ୍ୟ ପାଇବା କଥା ତାହା ସେ ନପାଇବା ଦ୍ୱାରା କିପରି ରୁଷିଆର କ୍ଷତି ହୋଇଥିଲା ତାହା ସେ ଲକ୍ଷ୍ୟ କରିଥିଲେ । ତେଣୁ ରୁଷିଆର ନେତୃତ୍ୱ ସବୁବେଳେ ସୁଦୃଢ , ସଶକ୍ତ ଏବଂ ବାରମ୍ବାର ପରିବର୍ତ୍ତନ ନ ହେବାକୁ ସେ ନିଜର ନୀତି ଭାବେ ଧରିଛନ୍ତି । ରୁଷିଆରେ ଗଣତନ୍ତ୍ର ଆସିଲା ପରେ ଯେପରି ଭୋଟରକୁ ପ୍ରଭାବିତ କରି ସରକାର ବଦଳିବା କଥା ତାହା ହୋଇନାହିଁ । ଏପରିକି ପୁତିନ ନିଜକୁ ସର୍ବୋଚ୍ଚ ସ୍ଥାନରେ ଅଧିକ ସଶକ୍ତ କରିଛନ୍ତି । ସାମ୍ବିଧାନିକ ପରିବର୍ତ୍ତନ ମଧ୍ୟ କରିଛନ୍ତି । ୟୁରେସିଆକୁ ଦୁର୍ବଳ କରିବାକୁ ହେଉଥିବା ଉଦ୍ୟମର ସେ ବିରୋଧ କରୁଛନ୍ତି । ଆମେରିକାର ସୋସିଆଲ ମିଡିଆରେ ପ୍ରବେଶ କରି ସେଠାକାର ସରକାରଙ୍କୁ ସନ୍ଦେହରେ ପକାଇଛନ୍ତି । ୨୦୧୮ରେ ଫକ୍ସ ନିଉଜକୁ ଦେଇଥିବା ସାକ୍ଷାତକାରରେ ପୁତିନ ଯେଉଁ ମନସ୍ତାତ୍ତ୍ୱିକ  ଯୁଦ୍ଧ ଚଳାଇଥିଲେ ସେଥିରେ କେତେକାଂଶରେ ସେ ସଫଳ ହୋଇଛନ୍ତି । ୨୦୧୬ରେ ଆମେରିକା ନିର୍ବାଚନରେ ଟ୍ରମ୍ପ-ହିଲାରୀ କ୍ଲିଣ୍ଟନଙ୍କ ମଧ୍ୟରେ ଲଢେଇ ହେଉଥିବା ସମୟରେ ବର୍ଣ୍ଣିସାଣ୍ଡାର୍ସ କ୍ଲିଣ୍ଟନଙ୍କୁ ହଟାଇବା ପାଇଁ କିପରି ଷଡଯନ୍ତ୍ର କରିଥିଲେ ତାହା କହି ସେ ଆମେରିକାବାସୀଙ୍କ ମନରେ ଦ୍ୱନ୍ଦ୍ୱ ଭରି ଦେଇଥିଲେ । ଆମେରିକାର ରାଜନୀତିରେ ନୀତିବିହୀନ ନେତୃତ୍ୱର ଲଢେଇକୁ ସେ ଲୋକଲୋଚନକୁ ଆଣି ଅନେକ ସନ୍ଦେହର ଜାଲ ବୁଣିଥିଲେ । ଯାହା ଫଳରେ ଟ୍ରମ୍ପ ଏବଂ କ୍ଲିଣ୍ଟନଙ୍କ ଦଳକୁ ସମର୍ଥନ କରୁଥିବା ଭୋଟରମାନଙ୍କ ମନରେ ନିର୍ବାଚନର ସ୍ୱଚ୍ଛତାକୁ କେନ୍ଦ୍ର କରି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ସେମାନେ ତଦନ୍ତ ପାଇଁ ଦାବି କରିଥିଲେ । ଆମେରିକାର ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟରେ ଜାଲିଆତି ହେଉଥିବା କଥା ପୁତିନ ଉଠାଇ ବିଶ୍ୱବାସୀଙ୍କ ମନରେ ଆମେରିକାର ପ୍ରତିଷ୍ଠା ପ୍ରତି ଆଞ୍ଚ ଆଣିଥିଲେ । ତେଣୁ ଆମେରିକାବାସୀଙ୍କ ମନରେ ଆମେରିକାର ବିଧି ଓ ବ୍ୟବସ୍ଥା ପ୍ରତି ସନ୍ଦେହ ସୃଷ୍ଟିକରି ଆମେରିକା କିପରି ଅନ୍ୟ ଦେଶର ଗଣତନ୍ତ୍ରର କ୍ଷତିସାଧନ କରିଆସୁଛି ତାହା ସେ ଉଲ୍ଲେଖ କରିଥିଲେ । 
କ୍ଷମତାକୁ ଆସିବା ପରେ ପୁତିନଙ୍କ ସମ୍ମୁଖରେ ଚେଚେନ୍ୟାର ଇସ୍‌ଲାମିକ ସନ୍ତ୍ରାସବାଦ ବଡ ଆହ୍ୱାନ ହୋଇ ଛିଡା ହୋଇଥିଲା । ତା ପଛରେ ଆମେରିକା ସରକାର ମଧ୍ୟପ୍ରାଚ୍ୟର ସହଯୋଗୀ ମୁସଲିମ ରାଷ୍ଟ୍ରଗୁଡିକୁ ଲଗାଇଥିଲେ । ପୃଥିବୀରେ  ଇସଲାମିକ ସନ୍ତ୍ରାସର କାରଖାନା ଖୋଲି ପାକ୍ ଓ ମଧ୍ୟପ୍ରାଚ୍ୟ ମାଧ୍ୟମରେ ଆମେରିକା ଯେମିତି ଭାରତ ସମେତ ରୁଷିଆକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଆସିଛି ସେ ସଂପର୍କରେ ସମସ୍ତେ ପରିଚିତ । ଚେଚେନ୍ୟା ବିଦ୍ରୋହୀଙ୍କୁ ଦମନ କଲାପରେ ପୁତିନ ମଧ୍ୟପ୍ରାଚ୍ୟରେ ନିଜ ପ୍ରାଧାନ୍ୟ ବିସ୍ତାର କରି ଆମେରିକାକୁ ଚାଲେଞ୍ଜ ଦେଇଥିଲେ । ଆଫ୍ରିକାରେ ହସ୍ତକ୍ଷେପ କରି ନାଟୋ ଦେଶଗୁଡିକୁ ହଟାଇବା ପାଇଁ ସ୍ଥାନୀୟ ରାଜନେତା ଏବଂ ସେନାର ନେତୃତ୍ୱକୁ ବୁଝାଇବାରେ ସକ୍ଷମ ହୋଇଥିଲେ । ଯେଉଁଥିପାଇଁ ଏକଦା ଶହଶହ ବର୍ଷ ଧରି ଆଫ୍ରିକାକୁ ଉପନିବେଶ କରିଥିବା ୟୁରୋପୀୟ ରାଷ୍ଟ୍ରଗୁଡିକ ପ୍ରତି ଆଫ୍ରିକାର ଜନମାନସରେ ଏବେ ପ୍ରବଳ ଘୃଣା ଭାବ ଦେଖାଦେଇଛି । ଗୋଟିକ ପରେ ଗୋଟିଏ ଦେଶରେ ନାଟୋ ସମର୍ôଥତ ଗୋଷ୍ଠୀ ଦୁର୍ବଳ ହେବାରେ ଲାଗିଛନ୍ତି । ନିକଟରେ ନାଇଜରରୁ ଫ୍ରାନ୍ସ ସେନାବାହିନୀ ନିଜ ଛାଉଣୀ ଛାଡିବାକୁ ବାଧ୍ୟ ହୋଇଛନ୍ତି । ସତୁରୀ ବର୍ଷ ଧରି ସେଠାରେ ଫ୍ରାନ୍ସର ସେନା ସ୍ଥାୟୀ ଭାବେ ରହିଆସିଥିଲେ । ବିଗତ ଦିନରେ ଅନେକ ଆଫ୍ରିକୀୟ ରାଷ୍ଟ୍ରରେ ଆମେରିକା-ନାଟୋ ସମର୍ଥକ ସରକାରଗୁଡିକୁ କ୍ଷମତାରୁ ହଟାଇବା ପଛରେ ପୁତିନଙ୍କ ବୁଦ୍ଧି ଯେ କାର୍ଯ୍ୟ କରିଛି ତାହା ସ୍ୱୀକାର କରିବାକୁ ହେବ ।  ୨୦୦୪ ପରଠାରୁ ଆଫ୍ରିକାର ଆର୍ôଥକ ଓ ବାଣିଜ୍ୟିକ କ୍ଷେତ୍ରରେ ଚୀନ ନିଜର ଆଧିପତ୍ୟକୁ ବୃଦ୍ଧିକରିବାକୁ ସକ୍ଷମ ହେଲାବେଳେ ରୁଷିଆ ସାମରିକ ଏବଂ କୂଟନୀତିକ କ୍ଷେତ୍ରରେ ଅଧିକ ସୁଦୃଢ ହୋଇଛି । ମାଇଣ୍ଡଗେମ୍‌ରେ ପୁତିନ ଆଗୁଆ ରହି ଆଫ୍ରିକାବାସୀଙ୍କୁ ୟୁରୋପ-ଆମେରିକା ବିରୋଧୀ କରି ଛିଡା କରିବାକୁ ସକ୍ଷମ ହୋଇଛନ୍ତି । 
ସମ୍ମୁଖ ଯୁଦ୍ଧରେ ରୁଷିଆ ପାଇଁ କେବଳ ପରମାଣୁ ଯୁଦ୍ଧ ବାଦ ଦେଲେ ପାରମ୍ପାରିକ ଯୁଦ୍ଧରେ ଆମେରିକାର ସମ୍ମୁଖୀନ ହେବା ସହଜ ହେବନାହିଁ, ଏକଥା ପୁତିନଙ୍କୁ ଜଣାଅଛି । ତେଣୁ ସେ ସାଇବର ସେନା ବାହିନୀକୁ ଶକ୍ତିଶାଳୀ କରି ଆମେରିକା ଓ ନାଟୋ ଗୋଷ୍ଠୀକୁ ବାରମ୍ବାର ଆକ୍ରମଣ କରି ଆସିଛନ୍ତି । ୨୦୨୦ ନିର୍ବାଚନ କାଳରେ ଆମେରିକାରେ ଟ୍ରମ୍ପ ବିଜୟୀ ହେବା ଜଣାପଡୁଥିଲା ବେଳେ ବାଇଡେନ ବିଜୟୀ ହେବା ସମସ୍ତଙ୍କୁ ଚକିତ କରିଥିଲା ଏବଂ ଆମେରିକାବାସୀ ଭୋଟରଙ୍କ ମନରେ ପୁତିନ ମାଇଣ୍ଡଗେମ୍ କ୍ଷେତ୍ରରେ ଆଗରେ ରହିବା ଜଣାପଡିଥିଲା । ପୁତିନ ନିଜେ କେଜିବିର ଜଣେ ଅଧିକାରୀ ଭାବେ ଅତୀତରେ କାର୍ଯ୍ୟ କରିଥିବା ଦୃଷ୍ଟିରୁ କ୍ଷମତାକୁ ଆସିବାପରେ ଗୁଇନ୍ଦା ବ୍ୟବସ୍ଥାକୁ ଶକ୍ତିଶାଳୀ କରିଛନ୍ତି । ଆମେରିକାର ଗଣମାଧ୍ୟମଗୁଡିକରେ ରୁଷିଆ ସମର୍ôଥତ ଲୋକଙ୍କୁ ପ୍ରବେଶ କରାଇ ପୁତିନ ଭୟ ସଞ୍ଚାର କରିବାକୁ ସକ୍ଷମ ହୋଇଛନ୍ତି । ୟୁକ୍ରେନ ଯୁଦ୍ଧବେଳେ ଜନବସତିଗୁଡିକ ଉପରେ ଭୀଷଣ ଆକ୍ରମଣକରି ପ୍ରବଳ କ୍ଷୟକ୍ଷତି ସହ ଅଞ୍ଚଳକୁ ଧ୍ୱସ୍ତବିଧ୍ୱସ୍ତ କରିବାର ଭୟଙ୍କର ଫଟୋ ସବୁ ଆମେରିକାର ଗଣମାଧ୍ୟମରେ ପ୍ରକାଶ କରାଇ ଆମେରିକାବାସୀଙ୍କ ମନରେ ସେଠାକାର ସରକାରଙ୍କ ପ୍ରତି ଘୃଣାଭାବ ସୃଷ୍ଟି କରିବାରେ ପୁତିନ ସକ୍ଷମ ହୋଇଥିଲେ । ଆମେରିକା ଏବଂ ୟୁରୋପର ଲୋକେ ଭୟାଳୁ ଏବଂ ରକ୍ତପାତ ଦେଖିଲେ ଛାନିଆଁ ହେବା ସମସ୍ତେ ଜାଣିଛନ୍ତି । ତେଣୁ ପୁତିନ  ଯୁଦ୍ଧକାଳରେ ସେଭଳି ଦୃଶ୍ୟ ସୃଷ୍ଟିକରି ଆମେରିକାବାସୀଙ୍କ ମନରେ ଭୟ ସୃଷ୍ଟି କରିଛନ୍ତି । ସୋଭିଏତ ରୁଷିଆକୁ ଆମେରିକା ରାଜନୀତିକ ଷଡଯନ୍ତ୍ର ମାଧ୍ୟମରେ ବିଭାଜିତ କରିବାକୁ ସକ୍ଷମ ହୋଇଥିଲା ବେଳେ ପୁତିନ ସମାନ ଢଙ୍ଗରେ ଆମେରିକାକୁ ଆମେରିକାବାସୀଙ୍କ ଦ୍ୱାରା ବିଭାଜିତ କରିବାକୁ ପ୍ରୟାସ ଚଳାଇଛନ୍ତି । (ବ୍ଲାକ ଲାଇଫମ୍ୟାଟର୍ସ ଆନ୍ଦୋଳନରେ ଯେପରି ଇସଲାମିକ ଏବଂ କମ୍ୟୁନିଷ୍ଟ ଗୋଷ୍ଠୀ ଆମେରିକାରେ ତାଣ୍ଡବ ସୃଷ୍ଟି କରିଥିଲେ ତା ପଛରେ କେଜିବିର ଭୂମିକା ରହିଥିବା ସଂକ୍ରାନ୍ତରେ ବହୁଖବର ପ୍ରକାଶ ପାଇଥିଲା । ଏଥିରୁ ଆମେରିକାକୁ ଆମେରିକା ମଧ୍ୟରେ ଦୁର୍ବଳ କରିବାକୁ ପୁତିନଙ୍କ ଅପରେସନ ସକ୍ଷମ ବୋଲି କୁହାଯାଇପାରେ ।  ଆଗାମୀ ଦିନରେ ଆମେରିକାବାସୀଙ୍କ ମନରେ ଆମେରିକାପ୍ରତି ଅଧିକ ସନ୍ଦେହ ସୃଷ୍ଟି ପାଇଁ ପୁତିନ ଭିନ୍ନ ଭିନ୍ନ ମାଧ୍ୟମରେ ପ୍ରୟାସ କରିବେ ନିଶ୍ଚୟ ।  କାନାଡା- ଆମେରିକା ଶିଖସନ୍ତ୍ରାସୀ ପ୍ରେମକୁ କେନ୍ଦ୍ରକରି କାନାଡା ବନାମ୍ ଭାରତ ପରିସ୍ଥିତିକୁ ମଧ୍ୟ ପୁତିନ ବ୍ୟବହାର କରିବେ ଏଥିରେ ସନ୍ଦେହ ନାହିଁ । କାରଣ ବିଗତ ଦିନରେ ଆର୍ମେନିଆ -ଆଜରବୈଜାନ ଯୁଦ୍ଧ କାଳରେ ସୁରକ୍ଷା ଦାୟିତ୍ୱରେ ରୁଷିଆର ସେନା ଥିଲାବେଳେ ଆଜରବୈଜାନ ଆର୍ମେନିଆ ହାତରୁ ନାଗୋର୍ଣ୍ଣୋ -କାରାବାଖ ଅଞ୍ଚଳର ଅନେକାଂଶକୁ ଦଖଲ କରିନେଲା ଯେଉଁ ଆକ୍ରମଣରେ ରୁଷିଆର ସେନା ନିହତ ହେଲେ । ଆର୍ମେନିଆ ଲୋକେ ଅଞ୍ଚଳ ଛାଡି ପଳାଇଲେ । ରୁଷିଆର ଏଭଳି ଭୂମିକାକୁ କାଜାଖସ୍ଥାନ ଗ୍ରହଣ କରିବ ନାହିଁ ବୋଲି ସ୍ପଷ୍ଟ କରିଦେଲାପରେ ଆଗାମୀ ଦିନରେ କାଜାଖସ୍ଥାନ ଦ୍ୱିତୀୟ ୟୁକ୍ରେନ  ହେବାର ଆଶଙ୍କା ଦେଖାଦେଲାଣି । ଯାହାକୁ ନେଇ ପୁତିନ ଏବେ ଚିନ୍ତିତ । ଏହାର ସୁଯୋଗରେ ଆମେରିକା କାଜାଖସ୍ଥାନରେ ଅନ୍ୟ ଏକ ମାର୍ଗ ଫିଟାଇପାରେ । ସଙ୍କଟକାଳରେ ସହଯୋଗୀ ରାଷ୍ଟ୍ରଙ୍କ ସମସ୍ୟା ସମାଧାନରେ ରୁଷିଆର ଦୁର୍ବଳତା ଆମେରିକା ପାଇଁ ଲାଭଜନକ ହେବାର ସମ୍ଭାବନା ରହିଛି । ତେଣୁ ଆମେରିକାକୁ କାଜାଖସ୍ଥାନରୁ ଦୂରେଇ ରଖିବା ପାଇଁ ପୁତିନ ଅଧିକ ଉଗ୍ର ହୋଇପାରନ୍ତି, ଯାହା ଆଉ ଏକ ଆମେରିକା ବିରୋଧୀ ଅପରେସନକୁ ଜନ୍ମ ଦେଇପାରେ ।

ଭାରତୀୟ ସମ୍ବାଦ ସେବା (ଭାସ୍‌)
ଭୁବନେଶ୍ୱର -୭୫୧୦୦୩

Leave a Reply