ସ୍ୱାମୀ ବିବେକାନନ୍ଦ ବିଶ୍ୱସ୍ତରରେ ନିଜ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ପାଇଁ ପରିଚିତ । ତେବେ ତାଙ୍କ ଜୀବନରେ ଘଟିଯାଇଥିବା ଏକ ଘଟଣାକୁ ଆଲୋଚନା କରାଗଲେ ଅନେଲ ଶିକ୍ଷା ମିଳେ । ଏକଦା ବନାରସରେ ସ୍ୱାମୀଜୀ ଦୁର୍ଗା ମନ୍ଦିରରୁ ବାହାରୁଥିଲେ, ହଠାତ୍ କିଛି ମାଙ୍କଡ଼ ତାଙ୍କୁ ଘେରିଗଲେ । ଦଳବଦ୍ଧ ଭାବେ ସ୍ୱାମୀ ବିବେକାନନ୍ଦଙ୍କୁ ଭୟଭୀତ କରିବାକୁ ଲାଗିଲେ । ସ୍ୱାମୀଜୀ ମଧ୍ୟ ମାଙ୍କଡ଼ଙ୍କୁ ଦେଖି ଭୟରେ ଦୌଡ଼ିବାକୁ ଲାଗିଲେ । ପାଖରେ ଉପସ୍ଥିତ ଜଣେ ବୃଦ୍ଧ ସନ୍ନ୍ୟାସୀ ଏସବୁ ଦେଖୁଥିଲେ । ସେ ସ୍ୱାମୀଜୀଙ୍କୁ କହିଲେ, ‘ରୁହ ବତ୍ସ! ବିପଦକୁ ସାମ୍ନା କରିବା ଶିଖ । ଭୟଭୀତ ହୋଇ କେତେବାଟ ଦୌଡ଼ିବ ।’ ସ୍ୱାମୀଜୀ ତୁରନ୍ତ ପଛକୁ ବୁଲି ମାଙ୍କଡ଼ଙ୍କ ଆଡ଼କୁ ସାହସର ସହ ମାଡ଼ିଚାଲିଲେ । ଏହାଦେଖି ମାଙ୍କଡ଼ମାନେ ସ୍ଥାନ ଛାଡ଼ି ପଳାୟନ କଲେ । ଏ ଘଟଣାରୁ ସ୍ୱାମୀଜୀ ଯେଉଁ ଶିକ୍ଷା ପାଇଲେ ତାକୁ ନେଇ କିଛି ବର୍ଷ ପରେ ଏକ ସମ୍ବୋଧନରେ କହିଥିଲେ, କୌଣସି ଜିନିଷ ପ୍ରତି ଭୟଭୀତ ହୋଇ ପଛଘୁଞ୍ଚା ନ ଦେବା ପରିବର୍ତ୍ତେ ତା’ର ସାମ୍ନା କର । ସ୍ୱାମୀ ବିବେକାନନ୍ଦ ଥିଲେ ଜଣେ ସତ୍ୟବାଦୀ । ସେ ପିଲାଦିନରୁ ଜଣେ ଉତ୍ତମ ଛାତ୍ର ଥିଲେ । ଯେତେବେଳେ ସେ ନିଜ ସହପାଠୀଙ୍କ ସହ କଥା ହେଉଥିଲେ ତାଙ୍କ କଥାଶୁଣି ସମସ୍ତେ ମନ୍ତ୍ରମୁଗ୍ଧ ହୋଇଯାଉଥିଲେ । ଏକଦା ଖେଳଛୁଟି ସମୟରେ ଶ୍ରେଣୀରେ କିଛି ମିତ୍ରଙ୍କୁ ସେ କାହାଣୀ ଶୁଣାଉଥିଲେ । ତାଙ୍କ କଥା ଶୁଣିବାକୁ ସଭିଏଁ ଏତେ ମଗ୍ନ ହୋଇଯାଇଥିଲେ ଯେ କେତେବେଳେ ଶିକ୍ଷକ ଶ୍ରେଣୀକୁ ପ୍ରବେଶ କଲେ ଏବଂ ପାଠ ପଢ଼ାଇଲେ କାହାକୁ ଜଣାପଡ଼ିନଥିଲା । ପାଠ ଆରମ୍ଭ କରିବା ପରେ ଶ୍ରେଣୀରେ ଫୁସ୍ରୁ ।ସର୍ କଥା ଶୁଭିଲା । ଶିକ୍ଷକ ପଚାରିଲେ କିଏ କଥା ହେଉଛ? ସମସ୍ତେ ସ୍ୱାମୀଜୀଙ୍କ ପାଖରେ ବସିଥିବା ପିଲାଙ୍କ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କଲେ । ଶିକ୍ଷକ କ୍ରୋଧିତ ହୋଇ ତୁରନ୍ତ ପିଲାଙ୍କୁ ପାଖକୁ ଡାକି ପଢ଼ାଉଥିବା ପାଠର ଏକ ପ୍ରଶ୍ନ ପଚାରିଲେ । କିନ୍ତୁ କେହି ଉତ୍ତର ଦେଇପାରିଲେ ନାହିଁ । ସ୍ୱାମୀଜୀ ସହଜରେ ଉତ୍ତର ଦେଇଦେଲେ । ଏହାଦେଖି ଶିକ୍ଷକ ଭାବିଲେ, କେବଳ ସ୍ୱାମୀଜୀ ପାଠ ପ୍ରତି ଧ୍ୟାନ କେନ୍ଦ୍ରିତ କରିଥିଲେ ବାକି ପିଲା କଥାବାର୍ତ୍ତା ହେଉଥିଲେ । ସେ ସ୍ୱାମୀଜୀଙ୍କୁ ଛାଡ଼ି ବାକି ସମସ୍ତଙ୍କୁ ବେଞ୍ଚ ଉପରେ ଠିଆ ହେବାକୁ କହିଲେ । କିନ୍ତୁ ଏ ଦଣ୍ଡ ଭୋଗୁଥିବା ପିଲାଙ୍କ ସହ ସ୍ୱାମୀଜୀ ମଧ୍ୟ ଦଣ୍ଡିତ ହେବାକୁ ଉଚିତ୍ ମନେକରି ବେଞ୍ଚରେ ଠିଆହେଲା । ଶିକ୍ଷକ ପଚାରିଲେ, ‘ତୁମେ ତ ଉତ୍ତର ଦେଇଛ । ବସିଯାଅ ।’ ସ୍ୱାମୀଜୀ କହିଲେ, ‘କ୍ଷମା କରିବେ ସାର୍! ମୋର ମଧ୍ୟ ଠିଆ ହେବା ଉଚିତ୍ । କାରଣ ଛାତ୍ରମାନେ ମୋ କଥା ଶୁଣିବାରେ ବ୍ୟସ୍ତ ଥିଲେ ।’ ଏହି ସତ୍ୟବାଦୀ ଗୁଣ ପାଇଁ ସେ ସମସ୍ତଙ୍କର ବେଶ୍ ପ୍ରିୟ ଥିଲେ । ଛଅ ବର୍ଷ ବୟସରେ ଥରେ ସେ ନିଜ ସାଥୀଙ୍କ ସହ ମେଳା ଦେଖି ଫେରୁଥିଲେ । ଏହି ସମୟରେ ଜଣେ ଛୋଟ ପିଲା ଫୁଟ୍ପାଥ ରାସ୍ତାକୁ ଚାଲିଗଲା । ଠିକ ସେଇ ସମୟରେ ସାମ୍ନାରୁ ଏକ ଘୋଡ଼ାଗାଡ଼ି ଆସୁଥିବା ଦେଖି ପିଲାଟି ଭୟଭୀତ ହୋଇ ଚିତ୍କାର ଛାଡ଼ିଲା । ଚିତ୍କାର ଶୁଣି ସ୍ୱାମୀଜୀ ତୀବ୍ର ଗତିରେ ତା’ ପାଖକୁ ଦୌଡ଼ି ଯାଇ ଘୋଡ଼ା ଗାଡ଼ି ଦୁର୍ଘଟଣାରୁ ରକ୍ଷାକଲେ । ଏଭଳି ବାହାଦୂର, ଔଜସ୍ୱୀ ଏବଂ ବୀର ଥିଲେ ବିବେକାନନ୍ଦ ।