Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସ୍ମୃତିରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସ୍ମୃତିରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି

୧୯୧୪ ମସିହା ଡିସେମ୍ବର ମାସ ୨୬ ଓ ୨୭ ତାରିଖ । ପବିତ୍ର ଉତ୍କଳମାତା ସେତେବେଳେ ବିଦେଶୀ ହାତରେ ଶାସିତ । ସବୁଆଡ଼େ ବ୍ରିଟିଶ ସରକାରର ଆତଙ୍କରାଜ । ମାତ୍ର ଓଡ଼ିଶାର ଦକ୍ଷିଣରେ ଥିବା ପାରଳାଖେମୁଣ୍ଡି ଅଞ୍ଚଳ ଚଳଚଞ୍ଚଳ । କୁଳବୃଦ୍ଧ ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ଫକୀର ମୋହନ ସେନାପତି, ଗୋଦାବରୀଶ ମିଶ୍ର, ନୀଳକଣ୍ଠ ଦାସ, ଜଗବନ୍ଧୁ ସିଂ, ବ୍ରଜସୁନ୍ଦର ଦାସଙ୍କ ସମେତ ଦୁଇ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ସମାଗମ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଜଣେ ଉଦୀୟମାନ ଯୁବକ ତଦାରଖ କରୁଥିଲେ । କାରଣ ସେଦିନ ଉତ୍କଳ ସମ୍ମିଳନୀରେ ଦଶମ ଅଧିବେଶନ ସେଠାରେ ଜୟପୁରର ରାଜା ବିକ୍ରମଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିଲା । ଏହି ସମ୍ମିଳନୀରେ ସେହି ଯୁବକ ଜଣକ ଦାବି କରିଥିଲେ ଯେ- ଓଡ଼ିଆ ଭାଷାଭାଷୀମାନଙ୍କୁ ଏକ ଶାସନାଧୀନ କରିବା ଆମର ଲକ୍ଷ୍ୟ ନୁହେଁ, ବରଂ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଆମର ଲକ୍ଷ୍ୟ । ଏହି ହୃଦୟସ୍ପର୍ଶୀ ଉଦ୍‌ବୋଧନ ଉତ୍କଳ ପ୍ରଦେଶ ଗଠନରେ ଏକ ନୂତନ ମୋଡ ସୃଷ୍ଟି କରିଥିଲା । ସେହି ଯୁବକ ଜଣକ ଆଉ କେହି ନୁହନ୍ତି, ସେ ହେଉଛନ୍ତି ପାରଳାଖେମୁଣ୍ଡିର ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ଉତ୍କଳମାତାର ଯୋଗ୍ୟତମ ସନ୍ତାନ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ ନିର୍ମାତା, ଦକ୍ଷ ପ୍ରଶାସକ ଓ ସର୍ବୋପରି ଓଡ଼ ିଶାର ପ୍ରଥମ ପ୍ରଧାନମନ୍ତ୍ରୀ । ଆଉ ଉତ୍କଳ ଗୌରବ ମଧୁସୂଦନଙ୍କ ଭାଷାରେ ସେ ଥିଲେ “କିଙ୍ଗ୍ ଅଫ୍ କିଙ୍ଗ୍‌ସ” । ଏହି ଯୋଗଜନ୍ମା ବରପୁତ୍ର ୧୮୯୨ ମସିହା ବୈଶାଖ ଅମାବାସ୍ୟାତିଥି ଏପ୍ରିଲ ୨୬ ତାରିଖରେ ପିତା ରାଜା ଗୌରଚନ୍ଦ୍ର ଗଜପତି ଓ ମାତା ରାଧାମଣି ଦେବୀଙ୍କ କୋଳମଣ୍ଡନ କରି ପାରଳାଖେମୁଣ୍ଡିରେ ଜନ୍ମଗ୍ରହଣ କରିଥିଲେ । ନିଜଘରୁ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ କୃଷ୍ଣଚନ୍ଦ୍ର । ଏହି ସମୟରେ ତାଙ୍କ ଗୃହଶିକ୍ଷକ ଗଞ୍ଜାମର ପ୍ରଥମ ଗ୍ରାଜୁଏଟ୍ ଶ୍ୟାମସୁନ୍ଦର ରାଜଗୁରୁ, ସୁନାମଧନ୍ୟ ଶିକ୍ଷକ ଆପନ୍ନା ପଣ୍ଡାଙ୍କ ଜୀବନାଦର୍ଶ ଏବଂ ନିଜ ପିତା ଓ ପିତୃବ୍ୟ ପଦ୍ମନାରାୟଣ ଦେବଙ୍କ ଜାତୀୟ ପ୍ରୀତି ଓ ଦେଶପ୍ରେମ ଭାବ ତାଙ୍କ ଉପରେ ଗଭୀର ରେଖାପାତ କରିଥିଲା । ଏହାପରେ ତାଙ୍କ ପିତାଙ୍କ ଦ୍ୱାରା ସ୍ଥାପିତ ଉଚ୍ଚ ବିଦ୍ୟାଳୟରୁ ଏଣ୍ଟ୍ରାନ୍ସ ପାଶ୍ କଲାପରେ ସେ ମାନ୍ଦ୍ରାଜର ନ୍ୟୁଇଙ୍ଗଟନ୍ କଲେଜରୁ ସ୍ନାତ୍ତକ ଶିକ୍ଷା ଶେଷକରି ପାରଳା ଫେରିଥିଲେ । ୧୯୧୩ ମସିହାରେ ଏପ୍ରିଲ ୧୩ରେ ରାଜପଦରେ ଅଭିଷିକ୍ତ ହୋଇଥିଲେ ସେ, ପାରଳାର ମହାରାଜା ରୂପେ ସେତେବେଳକୁ ତାଙ୍କୁ ମାତ୍ର ୨୧ ବର୍ଷ । ମାନ୍ଦ୍ରାଜରେ ପଢିବାବେଳେ କୃଷ୍ଣଚନ୍ଦ୍ର ସ୍ପଷ୍ଟଭାବେ ବୁଝିପାରିଥିଲେ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡିକ ଚାରିଗୋଟି ପ୍ରଦେଶରେ ରହିଥିବାରୁ ତାର ଉନ୍ନତି ହୋଇପାରୁନାହିଁ । ନିଜର ପୂର୍ବଜମାନଙ୍କ ପରି ସେ ସ୍ୱାଧୀନଚେତା ଓ ପ୍ରଜାନୁରଞ୍ଜନ ଥିଲେ । ପ୍ରଜାଙ୍କ ପାଇଁ ରାଜା ଏକଥା ସେ ଭଲ ଭାବେ ହୃଦୟଙ୍ଗମ କରିଥିଲେ । ତାଙ୍କର ମୂଳ ଲକ୍ଷ୍ୟ ଥିଲା ଓଡି଼ଆ ଭାଷା ଓ ସଂସ୍କୃତି ସୁରକ୍ଷା ସହ ଓଡ଼ିଆ ଜାତିର ପ୍ରାଦେଶିକ ସ୍ୱତନ୍ତ୍ରତା । ବିଖଣ୍ଡିତ ଓଡ଼ିଶା, ଲୁପ୍ତପ୍ରାୟ ଓଡ଼ିଆ ଭାଷାର ପୁନରୁଦ୍ଧାର ପାଇଁ ଚେଷ୍ଟିତ କୁଳବୃଦ୍ଧ ମଧୁସୂଦନଙ୍କ ଆହ୍ୱାନରେ ଆକର୍ଷିତ ହେଲେ ସେ । ଓଡି଼ଆମାନଙ୍କୁ ଏକଜୁଟ କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ତାଙ୍କ ପ୍ରାଣ ଚିତ୍କାର କରିଉଠିଲା । ୧୯୧୪ ମସିହା ଡିସେମ୍ବର ୨୬ ଓ ୨୭ ତାରିଖରେ ମହାରାଜାଙ୍କ ପୃଷ୍ଠପୋଷକତାରେ ପାରଳାଖେମୁଣ୍ଡିରେ ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ସେହି ଅଧିବେଶନରେ ଉଦ୍‌ବୋଧନ ଦେଇ ମହାରାଜା କୃଷ୍ଣଚନ୍ଦ୍ର ଦାବି କରିଥିଲେ ଯେ ଓଡିଆ ଭାଷାଭାଷୀମାନଙ୍କୁ ଏକ ଶାସନାଧୀନ କରିବା ଆମର ଲକ୍ଷ୍ୟ ନୁହେଁ ବରଂ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଆମର ଲକ୍ଷ୍ୟ । ଏଇ କଥା ଉତ୍କଳ ପ୍ରଦେଶ ଗଠନ ଧାରାରେ ଏକ ନୂତନ ମୋଡ ସୃଷ୍ଟି କରିଥିଲା । ଏହି ସମ୍ମିଳନୀରେ କୃଷ୍ଣଚନ୍ଦ୍ରଙ୍କ କାର୍ଯ୍ୟକୁଶଳତା ଓ ଆତିଥେୟତାରେ ସମସ୍ତେ ଅଭିଭୂତ ହୋଇଯାଇଥିଲେ । ଏପରିକି ସମ୍ମିଳନୀ ପାଇଁ ମହାରାଜା ନିଜ ହାତରୁ ୧୦,୦୦୦ଟଙ୍କା ଦାନ କରିଥିଲେ । ସମ୍ମିଳନୀ ମଣ୍ଡପରେ କୁଳବୃଦ୍ଧ ମଧୁସୂଦନ କୃଷ୍ଣଚନ୍ଦ୍ର ଗଜପତିଙ୍କର ଭୂରିଭୂରି ପ୍ରଶଂସା କରିଥିଲେ ଓ କହିଥିଲେ ଯେ “ଉତ୍କଳମାତାର ମୁଖ ଦିନେ ରାଜା କୃଷ୍ଣଚନ୍ଦ୍ର ଉଜ୍ଜ୍ୱଳ କରିବେ” । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଗଜପତି କୃଷ୍ଣଚନ୍ଦ୍ରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଆପଣାର ଲକ୍ଷ୍ୟ ହାସଲ ପାଇଁ ସେ ଅବିରତ ଉଦ୍ୟମ ଚଳାଇଥିଲେ ଓ ଅନ୍ୟମାନଙ୍କ ମତାମତ ପ୍ରତି ଭ୍ରୂକ୍ଷେପ କରିନଥିଲେ । ସାରା ଭାରତର ଜନସାଧାରଣ ଓ କଂଗ୍ରେସ ଯେତେବେଳେ ସାଇମନ୍ କମିଶନକୁ ବିରୋଧ କରିଥିଲେ ସେତେବେଳେ ସେ ନିର୍ଭୟରେ ମାନ୍ଦ୍ରାଜ ଯାଇ ନିଜର ସାକ୍ଷ୍ୟ ପ୍ରଦାନ କରିଥିଲେ । ତିନି ତିନି ଥର ନିଜ ଖର୍ଚ୍ଚରେ ଇଂଲଣ୍ଡ ଯାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନେଇ ଦୃଢ ଦାବି ଉପସ୍ଥାପିତ କରିଥିଲେ । ୧୯୩୧ ମସିହା ପ୍ରଥମ ଗୋଲଟେବୁଲ ବୈଠକରେ ମହାରାଜା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରିବା ପ୍ରସ୍ତାବକୁ ଏପରି ଗୁରୁତ୍ୱ ଦେଇଥିଲେ ଯେ ପରିଣାମସ୍ୱରୂପ ଇଂରେଜ ସରକାର ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ପ୍ରକୃତ ସମୟ ଉପସ୍ଥିତ ହୋଇଯାଇଥିଲା ବୋଲି ଅନୁଭବ କରିଥିଲେ । ୧୯୩୩ ମସିହା ମାର୍ଚ୍ଚ ମାସ ୧୭ ତାରିଖରେ ଓଡି଼ଶା ପ୍ରଦେଶ ଗଠନ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ ପାଇଲା । ଏଥିରେ ପାରଳାଖେମୁଣ୍ଡି ଓ ଜୟପୁରକୁ ଓଡି଼ଶା ସହିତ ମିଶାଇବା ପାଇଁ ସୁପାରିଶ କରାଯାଇନଥିଲା । କୃଷ୍ଣଚନ୍ଦ୍ର ଗଜପତି ପୁନର୍ବାର ଇଂଲଣ୍ଡ ଗଲେ । ବହୁ ଆଲୋଚନା ପରେ ପାରଳାଖେମୁଣ୍ଡି ଓ ଜୟପୁର ଓଡିଶାରେ ମିଶିଲା । ପରିଶେଷରେ ଛଅଗୋଟି ଜିଲ୍ଲା – କଟକ, ପୁରୀ, ବାଲେଶ୍ୱର, ଗଞ୍ଜାମ, କୋରାପୁଟ ଓ ସମ୍ବଲପୁରକୁ ନେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଲା ୧୯୩୬ ମସିହା ଏପ୍ରିଲ ପହିଲାରେ । ଜୀବଦ୍ଦଶାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଦେଖିବା ପାଇଁ କୃଷ୍ଣଚନ୍ଦ୍ର ଦେବଙ୍କ ସ୍ୱପ୍ନ ସାକାର ହେଲା । ମହାରାଜାଙ୍କ ଯଶଗାନ କରିବାକୁ ଓଡି଼ଶାରେ କାର୍ଯ୍ୟ କରିଥିବା ତତ୍‌କାଳୀନ କମିଶନର ମିଃ ସି.ଏଲ୍‌. ଫିଲିପ୍ କହିଥିଲେ – “ଏହି ପବିତ୍ର କାର୍ଯ୍ୟରେ ମହାରାଜାଙ୍କ ଅବଦାନ ଓଡି଼ଶା କଦାପି ଭୁଲିପାରିବ ନାହିଁ ।” ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏକ ବର୍ଷପରେ ୧୯୩୭ ମସିହାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରଧାନମନ୍ତ୍ରୀତ୍ୱରେ ଓଡ଼ିଶାରେ ପ୍ରଥମ ମନ୍ତ୍ରିମଣ୍ଡଳ ଗଠନ କରାଯାଇଥିଲା । ପୁନଶ୍ଚ ୧୯୪୧ ମସିହାରୁ ୧୯୪୪ ପର୍ଯ୍ୟନ୍ତ ଦ୍ୱିତୀୟଥର ପାଇଁ ସେ ଏହି ପଦବୀରେ ଅଧିଷ୍ଠିତ ହୋଇଥିଲେ । ମହାରାଜାଙ୍କ ସହଯୋଗୀ ମନ୍ତ୍ରୀ ଥିଲେ ପଣ୍ଡିତ ଗୋଦାବରୀଶ ମିଶ୍ର ଓ ଅବଦୁସ୍ ଶୋଭାନ ଖାଁ । ମହାରାଜା ଚାହୁଁନଥିଲେ କ୍ଷମତାଭିତ୍ତିକ ରାଜନୀତି । ତାଙ୍କ ଆନ୍ତରିକ କାମନା ଥିଲା ଓଡି଼ଶା ଓ ଓଡ଼ିଶାବାସୀଙ୍କ ଉନ୍ନତି । ତାଙ୍କରି ଉଦ୍ୟମରେ ଶିକ୍ଷାର ବିକାଶ ପାଇଁ ଭୁବନେଶ୍ୱରରେ ଉତ୍କଳ ବିଶ୍ୱବିଦ୍ୟାଳୟ, କଟକରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ୍ ପ୍ରତିଷ୍ଠା ସହ କଟକର ବିଦ୍ୟାଧରପୁର ଧାନଗବେଷଣା କେନ୍ଦ୍ର ଆଦିର ପ୍ରତିଷ୍ଠାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା । ସ୍ନାତକୋତ୍ତର ଶିକ୍ଷାର ଅଭିବୃଦ୍ଧି ନିମନ୍ତେ ରେଭେନ୍ସା କଲେଜ ସଙ୍ଗେ ବ୍ରହ୍ମପୁର ଖଲିକୋଟ କଲେଜରେ ଉଚ୍ଚ ଶିକ୍ଷାର ବ୍ୟବସ୍ଥା କରାଗଲା । ଏଥି ସହିତ କୃଷି ଓ ଶିଳ୍ପର ବିକାଶକୁ ଅଗ୍ରାଧିକାର ଦେଇଥିଲେ କୃଷ୍ଣଚନ୍ଦ୍ର ଗଜପତି । କେବଳ ରାଜନୀତି, ଶିଳ୍ପ, କାରିଗରି, କୃଷି ନୁହେଁ ସାହିତ୍ୟ ଓ ସଂସ୍କୃତି ପ୍ରତି ତାଙ୍କର ଗଭୀର ଅନୁରାଗ ଥିଲା । ଗୋପୀନାଥ ନନ୍ଦଙ୍କ ରଚିତ “ଶବ୍ଦତତ୍ତ୍ୱ ଅଭିଧାନ” ଓ ଜଗବନ୍ଧୁ ସିଂହଙ୍କ “ପ୍ରାଚୀନ ଉତ୍କଳ ଗ୍ରନ୍ଥ” ଆଦିର ପ୍ରକାଶନ ନିମନ୍ତେ ସହାୟତା କରିଥିଲେ ଗଜପତି । ଏତଦ୍‌ବ୍ୟତୀତ ବହୁ ପାନ୍ଥଶାଳା, ମନ୍ଦିର, ମଠ ଆଦି ନିର୍ମାଣ କରି ନିଜକୁ ଯଶସ୍ୱୀ କରିଯାଇଛନ୍ତି । ଏହି ଯୋଗଜନ୍ମା ମହାରାଜାଙ୍କର ମହାପ୍ରୟାଣ ଘଟିଲା ୧୯୭୪ ମସିହା ମଇ ମାସ ୨୫ ତାରିଖରେ । ତାଙ୍କ ଅବର୍ତ୍ତମାନରେ ବିରାଟ ଶୂନ୍ୟତା । ହେଲେ ଏହିପରି ଏକ ବହୁମୁଖୀ ବ୍ୟକ୍ତିତ୍ୱଙ୍କ ଜୀବନାଦର୍ଶକୁ ଉତ୍ତରପିଢି ପାଖରେ ପହଞ୍ଚାଇବାର ଅଛି । ଆମ ପୂର୍ବସୂରୀମାନଙ୍କ ପ୍ରଦର୍ଶିତ ମାର୍ଗରେ ଏ ଜାତି ଅଗ୍ରସର ହେଉ ଏହା ହିଁ କାମନା ।

ହିଂମାଶୁ ଶେଖର ଆଚାର୍ଯ୍ୟ ସଭାପତି, ସାରସ୍ୱତ ପରିଷଦ, ଜଗତସିଂହପୁର

Leave a Reply