ଭାରତର ପ୍ରକୃତ ପରିଚୟ, ସମୃଦ୍ଧ ଐତିହ୍ୟ ଓ ଆଧ୍ୟାତ୍ମିକ ଚିନ୍ତନ ହିଁ ବିକାଶର ମୂଳ ଆଧାର: ଡଃ. ବୈଦ୍ୟ
ଭୁବନେଶ୍ୱର,୨୨/୧୧: ୧୯୪୭ରେ ସ୍ୱାଧୀନତା ପରେ ଭାରତ ପାଖରେ ପ୍ରଚୁର ସମ୍ବଳ, ପ୍ରତିଭା ଓ ସମୃଦ୍ଧ ଐତିହ୍ୟ ଥିବା ସତ୍ତ୍ୱେ ଆଶାନୁରୂପ ପ୍ରଗତି ହୋଇପାରିନଥିଲା। ଏହାର ଏକ ପ୍ରମୁଖ କାରଣ ଥିଲା ରାଷ୍ଟ୍ରର ନିଜସ୍ୱ ପରିଚୟ ଓ ବିକାଶର ଦିଗ ସମ୍ପର୍କରେ ସ୍ପଷ୍ଟତାର ଅଭାବ। ଭାରତ ନିଜ ଇତିହାସ, ସଂସ୍କୃତି ଓ ପୂର୍ବଜଙ୍କ ଗୌରବକୁ ଆଧାର କରି ନିଜର ରାଷ୍ଟ୍ରୀୟ ଦୃଷ୍ଟିକୋଣ ବିକଶିତ କରିବା ଆବଶ୍ୟକ ବୋଲି ଭୁବନେଶ୍ୱରଠାରେ ସଂସ୍କୃତି ସୁରକ୍ଷା ସମିତି ପକ୍ଷରୁ ଆୟୋଜିତ ପ୍ରବୁଦ୍ଧ ନାଗରିକ ସଂଗୋଷ୍ଠୀରେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ଡଃ ମନମୋହନ ବୈଦ୍ୟ କହିଛନ୍ତି ।
CSIR-IMMT, ଆଚାର୍ଯ୍ୟ ବିହାର, ଭୁବନେଶ୍ୱର ଠାରେ ଆୟୋଜିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବପ୍ରାନ୍ତର ସହ ସମ୍ପର୍କ ପ୍ରମୁଖ ତଥା ସମ ହସପିଟାଲର ଡାଇରେକ୍ଟର ଡ.ବସନ୍ତ କୁମାର ପତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବ ପ୍ରାନ୍ତର ସଂଘଚାଳକ ଶ୍ରୀ ସମୀର କୁମାର ମହାନ୍ତି ମଞ୍ଚାସୀନ ଥିଲେ । ସଂସ୍କୃତି ସୁରକ୍ଷା ସମିତିର ସଭାପତି ଡ. ସଂଜିତ କୁମାର ପଣ୍ଡା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।
ମୁଖ୍ୟ ଅତିଥିରୂପେ ଯୋଗଦେଇ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ଡଃ ମନମୋହନ ବୈଦ୍ୟ କହିଲେ ଯେ ଭାରତ କେବଳ ଏକ କୃଷିପ୍ରଧାନ ଦେଶ ନଥିଲା; ପ୍ରାଚୀନ କାଳରେ ଏହା ବିଶ୍ୱର ଏକ ପ୍ରମୁଖ ଶିଳ୍ପ ଓ ବାଣିଜ୍ୟ କେନ୍ଦ୍ର ଥିଲା। ବୟନଶିଳ୍ପ, ଧାତୁବିଦ୍ୟା, ଚମଡ଼ା ଶିଳ୍ପ ଓ ଅତର ପ୍ରସ୍ତୁତି ଭଳି କ୍ଷେତ୍ରରେ ଭାରତର ବିଶେଷ ଖ୍ୟାତି ଥିଲା। ଘରୋଇ ଶିଳ୍ପ ଓ ମହିଳାଙ୍କ ଅବଦାନ ମଧ୍ୟ ଦେଶର ଅର୍ଥନୈତିକ ସମୃଦ୍ଧିର ମୁଖ୍ୟ ଆଧାର ଥିଲା।
ଭାରତୀୟ ସଂସ୍କୃତିର ମୂଳ ଆଧାର ହେଉଛି ଆଧ୍ୟାତ୍ମିକତା, ସହିଷ୍ଣୁତା ଓ ବିବିଧତା ମଧ୍ୟରେ ଏକତା। ରବୀନ୍ଦ୍ରନାଥ ଠାକୁରଙ୍କ ଚିନ୍ତାଧାରାକୁ ଉଦ୍ଧୃତ କରି ସେ କହିଛନ୍ତି ଯେ ଭାରତୀୟ ସଂସ୍କୃତି ବିଭିନ୍ନତାକୁ ଭେଦଭାବ ଭାବେ ନୁହେଁ, ବରଂ ଏକତାର ସୂତ୍ରରେ ଦେଖିଥାଏ। ଏକଂ ସଦ୍ ବିପ୍ରା ବହୁଧା ବଦନ୍ତି ଓ ବସୁଧୈବ କୁଟୁମ୍ବକମ୍ ଭଳି ମହାନ ଚିନ୍ତନ ଭାରତର ବିଶ୍ୱଦୃଷ୍ଟିକୁ ପ୍ରତିଫଳିତ କରେ।
ସମାଜରେ ସେବା, ପରୋପକାର, ସହଯୋଗ ଓ ଅନ୍ୟର ଦୁଃଖରେ ସହଭାଗୀ ହେବାର ଭାବନା ଆଜି ମଧ୍ୟ ଜୀବନ୍ତ ରହିଛି। ଭାରତର ପ୍ରକୃତ ଶକ୍ତି ଏହାର ସାମାଜିକ ମୂଲ୍ୟବୋଧ ଓ ଆଧ୍ୟାତ୍ମିକ ଜୀବନଶୈଳୀରେ ନିହିତ।
ତାଙ୍କ ମତରେ, ନୂଆ ପିଢ଼ି ପ୍ରଥମେ ଭାରତକୁ ନିଜର ବୋଲି ଗ୍ରହଣ କରିବା ସହ ଏହାର ଇତିହାସ, ସଂସ୍କୃତି ଓ ଗୌରବମୟ ପରମ୍ପରାକୁ ଜାଣିବା ଆବଶ୍ୟକ। ଏଥିପାଇଁ ସେ ଚାରୋଟି ଆହ୍ୱାନ ଦେଇଛନ୍ତି—ଭାରତକୁ ମାନ, ଭାରତକୁ ଜାଣ, ଭାରତର ହୁଅ ଏବଂ ଭାରତକୁ ଗଢ଼। ଭାରତର ରାଷ୍ଟ୍ରୀୟ ଚେତନାର ପୁନର୍ଜାଗରଣ ଆରମ୍ଭ ହୋଇଛି। ଦେଶର ବୈଦେଶିକ ନୀତି, ପ୍ରତିରକ୍ଷା, ଶିକ୍ଷା ଓ ଅର୍ଥନୀତିରେ ଭାରତୀୟ ଦୃଷ୍ଟିକୋଣକୁ ଅଧିକ ଗୁରୁତ୍ୱ ଦେବା ସହ ଆତ୍ମନିର୍ଭର ଓ ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ଦୀର୍ଘମିଆଦୀ ପ୍ରୟାସ ଜାରି ରଖିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ ।