ପ୍ରକୃତ ଜେନ୍ ଜି ସେହିମାନେ ଯେଉଁମାନେ ବିଶ୍ୱ ସ୍ତରରେ ନିଜର ନିଷ୍ଠା
ପରିଶ୍ରମ ଓ ଦକ୍ଷତା ବଳରେ ଭାରତର ପତାକା ଉଡ଼ାଉଛନ୍ତି: ଡ. ରତନ ସାରଦା
ଭୁବନେଶ୍ୱର,୦୮/ ୯: ଆମେ ଭାରତ ବିଷୟରେ କଥା ହେଉଛେ, ସେହି ଭାରତ ଯାହା ବଦଳୁଥିବା ଭାରତ। ଏହା ଏପରି ଏକ ଭାରତ ଯେଉଁଠାରେ ଯୁବବର୍ଗ ବହୁତ ଆତ୍ମବିଶ୍ୱାସ ସହିତ ସାରା ବିଶ୍ୱରେ ପାଦ ଥାପୁଛନ୍ତି ଏବଂ ସାରା ବିଶ୍ୱରେ ବିଜୟ ହାସଲ କରୁଛନ୍ତି। ଆମ ପିଢ଼ି ଠାରୁ ଏହା ଏକ ସମ୍ପୂର୍ଣ୍ଣ ଭିନ୍ନ ଭାରତ । ପ୍ରକୃତ ଜେନ୍ ଜି ସେହିମାନେ, ଯେଉଁମାନେ ବିଶ୍ୱ ସ୍ତରରେ ନିଜର ନିଷ୍ଠା, ପରିଶ୍ରମ ଓ ଦକ୍ଷତା ବଳରେ ଭାରତର ପତାକା ଉଡ଼ାଉଛନ୍ତି ବୋଲି ଡ. ରତନ ସାରଦା ପ୍ରକାଶ କରିଛନ୍ତି ।
ଆଜି ରାଷ୍ଟ୍ରୀୟ ସାଧନା ସମିତି ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ୱ ବିଦ୍ୟାଳୟ ପରିସରରେ ଥିବା ବ୍ରାକ୍ ଅଡିଟୋରିୟମରେ ଯୁବ ସମ୍ବାଦ ନାମକ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ରାଷ୍ଟ୍ର ନିର୍ମାଣରେ ଯୁବସମାଜର ଭୂମିକା ଶୀର୍ଷକ ଆଲୋଚନାରେ ଭାଗ ନେଇ ଲେଖକ, ସ୍ତମ୍ଭକାର, ରାଜନୈତିକ ବିଶ୍ଳେଷକ ଏବଂ ଗବେଷକ ଡ. ରତନ ସାରଦା କହିଛନ୍ତି ଯେ, ଆଜିର ଭାରତୀୟମାନଙ୍କ ମଧ୍ୟରେ ବିଜୟୀ ମାନସିକତାର ଅଭ୍ୟୁଦୟ ହୋଇଛି । ଆଜିର ଭାରତୀୟ ଯୁବଶକ୍ତି କେବଳ ପ୍ରତିଯୋଗିତାରେ ଭାଗ ନେବାରେ ସନ୍ତୁଷ୍ଟ ନୁହଁନ୍ତି; ବରଂ “ଆମେ ଜିତିପାରିବା ଏବଂ ବିଶ୍ୱରେ ନମ୍ବର-୧ ହୋଇପାରିବା’ ବିଶ୍ୱାସ ସହ ଆଗକୁ ବଢ଼ୁଛନ୍ତି।
ସେ ସ୍କାଇରୁଟ୍ ଓ ଷ୍ଟାର୍ଟଅପ୍ କ୍ରାନ୍ତି ବିଷୟରେ କହିଛନ୍ତି ଯେ,”ସ୍କାଇରୁଟ୍’ ଭଳି ସ୍ପେସ୍-ଟେକ୍ କମ୍ପାନୀର ହାରାହାରି ବୟସ ମାତ୍ର ୨୮ ବର୍ଷ। ଏହି ଯୁବ ବୈଜ୍ଞାନିକମାନେ ପ୍ରଥମ ପ୍ରଚେଷ୍ଟାରେ ସାଟେଲାଇଟ୍କୁ ସଫଳତାର ସହ କକ୍ଷପଥରେ ପହଞ୍ଚାଇ ଇତିହାସ ରଚିଛନ୍ତି। ଆଜି ଭାରତରେ ୧,୨୦,୦୦୦ ରୁ ଅଧିକ ଷ୍ଟାର୍ଟଅପ୍ ଗଢ଼ିଉଠିଛି, ଯାହା ଯୁବବର୍ଗଙ୍କ ଉଦ୍ୟମିତା ଓ ଦକ୍ଷତାକୁ ଦର୍ଶାଉଛି। କ୍ରୀଡ଼ା କ୍ଷେତ୍ରରେ ନୂତନ ସଫଳତା ଆମକୁ ଆଉ ପାଦେ ଆଗକୁ ନେଇ ଯାଇଛି । ଅନାହତ୍ ସିଂ ମାତ୍ର ୧୬ ବର୍ଷ ବୟସରେ ସ୍କ୍ୱାଶ୍ ଖେଳରେ ଅଣ୍ଡର-୧୮ ବିଶ୍ୱ ଚାମ୍ପିୟନ୍। ସାଧାରଣ ଡିଆଁ ଦଉଡ଼ି ଖେଳରେ ଚୀନ୍ରେ ଯାଇ ସ୍ୱର୍ଣ୍ଣ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି । ଯେଉଁ ଖେଳ ବିଷୟରେ ଆମକୁ ଜଣା ବି ନଥିଲା, ସେଥିରେ ବି ସେମାନେ ମେଡାଲ ଜିତି ଆସିଛନ୍ତି। ଆଥଲେଟିକ୍ସ ରିଲେ ରେସ୍ରେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ପୂରା ଶକ୍ତି ଲଗାଇ ବିଜୟୀ ହେବାର ସଂକଳ୍ପ। ଆପଣ ଦେଖିଥିବେ ଚୀନ୍ରେ କିଛି ୧୦ ଦିନ ପୂର୍ବରୁ ଜଣେ ଯୁବତୀ ରିଲେ ରେସ ରେ ପାଖାପାଖି ୩୦-୪୦ ମିଟର ଚାଇନିଜ୍ ଆଥଲେଟ୍ଙ୍କ ପଛରେ ଥିଲେ। କିନ୍ତୁ ପୂରା ଜୀବନ ବାଜି ଲଗାଇ ଜିତିବାକୁ ହିଁ ହେବ ଏହି ବିଶ୍ୱାସ ସହିତ ସେ ଆଗକୁ ବଢ଼ିଲେ ଏବଂ ଶେଷ ମୁହୂର୍ତ୍ତରେ ଜିତିଗଲେ।
ଏହି ପରିବର୍ତ୍ତନ କେବଳ ଗୋଟିଏ ଦିନର ନୁହେଁ। ଆଜିର ଯୁବବର୍ଗଙ୍କ ମନରେ ଦେଶ ପ୍ରତି ଥିବା ଗର୍ବ, ଆତ୍ମବିଶ୍ୱାସ ଏବଂ ଜିତିବାର ଜିଦ୍ ପଛରେ ବହୁ ବର୍ଷର ନିରନ୍ତର ସାଧନା ଓ ପରିଶ୍ରମ ରହିଛି। ତେଣୁ ସେତେବେଳର ଭାରତ ଭିନ୍ନ ଥିଲା, ଯେଉଁଠି ଆମକୁ ଶିଖାଯାଉଥିଲା ଖେଳିବା ଗୁରୁତ୍ୱପୂର୍ଣ୍ଣ, ଜିତିବା ନୁହେଁ। କାରଣ ଆମେ ଜିତୁ ନଥିଲୁ, ଆମକୁ ଲାଗୁଥିଲା ଆମେ କେମିତି ଜିତିବୁ।
ଦିଲ୍ଲୀରେ ଦେଖାଯାଉଥିବା କିଛି ଅଳ୍ପସଂଖ୍ୟକ ଯୁବକ-ଯୁବତୀଙ୍କୁ ଦେଖି ଆମେ ଯାହା ଭାବୁଥିଲେ, ସେମାନେ ଜେନ୍ ଜି ନୁହଁନ୍ତି। ପ୍ରକୃତ ଜେନ୍ ଜି ହେଉଛନ୍ତି ସେହିମାନେ ଯେଉଁମାନେ ସାରା ବିଶ୍ୱରେ ନିଜର ପତାକା ଉଡ଼ାଉଛନ୍ତି। ବିଶ୍ୱସ୍ତରରେ ଆମେ ଜିତିପାରିବା, ନମ୍ବର ୱାନ୍ ହୋଇପାରିବା, ଏହି ପୂର୍ଣ୍ଣ ବିଶ୍ୱାସ ସହ ସେମାନେ କାମ କରୁଛନ୍ତି। ଯେମିତି ମୁଁ କହିଲି, ଆମର ହାରିବାର ମାନସିକତା ଯାହା ଆମକୁ ଶିଖାଯାଇଥିଲା ଏବଂ ଆଜିର ମାନସିକତା ଏହି ଦୁଇଟି ମଧ୍ୟରେ ଗତ କିଛି ବର୍ଷ ମଧ୍ୟରେ ଆକାଶ-ପାତାଳର ଫରକ୍ ଆସିଛି। କାରଣ ଏହା “ଭାରତ’, କେବଳ “ଇଣ୍ଡିଆ’ ନୁହେଁ। ଏବଂ ଏହି ଯେଉଁ ଉଦୀୟମାନ ଆତ୍ମବିଶ୍ୱାସ, ଭାରତ ପ୍ରତି ଓ ଦେଶ ପ୍ରତି ଯେଉଁ ଗର୍ବର ଭାବନା ଗତ କିଛି ବର୍ଷରେ ଆସିଛି, ଏହା ପଛରେ ବହୁ ବର୍ଷର ଏକ ବଡ଼ ସାଧନା ରହିଛି।
ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବ ପ୍ରାନ୍ତର ସହପ୍ରାନ୍ତ କାର୍ଯ୍ୟବାହ ଶ୍ରୀ ରବି ନାରାୟଣ ପଣ୍ଡା ମଞ୍ଚାସୀନ ଥିବା ବେଳେ ଦିବ୍ୟଜ୍ୟୋତି ବିଶ୍ୱାଳ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରୁ ମଞ୍ଚାସୀନ ଅତିଥିମାନେ ତୁଳସୀ ବୃକ୍ଷ ମୂଳରେ ପାଣି ଦେବା ସହିତ ଜଗନ୍ନାଥ ଓ ଭାରତମାତାଙ୍କ ଫଟୋ ଚିତ୍ର ନିକଟରେ ଦ୍ୱୀପ ପ୍ରଜଳନ କରିଥିଲେ ଏବଂ ଶେଷରେ ବନ୍ଦେ ମାତରଂମ ଗାନ କରାଯିବା ପରେ କାର୍ଯ୍ୟକ୍ରମର ସମାରୋପ ହୋଇଥିଲା ।