ଲୁଧିଆନାରେ ISI ର ବଡ଼ ମଡ୍ୟୁଲର ପର୍ଦ୍ଦାଫାଶ, ଦୋକାନ ବାହାରେ ଲଗାଯାଇଥିବା CCTV ରୁ ପାକିସ୍ତାନକୁ ପଠାଯାଉଥିଲା ଲାଇଭ୍ ଫିଡ୍
ପଞ୍ଜାବର ଲୁଧିଆନାରୁ ଗୁପ୍ତଚର ବୃତ୍ତିର (ଜାସୁସି) ଏକ ଗମ୍ଭୀର ମାମଲା ସାମ୍ନାକୁ ଆସିଛି। ପାକିସ୍ତାନର ଗୁପ୍ତଚର ସଂସ୍ଥା ପାଇଁ ଜାସୁସି କରୁଥିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୋଗ ହୋଇଛି ଯେ ଯୁବକ ଜଣକ ଫିରୋଜପୁର ରୋଡରେ ଭଡ଼ାରେ ନେଇଥିବା ଏକ ଦୋକାନ ବାହାରେ CCTV କ୍ୟାମେରା ଲଗାଇଥିଲେ ଏବଂ ଏହି କ୍ୟାମେରାଗୁଡ଼ିକର ଲାଇଭ୍ ଫିଡ୍ ପାକିସ୍ତାନରେ ଥିବା ଲୋକଙ୍କ ପାଖକୁ ପଠାଯାଉଥିଲା।
ପୁଲିସ ସୂଚନା ଅନୁଯାୟୀ, ଏହି କ୍ୟାମେରାଗୁଡ଼ିକ ମାଧ୍ୟମରେ ଲୁଧିଆନାରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟକଳାପ ଏବଂ ସୁରକ୍ଷା ବଳର ଚଳପ୍ରଚଳ ଉପରେ ନଜର ରଖାଯାଉଥିଲା।
ଗିରଫ ଅଭିଯୁକ୍ତର ପରିଚୟ ରାସପାଲ ସିଂହ ଭାବେ ହୋଇଛି। ସେ ଗୁରୁଦାସପୁର ଜିଲ୍ଲାର ଫତେହଗଡ଼ ଚୂଡ଼ିଆଁ ଅଞ୍ଚଳର ସରାଫକୋଟ ଗାଁର ବାସିନ୍ଦା। ପୁଲିସ ଏବଂ କାଉଣ୍ଟର ଇଣ୍ଟେଲିଜେନ୍ସର ମିଳିତ ଟିମ୍ ତାଙ୍କୁ ଅଗଷ୍ଟ ୨୭ ରେ ଏକ ଗୁପ୍ତ ସୂଚନା ଆଧାରରେ ଗିରଫ କରିଥିଲା।
ଦୋକାନ ବାହାରେ ଲଗାଇଥିଲେ କ୍ୟାମେରା
ଗିରଫ ପରେ ପୁଲିସ ତାଙ୍କ ପାଖରୁ ଦୁଇଟି CCTV କ୍ୟାମେରା, ଗୋଟିଏ ୱାଇ-ଫାଇ ରାଉଟର/ବକ୍ସ, ପାୱାର ଏଡାପ୍ଟର ଏବଂ ୬୪ GB ର ମେମୋରୀ କାର୍ଡ ଜବତ କରିଛି। ପୁଲିସ ଅନୁଯାୟୀ, ରାସପାଲ ସିଂହ ଲୁଧିଆନାର ନ୍ୟୁ ସୁନ୍ଦର ନଗରରେ ଫିରୋଜପୁର ରୋଡସ୍ଥିତ ମେଡିଭେ ହସ୍ପିଟାଲ ଆଗରେ ଏକ ଦୋକାନ ଭଡ଼ାରେ ନେଇଥିଲେ। ଦୋକାନ ବାହାରେ CCTV କ୍ୟାମେରା ଲଗାଯାଇଥିଲା।